ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବାକୁ ସ୍ଲିପ୍ ବା ପରିଚୟପତ୍ରର ଆବଶ୍ୟକତା ନାହିଁ: ଏସବିଆଇ
ପ୍ରସାଦ ରାଓ
ମେ’ ୨୧
କେନ୍ଦ୍ର ସରକାର ଆଉ ଦୁଇ ହଜାର ଟଙ୍କିଆ ନୋଟ ଛାପିବେ ନାହିଁ । ବଜାରରେ ଥିବା ସମସ୍ତ ଦୁଇ ହଜାର ଟଙ୍କିଆ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ପ୍ରତ୍ୟାହାର କରି ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁମାନଙ୍କ ପାଖରେ ଏହି ଉଚ୍ଚ ମୂଲ୍ୟର ଗୋଲାପି ରଂଗର ନୋଟ ରହିଛି ସେମାନେ ଆତଙ୍କିତ ନହୋଇ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ବ୍ୟାଙ୍କକୁ ଯାଇ ତାହା ଜମା କରିବା ସହ ବ୍ୟାଙ୍କରୁ ସମପରିମାଣର କମ୍ ମୂଲ୍ୟର ନୋଟ ସଂଗ୍ରହ କରିନେଇ ପାରିବେ । ତେବେ, ସେପ୍ଟେମ୍ବର ୩୦ ତାରିଖ ପରେ ମଧ୍ୟ ଦୁଇ ହଜାର ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ଅବ୍ୟାହତ ରହିବ । ନୋଟ ବଦଳ ପାଇଁ ପରବର୍ତ୍ତୀ ସମୟରେ ଆବଶ୍ୟକ ମନେ କଲେ ସରକାର ସମୟ ସୀମା ବଢାଇ ପାରନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ଶୁକ୍ରବାର ଦିନ ଏଭଳି ଏକ ବିଜ୍ଞପ୍ତି ଜାରି ହେବା ପରେ ଦୁଇ ହଜାର ଟଙ୍କା ନୋଟ ବଦଳକୁ ନେଇ ଏକପ୍ରକାର ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଅନେକ ଏହାକୁ କେନ୍ଦ୍ର ସରକାରଙ୍କ ୨୦୧୬ର ନୋଟବନ୍ଦୀ ସହ ତୁଳନା କରି ହଇରାଣ ହରକତ ହେବାର ଆଶଙ୍କା ବ୍ୟକ୍ତ କରୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ପ୍ରଚାର ଦ୍ୱାରା ଜସାଧାରଣରେ ଆଶଙ୍କା ବଢୁଛି । ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବାକୁ ହେଲେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାଖଲ କରିବାକୁ ପଡିବ ଓ ସେଥି ସହ ନିଜର ଆଧାର କାର୍ଡ ଭଳି ପରିଚୟପତ୍ରର ନକଲ ଦେବାକୁ ପଡିବ ବୋଲି ସାମଜିକ ଗଣମାଧ୍ୟମଗୁଡିକ ପ୍ରଚାର କରିବା ସହ ନୋଟ ବଦଳାଇବା ପାଇଁ ଉଦ୍ଦିଷ୍ଟ ବ୍ଲାଙ୍କ୍ ଫର୍ମ ମଧ୍ୟ ପୋଷ୍ଟ କରୁଛନ୍ତି । ତେବେ, ଏସବୁ ପ୍ରଚାର ବିଭ୍ରାନ୍ତିକର । ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ କୌଣସି ଫର୍ମ ବା ପରିଚୟପତ୍ର ଦାଖଲର ଆବଶ୍ୟକତା ନାହିଁ ବୋଲି ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସ୍ପଷ୍ଟ କରି ଦେଇଛି । ଏସବିଆଇ ପକ୍ଷରୁ ଏସଂପର୍କିତ ଗାଇଇଡଲାଇନ୍ (ନିର୍ଦେଶାବଳୀ) ସମସ୍ତ ଶାଖାକୁ ପଠା ଯାଇଛି । ଏସବିଆଇ ନିର୍ଦେଶାବଳୀରେ କୁହାଯାଇଛି, ଦୁଇ ହଜାର ଟଙ୍କିଆ ନୋଟ ଜମା ଦେଇ ସମପରିମାଣର ବିନିମୟ ଅର୍ଥ ନେବା ସକାଶେ ଜନସାଧାରଣଙ୍କୁ କୌଣସି ରିକ୍ୟୁଜିସନ୍ ସ୍ଲିପ୍ ପୂରଣ କରିବାକୁ ପଡିବ ନାହିଁ ବା ନିଜ ପରିଚୟ ସଂପର୍କିତ ପ୍ରମାଣପତ୍ର ଉପସ୍ଥାପନ କରିବାକୁ ପଡିବ ନାହିଁ । ବ୍ୟାଙ୍କରେ ଧାଡିରେ ଠିଆ ହୋଇ ଏକସମୟରେ ଜଣେ ୧୦ଟି ଦୁଇ ହଜାର ଟଙ୍କିଆ ନୋଟ ଅର୍ଥାତ ୨୦ ହଜାର ଟଙ୍କାର ନୋଟ ବଦଳାଇ ପାରିବ ଏବଂ ସମପରିମାଣର କମ୍ ମୂଲ୍ୟର ବିନିମୟ ଅର୍ଥ ନେଇ ପାରିବ । ଗୋଟିଏ ଦିନରେ ଜଣେ ଏକାଧିକ ଥର ଧାଡିରେ ଠିଆ ହୋଇ ତା’ ପାଖରେ ଥିବା ଗୋଲାପି ନୋଟକୁ ବଦଳାଇ ପାରିବ । ତେବେ, ଥରକରେ ୨୦ ହଜାର ଟଙ୍କାର ନୋଟ ବଦଳାଇବା ପରେ ସଂପୃକ୍ତ ବ୍ୟକ୍ତି ଅଧିକ ନୋଟ ବଦଳାଇବା ସକାଶେ ପୁନର୍ବାର ଧାଡିରେ ଠିଆ ହେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ଦୁଇ ହଜାର ଟଙ୍କିଆ ନୋଟ ଛାପିବେ ନାହିଁ ଏବଂ ଯେଉଁମାନଙ୍କ ପାଖରେ ଏହି ନୋଟ ଗଚ୍ଛିତ ରହିଛି ସେମାନେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କକୁ ଯାଇ ସେସବୁ ନୋଟ ଜମା ଦେବା ସହ ସମପରିମାଣର ଅର୍ଥ ବ୍ୟାଙ୍କରୁ ସଂଗ୍ରହ କରି ନେବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଦିନ ବିଜ୍ଞପ୍ତି ଜାରି କରିବା ପରେ ଏହା କେନ୍ଦ୍ର ସରକାରଙ୍କ ଆଉ ଏକ ବିମୁଦ୍ରୀକରଣ ଘୋଷଣା ବୋଲି ବିରୋଧୀ ସମାଲୋଚନା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାର ମଧ୍ୟ ସର୍ବସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିଛି । ନୋଟ ବଦଳାଇବା ପାଇଁ ଆବଶ୍ୟକ କୁହାଯାଉଥିବା ଫର୍ମର ନକଲ ମଧ୍ୟ ‘ହ୍ୱାଟସଆପ୍’ରେ ଘୁରି ବୁଲୁଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ତାହାର ୧୯ଟି ଆଂଚଳିକ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଶାଖା ମାଧ୍ୟମରେ ମେ’ ୨୩ ତାରିଖରୁ ଜନସାଧାରଣଙ୍କ ନିକଟରେ ଥିବା ଦୁଇ ହଜାର ଟଙ୍କିଆ ନୋଟ ସବୁ ସଂଗ୍ରହ କରିନେବାକୁ ବ୍ୟବସ୍ଥା କରିଥିବା ବେଳେ ସାମାଜିକ ଗଣମାଧ୍ୟମ ଦ୍ୱାରା ସୃଷ୍ଟ ବିଭ୍ରାନ୍ତି ଆତଙ୍କ ଖେଳାଇ ଥିବାରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଆଜି ଏହି ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛି । ଆରବିଆଇ କହିଛି, ଯେଉଁମାନଙ୍କ ପାଖରେ ଉଚ୍ଚ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ ଗଚ୍ଛିତ ଅଛି ସୋନେ ସେପ୍ଟେମ୍ବର ୩୦ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ଜମା କରିପାରିବେ ବା ଯେକୌଣସି ବ୍ୟାଙ୍କ ଶାଖାକୁ ଯାଇ ଧାଡିରେ ଠିଆ ହୋଇ ନୋଟ ବଦଳାଇବା ସହ ସମପରିମାଣର ଅର୍ଥ ସଂଗ୍ରହ କରିନେବେ । ସଂପୃକ୍ତ ବ୍ୟକ୍ତି ନୋଟ ବଦଳାଇବାକୁ ଯାଉଥିବା ବ୍ୟାଙ୍କର ଗ୍ରାହକ ହୋଇଥା’ନ୍ତୁ ବା ନଥା’ନ୍ତୁ ନୋଟ ବଦଳାଇବାରେ କିଛି ଅସୁବିଧା ନାହିଁ ଏବଂ ନୋଟ ବଦଳାଇବା ପାଇଁ କୌଣସି ପ୍ରକାର ଫି’ ଦେବାକୁ ପଡିବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି । ଆରବିଆଇ ସୂତ୍ରରୁ ଜଣାପଡିଛି, ୨୦୧୭ ମାର୍ଚ୍ଚ ପୂର୍ବରୁ ଇସ୍ୟୁ ହୋଇଥିବା ଦୁଇ ହଜାର ଟଙ୍କିଆ ନୋଟରୁ ୮୯ ପ୍ରତିଶତର ୪ରୁ ୫ ବର୍ଷ ସମୟକାଳ ସରିଲାଣି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ୬.୭୩ ଲକ୍ଷ କୋଟି ଟଙ୍କାର (୩୭.୩ ପ୍ରତିଶତ) ଦୁଇ ହଜାର ଟଙ୍କିଆ ନୋଟ ପ୍ରଚଳିତ ଥିବା ବେଳେ ତାହା ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୩.୬୨ ଲକ୍ଷ କୋଟି (୧୦.୮ ପ୍ରତିଶତ)କୁ ଖସି ଆସିଛି । ବର୍ତ୍ତମାନ ସରକାର ବଜାରରେ ଥିବା ଦୁଇ ହଜାର ଟଙ୍କିଆ ନୋଟ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେବାକୁ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୧୬ ନଭେମ୍ବର ୮ ତାରିଖରେ ଆକସ୍ମିକ ଭାବେ ଦେଶରେ ବିମୁଦ୍ରୀକରଣ ଘୋଷଣା କରି ସେହି ସମୟରେ ପ୍ରଚଳିତ ଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ପ୍ରତ୍ୟାହର କରି ନେଇଥିଲେ । ଏହା ସାଧାରଣ ଜୀବନଯାତ୍ରାକୁ ଏତେଦୂର ପ୍ରଭାବିତ କରିଥିଲା ଯେ ବିମୁଦ୍ରୀକରଣ ନା’ ଶୁଣିଲେ ପ୍ରତ୍ୟେକ ଭାରତୀୟ ଆତଙ୍କିତ ହେଉଛନ୍ତି । ୨୦୧୬ ନଭେମ୍ବରରେ କେନ୍ଦ୍ର ସରକାର ରାତି ଅଧିଆ ଘୋଷଣା ମାଧ୍ୟମରେ ବଜାରରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେବା ସହ ୫୦୦ ଓ ସର୍ବୋଚ୍ଚ ମୂଲ୍ୟର ୨,୦୦୦ ଟଙ୍କିଆ ନୂଆ ନୋଟର ପ୍ରଚଳନ କରିଥିଲେ । କଳାଧନ ଜବତ କରିବାକୁ ମୋଦୀ ସରକାର ବିମୁଦ୍ରୀକରଣ ଘୋଷଣା କରିଥିବା ୨୦୧୬ରେ କୁହାଯାଇଥିଲା । କିନ୍ତୁ, ସେତେବେଳେ ବିମୁଦ୍ରୀକରଣ ଜରିଆରେ ସେଭଳି କିଛି ଆଖିଦୃଶିଆ କଳାଧନ ଜବତ ହୋଇନଥିବା ପରବର୍ତ୍ତୀ ସମୟର ଆରବିଆଇ ରିପୋର୍ଟରୁ ଜଣାପଡିଥିଲା । ୨୦୧୬ ବିମୁଦ୍ରୀକରଣ ପରି ଦେଶରେ ପ୍ରଚଳନ କରାଯାଇଥିବା ଦୁଇ ହଜାର ଟଙ୍କିଆ ନୋଟକୁ ୨୦୨୩ ମେ’ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ସଂପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରି ନେବାକୁ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କଳାଧନକୁ ରୋକିବାରେ କେତେଦୂର ସହାୟକ ହେବ ତାହା ସମୟ କହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS