ଦିଲ୍ଲୀରେ ଏଲଜିଙ୍କ କ୍ଷମତାକୁ ନେଇ ପୁଣି ଥରେ ଟକାରି ଟକରି ଆରମ୍ଭ !
ପ୍ରସାଦ ରାଓ
ମେ’ ୨୦
ପୁଲିସ, ଆଇନ ଶୃଙ୍ଖଳା ଓ ଜମିଜମା ପରିଚାଳନା ବ୍ୟବସ୍ଥା ବ୍ୟତୀତ ଦିଲ୍ଲୀର ଅନ୍ୟ ସମସ୍ତ ପ୍ରଶାସନିକ ବ୍ୟବସ୍ଥା ରାଜ୍ୟର ନିର୍ବାଚିତ ସରକାରଙ୍କ ଦ୍ୱାରା ପରିଚାଳିତ ହେବ । ଏଥି ସକାଶେ ସମ୍ବିଧାନ ନିର୍ବାଚିତ ସରକାରଙ୍କୁ ଅଧିକାର ଦେଇଛି । ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଉତ୍ତରାୟୀ କରିବା ସକାଶେ ରାଜ୍ୟର ନିର୍ବାଚିତ ସରକାର ପ୍ରଶାସକମାନଙ୍କ ନିଯୁକ୍ତି, ବଦଳିର ଅଧିକାର ରଖନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀ ପାଇଁ ନିଯୁକ୍ତ ଉପ ରାଜ୍ୟପାଳ (ଏଲଜି)ଙ୍କ ପ୍ରଶାସନିକ ଅଧିକାରୀଙ୍କୁ ନିୟନ୍ତ୍ରଣ କରିବା ଅଧିକାର ନାହିଁ, ସେ କେବଳ ନିର୍ବାଚିତ ସରକାରଙ୍କ ପ୍ରସ୍ତାବ ଓ ପରାମର୍ଶ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ । ଏଲଜି ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟରେ ଦଖଲ ଦେବା ଅଧିକାର ରଖି ନାହାନ୍ତି ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଏକ ପାଂଚ ଜଣିଆ ସାମ୍ବିଧାନିକ ପୀଠ ଗତ ୧୧ ତାରିଖ ଦିନ ରାୟ ଦେଇଥିଲେ । ଏହି ରାୟ ପ୍ରକାଶ ପାଇବା ପରେ ଆପ୍ ସରକାର ଓ ଦିଲ୍ଲୀ ଏଲଜିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅବସାନ ଘଟିଲା ବୋଲି ବିଶ୍ୱାସ କରାଯାଉଥିଲା । ଏହା ଦିଲ୍ଲୀ ସରକାରଙ୍କ ବଡ ବିଜୟ ବୋଲି ମଧ୍ୟ ଆଲୋଚନା ହେଉଥିଲା । ତେବେ, କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ମାଧ୍ୟମରେ ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠଙ୍କ ସଂପୃକ୍ତ ରାୟକୁ ଅଚଳ କରିଛନ୍ତି । ରାଜଧାନୀ ଦିଲ୍ଲୀର ପ୍ରଶାସନିକ ସେବା ଉପରେ ଦିଲ୍ଲୀ ସରକାରଙ୍କର ନୁହେଁ, ଏଲଜି (ଉପ ରାଜ୍ୟପାଳ)ଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିବ ଏବଂ ସେ ହିଁ ପୂର୍ବଭଳି ଦିଲ୍ଲୀ ଏନସିଆର ଅଂଚଳରେ ପ୍ରଶାସନିକ ସେବା କ୍ଷେତ୍ରରେ ନିଯୁକ୍ତି ଓ ବଦଳିକୁ କାର୍ଯ୍ୟକାରୀ କରିପାରିବେ ବୋଲି ସରକାର କହିଛନ୍ତି । ଏହି ଅଧ୍ୟାଦେଶ ମାଧ୍ୟମରେ କେନ୍ଦ୍ର ସରକାର ଜାତୀୟ ରାଜଧାନୀ ସେବା କର୍ତ୍ତୃପକ୍ଷ ଗଠନ କରିବା ସହ ଦିଲ୍ଈ ଉପ ରାଜ୍ୟପାଳଙ୍କୁ ପ୍ରଶାସନିକ ମୁଖ୍ୟ ଭାବେ କ୍ଷମତା ଦେଇଛନ୍ତି । ଏହାଦ୍ୱାରା, ସପ୍ତାହକ ତଳେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଅଚଳ ହୋଇ ଦିଲ୍ଲୀର ପ୍ରଶାସନିକ କ୍ଷମତାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପୁଣି ଥରେ ଟକାରି ଟକରି ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କରି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ‘ଅତ୍ୟନ୍ତ ବିରକ୍ତିକର’ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ଏହା ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠଙ୍କ ରାୟକୁ ଚ୍ୟାଲେଂଜ କରୁଥିବା ଦର୍ଶାଇ ସୁପ୍ରିମ କୋର୍ଟକୁ ଅବମାନନା କଲା ଭଳି ହୋଇଛି, ଯାହାକି ସର୍ବୋଚ୍ଚ ନ୍ୟାୟଳୟ ପ୍ରତି ଅପମାନସୂଚକ । ଏହାଦ୍ୱାରା ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ମନ୍ଥର ହୋଇଯିବ ସିନା ଅଟକିବ ନାହିଁ ବୋଲି ସେ କହିଛନ୍ତି । ସୁପ୍ରିମ କୋର୍ଟର ଗ୍ରୀଷ୍ମାବକାଶ ଚାଲି ଥିବାରୁ କୋର୍ଟ ଖୋଲିବା ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏହି ଅସାମ୍ବିଧାନିକ ଅଧ୍ୟାଦେଶକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିବେ ବୋଲି କେଜରୀୱାଲ ସୂଚନା ଦେଇଛନ୍ତି । ପ୍ରଶାସନିକ ସେବା କ୍ଷମତାକୁ ନେଇ ୨୦୧୫ରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଦିଲ୍ଲୀ ଉପ ରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ରହି ଆସିଛି । ମେ’ ୧୧ ତାରିଖ ଦିନ ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠର ରାୟ ଆସିବା ପରେ ବିବାଦରେ ପୂର୍ଣ୍ଣଛେଦ ପଡିଲା ବୋଲି ବିଶ୍ୱାସ କରାଯାଉଥିଲା । ତେବେ, କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ଅଧ୍ୟାଦେଶ ଜାରୀ ମାଧ୍ୟମରେ ‘ନ୍ୟାସନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥରିଟି’ ଗଠନ କରିଛନ୍ତି ଏବଂ ଦିଲ୍ଲୀରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କ ବଦଳି, ନିଯୁକ୍ତି ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷମତା ଅଥରିଟିକୁ ସମର୍ପି ଦେଇଛନ୍ତି । ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ପ୍ରତି ରିତିମତ ଆକ୍ରାମକ ମନୋଭାବ ପ୍ରଦର୍ଶନ କରୁଥିବାରୁ ଦିଲ୍ଲୀ ସରକାରଙ୍କୁ ସାବାଡ କରିବା ପାଇଁ କେନ୍ଦ୍ର ଆଡୁ ଏଭଳି ଅଧ୍ୟାଦେଶ ଆସିଛି ବୋଲି କେନ୍ଦ୍ର ସରକାରଙ୍କ ଅଧିକାରୀ ସ୍ତରରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS