ବିଦା ହେଲେ କିରଣ ରିଜ୍ଜୁ, ମେଘୱାଲ ହେଲେ ଆଇନ ମନ୍ତ୍ରୀ
ପ୍ରସାଦ ରାଓ
ମେ’ ୧୮
ଅରୁଣାଚଳ ପ୍ରଦେଶରୁ ତିନି ଥର ଲୋକସଭାକୁ ନିର୍ବାଚିତ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଆଜି ଆଇନ ମନ୍ତ୍ରଣାଳୟରୁ ହଟାଇ ଦିଆଯାଇ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୩ରେ ଆଉ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ସମୟରେ ଓ ୨୦୨୪ ସାଧାରଣ ନିର୍ବାଚନ ପାଇଁ କିଛି ମାସ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରରେ ଏଭଳି ପରିବର୍ତ୍ତନ ବେଶ୍ ଗୁରୁତ୍ୱ ରଖୁଛି । ରିଜ୍ଜୁଙ୍କ ସ୍ଥାନରେ ରାଜସ୍ଥାନର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ୨୦୨୧ ଜୁଲଇ ୭ ତାରିଖରେ ରିଜ୍ଜୁ କେନ୍ଦ୍ର ଆଇନ ମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଦେଶରେ ବିଚାରପତି ନିଯୁକ୍ତି ପାଇଁ ପ୍ରଚଳିତ କଲିଜିଅମ୍ ବ୍ୟବସ୍ଥାକୁ ବିରୋଧ କରି ବେଶ୍ ଚର୍ଚ୍ଚାରେ ଥିଲେ । ସୁପ୍ରିମ କୋର୍ଟ ଓ ହାଇକୋର୍ଟ ବିଚାରପତି ନିଯୁକ୍ତି କ୍ଷେତ୍ରରେ ଯେଉଁ କଲିଜିୟମ୍ ବ୍ୟବସ୍ଥା ପ୍ରଚଳିତ ରହିଛି ତାହା ପାରଦର୍ଶୀ ନଥିବା ଦର୍ଶାଇ ନ୍ୟାସନାଲ ଜୁଡିସିଆଲ୍ ଆପଏଂଟମେଂଟ କମିସନ୍ (ଏନଜେଏସି) ମାଧ୍ୟମରେ ବିଚାରପତିଙ୍କୁ ନିଯୁକ୍ତି ଦିଆଯିବା ସପକ୍ଷରେ ରିଜ୍ଜୁ ଯୁକ୍ତି ଦର୍ଶାଇଛନ୍ତି । ବିଚାରପତିମାନେ ବିଚାରପତିଙ୍କୁ ନିଯୁକ୍ତି ଦେବା ପାରଦର୍ଶୀ ହେଉ ନାହିଁ ବୋଲି ରିଜ୍ଜୁ ଯୁକ୍ତି କରିବା ସହ ଏନଜେଏସି ଦ୍ୱାରା ବିଚାରପତି ନିଯୁକ୍ତି ହେଲେ ତାହା ଅଧିକ ପରଦର୍ଶୀ ହେବ ବୋଲି ଆଇନ ମନ୍ତ୍ରୀ ରିଜ୍ଜୁ ଲଗାତର ବୟାନ ଦେବା ଆଇନ ମନ୍ତ୍ରଣାଳୟ ଓ କଲିଜିଅମ୍ ବ୍ୟବସ୍ଥା ମଧ୍ୟରେ ସଂପର୍କ ତୀକ୍ତ କରିଥିଲା । ବର୍ତ୍ତମାନ ପ୍ରଚଳିତ ବିଚାରପତି ନିଯୁକ୍ତି ବ୍ୟବସ୍ଥା ହିଁ ଉପଯୁକ୍ତ ବ୍ୟବସ୍ଥା ଏବଂ ଅଧିକ ପାରଦର୍ଶୀ, ଏନଜେଏସି ମାଧ୍ୟମରେ ଦେଶର ଉଚ୍ଚ ନ୍ୟୟାଳୟରେ ବିଚାରପତି ନିଯୁକ୍ତି ହେଲେ ତାହା ପ୍ରଶାସନର ନିୟନ୍ତ୍ରଣକୁ ଚାଲି ଯିବ ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ସମେତ ଦେଶର ଅଧିକାଂଶ ବରିଷ୍ଠ ବିଚାରପତି ମତ ଦେଇ ଅସୁଛନ୍ତି । କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ଓ କଲିଜିଅମ୍ ବ୍ୟବସ୍ଥାକୁ ପରିଚାଳନା କରି ଆସୁଥିବା ବିଚାରପତିମାନଙ୍କ ମଧ୍ୟରେ ଏଭଳି ଏକ ବିବାଦୀୟ ବାତାବରଣ ଥିବା ସମୟରେ ରିଜ୍ଜୁ ଆଜି ଆଇନ ମନ୍ତ୍ରଣାଳୟରୁ ବିଦା ହୋଇ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ମନ୍ତ୍ରୀ ହେବା ଗୁରୁତ୍ୱ ରଖୁଛି । ରିଜ୍ଜୁ ଗତ ନଭେମ୍ବର ମାସରେ କଲିଜିଅମ୍ ବ୍ୟବସ୍ଥା ‘ସଂବିଧାନସମ୍ମତ’ ନୁହେଁ ବୋଲି ବୟାନ ଦେଇଥିଲେ ଏବଂ ଜାନୁୟାରୀ ମାସରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି ପ୍ରଚଳିତ କଲିଜିଅମ୍ ବ୍ୟବସ୍ଥାରେ ସରକାରଙ୍କ ପ୍ରତିନିଧିଙ୍କୁ ରଖା ଯିବାକୁ ପ୍ରସ୍ତାବ ଦେଇଥିଲେ । ଚଳିତ ମାସରେ କର୍ଣ୍ଣାଟକ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପିର ପରାଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଅଚାନକ ମନ୍ତ୍ରୀ ପରିଷଦରେ ପରିବର୍ତ୍ତନ ଆରମ୍ଭ କରି ରିଜ୍ଜୁଙ୍କୁ ଆଇନ ମନ୍ତ୍ରଣାଳୟରୁ ଭୂ-ବିଜ୍ଞାନ ମନ୍ତ୍ରଣାଳୟକୁ ବିଦା କରିବା ଓ ରାଜସ୍ଥାନର ବରିଷ୍ଠ ନେତା ମେଘୱାଲଙ୍କୁ ଏହି ମନ୍ତ୍ରଣାଳୟ ଦେବା ଗୁରୁତ୍ୱ ରଖୁଛି । ଆଇନ ମନ୍ତ୍ରୀ ପଦରୁ ବିଦା ହେବା ପରେ ରିଜ୍ଜୁ ଏକ ଟ୍ୱିଟ୍ ମାଧ୍ୟମରେ ଦେଶର ନ୍ୟାୟିକ ବ୍ୟବସ୍ଥାର ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ ଦେଇଥିବାରୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡଙ୍କ ସମେତ ସମସ୍ତ ବିଚାରପତି, ହାଇକୋର୍ଟଗୁଡିକର ମୁଖ୍ୟ ବିଚାରପତି ଏବଂ ତଳିଆ ଅଦାଲତର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭୂ-ବିଜ୍ଞାନ ମନ୍ତ୍ରଣାଳୟରେ ମଧ୍ୟ ଏକାଭଳି ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ରିଜ୍ଜୁ ତାଙ୍କ ଟ୍ୱିଟ୍ ରେ କହିଛନ୍ତି । ୨୦୨୧ ଜୁଲାଇ ୭ ତାରିଖରେ ରିଜ୍ଜୁ କେନ୍ଦ୍ର ଆଇନ ମନ୍ତ୍ରୀ ହୋଇଥିଲେ । ତାହା ପୂର୍ବରୁ ସେ କ୍ରୀଡା ବିଭାଗ ମନ୍ତ୍ରୀ ଥିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ଆଇନ ମନ୍ତ୍ରୀ ପଦରୁ ବିଦା ହେବା ପରେ ରିଜ୍ଜୁଙ୍କୁ ଆଇନ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS