ରାଜନୀତି ଆଗରେ ସବୁ କିଛି ଫିକା !
ପ୍ରସାଦ ରାଓ
ନୂଆଦିଲ୍ଲୀ
ମେ’ ୩୦
୨୮ ତାରିଖ ଦିନ ଦେଶର ନୂତନ ସଂସଦ ଭବନ ଉଦ୍ଘାଟନ ହୋଇଛି । ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟନ ନହୋଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା । ୨୦ ବିରୋଧୀ ଦଳ ଦାବି କରୁଥିଲେ ପ୍ରାୟ ହଜାର କୋଟି ବ୍ୟୟରେ ନିର୍ମିତ ନୂତନ ସଂସଦ ଭବନ ଦେଶର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ ହେଉ । କିନ୍ତୁ, ଶାସକ ବିଜେପି ଅଡି ରହିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଏହା ଉଦ୍ଘାଟନ କରିବେ । ବିଜେପି ସମେତ ଛୋଟ ବଡ ୨୫ଟି ରାଜନୈତିକ ଦଳ ଉଦ୍ଘାଟନ ଉତ୍ସବରେ ସାମିଲ ହୋଇ ସରକାରଙ୍କୁ ଯେଉଁ ବଳ ଯୋଗାଇ ଦେଲେ ତାହା ଆଗାମୀ ଦିନର ନିର୍ବାଚନ ରାଜନୀତିରେ ମଧ୍ୟ ପ୍ରତିଫଳିତ ହେବ, ଏଥିରେ କିଛି ସନ୍ଦେହ ନାହିଁ ।
ଶାସକ ବିଜେପି ଓ ତାହାର ସମର୍ଥକମାନେ ୨୮ ତାରିଖର ବିଜୟକୁ ନେଇ ବେଶ୍ ଉଲ୍ଲସିତ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣକୁ ବାଛିବାକୁ ଯେତେବେଳେ ସମୟ ଆସିଲା ସେତେବେଳେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ବାଛିଲେ । କାର୍ଯ୍ୟକ୍ରମର ଶେଷ ସମୟ ପର୍ଯ୍ୟନ୍ତ ରାଷ୍ଟ୍ରପତି ନିରବଦ୍ରଷ୍ଟା ରହିବାକୁ ବାଧ୍ୟ ହେଲେ । କେବଳ ରାଷ୍ଟ୍ରପତି ନୁହନ୍ତି, ଉପ ରାଷ୍ଟ୍ରପତି ମଧ୍ୟ ନୂତନ ସଂସଦ ଭବନ ଉଦ୍ଘାଟନ ଉତ୍ସବକୁ ନିମନ୍ତ୍ରିତ ହୋଇନଥିଲେ । ରାଷ୍ଟ୍ରପତି ଭବନ ନିକଟରେ ନିର୍ମିତ ନୂତନ ସଂସଦ ଭବନରେ ୨୮ ତାରିଖ ଉତ୍ସବର ମାହୋଲ ଥିବା ବେଳେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ନିମନ୍ତ୍ରିତ ହୋଇନଥିବା ଏବଂ ୨୦ଟି ପ୍ରମୁଖ ବିରୋଧୀ ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଦ୍ୱାରା ଭବନ ଉଦ୍ଘାଟନ ଦାବିରେ ଉତ୍ସବ ବର୍ଜନ କରିବାରୁ ଉତ୍ସବ ପ୍ରାୟତଃ ଏକପାଖିଆ ସମାପିତ ହୋଇଥିବା ସରକାରଙ୍କ ଅହଂକାରକୁ ପ୍ରତିଫଳିତ କରିଥିବା ବେଳେ ବିରୋଧୀଙ୍କ ଅନମନୀୟତାର ଉଦାହରଣ ମଧ୍ୟ ହୋଇଛି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ଯୁଦ୍ଧ ହେବାର ଯେଉଁ ଦୃଶ୍ୟମାନ ରେଖା ଟାଣି ହେଲାଣି ଆଗାମୀ ଦିନରେ ତାହା କେତେ ଗଭୀର ହେବ ଏବଂ କାହାର ବିଜୟ ବା ପରାଜୟ ଘଟିବ, ତାହା ସମୟ କହିବ । ତେବେ, କିଏ ଶତୃପକ୍ଷ ଓ କିଏ ମିତ୍ରପକ୍ଷ ତାହା ୨୮ ତାରିଖ କାର୍ଯ୍ୟକ୍ରମରୁ ଏକପ୍ରକାର ଚିହ୍ନଟ ହୋଇସାରିଥିବାରୁ ଆଗକୁ ଯେ ମୁକାବିଲା ଅଧିକରୋଚକ ହେବ, ତାହା ଆଜିଠାରୁ ସ୍ପଷ୍ଟ ହେଲାଣି । ରାଜନୀତି ଆଗରେ ନୀତି, ନିୟମ ଓ ନୈତିକତା ମୂଲ୍ୟହୀନ । ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ସାମ୍ବିଧାନିକ ପ୍ରକ୍ରିୟାରେ ଦେଶର ସାଂସଦ ଓ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ହୋଇ ମଧ୍ୟ ସରକାରଙ୍କ ଅନୁଗ୍ରହ ପ୍ରତି ନିର୍ଭରଶୀଳ, ତାହା ମେ’ ୨୮ ତାରିଖ ଆୟୋଜିତ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି । ତେବେ, ନୂତନ ସଂସଦ ଭବନ ଉଦ୍ଘାଟନ ଅବସରରେ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରେରିତ ଶୁଭେଚ୍ଛା ବାର୍ତ୍ତା ପାଠ କରାଯାଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରତି ସେମାନଙ୍କ ସମର୍ଥନ ଥିବା ସରକାର ଦର୍ଶାଇବାକୁ ଉଦ୍ୟମ କରିଛନ୍ତି ।
ଏହା ଗଲା ନୂତନ ସଂସଦ ଭବନ ଉଦ୍ଘାଟନ କଥା । ସେଦିନ ଘଟି ଥିବା ଆଉ ଏକ ଘଟଣା ମଧ୍ୟ ଆଲୋଚନାର ଅବକାଶ ରଖୁଛି । ଗୋଟିଏ ପଟେ ନବ ନିର୍ମିତ ସଂସଦ ଭବନର ଭବ୍ୟତାକୁ ନେଇ ଶାସକ ବିଜେପି ଓ ତାହାର ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଉ ଥିବା ବେଳେ ଅନ୍ୟ ପଟେ ସେହିଦିନ ରାଜଧାନୀ ଛାତିରେ ଏଭଳି ଏକ ଅଘଟଣ ଘଟିିଛି ଯାହାକି ଦେଶବାସୀଙ୍କୁ ଲଜ୍ଜିତ କରିଛି । କ୍ରୀଡା କ୍ଷେତ୍ରରେ ଏକାଧିକ ପଦକ ଜିତି ବିଶ୍ୱ ଦରବାରରେ ନିଜକୁ ଓ ଦେଶକୁ ଗୌରବମଣ୍ଡିତ କରିଥିବା ଦେଶର ପୁରୁଷ ଓ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ଦିଲ୍ଲୀ ପୁଲିସର ବର୍ବର ଆଚରଣ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ୨୮ ତାରିଖ ଦିନ ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ନୂତନ ସଂସଦ ଭବନର ଉଦ୍ଘାଟନ ଉତ୍ସବ ଚାଲି ଥିବା ବେଳେ ଅନ୍ୟପଟେ ପ୍ରମୁଖ ପୁରୁଷ ଓ ମହିଳା କୁସ୍ତିଯୋଦ୍ଧାମାନେ ସେମାନଙ୍କ ଦାବି ଜଣାଇବା ପାଇଁ ଦିଲ୍ଲୀର ‘ଯନ୍ତର ମନ୍ତ୍ରର’ରୁ ନୂତନ ସଂସଦ ଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ବାଟରେ ଅଟକାଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସାମାଜିକ ଓ ମୁଖ୍ୟସ୍ରୋତ ଗଣମାଧ୍ୟମରେ ପ୍ରସାରିତ ଫଟୋଚିତ୍ର ସବୁ ବିଚଳିତ କଲା ଭଳି ହୋଇଛି ।
ଏକଥା କାହାରିକୁ ଅଛପା ନାହିଁ ଯେ ରେସିଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଜଣେ ନାବାଳିକାଙ୍କ ସମେତ ଦେଶର ସାତ ଜଣ ବିଶ୍ୱସ୍ତରରେ ମେଡାଲପ୍ରାପ୍ତ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯିବା ପାଇଁ ଦାବିରେ ମାସେରୁ ଅଧିକ ସମୟ ହେଲା ଦିଲ୍ଲୀରେ ଆନ୍ଦୋଳନ କାର୍ଯ୍ୟକମ ଚଳାଇଛନ୍ତି । ଦିଲ୍ଲୀ ପୁଲିସ ପ୍ରଥମେ ସେମାନଙ୍କ ଏତଲା ଗ୍ରହଣ କରିବାକୁ ରାଜି ନଥିଲେ । କାରଣ, ବ୍ରିଜ୍ ଭୂଷଣ ହେଉଛନ୍ତି ଶାସକ ବିଜେପିର ଜଣେ ବରିଷ୍ଠ ସାଂସଦ । ଅଭିଯୋଗକାରୀ କୁସ୍ତିଯୋଦ୍ଧାମାନେ ପ୍ରଥମେ ଯେତେବେଳ ଦିଲ୍ଲୀରେ ଧାରଣାରେ ବସିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କ ସହ ଆଲୋଚନା କରି ଅଭିଯୋଗର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଲେ । ଏଥି ସକାଶେ ରାଜ୍ୟସଭା ସାଂସଦ ଥିବା ଦେଶର କିମ୍ବଦନ୍ତୀ ଧାବିକା ପିଟି ଉଷାଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ କରାଗଲା । ତିନି ମାସ ମଧ୍ୟ କମିଟିର ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ଦିଆଗଲା । ତେବେ, ନିର୍ଦ୍ଧାରିତ ସମୟ ସୀମା ସରିବା ପରେ ମଧ୍ୟ ତଦନ୍ତ କମିଟି କି ରିପୋର୍ଟ ଦେଲେ ତାହା ଅଭିଯୋଗକାରୀଙ୍କ ଗୋଚରକୁ ନଆସିବାରୁ ସେମାନେ ପୁଣି ଥରେ ଆନ୍ଦୋଳନର ଆଶ୍ରୟ ନେଇଛନ୍ତି । ଦିଲ୍ଲୀର ‘ଯନ୍ତର ମନ୍ତର’ରେ ସେମାନେ ପୁନର୍ବାର ଧାରଣ ଦେବା ପରେ ୁଲସ ବାଧ୍ୟ ହୋଇ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଏତଲା ଗ୍ରହଣ କରିଛି । କିନ୍ତୁ, ତଦନ୍ତ ଚାଲିଥିବା ଆଳରେ ତାଙ୍କୁ ଗିରଫ କରୁ ନାହିଁ । କେନ୍ଦ୍ର ସରକାର ମଧ୍ୟ ସେମାନଙ୍କୁ ଅଣଦେଖା କରୁଛନ୍ତି ।
ଗତ ୨୮ ତାରିଖ ଦିନ ଦିଲ୍ଳୀ ରାଇସିନା ହିଲ୍ସ ରାଷ୍ଟ୍ରପତି ଭବନ ନିକଟରେ ନିର୍ମିତ ନୂତନ ସାଂସଦ ଭବନର ଉଦ୍ଘାଟନ ଚାଲିଥିବା ବେଳେ ‘ଯନ୍ତର ମନ୍ତର’ରେ ଧାରଣା ଦେଇଥିବା ପୁରୁଷ ଓ ମହିଳା କୁସ୍ତିଯୋଦ୍ଧାମାନେ ଉଦ୍ଘାଟନ ସ୍ଥଳ ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରି ଥିଲେ । ସରକାର ସେମାନଙ୍କ ଦାବିକୁ ଅଣଦେଖା ନକରି ଯୌନ ଉତ୍ପୀଡନ ଅଭିଯୁକ୍ତ ବ୍ରାଜ୍ ଭୂଷଣଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା । ତେବେ, ଦିଲ୍ଲୀ ପୁଲିସ ସେମାନଙ୍କ ବାଟ ଓଗାଳି ଥିଲେ ଏବଂ ଶୋଭାଯାତ୍ରାକାରୀ ପୁରୁଷ ଓ ମହିଳା କୁସ୍ତିଯୋଦ୍ଧା ଅବରୋଧ ଭାଂଗି ଆଗକୁ ମାଡି ଯିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ପୁଲିସ ପୁରୁଷ ଓ ମହିଳା କୁସ୍ତିଯୋଦ୍ଧାଙ୍କୁ ରାସ୍ତା ଉପରୁ ଘୋଷାଡି ନେଇ ଅଟକ ରଖିବା ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ମଧ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ନାହିଁ । ଅପରପକ୍ଷରେ, ଆବଶ୍ୟକ ମନେ କଲେ ପୁଲିସ ସେମାନଙ୍କ ଉପରେ ଗୁଳି ଚଳାଇବାକୁ ପଛାଇବେ ନାହିଁ ବୋଲି ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଟ୍ୱିଟ୍ କରି ଧମକ ଦେବା ମେଡାଲଧାରୀ କୁସ୍ତଯୋଦ୍ଧାଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିଛି ।
ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାରଙ୍କ ଆଚରଣରେ ଏହି କୁସ୍ତିଯୋଦ୍ଧାମାନେ ଏତେଦୂର ମର୍ମାହତ ଯେ ବିଭିନ୍ନ ସମୟରେ ଦେଶ ପାଇଁ ସେମାନେ ଆଣି ଥିବା ପଦକ ସବୁ ଆଜି ଦିନରେ ‘ମୂଲ୍ୟହୀନ’ ହୋଇପଡିଥିବା ଦର୍ଶାଇ ହରିଦ୍ୱାର ଯାଇ ପଦକ ସବୁ ପବିତ୍ର ଗଂଗା ନଦୀରେ ବିସର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ସେମାନେ ହରିଦ୍ୱାର ଅଭିମୁଖେ ବାହାରି ଯାଇଥିବା ସୂଚନା ମିଳିଛି । ସେଠାରୁ ଫେରିବା ପରେ ସେମାନେ ଦିଲ୍ଲୀ ‘ଇଣ୍ଡିଆ ଗେଟ୍’ ନିକଟରେ ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି । ମହିଳା କୁସ୍ତିଯୋଦ୍ଧାମାନେ କହିଛନ୍ତି, ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସେମାନେ ଯେଉଁ ସବୁ ପଦକ ଜିତିଛନ୍ତି ସେସବୁ ବେକରେ ପକାଇ ବୁଲିବା ଆତ୍ମସମ୍ମାନ ନିକଟରେ ଅର୍ଥହୀନ ହୋଇପଡିଛି । ରାଷ୍ଟ୍ରପତି ଜଣେ ମହିଳା ହୋଇ ଦୁଇ କିମି ଦୂରରେ ବସି ଥିଲେ ମଧ୍ୟ ସେମାନଙ୍କ ସମସ୍ୟାକୁ ନେଇ କୌଣସି ପ୍ରତିକ୍ରିୟା ରଖୁ ନଥିବା ଏବଂ ପ୍ରଧାନମନ୍ତ୍ରୀ ଥରୁଟିଏ ମଧ୍ୟ ସେମାନଙ୍କ କଥା ପଚାରି ବୁଝି ନଥିବା କ୍ଷୋଭର ବିଷୟ ବୋଲି ଏହି କୁସ୍ତିଯୋଦ୍ଧାମାନେ କହିଛନ୍ତି ।
ଡବ୍ଲୁଏଫଆଇ ସଭାପତି ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯିବା ଦାବିରେ ଆନ୍ଦୋଳନ ଚଳାଇ ଥିବା ଏକାଧିକ ପଦକପ୍ରାପ୍ତ ରେସଲର୍ ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଓ ବଜରଂଗ ପୁନିଆ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି, ବ୍ରିଜ୍ ଭୂଷଣଙ୍କ ବିରୋଧରେ ସେମାନେ ଯୌନ ଉତ୍ପୀଡନ ଏତଲା କରିଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରୁ ନାହିଁ । ଅପରପକ୍ଷରେ, ବ୍ରିଜ୍ ଭୂଷଣ ୨୮ ତାରିଖ ନୂତନ ସଂସଦ ଭବନ ଉଦ୍ଘାଟନ ଉତ୍ସବରେ ଧଳା ଫିନ୍ ଫିନ୍ ପୋଷାକ ପିନ୍ଧି ଫଟୋ ଉଠାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ବ୍ରିଜ୍ ଭୂଷଣଙ୍କ ସେହି ଧଳା ଫିନ୍ ଫିନ୍ ପୋଷାକରୁ ଗଶେଟିଏ ଗନ୍ଧ ଆସୁୁଛି । ତାହା କହୁଛି ‘ମୁଁ ହିଁ ବ୍ୟବସ୍ଥା’ । ‘ଆମେ ଏହି ସବୁ ପଦକ ବେକରେ ଝୁଲାଇ ବୁଲିବାକୁ ଚାହୁଁନୁ, କାରଣ ଦେଶର ବ୍ୟବସ୍ଥା ଆମ ବେକରେ ପଦକ ଝୁଲାଇ ନିଜର ପ୍ରଚାରରେ ଆମକୁ ବ୍ୟବହାର କରୁଛି । ଆମେ କୌଣସି କାରଣରୁ ପ୍ରତିବାଦ କଲେ ଆମକୁ ନିର୍ଯ୍ୟାତନା ମିଳୁଛି, ସରକାର ଆମକୁ ଜେଲରେ ପୁରାଇବାକୁ ପଛାଉ ନାହାନ୍ତି’ । ଏହି କାରଣରୁ ସେମାନେ ବିଶ୍ୱ ପ୍ରତିଯୋଗିତାରେ ଅର୍ଜନ କରିଥିବା ପଦକ ସବୁକୁ ଗଂଗା ନଦୀରେ ବିସର୍ଜନ କରି ଦେବାକୁ ଚାହୁଁଛନ୍ତି ବୋଲି ସାକ୍ଷୀ, ଭିନେଶ ଓ ବଜରଂଗ କହିଛନ୍ତି ।
୨୮ ତାରିଖ ଦିନ ଦିଲ୍ଲୀ ପୁଲିସ ସେମାନଙ୍କ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାର ବାଟ ଓଗାଳି ସେମାନଙ୍କୁ ନିର୍ଯ୍ୟାତନା ଦେଇଥିବା ଏବଂ ବିଭିନ୍ନ ଗୁରୁତର ଦଫାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବା ନେଇ ସାକ୍ଷୀ, ଭିନେଶ ଓ ବଜରଂଗ କ୍ଷୋଭ ପ୍ରକାଶ କରିଥିବା ବେଳେ କେନ୍ଦ୍ର ସରକାର ନିରବ । ବିଭିନ୍ନ ଅଣ-ବିଜେପି ବିରୋଧୀ ଦଳ ଏହାର କଡା ସମାଲୋଚନା କରିଛନ୍ତି । ତେବେ, ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଦେଶବ୍ୟାପୀ ଯେଭଳି ବିରୋଧ କରାଯିବା କଥା ତାହା ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ । ପ୍ରତିକ୍ରିୟା ରଖିବାରେ ମଧ୍ୟ ବିଜେପି ସପକ୍ଷବାଦୀ ଓ ବିରୋଧୀ ରାଜନୀତି ଦେଖିବାକୁ ମିଳୁଛି । ଦେଶର ମୁଖର ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ଏହି ଘଟଣାକୁ ଯେଭଳି ଗୁରୁତ୍ୱର ସହ ପରିବେଷଣ କରିବା କଥା, କରି ନାହାନ୍ତି । ମହଳା ସଶସ୍ତ୍ରୀକରଣ କଥା କହି ଭୋଟ ରାଜନୀତି କରୁଥିବା ରାଜନୈତିକ ଦଳ ଓ ନେତାମାନେ ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଗେଇ ଆସିବା ବଦଳରେ ରାଜନୈତିକ ପାଣିପାଗକୁ ଦେଖି କଥା କହୁଛନ୍ତି ବା ନିରବ ରହୁଛନ୍ତି । ଯେମିତି କି ରାଜନୀତି ଆଗରେ ସବୁ କିଛି ଫିକା । ଏଭଳି ସ୍ଥିତିରେ ମହିଳା କୁସ୍ତିଯୋଦ୍ଧା ବହୁ କଷ୍ଟରେ ସଂପାଦନ କରିଥିବା ବିଜୟ ପଦ ସବୁ ଗଂଗା ନଦୀରେ ପିଂଗିବେ ନାହିଁ ତ ଆଉ କଣ କରିବେ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS