କର୍ଣ୍ଣାଟକାରେ କଂଗ୍ରେସର ବିପୁଳ ବିଜୟ, ମୁଖ୍ୟମନ୍ତ୍ରୀ କିଏ ହେବ – ସିଦ୍ଧରାମାୟା ନା ଶିବ କୁମାର ?
ପ୍ରସାଦ ରାଓ
୧୩ ମେ’
ମେ’ ୧୦ ତାରିଖରେ ସରିଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ବିଜେପି ପରାଜୟ ସ୍ୱୀକାର କରି ନେଇଛି । ରାଜ୍ୟବାସୀ ୨୦୨୩ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ବିଜେପି ସରକାରକୁ କ୍ଷମତାରୁ ହଟାଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମାୟା ଓ କେପିସିସି ସଭାପତି ଡି.କେ.ଶିବକୁମାରଙ୍କ ଯୋଡିକୁ ବିପୁଳ ସମର୍ଥନ ଓ ସଂଖ୍ୟା ଦେଇଛନ୍ତି । ଫଳରେ, ରାଜ୍ୟରେ କଂଗ୍ରେସ ଏକାକୀ ସରକାର ଗଠନ କରିବା ନିଶ୍ଚିତ ହୋଇଛି । ଅର୍ଥ ଓ କ୍ଷମତା ବଳରେ ପ୍ରବଳ ଭାବେ ଶକ୍ତିଶାଳୀ ଥିବା ବିଜେପିକୁ କ୍ଷମତାଛ୍ରୁତ କରି ରାଜ୍ୟରେ କଂଗ୍ରେସକୁ କ୍ଷମତାକୁ ଆଣିବା ସକାଶେ ସିଦ୍ଧରାମାୟା-ଶିବ କୁମାର ଯୋଡି ବେଶ ପରିଶ୍ରମ କରିଛନ୍ତି । ଗାନ୍ଧୀ ପରିବାରକୁ ସେମାନେ ଏହି ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ଗାନ୍ଧୀ ପରିବାର ସଦସ୍ୟ ଓ କଂଗ୍ରେସ ଦଳର ଅନ୍ୟ ରାଷ୍ଟ୍ରୀୟ ନେତାମାନେ ମଧ୍ୟ ଗଲା କିଛି ମାସ ହେଲା ବେଶ ପରିଶ୍ରମ କରିଥିଲେ । ଏଆଇସିସି ସଭାପତି ଖାର୍ଗେ, ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ କର୍ଣ୍ଣାଟକରେ ଦଳର ନିର୍ବାଚନ ପ୍ରଚାରର ନେତୃତ୍ୱ ନେଇଥିଲେ । ‘ଭାରତ ଯୋଡୋ’ ପଦଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକରେ ଯେଉଁ ଅଭୂତପୂର୍ବ ଜନସମର୍ଥନ ମିଳି ଥିଲା ତାହା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ଭୋଟରେ ରୂପାନ୍ତରିତ ହୋଇଥିବା ଆଜି ନିର୍ବାଚନ ଫଳାଫଳ ଆସିବା ପରେ ଆଲୋଚନା ହେଉଥିବା ବେଳେ ଏହି ନିର୍ବାଚନରେ କର୍ଣ୍ଣାଟକାବାସୀ ‘ଘୃଣା ବେପାର’କୁ ପ୍ରତ୍ୟାଖାନ କରି ‘ଭଲ ପାଇବା ଦୋକାନ’କୁ ଆଦର ଓ ସମର୍ଥନ ଦେଇଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
୨୦୨୩ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକାରେ କଂଗ୍ରେସ ସର୍ବାଧିକ ସଂଖ୍ୟକ ବିଧାନସଭା ଆସନରେ ବିଜୟୀ ହୋଇ ଏକାକୀ ସରକାର ଗଠନ କରିବାକୁ ସକ୍ଷମ ହୋଇଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ସୀମିତ ହୋଇଯାଇଛି । ଅଧିକାଂଶ ଜାତୀୟ ସର୍ବେକ୍ଷଣ ସଂସ୍ଥା ବୁଥ୍ ଫେରନ୍ତା ମତକୁ ଆଧାର କରି ପୂର୍ବରୁ ଏଭଳି ଆକଳନ କରିଥିଲେ । କେବଳ ଦୁଇଟି ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ବିଜେପି ସପକ୍ଷରେ ଥିଲା । ଦଳ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବ ବୋଲି ସେଥିରେ ଅନୁମାନ କରାଯାଇଥିଲା । କେତେକ ଜାତୀୟ ସର୍ବେକ୍ଷଣ ସଂସ୍ଥା ରାଜ୍ୟରେ ୨୦୧୮ ଭଳି ଏଥର ମଧ୍ୟ ଖଣ୍ଡିତ ମତଦାନ ହୋଇଥିବା ଆଶଙ୍କା ବ୍ୟକ୍ତ କରି ଏହା ହୋଇଥିଲେ ଏଚ.ଡି.ଦେବେଗୌଡାଙ୍କ ଜନତା ଦଳ (ଧର୍ମନିରପେକ୍ଷ) ବା ଜେଡିଏସ୍ ‘କିଙ୍ଗ୍ ମେକର୍’ ହେବ ବୋଲି ଆକଳନ କରିଥିଲେ । ତେବେ, କର୍ଣ୍ଣାଟକ ଜନତା ସମସ୍ତ କଳ୍ପନାଜଳ୍ପନାକୁ ନକାରି ଦେଇ କଂଗ୍ରେସକୁ ବିପୁଳ ସଂଖ୍ୟା ଦେଇଛନ୍ତି ଏବଂ ରାଜ୍ୟରେ ଏକ ସ୍ଥିର ସରକାର ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । କିନ୍ତୁ, ଗୋଟିଏ ଖୋଳ ପାଇଁ ଦୁଇଟି ଖଣ୍ଡା ରହିଲେ ଯାହା ସମସ୍ୟା ହୋଇଥାଏ ତାହା କଂଗ୍ରେସରେ ହେବାକୁ ଯାଉଛି । ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଓ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ.ଶିବ କୁମାର ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ଥିବାରୁ କଂଗ୍ରେସ ଆଗକୁ ଯେଉଁ ସମସ୍ୟା ହେବାକୁ ଯାଉଛି ତାହାକୁ କଂଗ୍ରେସ ହାଇକମାଣ୍ଡ କିଭଳି ମୁକାବିଲା କରିବେ ଓ କାହା ମୁଣ୍ଡରେ ଶିରିପା ବାନ୍ଧିବେ ଦେଖିବାକୁ ଦେଶବାସୀ ଉତ୍କଂଟାର ସହ ଅପେକ୍ଷାରେ ଅଛନ୍ତି ।
ସନ୍ଧ୍ୟା ସୁଦ୍ଧା ଆସିଥିବା ନିର୍ବାଚନ ଫଳାଫଳରୁ କଂଗ୍ରେସ ରାଜ୍ୟ ବିଧାନସଭାର ୨୨୪ ଆସନରୁ ୧୩୬ଟିରେ ଆଗୁଆ ଥିବା ସୂଚନା ମିଳି ଥିବା ବେଳେ ବିଜେପି ୬୪ ଓ ଜନତା ଦଳ (ଧର୍ମନିରପେକ୍ଷ) ୨୦ଟି ଆସନରେ ଆଗୁଆ ଥିବା ଜଣାପଡିଛି । ଅନ୍ୟମାନେ ୪ଟି ଆସନରେ ଆଗୁଆ ଅଛନ୍ତି । ରାଜ୍ୟରେ ସରକାର ଗଠନ ପାଇଁ ୧୧୩ ଆସନ ଥିବା ଆବଶ୍ୟକ । ସକାଳେ ଭୋଟ ଗଣତି ଆରମ୍ଭରୁ କଂଗ୍ରେସ ବିଜେପିଠାରୁ ବହୁ ଆଗରେ ଥିବାରୁ ଏକାକୀ ସରକାର ଗଢିବାକୁ ସୁଯୋଗ ପାଉଥିବା ସ୍ପଷ୍ଟ ଥିଲା । ଦଳ ୧୧୩ରୁ ଅଧିକ ଆସନରେ ଆଗୁଆ ଥିବା ଦେଖି ବେଂଗାଲୁରୁସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟ ଉତ୍ସବ ମୁଖର ହୋଇପଡିଥିଲା । ଅପରାହ୍ନ ସୁଦ୍ଧା କଂଗ୍ରେସ-ବିଜେପି ମଧ୍ୟରେ ବ୍ୟବଧାନ ବଢିବା ସହ ବିଜେପିର ଆସନ ସଂଖ୍ୟା କମିଛି । କଂଗ୍ରେସଠାରୁ ବିଜେପି ବହୁ ପଛରେ ଥିବାରୁ ରାଜ୍ୟରେ କଂଗ୍ରେସ ସରକାର କରୁଥିବା ନିଶ୍ଚିତ ହୋଇସାରିଛି । ଚୂଡାନ୍ତ ଫଳାଫଳ ମଧ୍ୟ ସେହି ଦିଗରେ ଯାଉଛି । ପ୍ରଥମେ ପ୍ରଥମେ ବିଜେପି କିଛି ବିଧାନସଭା ଆସନରେ କଂଗ୍ରେସ ଓ ଜେଡିଏସ୍ ଠାରୁ ଖୁବ କମ୍ ଭୋଟ ବ୍ୟବଧାନରେ ପଛୁଆ ଥିବାରୁ ଫଳାଫଳ ନିଜ ସପକ୍ଷରେ ଯିବା ନେଇ ଆଶାବାଦୀ ଥିଲା । ତେବେ, ପରେ ନିରାଶ ହେବାକୁ ପଡିଛି । ବିଜେପି ଅଧିକରୁ ଅଧିକ ଆସନରେ ପଛେଇବାରୁ ବିଜେପି ରାଜ୍ୟ ନେତୃତ୍ୱ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପରାଜୟକୁ ସ୍ୱୀକାର କରି ଆଜି ସନ୍ଧ୍ୟାରେ ଇସ୍ତଫା ଦେଉଥିବା ସୂଚନା ମିଳିଛି ।
ଗତ ୧୦ ତାରିଖରେ ହୋଇଥିବା ବିଧାନସଭା ନିର୍ବାଚନରେ କର୍ଣ୍ଣାଟକାରେ ୭୩.୧୯ ପ୍ରତିଶତ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ । ସନ୍ଧ୍ୟା ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ କଂଗ୍ରେସ ୧୦୭ଟି ଆସନରେ ବିଜୟୀ ଘୋଷିତ ହୋଇସାରିଛି ଓ ୨୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗୁଆ ରହିଛି । ବିଜେପି ୪୮ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୬ଟି ଆସନରେ ଆଗୁଆ ଏବଂ ଓ ଜେଡିଏସ୍ ୧୬ଟି ଆସନ ଜିତି ସାରିଥିବା ବେଳେ ୪ଟି ଆସନରେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗୁଆ ଥିବା ସୂଚନା ଆସିଛି । କଂଗ୍ରେସର ଦୁଇ ମୁଖ୍ୟମନ୍ତ୍ରୀ ଆଶାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଦ୍ଧରାମାୟା ଓ କେପିସିସି ସଭାପତି ଶିବ କୁମାର ନିର୍ବାଚନ ଜିତି ସାରିଛନ୍ତି । ଶିବ କୁମାର (୬୧) କହିଛନ୍ତି, ଗାନ୍ଧୀ ପରିବାରକୁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ବାସ୍ତବ ରୂପ ଦେବା ସକାଶେ ଗଲା ତିନି ବର୍ଷ ହେଲା ଶୋଇପାରି ନାହାନ୍ତି । ୨୦୨୩ରେ କର୍ଣ୍ଣାଟକାରେ କଂଗ୍ରେସକୁ କ୍ଷମତାସୀନ କରିବେ ବୋଲି ସେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଏଆଇସିସି ସଭାପତି ମଲ୍ଲକାର୍ଜୁନ ଖାର୍ଗେଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଜି ତାହାକୁ ସେ ବାସ୍ତବ କରି ଦେଖାଇଛନ୍ତି । ସେ ୨୦୧୭ରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଦିଲ୍ଲୀ ତିହାର ଜେଲରେ ଥିବା ବେଳେ ସୋନିଆ ଗାନ୍ଧୀ ଜେଲକୁ ଯାଇ ତାଙ୍କୁ ଭେଟି ଥିଲା । ଏକଥା ସେ କେବେ ମଧ୍ୟ ଭୁଲି ପାରିବେ ନାହିଁ ବୋଲି ଡି.କେ.ଶିବ କୁମାର କହିଛନ୍ତି ।
୨୦୨୩ରେ କର୍ଣ୍ଣାଟକରେ କଂଗ୍ରେସ ଏକାକୀ ସରକାର କରୁଥିବା ସ୍ପଷ୍ଟ ହୋଇସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇ ନାହିଁ । କଂଗ୍ରେସ ନେତୃତ୍ୱ ସିଦ୍ଧରାମାୟା ଓ ଶିବ କୁମାରଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାଛିବେ । ତାହା ଏକ କଠିନ ବ୍ୟାପାର ହେବ ବୋଲି ଆଲୋଚନା ହେଉଛି । ତେବେ, ଶିବ କୁମାର କହିଛନ୍ତି – ‘କଂଗ୍ରେସ କାର୍ଯ୍ୟାଳୟ ହେଉଛି ଆମ ପାଇଁ ମନ୍ଦିର । ସେଠାରେ ବସି ଆମେ ଆମର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିନେବୁ’ । ଶିବ କୁମାର ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସର ଜଣେ ପ୍ରଭାବଶାଳୀ ଓ ବିତ୍ତଶାଳୀ ନେତା । ଆରମ୍ଭରୁ ସେ କଂଗ୍ରେସ ରାଜନୀତିରେ ଅଛନ୍ତି । ୧୯୮୯ରୁ ଗୋଟିଏ ହେଲେ ନିର୍ବାଚନ ହାରି ନାହାନ୍ତି । ଅପରପକ୍ଷରେ, ୭୫ ବର୍ଷ ବୟସ୍କ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ୧୯୮୩ରେ ପ୍ରଥମେ କର୍ଣ୍ଣାଟକା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୪ରେ ରାଜ୍ୟରେ ଜନତା ଦଳ ସରକାରରେ ସେ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୦ ବର୍ଷ ପରେ ୨୦୦୪ରେ ଜନତା ଦଳ (ଧର୍ମନିରପେକ୍ଷ) ସରକାରରେ ଥିଲେ । ଜେଡିଏସ ମୁଖ୍ୟ ଏଚ.ଡି.ଦେବେଗୌଡାଙ୍କ ସହ ତାଙ୍କର ମତଭେଦ ହେବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ୨୦୦୮ରେ ସିଦ୍ଧରାମାୟା କଂଗ୍ରେସରେ ଯୋଗ ଦେଇଥିଲେ ଓ ୨୦୧୩ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କର୍ଣ୍ଣାଟକ ବିଜୟକୁ ସେ କଂଗ୍ରେସର ବଡ ବିଜୟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଜନମତ ବୋଲି ମନ୍ତବ୍ୟ ଦେଇଛନ୍ତି ।
ସିଦ୍ଧରାମାୟାଙ୍କ ପୁଅ କହିଛନ୍ତି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କ ବାପା ହିଁ ଉପଯୁକ୍ତ ବ୍ୟକ୍ତି । ବୁଥ୍ ବାହୁଡା ଜନମତକୁ ନେଇ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ମଧ୍ୟ ସେମାନଙ୍କ ରିପୋର୍ଟରେ ଦର୍ଶାଇ ଥିଲେ ୨୦୨୩ରେ ୪୦ ପ୍ରତିଶତ ମତଦାତା ସିଦ୍ଧରାମାୟାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ଶିବ କୁମାର ବହୁ ପଛରେ ଅଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ନେତୃତ୍ୱ କି ନିଷ୍ପତ୍ତି ନେଉଛନ୍ତି ଦେଖିବା ସମୟ ଆସିଛି । ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ସିଦ୍ଧରାମାୟା-ଶିବ କୁମାରଙ୍କ ମଧ୍ୟରେ ବିବାଦ ରହିଲେ ସେଥିରୁ ଫାଇଦା ନେବାକୁ ବିଜେପି ପ୍ରସ୍ତୁତ ଥିବା କିଛି ବିଜେପି ନେତାଙ୍କ ବୟାନବାଜୀରୁ ସୂଚନା ମିଳିଛି । ତେବେ, ବିଧାନସଭାରେ ଦୁଇ ଦଳ ମଧ୍ୟରେ ବ୍ୟବଧାନ ଏତେ ଅଧିକ ରହିବ ଯେ ବିଜେପି ଏଥର ୨୦୧୯ର ସେହି ଘୃଣ୍ୟ ବିଭାଜନ ଖେଳ ଖେଳିବାକୁ ସକ୍ଷମ ହେବ ନାହିଁ ବୋଲି କଂଗ୍ରେସ ପ୍ରବକ୍ତାମାନେ କହୁଛନ୍ତି । ତଥାପି, କଂଗ୍ରେସ ପାଇଁ ମୁଖ୍ୟମନ୍ତ୍ରୀ ଚୟନ ସହଜ ହେବ ନାହିଁ । ଏଆଇସିସି ସଭାପତି ଖାର୍ଗେ ଓ ଗାନ୍ଧୀ ପରିବାର କର୍ଣ୍ଣାଟକ ନିର୍ବାଚନରେ ପ୍ରଥମ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ପରୀକ୍ଷାରେ କିଭଳି ଉତ୍ତୀର୍ଣ୍ଣ ହେବେ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS