ନୀତି ଆୟୋଗ ବୈଠକ ବର୍ଜନ କଲେ ଆଠ ଜଣ ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
ମେ’ ୨୭
ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ବିକାଶ ଭାରତ-୨୦୪୭: ରୋଲ୍ ଅଫ୍ ଟିମ୍ ଇଂଡିଆ’ ଶୀର୍ଷକ ନୀତି ଆୟୋଗର ଅଷ୍ଟମ ଗଭର୍ଣ୍ଣିଂ କାଉନସିଲ୍ ବୈଠକକୁ ଦେଶର ଆଠ ଜଣ ମୁଖ୍ୟମନ୍ତ୍ରୀ ବର୍ଜନ କରିଛନ୍ତି । ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଛନ୍ତି । ପଟ୍ଟନାୟକ ପୂର୍ବ ିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ଦର୍ଶାଇ ବୈଠକରେ ଅନୁପସ୍ଥିତ ଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲୋଟ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଯୋଗ ଦେଇ ନାହାନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟାନ ତାଙ୍କ ଅନୁପସ୍ଥିତିକୁ ନେଇ କୌଣସି କାରଣ ଦର୍ଶାଇ ନଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବର୍ଜନର କାରଣ ଦର୍ଶାଇଛନ୍ତି । ଦିଲ୍ଲୀରେ ପ୍ରାଶାସନିକ ସେବା ଉପରେ ରାଜ୍ୟର ନିର୍ବାଚିତ ସରକାରଙ୍କ ସଂପୂର୍ଣ୍ଣ କର୍ତ୍ତୃତ୍ୱ ରହିଛି ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ପୀଠ ଗତ ୧୧ ତାରିଖ ରାୟ ଦେଇଥିବା ବେଳେ ତାହାକୁ ଅକାମୀ କରିବା ପାଇଁ କେନ୍ଦ୍ର ସରକାର ଆଠ ଦିନ ପରେ ଯେଉଁ ଅଧ୍ୟାଦେଶ ଜାରି କରିଛନ୍ତି ତାହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଏହା ସୁପ୍ରିମ କୋର୍ଟଙ୍କ ରାୟର ଉଲଂଘନ କରିବା ସହ ରାଜ୍ୟର ନିର୍ବାଚିତ ସରକାରଙ୍କୁ ଅପମାନିତ କଲା ଭଳି ହୋଇଛି । ତେଣୁ, ସେ ଆଜିର ନୀତି ଆୟୋଗ ଗଭର୍ଣ୍ଣିଂ ପରିଷଦ ବୈଠକ ବର୍ଜନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ କେନ୍ଦ୍ର ସରକାରଙ୍କୁ ଜଣାଇ ଦେଇଛନ୍ତି । ଆଜି ନୀତି ଆୟୋଗର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ବର୍ଜନ କରିଥିବା ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି- ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କେନ୍ଦ୍ର ସରକାର ଲଗାତର ଭାବେ ପଂଜାବର ସ୍ୱାର୍ଥକୁ ଉପେକ୍ଷା କରୁଥିବାରୁ ସେ ଏହି ବୈଠକ ବର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ମାନ୍ ସରକାରଙ୍କୁ ଚିଠି ଲେଖି ଜଣାଇ ଦେଇଥିବା ବେଳେ ତେଲେଂଗାନା, ପଶ୍ଚିମ ବଂଗ ଓ ବିହାର ମୁଖ୍ୟମନ୍ତ୍ରୀ କୌଣସି କାରଣ ଦର୍ଶାଇ ନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିଜେପି ବିରୋଧରେ ଏକ ବିକଳ୍ପ ରାଜନୈତିକ ମେଂଟ ଗଠନ ଦିଗରେ ଯେଉଁ ପ୍ରୟାସ ଚାଲିଛି ତାହାର ନେତୃତ୍ୱ ନେଇଛନ୍ତି ତେଲେଂଗାନା ମୁଖ୍ୟମନ୍ତ୍ରୀ କେସିଆର୍, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ଯୋଗୁଁ ଆଜିର ନୀତି ଆୟାଗ ବୈଠକରେ ଯୋଗ ଦେଇନଥିବା ତାଙ୍କ କାର୍ଯ୍ୟାଳୟ ସୂଚିତ କରିଛି । ପଟ୍ଟନାୟକ ୨୦୦୯ରୁ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଆସୁଛନ୍ତି । ତେବେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ନଅ ବର୍ଷ ସରକାରକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥନ ଦେଇ ଆସିଛନ୍ତି । ଆସନ୍ତା କାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଭବନ ଉଦ୍ଘାଟନ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଜେଡ଼ି ଯୋଗ ଦେଉଥିବା ସ୍ପଷ୍ଟ କରିସାରିଛି । ଅପରପକ୍ଷରେ, ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦ ଭବନ ଉଦ୍ଘାଟନ କରାଯିବା ଦାବିରେ କଂଗ୍ରେସ ସମେତ ୨୦ଟି ବିରୋଧୀ ରାଜନୈତିକ ଦଳ ଏହି ଉତ୍ସବକୁ ବର୍ଜନ କରିବାକୁ ଘୋଷଣା କରି ଏକ ରାଜନୈତିକ ବିବାଦର ସୂତ୍ରପାତ କରିଛନ୍ତି । ନୀତି ଆୟୋଗ ଗଭର୍ଣ୍ଣିଂ ପରିଷଦର ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଦେଶର ଆଠ ଜଣ ମୁଖ୍ୟମନ୍ତ୍ରୀ ବର୍ଜନ କରିଥିବାରୁ ବିଜେପି କ୍ଷୋଭ ପ୍ରକାଶ କରିଛି । ଦଳ ପକ୍ଷରୁ କୁହାଯାଇଛି, ଦେଶର ବିକାଶ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା ସକାଶେ ନୀତି ଆୟୋଗର ଏହି ବୈଠକ ଉଦ୍ଦିଷ୍ଟ ଥିବା ବେଳେ ଓ ଆଜିର ବୈଠକରେ ୧୦୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଯୋଜନା ସଂପର୍କରେ ଆଲୋଚନା କରାଯାଇ ରାଜ୍ୟମାନଙ୍କ ମତାମତ ନିଆ ଯିବାର ଅବକାଶ ରହିଥିବା ବେଳେ ଦେଶର ଆଠ ଜଣ ମୁଖ୍ୟମନ୍ତ୍ରୀ ଏହାକୁ ବର୍ଜନ କରିବା ଦୁଃଖଦାୟକ । ଏହାଦ୍ୱାରା ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ଜନତାଙ୍କ ସ୍ୱରକୁ ବୈଠକରେ ଉପସ୍ଥାପନ କରିବାରୁ ବଂଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧ କରିବାରେ ଆଉ କେତେ ବାଟ ଯିବ (?)- ବୋଲି ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି । ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ନେତା ସଂଜୟ ରାଉତ କହିଛନ୍ତି, ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଆଜିର ଗୁରୁତ୍ୱପୂର୍ଣ୍ଣ ନୀତି ଆୟାଗ ପରିଷଦ ବୈଠକକୁ ବର୍ଜନ କରିବା ଅର୍ଥ ହେଉଛି କେନ୍ଦ୍ର ସରକାର ସେମାନଙ୍କ ପ୍ରତି ଉଚିତ ବ୍ୟବହାର ପ୍ରଦର୍ଶନ କରୁନାହାନ୍ତି । ଯେଉଁମାନେ କେନ୍ଦ୍ର ସରକାରଙ୍କ କଥାକୁ ଗ୍ରହଣ କରୁ ନାହାନ୍ତି ସେମାନଙ୍କ ଦାବି ସବୁକୁ ନୀତି ଆୟୋଗ ଉପେକ୍ଷା କରି ଆସୁଛି । ନୂଆଦିଲ୍ଲୀ ପ୍ରଗତି ମଇଦାନର ନୂଆ କନଭେନସନ୍ ସେଂଟରରେ ଆଜି ନୀତି ଆୟୋଗ ଅଷ୍ଟମ ଗଭର୍ଣ୍ଣିଂ ପରିଷଦର ବୈଠକ ହୋଇଥିଲା ଏବଂ ନୀତି ଆୟୋଗ ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ସେଥିରେ ଅଧ୍ୟକ୍ଷତା କରିଥିଲେ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ସକାଶେ ସ୍ୱାସ୍ଥ୍ୟ, କୌଶଳ ବିକାଶ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆଜିର ବୈଠକରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS