କର୍ଣ୍ଣାଟକ: ସିଦ୍ଧରାମାୟା ସରକାର ଶପଥ ନେଲେ, ଦୁର୍ନୀତିମୁକ୍ତ ସରକାର ଦେବାକୁ ରାହୁଲଙ୍କ ଘୋଷଣା
ପ୍ରସାଦ ରାଓ
ମେ’ ୨୦
ଆଜି ବେଂଗାଲୁରୁର କାନ୍ତେରାଭା ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା, ଉପ ମୁଖ୍ୟମନ୍ତ୍ରୀ ଡି.କେ.ଶିବ କୁମାରଙ୍କ ସହ ଆଠ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥୱରଚାନ୍ଦ ଗେହେଲୋଟ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଷ୍ଟାଡିୟମରେ ପ୍ରାୟ ୧୫ ହଜାର ଦର୍ଶକଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସିଦ୍ଧରାମାୟା ମନ୍ତ୍ରୀ ପରିଷଦରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଆଠ ଜଣ ମନ୍ତ୍ରୀ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର, କେ.ଏଚ.ମୁନ୍ୟାପ୍ପା, କେ.ଜେ.ଜର୍ଜ, ଏମ.ବି.ପଟିଲ, ସତୀଶ ଜାରକିହୋଲି, ପ୍ରିୟଙ୍କ ଖାର୍ଗେ, ରାମଲିଙ୍ଗା ରେଡ୍ଡୀ ଓ ବି.ଜେଡ୍.ଜମିର ଅହମ୍ମଦ ଖାନ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଆଜି ସକାଳେ ଏହି ଆଠ ଜଣ ବିଧାୟକଙ୍କୁ ମନ୍ତ୍ରୀ ପରିଷଦରେ ନିଆଯିବାକୁ ଅନୁମୋଦନ କରିବା ପରେ ସେମାନଙ୍କ ଶପଥ ପାଠ ହୋଇଛି । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଆଠ ଜଣ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଆଜିର ସମାରୋହର ଆକର୍ଷଣ ଥିଲେ ମଧ୍ୟ ମୁଖ୍ୟ ଆକର୍ଷଣ ଥିଲା ଏହି ଶପଥ ଗ୍ରହଣ ଉତ୍ସବ ନାମରେ ଷ୍ଟାଡିୟମରେ କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ କରାଯାଇଥିବା ଶକ୍ତି ପ୍ରଦର୍ଶନ । ଏଆଇସିସି ସଭାପତି ଖାର୍ଗେଙ୍କ ସମେତ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବିଭିନ୍ନ କଂଗ୍ରେସ ଓ ଅଣ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରମୁଖ ବିରୋଧୀ ଦଳ ନେତା ସିଦ୍ଧରାମାୟା ସରକାରର ଶପଥ ଗ୍ରହଣ ଉତ୍ସବରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ବଳ ଗୋଟାଉ ଥିବାର ସଂକେତ ଦେଇଛନ୍ତି ।
ଆଜିର ସମାରୋହରେ ସାମିଲ ହୋଇଥିବା ତିନି କଂଗ୍ରେସ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି – ଭୂପେଶ ବାଘେଲା (ଛତିଶଗଡ), ଅଶୋକ ଗେହେଲୋଟ (ରାଜସ୍ଥାନ) ଓ ସୁଖବିନ୍ଦର ସିଂହ ସୁଖା (ହିମାଚଳ ପ୍ରଦେଶ) । ଏହାଛଡା, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ (ଡିଏମକେ), ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡିୟୁ), ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (ଆରଜେଡି), ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (ଜେଏମଏମ), ବରିଷ୍ଠ ସିପିଆଇ ନେତା ଡି.ରାଜା, ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା (ନ୍ୟାସନାଲ କନଫରେନ୍ସ) ଓ ମେହେବୁବା ମୁଫତି (ପିଡ଼ିପି), ଏନସିପି ମୁଖ୍ୟ ଶରଦ ପାୱାର, ବରିଷ୍ଠ ସିପିଏମ ନେତା ସୀତାରାମ ୟେଚୁରୀ, ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ ଆଜିର ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇ ବିଜେପି ବିରୋଧରେ ଓ କଂଗ୍ରେସର ସହଭାଗିତାରେ ଦେଶରେ ଏକ ବିରୋଧୀ ମେଂଟ ଗଠନ ହେୁଥିବା ପୂର୍ବାଭାସ ଦେଇଛନ୍ତି । ଅନ୍ୟପକ୍ଷରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ (ଆପ୍), ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ (ଆପ୍), ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (ବିଆରଏସ), ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଟିଏମସି) ଓ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ (ସମାଜବାଦୀ ପାର୍ଟି)ଙ୍କ ସନ୍ଦେହାସ୍ପଦ ଅନୁପସ୍ଥିତି ଚର୍ଚ୍ଚାର ଖୋରାକ ଯୋଗାଇଛି । ତିନି ମୁଖ୍ୟମନ୍ତ୍ରୀ କେଜରୀୱାଲ, ମାନ୍ ଓ କେସିଆରଙ୍କୁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ ହୋଇନଥିବା ଗତକାଲିଠାରୁ ଆଲୋଚନା ଚାଲିଥିଲା । ତେବେ, ଟିଏମସି ନେତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବେଂଗାଲୁରୁରେ ଆଜି ହୋଇଥିବା ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇନଥିଲା ବୋଲି ଏକ ଜାତୀୟ ସଂବାଦ ସରବରାହ ସଂସ୍ଥାର ସୂଚନା ଆଧାରରେ ଗତକାଲି ସମ୍ବାଦପତ୍ର ରିପୋର୍ଟ ପ୍ରକାଶ ପାଇଥିଲା ।
୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଲକ୍ଷ୍ୟ ରଖି ଜାତୀୟସ୍ତରରେ ଏକ ବିରୋଧୀ ମେଂଟ ଗଠନ ଦିଗରେ ପଶ୍ଚମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ, ବିଆରଏସ୍ ମୁଖ୍ୟ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହାକୁ ଗତିଶୀଳ କରିଥିଲେ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି । ତେବେ, କଂଗ୍ରେସ ସହ ମିଶି ଏକ ବିରୋଧୀ ମେଂଟ ଗଠନ ନେଇ ବିରୋଧୀ ନେତାଙ୍କ ମଧ୍ୟରେ ଦ୍ୱିମତ ରହିଛି । ଏଭଳି ସ୍ଥିତିରେ ଆଜିର ଶପଥ ଗ୍ରହଣ ସମାରୋହକୁ କେଜରୀୱାଲ, କେସିଆରଙ୍କ ଭଳି କିଛି ନେତାଙ୍କ ନିମନ୍ତ୍ରଣ କରାନଯିବା ଏବଂ ମମତା ଓ ଅଖିଳେଶଙ୍କ ଭଳି କିଛି ବିରୋଧୀ ନେତା ନିମନ୍ତ୍ରଣ ପାଇ ମଧ୍ୟ ଅନୁପସ୍ଥିତି ରହିବା କଥା ଗଣମାଧ୍ୟମକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ଅବଶ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଦଳ ପ୍ରତି ବିରୋଧୀଙ୍କ ଆଭିମୁଖ୍ୟରେ କିଛିଟା ପରିବର୍ତ୍ତନ ଆଣିଛି । ତଥାପି, ସବୁ କିଛି ତରଳ ଅବସ୍ଥାରେ ରହିଛି । ଆଜିର ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ ବିରୋଧୀ ଦଳର ବହୁ ନେତାଙ୍କ ଯୋଗଦାନ କଂଗ୍ରେସ ନେତୃତ୍ୱକୁ ବେଶ୍ ଉତ୍ସାହିତ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଶପଥ ଗ୍ରହଣ ସମାରୋହରେ ଉଦବୋଧନ ଦେଇ କର୍ଣ୍ଣାଟକବାସୀଙ୍କୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ସରକାର ଦେବାକୁ ପ୍ରତିଶ୍ରୁତି ଦୋହରାଇ ଥିଲେ । ଆଜି ବସୁଥିବା ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ଦଳ ନିର୍ବାଚନ ସମୟରେ ଦେଇଥିବା ପାଂଚଟି ଗ୍ୟାରେଂଟିକୁ ଆଇନରେ ପରିଣତ କରିବ ବୋଲି ମଧ୍ୟ ଦୃଢ ଭାବରେ କହିଥିଲେ । ଏଆଇସିସି ସଭାପତି ଖାର୍ଗେ ମଧ୍ୟ ସମାରୋହରେ ଉଦବୋଧନ ଦେଇଥିଲେ ।
ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ସିଦ୍ଧରାମାୟା ପୂର୍ବରୁ ୨୦୧୩ରୁ ୨୦୧୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । କେପିସିସି ସଭାପତି ଡି.କେ.ଶିବ କୁମାର ପ୍ରଥମ ଥର ପାଇଁ ସରକାରରେ ସାମିଲ ହୋଇ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ସରିବା ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ରହିବେ । ମେ’ ୧୦ ତାରିଖରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ୧୩ ତାରିଖ ପ୍ରକାଶ ପାଇଥିଲା । ୨୨୪ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସକୁ ୧୩୫ଟି ଆସନ ମିଳିଥିବା ବେଳେ ବିଜେପିକୁ ୬୬ ଓ ଜନତା ଦଳ (ଧର୍ମନିରପେକ୍ଷ)କୁ ୧୯ଟି ଆସନ ମିଳିଛି । ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୭୭, ବିଜେପିକୁ ୧୦୪ ଓ ଜନତାଦଳ (ଧର୍ମନିରପେକ୍ଷ)କୁ ୩୭ଟି ଆସନ ମିଳିଥିଲା ଏବଂ ୨୦୧୯ରୁ ରାଜ୍ୟରେ ବିଜେପି ଦ୍ୱାରା ପରିଚାଳିତ ସରକାର ଥିଲା ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS