ସିଦ୍ଧରାମାୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?
ପ୍ରସାଦ ରାଓ
ମେ’ ୧୫
ଏଆଇସିସି କାହା ମୁଣ୍ଡରେ ସୁନା କଳସ ଢାଳିବ, କିଏ ହେବ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ ? ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ନା କେପିସିସି ସଭାପତି ଡି.କେ.ଶିବ କୁମାର ? ଆଜି ସୁଦ୍ଧା ଏହି ସସ୍ପେନ୍ସ ଉପରୁ ପରଦା ହଟି ନାହିଁ । କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ମେ’ ୧୮ରେ ଶପଥ ଗ୍ରହଣ କରିବେ ବୋଲି କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ ସରିଲାଣି । ୧୩ ତାରିଖ ଦିନ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତା ସିଦ୍ଧରାମାୟା ଓ ଶିବ କୁମାରଙ୍କ ସମର୍ଥକ ଗୋଷ୍ଠୀ ମଧ୍ୟରେ ଛକାପଂଝା ବଢିଛି । ନିର୍ବାଚନ ପୂର୍ବରୁ ଏହି ବିବାଦ ଥିଲା । କଂଗ୍ରେସ ନେତୃତ୍ୱ ଦୁଇ ନେତାଙ୍କ ମଧ୍ୟରେ ବୁଝାମଣା କରି ନିର୍ବାଚନ ପରିଚାଳନା କରିଥିଲେ । ତେଣୁ, ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ପୂର୍ବରୁ ଘୋଷଣା ହୋଇନଥିଲା । ୧୩ ତାରିଖ ଭୋଟ ଗଣତି ପରେ ଯେଉଁ ଫଳାଫଳ ଆସିଲା ତାହା କଂଗ୍ରେସ ଦଳ ପାଇଁ ବେଶ୍ ଉତ୍ସାହଜନକ । ରାଜ୍ୟ ବିଧାନସଭାର ୨୨୪ ଆସନରୁ ୧୩୬ଟି ଆସନରେ କଂଗ୍ରେସର ବିଜୟ ହୋଇଛି । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୩ ଥିବା ବେଳେ କର୍ଣ୍ଣାଟକର ମତଦାତା କଂଗ୍ରେସକୁ ତାହାଠାରୁ ବହୁ ଅଧିକ ଆସନ ଦେଇ ବିଜେପିକୁ ନିରାଶ କରିଛନ୍ତି । ରାଜ୍ୟରେ ଦଳ ଏକାକୀ ସରକାର ଗଠନ କରି ସ୍ଥିର ଶାସନ ଦେବାକୁ ଜନମତ ପାଇଥିବା କେବଳ କଂଗ୍ରେସ ନେତା ଓ କର୍ମୀଙ୍କୁ ନୁହେଁ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଏକ ବିରୋଧୀ ରାଜନୈତିକ ମେଂଟ ଗଠନ ଉଦ୍ୟମରେ ଥିବା ବିରୋଧୀ ନେତାଙ୍କୁ ମଧ୍ୟ ବେଶ୍ ଉତ୍ସାହିତ କରିଛି । ଯେଉଁମାନେ ବିରୋଧୀ ଏକତା ଉଦ୍ୟମରେ କଂଗ୍ରେସକୁ ସାମିଲ କରିବାକୁ ନାକ ଟେକୁଥିଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ସେମାନେ କଂଗ୍ରେସକୁ ସାଥିରେ ନେଇ ବିରୋଧୀ ମେଂଟ ଗଠନ କଥା କହିବା ଆରମ୍ଭ କଲେଣି । ବିରୋଧୀ ଶିବରରେ କଂଗ୍ରେସର ମୂଲଚାଲ କ୍ଷମତା ବଢିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କର୍ଣ୍ଣାଟକ କଂଗ୍ରେସର ଦୁଇ ପ୍ରମୁଖ ନେତାଙ୍କ ଛକାପଂଝା କର୍ଣ୍ଣାଟକବାସୀଙ୍କୁ ଦୁଃଖି କରିବା ସ୍ୱାଭାବିକ । କାରଣ, ସେମାନେ ବିଜେପିର ସମସ୍ତ ପ୍ରଲୋଭନକୁ ଏଡାଇ ରାଜ୍ୟରେ ପରିବର୍ତ୍ତନକୁ ସମର୍ଥନ କରି ମତଦାନ କରିଛନ୍ତି । କଂଗ୍ରେସକୁ ଆବଶ୍ୟକ ସଂଖ୍ୟାରୁ ଯଥେଷ୍ଟ ଅଧିକ ସଂଖ୍ୟା (ଆସନ) ଦେଇ ଏକ ସ୍ଥିର ସରକାର ପ୍ରତିଷ୍ଠାର ସୁଯୋଗ ଦେଇଛନ୍ତି । କଂଗ୍ରେସ ଏଭଳି ଏକ ସୁଯୋଗ ପାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରାରେ ମାତିବା ଏବଂ ବେଂଗାଲୁରୁରେ ବିବାଦର ସମାଧାନ ନହୋଇ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ତାହା ସ୍ଥାନାନ୍ତର ହୋଇଯିବା କଂଗ୍ରେସର ଚିରାଚରିତ ହାଇକମାଣ୍ଡ ସର୍ବସ୍ୱ ରାଜନୀତିକୁ ମନେ ପକାଇ ଦେଇଛି । ଶନିବାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରବିବାର ସନ୍ଧ୍ୟାରେ ବେଂଗାଲୁରୁର ଏକ ତାରକା ହେଟେଲରେ କଂଗ୍ରେସ ବିଧାୟକ ଦଳ (ସିଏଲପି) ବୈଠକ ରଖା ଯାଇଥିଲା । ଏହି ବୈଠକରେ ବିଧାୟକ ଦଳ ନେତା ବା ମୁଖ୍ୟମନ୍ତ୍ରୀ ଚୟନ ହେବାକୁ ଥିବାରୁ କଂଗ୍ରେସ ହାଇକମାଣ୍ଡ ତାହାର ତଦାରଖ ପାଇଁ ଦଲ୍ଲୀରୁ ତିନି ଜଣ ପର୍ଯ୍ୟବେକ୍ଷକଙ୍କୁ ପଠାଇ ଥିଲେ । ଏହି ପର୍ଯ୍ୟବେକ୍ଷକମାନେ ସିଏଲପି ବୈଠକ ଆଢୁଆଳରେ ନବ ନିର୍ବାଚତ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ସମୟରେ ତାରକା ହେଟେଲ ବାହାରେ ମୁଖ୍ୟମନ୍ତ୍ରୀ ଆଶାୟୀ ଦୁଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମାୟା ଓ ଶିବ କୁମାରଙ୍କ ସମର୍ଥକମାନଙ୍କ ଆଡୁ ପରସ୍ପର ବିରୋଧୀ ପ୍ରଦର୍ଶନ ଚାଲି ଥିଲା । ଏଆଇସିସି ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ କଂଗ୍ରେସ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ ଏଆଇସିସି ହାଇକମାଣ୍ଡଙ୍କ ଉପରେ ନ୍ୟସ୍ତ କରି ଧାଡିକିଆ ପ୍ରସ୍ତାବ ଗୃହୀତ କରାଯାଇଛି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଗତକାଲି ଦିଲ୍ଲୀ ଫେରି ଗାନ୍ଧୀ ପରିବାର ସହ ଆଲୋଚନା କରିବା ପରେ ବେଂଗାଲୁରୁ ଫେରିବା କାର୍ଯ୍ୟକ୍ରମ ଥିଲେ ମଧ୍ୟ କଂଗ୍ରେସ ହାଇକମାଣ୍ଡ ବିଳମ୍ବିତ ସନ୍ଧ୍ୟାରେ ଉଭୟ ସିଦ୍ଧରାମାୟା ଓ ଶିବ କୁମାରଙ୍କୁ ଆଜି ଦିଲ୍ଲୀରେ ପହଂଚିବାକୁ ନିର୍ଦେଶ ଦେଇଥିଲେ । ସିଦ୍ଧରାମାୟା ଆଜି ଦିଲ୍ଲୀ ଯାଇଥିବା ବେଳେ ଶିବ କୁମାର ଯାଇ ନାହାନ୍ତି । ଆଜି ତାଙ୍କ ଜନ୍ମ ଦିନ ଥିବାରୁ ଦିଲ୍ଲୀ ଯାଇ ନାହାନ୍ତି, କଂଗ୍ରେସ ମୁଖ୍ୟଙ୍କଠାରୁ ଖୁସି ଖବର ମିଳିବା ଅପେକ୍ଷାରେ ଅଛନ୍ତି ବୋଲି ଶିବ କୁମାର ବେଂଗାଲୁରୁରେ ଗଣମାଧ୍ୟମକୁ କହିଛନ୍ତି । ବେଂଗାଲୁରୁରେ ରବିବାର ଅନୁଷ୍ଠିତ ସିଏଲପି ବୈଠକରେ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା କଂଗ୍ରେସର ତିନି ଜଣ ବରିଷ୍ଠ ନେତା ଆଜି ଦିଲ୍ଲୀ ଫେରି ଯାଇଛନ୍ତି । ରାତି ସୁଦ୍ଧା ସେମାନେ ହାଇକମାଣ୍ଡ ନିକଟରେ ରିପୋର୍ଟ ଦାଖଲ କରିବେ । ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ସମ୍ଭାବନା ରହିଛି ବୋଲି ସେମାନେ କହିଛନ୍ତି । ପର୍ଯ୍ୟବେକ୍ଷକମାନେ କହିଛନ୍ତି, କର୍ଣ୍ଣାଟକରେ କାହାକୁ ମୁଖ୍ୟମନ୍ତ୍ରୀ କଲେ ଉଭୟ ରାଜ୍ୟ ଓ ଦଳ ଲାଭବାନ ହୋଇପାରିବ ସେନେଇ ନବ ନିର୍ବାଚିତ ବିଧାୟକମାନଙ୍କ ମତାମତ ନିଆଯାଇଛି । କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ତାହା ଉପସ୍ଥାପନ କରାଯିବ । ହାଇକମାଣ୍ଡ ତାହାକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ଚୟନ କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଓ କେପିସିସି ସଭାପତି ଡି.କେ.ଶିବ କୁମାରଙ୍କ ମଧ୍ୟରୁ ସିଦ୍ଧରାମାୟାଙ୍କ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । କାରଣ ହେଉଛି, ସିଦ୍ଧରାମାୟା କର୍ଣ୍ଣାଟକର ଜଣେ ଅଭିଜ୍ଞ ନେତା ହୋଇଥିବା ବେଳେ କେପିସିସି ସଭାପତି ଶିବ କୁମାରଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ରହିଛି । ହାଇକମାଣ୍ଡଙ୍କ ଆଭିମୁଖ୍ୟ ଜାଣି ଶିବ କୁମାର ଆଜି ଦିଲ୍ଲୀ ଯାଇନଥିବା କୁହାଯାଉଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଶୀଲ କୁମାର ସିନ୍ଧେ, ଜିତେନ୍ଦ୍ର ସିଂହ ଅଲୱାର ଓ ଦୀପକ ବାବାରିଆ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ବେଂଗାଲୁରୁ ଯାଇଥିଲେ । ଆଠ ଥରର ବିଧାୟକ ଶିବ କୁମାର କଂଗ୍ରେସର ‘ସଂକଟ ମୋଚକ’ ଭାବେ ଜଣାଶୁଣା ଥିବା ବେଳେ ୨୦୧୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିବା ସିଦ୍ଧରାମାୟାଙ୍କ ସମଗ୍ର ରାଜ୍ୟରେ ରାଜନୈତିକ ପ୍ରଭାବ ରହିଛି । ଦୁହେଁ ମିଳିତ ଭାବେ ୨୦୨୩ରେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ବେଶ୍ ପରିଶ୍ରମ କରିଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ଦଳ ୧୯୮୯ରେ ୧୭୮ଟି ଆସନ ପାଇଥିଲା । ଭୋଟ ସେୟାର ଥିଲା ୪୩.୭୬ ପ୍ରତିଶତ । ୧୯୯୯ରେ ଦଳକୁ ମିଳିଥିଲା ୧୩୨ ଆସନ । ଭୋଟ ସେୟାର ଥିଲା ୪୦.୮୪ ପ୍ରତିଶତ । ୨୦୨୩ ନିର୍ବାଚନରେ ଦଳ ୧୩୬ ଆସନରେ ବିଜୟୀ ହୋଇଛି । ବିଜେପି ରାଜ୍ୟରେ ୨୦୧୮ ନିର୍ବାଚନରେ ୧୦୪ ଆସନ ପାଇଥିବା ବେଳେ ୨୦୨୩ରେ ତାହା ୬୬କୁ ଖସି ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS