ବିଚାର ବିଭାଗୀୟ ଅଧିକାରୀଙ୍କ ପଦୋନ୍ନତି ଉପରେ ରୋକ୍, ଜୁଲାଇରେ ଶୁଣାଣୀ କରିବାକୁ ସୁପ୍ରିମ କୋର୍ଟ ରାଜି
ପ୍ରସାଦ ରାଓ
ମେ’ ୧୬
ଗୁଜରାଟର ୬୮ ଜଣ ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କ ପଦୋନ୍ନତିରେ ଅନୁୟମିତତା ହୋଇଥିବା ଅଭିଯୋଗକୁ ବିଚାର କରି ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏମ.ଆର.ଶାହା (ଗତକାଲି ଅବସର ନେଇଛନ୍ତି)ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମେ’ ୧୨ ତାରିଖ ଦିନ ପଦୋନ୍ନତି ଉପରେ ଯେଉଁ ରୋକ୍ ଲଗାଇଛନ୍ତି ତାହା ସଂପୃକ୍ତ ବିଚାର ବିଭାଗୀୟ ଅଧିକାରୀଙ୍କ ସମ୍ମାନରେ ଆଂଚ ଆଣିଛି ବୋଲି ଦର୍ଶାଇ ଏହି ନିର୍ଦେଶର ପୁନର୍ବିଚାର ପାଇଁ ହୋଇଥିବା ଏକ ଆବେଦନକୁ ଆସନ୍ତା ଜୁଲାଇ ମାସରେ ଶୁଣାଣୀ କରିବାକୁ ସୁପ୍ରିମ କୋର୍ଟ ଆଜି ରାଜି ହୋଇଛନ୍ତି । ସଂପୃକ୍ତ ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କୁ ଗୁଜରାଟ ହାଇକୋର୍ଟ ଜିଲ୍ଲା ଜଜ୍ ପଦକୁ ପଦୋନ୍ନତି ଦେଇଥିଲେ । ତେବେ, ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗରେ କେତେକ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ସୁପ୍ରିମ କୋର୍ଟରେ ପିଟିସନ କରିବାରୁ ଜଷ୍ଟିସ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାହାର ଶୁଣାଣୀ କରି ଏହି ଆବେଦନ ୁପରେ ଚୂଡାନ୍ତ ଫଇସଲା ପର୍ଯ୍ୟନ୍ତ ସମସ୍ତ ପଦୋନ୍ନତି ଉପରେ ରୋକ୍ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଦେଶୁ କାର୍ଯ୍ୟକାରୀ କରିବାକୁ ଯାଇ ଗୁଜରାଟ ହାଇକୋର୍ଟ ପଦୋନ୍ନତି ପାଇଥିବା ୬୮ ଜଣ ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କ ପଦୋନ୍ନତି ବାତିଲ କରି ସେମାନଙ୍କୁ ପୁରୁଣା ପଦକୁ ଫେରାଇ ଦେଇଛନ୍ତି । ଏହା ସଂପୃକ୍ତ ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କ ପାଇଁ ଅପମାନସୂଚକ ହୋଇଛି ଦର୍ଶାଇ ସେମାନଙ୍କ ପକ୍ଷରୁ ଆଇନଜୀବୀ ମିନାକ୍ଷୀ ଆରୋରା ଜଷ୍ଟିସ ଶାହାଙ୍କ ଖଣ୍ଡପୀଠର ମେ’ ୧୨ ତାରିଖ ଆଦେଶର ପୁନର୍ବିଚାର କରାଯିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ, ଜଷ୍ଟିସ ପି.ଏସ.ନରସିଂହା ଓ ଜଷ୍ଟିସ ଜେ.ବି.ପରଡିୱାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଆଇନଜୀବୀ ମିନାକ୍ଷୀ ଆରୋରାଙ୍କ ଆବେଦନକୁ ଶୁଣାଣୀ ପାଇଁ ଗ୍ରହଣ କରି ଗ୍ରାଷ୍ମାବକାଶ ସରିବା ପରେ ଜୁଲାଇ ମାସରେ ତାହା ଉପରେ ଶୁଣାଣୀ କରିବାକୁ ରାଜି ହୋଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଗୁଜରାଟ ହାଇକୋର୍ଟ ପକ୍ଷରୁ ଯେଉଁ ୬୮ ଜଣ ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ଜଜ୍ ପଦକୁ ଉନ୍ନତ କରାଯାଇ ପଦୋନ୍ନତି ଦିଆଯାଇଥିଲା ସେଥିରେ ସୁରଟ ଜିଲ୍ଲା କୋର୍ଟ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ହରିଶ ହସମୁଖଭାଇ ବର୍ମାଙ୍କ ନାମ ଥିଲା । ସୁଜେଏମ୍ ବର୍ମା ଗତ ମାର୍ଚ୍ଚ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଆପରାଧିକ ମାନହାନୀ ମାମଲାର ବିଚାର କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିବା ଫଳରେ ରାହୁଲ ଲୋକସଭା ସାଂସଦ ପଦ ହରାଇଛନ୍ତି । ରାହୁଲ ୨୦୧୯ ସାଧାରଣ ନିର୍ବାଚନ ସମୟରେ କର୍ଣ୍ଣାଟକର କୋଲାରଠାରେ ଏକ ନିର୍ବାଚନ ସଭାରେ ଭାଷଣ ଦେବା ବେଳେ ‘ମୋଦୀ ସାଂଗିଆ’କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ । ସୁରଟର ଜଣେ ବିଜେପି ବିଧାୟକ ରାହୁଲଙ୍କ ବିରୋଧରେ ଏହି ଆପରାଧିକ ମାନହାନୀ ମାମଲା କରିଥିଲେ । ଗୁଜରାଟ ହାଇକୋର୍ଟ ଏହି ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କୁ ପଦୋନ୍ନତି ଦେବା ସମୟରେ ‘ମେରିଟ୍ କମ୍ ସିନିୟରିଟି’ନିୟମର ପ୍ରତିପାଳନ କରି ନାହାନ୍ତି ବୋଲି କିଛି ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ସୁପ୍ରିମ କୋର୍ଟରେ ଅଭିଯୋଗ କରିବାରୁ ବିଚାରପତି ଜଷ୍ଟିସ ଶାହାଙ୍କ ଖଣ୍ଡପୀଠ ତାହାର ଶୁଣାଣୀ କରି ପଦୋନ୍ନତି ପାଇଥିବା ୬୮ ଜଣ ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କ ପଦୋନ୍ନତି ଉପରେ ରୋକ୍ ଲଗାଇଛନ୍ତି । ଅଭିଯୋଗର ଫଇସଲା ନହେବା ଯାଏଁ ପଦୋନ୍ନତି ଉପରେ ରୋକ୍ ଲାଗୁ ରହିବ ବୋଲି ଜଷ୍ଟିସ ଶାହାଙ୍କ ଖଣ୍ଡପୀଠ ସ୍ପଷ୍ଟ କରି ଦେଇଛନ୍ତି । ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ରାୟ ଆସିବା ପରେ ଗୁଜରାଟ ହାଇକୋର୍ଟ ପଦୋନ୍ନତି ଦେଇଥିବା ୬୮ ଜଣ ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କ ମଧ୍ୟରୁ ୪୦ ଜଣଙ୍କୁ ପୁରୁଣା ପଦବୀକୁ ଫେରାଇ ଆଣିଥିବା ବେଳେ ଅନ୍ୟ ଏକ ବିଜ୍ଞପ୍ତି ମାଧ୍ୟମରେ ୨୧ ଜଣଙ୍କୁ ଅନ୍ୟତ୍ର ବଦଳି କରିଦେଇଛନ୍ତି । କିନ୍ତୁ ସେମାନଙ୍କ ପଦୋନ୍ନତିକୁ ରିଭର୍ସ କରି ନାହାନ୍ତି । ଏହି ୨୧ ଜଣଙ୍କ ମଧ୍ୟରେ ସୁରଟର ସିଜେଏମ୍ ଏଚ.ଏଚ.ବର୍ମା ଅଛନ୍ତି । ତାଙ୍କୁ ରାଜକୋଟର ୧୨ତମ ଅତିରିକ୍ତ ସେସନ୍ସ ଜଜ୍ ଭାବେ ବଦଳି କରାଯାଇଛି । ଗୁଜରାଟ ହାଇକୋର୍ଟ ଯେଉଁ ୬୮ ଜଣ ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କୁ ପଦୋନ୍ନତି ଦେଇଥିଲେ ସେଥିରୁ ୬୦ ଜଣ ସେମାନଙ୍କଠାରୁ କମ୍ ନମ୍ବର ପାଇଛନ୍ତି ବୋଲି ଦୁଇ ଜଣ ବିଚାର ବିଭାଗୀୟ ଅଫିସର ସୁପ୍ରିମ କୋର୍ଟରେ ଅପିଲ୍ କରିବା ପରେ ଜଷ୍ଟିସ ଏମ.ଆର.ଶାହା ଓ ଜଷ୍ଟିସ ସିଟି ରବି କୁମାରଙ୍କ ଖଣ୍ଡପୀଠ ଗତ ୧୨ ତାରିଖ ଦିନ ଏସବୁ ପଦୋନ୍ନତି ଉପରେ ରୋକ୍ ଲଗାଇ ଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS