‘ଗୋଲପୋଷ୍ଟ୍’ ବଦଳାଇ ଥିବାରୁ କୁସ୍ତିଯୋଦ୍ଧାଙ୍କୁ ଗୁରୁତ୍ୱ ଦେଉ ନାହାନ୍ତି ସରକାର ?


ପ୍ରସାଦ ରାଓ
ଜୁନ ୦୧
ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କ ଗିରଫ ଦାବିରେ ଗତ ଜାନୁୟାରୀ ମାସରୁ ଆନ୍ଦୋଳନରେ ଥିବା ଭାରତୀୟ ରେସଲର୍ ବା କୁସ୍ତିଯୋଦ୍ଧାମାନେ ଇତିମଧ୍ୟରେ ସେମାନଙ୍କ ଗୋଲପୋଷ୍ଟ୍ ବଦଳାଇ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଦିଲ୍ଲୀ ପୁଲିସ କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ତଦନ୍ତ କରୁଥିବାରୁ ତଦନ୍ତ ଫଳାଫଳ ସାମ୍ନାକୁ ଆସିବା ପରେ ହିଁ ସରକାର ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଦେଇଥିବା ମନ୍ତବ୍ୟ ଦିଲ୍ଲୀରେ ଗଲା ପାଂଚ ମାସ ଧରି ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ବିରୋଧୀ ଅଭିଯାନ ଉପରେ ଅଧିକ ଆଲୋଚନାର ଅବକାଶ ସୃଷ୍ଟି କରିଛି ।
ଆନ୍ଦୋଳନରେ ଥିବା କୁସ୍ତିଯୋଦ୍ଧାମାନେ ‘ଗୋଲପୋଷ୍ଟ୍’ ବଦଳାଇଛନ୍ତି ବୋଲି ମନ୍ତ୍ରୀ ଠାକୁରଙ୍କ ବୟାନ ଅନେକଙ୍କ ପାଇଁ ଅବୋଧ୍ୟ ହୋଇପାରେ । କୁସ୍ତିଯୋଦ୍ଧାମାନେ ତ ଫୁଟବଲ ଖେଳାଳୀ ନୁହନ୍ତି, ଗୋଲପୋଷ୍ଟ୍ କେମିତି ବଦଳାଇଲେ (!) ବୋଲି ପ୍ରଶ୍ନ ଉଠିପାରେ । ତେବେ, ଏଠି ‘ଗୋଲପୋଷ୍ଟ୍’ ବଦଳାଇବା ଅର୍ଥ ହେଉଛି ରାଜନୈତିକ ପଇଁତରା ବଦଳାଇବା । ମହିଳା କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇ ସଭାପତି ବ୍ରିଜ୍ ଭୂଷଣଙ୍କ ଗିରଫ ଦାବିରେ ଯେତେବେଳେ ଗତ ଜାନୁୟାରୀ ମାସରେ ଦିଲ୍ଲୀରେ ଧାରଣାରେ ବସି ଥିଲେ ଧାରଣା କାର୍ଯ୍ୟକ୍ରମକୁ ରାଜନୀତିରୁ ଦୂରେଇ ରଖିବାକୁ ସଂପୂର୍ଣ୍ଣ ପ୍ରୟାସ କରିଥିଲେ । ଯେଉଁ ବିରୋଧୀ ରାଜନେତା ସମର୍ଥନ ଦେବା ସକାଶେ ଧାରଣା ସ୍ଥଳରେ ପହଂଚି ଥିଲେ ସେମାନଙ୍କୁ ଦୂରେଇ ରଖା ଯାଇଥିଲା । କାରଣ, କୁସ୍ତିଯୋଦ୍ଧା ଚାହୁଁ ନଥିଲେ ରାଜନୀତି ବାହାନାରେ କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ଉପେକ୍ଷା କରନ୍ତୁ ।
ଧାରଣାର ତୃତୀୟ ଦିବସରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କୁ ଡକାଇ ଦୀର୍ଘ ସମୟ ଆଲୋଚନା କରିବା ପରେ ଡବ୍ଲୁଏଫଆଇ ସଭାପତି ଥିବା ବିଜେପି ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କୁ ତଦନ୍ତ ସରିବା ଯାଏଁ ସଭାପତି ପଦରୁ ଦୂରେଇ ରଖା ଯିବାକୁ ଏବଂ ଡବ୍ଲୁଏଫଆଇର ଦୈନନ୍ଦିନ ପରିଚାଳନା କାର୍ଯ୍ୟ ତଦାରଖ ପାଇଁ ଏକ ଆଡହକ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ମହିଳା କୁସ୍ତିଯୋଦ୍ଧାଙ୍କ ଆଡୁ ହୋଇଥିବା ଯୌନ ଉତ୍ପୀଡନ ଅଭିଯୋଗର ତଦନ୍ତ ପାଇଁ ଭାରତୀୟ ଅଲିଂପିକ୍ ଆସୋସିଏସନ୍ (ଆଇଓଏ) ସଭାପତି ପିଟି ଉଷାଙ୍କ ନେତୃତ୍ୱରେ ଏକ କମିଟି ମଧ୍ୟ ଗଠନ ହୋଇଥିଲା । ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ କୁସ୍ତିଯୋଦ୍ଧାମାନେ ଧାରଣାରୁ ଓହରି ଯିବାକୁ ମନ୍ତ୍ରୀ ଠାକୁର ପରାମର୍ଶ ଦେଇଥିଲେ ।
ମନ୍ତ୍ରୀଙ୍କ ପରାମର୍ଶକୁ ମାନି କୁସ୍ତିଯୋଦ୍ଧା ଧାରଣା ପ୍ରତ୍ୟାହର କରିଥିଲେ । ପିଟି ଉଷାଙ୍କ ନେତୃତ୍ୱରେ ଗଠିତ କମିଟି ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ସ୍ଥିର ହୋଇଥିଲା । ଉଷାଙ୍କ ତଦନ୍ତକୁ ଭରସା କରି କୁସ୍ତିଯୋଦ୍ଧାମାନେ ରିପୋର୍ଟକୁ ଅପେକ୍ଷା କରିଥିଲେ । ତେବେ, ତିନି ମାସ ବିତିବା ପରେ ମଧ୍ୟ ଆଇଓଏର ତଦନ୍ତ ରିପୋର୍ଟ ସାର୍ବଜନୀନ ନ ହେବାରୁ ଏବଂ ଆଇଓଏ ତାହାର ତଦନ୍ତ ରିପୋର୍ଟ ଦାଖଲ କରିସାରିଥିବା କହୁଥିବା ବେଳେ ସରକାର ତାହା ଖୁଲାସା କରିବାରୁ ଆଗ୍ରହ ନ ଦେଖାଇବାରୁ ମହିଳା କୁସ୍ତିଯୋଦ୍ଧା ପୁନର୍ବାର ଦିଲ୍ଲୀ ରାଜରାସ୍ତାକୁ ଆସି ଧାରଣା ଦେବାକୁ ବାଧ୍ୟ ହେଲେ । ସେମାନେ ଡବ୍ଲୁଏଫଆଇ ସଭାପତି ବ୍ରିଜ୍ ଭୂଷଣଙ୍କ ବିରୋଧରେ ଦିଲ୍ଲୀର ଏକ ଥାନାରେ ଗତ ଜାନୁୟାରୀ ମାସରେ ଦେଇଥିବା ଏତଲାକୁ ପୁଲିସ ପଂଜୀକୃତ କରିନଥିବା ମଧ୍ୟ ଦ୍ୱିତୀୟ ଥର ପାଇଁ ଧାରଣାକୁ ଯିବାରୁ ଠୋସ୍ କାରଣ ଥିଲା । ଛଅ ଥରର ସାଂସଦ ବ୍ରିଜ୍ ଭୂଷଣ ନିର୍ବିରୋଧରେ ବିଚରଣ କରୁଥିବା ବେଳେ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାର ନିରବଦ୍ରଷ୍ଟା ଥିବାରୁ କୁସ୍ତିଯୋଦ୍ଧାମାନେ ମେ’ ମାସରେ ପୁନର୍ବାର ଧାରଣା ସ୍ଥଳକୁ ଫେରି ଥିଲେ ।
ଦିଲ୍ଲୀର ‘ଯନ୍ତର ମନ୍ତର’ରେ ଦ୍ୱିତୀୟ ଥର ପାଇଁ ଯେଉଁ ଧାରଣା ଆରମ୍ଭ ହେଲା ତାହାକୁ ସମର୍ଥନ ଦେବାକୁ ବିଭିନ୍ନ ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଗଲା । ବିଭିନ୍ନ ରାଜନୈତିକ ଦଳର ନେତା (ଶାସକ ବିଜେପି ବ୍ୟତୀତ) ମଧ୍ୟ ଧାରଣା ସ୍ଥଳରେ ପହଂଚି ପୀଡିତା ମହିଳା କୁସ୍ତିଯୋଦ୍ଧାଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ଦାବି ପ୍ରତି ସମର୍ଥନ ଜଣାଇଲେ । ଦେଶବ୍ୟାପୀ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ସମର୍ଥନ ବଢିବା ସହ ସେମାନଙ୍କ ମନୋବଳ ବଢିଛି । ଗତ ମାସ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନ ଉଦ୍ଘାଟନ କରିବା ସମୟରେ ସେମାନେ ସମାରୋହ ସ୍ଥଳରେ ‘ମହାପଂଚାୟତ’ କରିବାକୁ ‘ଯନ୍ତର ମନ୍ତର’ରୁ ଶୋଭାଯାତ୍ରାରେ ବାହାରିଲେ । ଦିଲ୍ଲୀ ପୁଲିସ ସେମାନଙ୍କୁ ବାଟରେ ଓଗାଳି ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିଥିବା କୁସ୍ତିଯୋଦ୍ଧାଙ୍କ ଆଡୁ ଅଭିଯୋଗ ହୋଇଛି । ପୁଲିସ କୁସ୍ତିଯୋଦ୍ଧାଙ୍କୁ ରାସ୍ତାରୁ ଘୋଷାଡି ନେଇ ଗାଡିରେ ଭର୍ତ୍ତି କରିବା ସହ ଅଟକ ରଖି ଆଇପିସିର ବିଭିନ୍ନ ସଂଗୀନ ଦଫାରେ ସେମାନଙ୍କ ବିରୋଧରେ ଏତଲା କରିଛି ।
ଦିଲ୍ଲୀ ପୁଲିସର ବ୍ୟବହାର ‘ଅମାନୁଷିକ’ ବୋଲି କୁସ୍ତିଯୋଦ୍ଧା କହିଥିବା ବେଳେ ସେମାନଙ୍କ ବିଶ୍ୱ ସଂଗଠନ ‘ୟୁନାଇଟେଡ ୱାରଲ୍ଡ ରେସିଲିଂ’ (ୟୁଡବ୍ଲୁଡବ୍ଲୁ) ମଧ୍ୟ ଏଥିରେ ଗଭୀର କ୍ଷୋଭ ପ୍ରକାଶ କରିଛି । ୟୁଡବ୍ଲୁଡବ୍ଲୁର କ୍ଷୋଭକୁ ଦେଖି ଆନ୍ତର୍ଜାତିକ ଅଲିଂପିକ୍ କମିଟି (ଆଇଓସି) ମଧ୍ୟ ଗତ ବୁଧବାର ଦିନ ଏକ ବିବୃତି ଜାରି କରି ଭାରତୀୟ କୁସ୍ତିଯୋଦ୍ଧାଙ୍କ ପ୍ରତି ମେ’ ୨୮ ତାରିଖରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି । ଏହି କାର୍ଯ୍ୟାନୁଷ୍ଠାନ ‘ବିବ୍ରତ କଲା ଭଳି ହୋଇଛି’ ଦର୍ଶାଇ ପୁଲିସ ତଦନ୍ତ ସରିବା ଯାଏଁ କୁସ୍ତିଯୋଦ୍ଧାଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସରକାରଙ୍କୁ ପରାମର୍ଶ ଦିଆଯାଇଛି । କୁସ୍ତିଯୋଦ୍ଧା ମେ’ ମାସରେ ପୁନଃ ଧାରଣାରେ ବସିବା ସହ ବ୍ରିଜ୍ ଭୂଷଣଙ୍କ ଗିରଫ ଦାବିରେ ସୁୁପ୍ରିମ କୋର୍ଟକୁ ଯିବା ପରେ ଦିଲ୍ଲୀ ପୁଲିସ ବାଧ୍ୟ ହୋଇ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଏତଲା ପଂଜୀକୃତ କରିଛନ୍ତି ଏବଂ ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କ ବୟାନ ଲିପିବଦ୍ଧ କରାଇଛନ୍ତି । କିନ୍ତୁ, ତଦନ୍ତ ଚାଲୁ ରହିଥିବା ଆଳ ଦେଖାଇ ତାଙ୍କୁ ଗିରଫ କରୁ ନାହାନ୍ତି ।
ବ୍ରିଜ୍ ଭୂଷଣ ନିର୍ବିଘ୍ନରେ ସର୍ବସାଧାରଣରେ ଘୁରି ବୁଲୁଥିବା ଓ ବୟାନବାଜୀ କରୁଥିବା କୁସ୍ତିଯୋଦ୍ଧାଙ୍କୁ ବିବ୍ରତ କରୁଛି । ଦିଲ୍ଲୀ ପୁଲିସ ତଦନ୍ତ କାର୍ଯ୍ୟ ସାରିବା ଯାଏଁ ମହିଳା କୁସ୍ତିଯୋଦ୍ଧାଙ୍କ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯିବା ଏବଂ ତଦନ୍ତରେ ନିରପେକ୍ଷତା ବଜାୟ ରଖାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତାହା ଶେଷ କରାଯିବାକୁ ଆନ୍ତର୍ଜାତିକ ଅଲିଂପିକ୍ କମିଟି (ଆଇଓସି)ର ନିବେଦନ ବୋଧହୁଏ ସରକାରଙ୍କୁ କ୍ଷୁବ୍ଧ କରିଛି । ତେଣୁ, କେନ୍ଦ୍ର ମନ୍ତ୍ରୀ ଠାକୁର କୁସ୍ତିଯୋଦ୍ଧାଙ୍କ ଗୋଲପୋଷ୍ଟ୍ ବା ପଇଁତରା ବଦଳାଇ ଥିବାର ଆକ୍ଷେପ କରିଛନ୍ତି । ୨୮ ତାରିଖର ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କୁସ୍ତିଯୋଦ୍ଧା ବିଚଳିତ । ସେମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପାଇଥିବା ପଦକଗୁଡିକ ଏବେ ମୂଲ୍ୟହୀନ ହୋଇ ପଡିଥିବା ଦର୍ଶାଇ ସେସବୁକୁ ହରିଦ୍ୱାରାରେ ଗଂଗା ନଦୀରେ ବିସର୍ଜନ କରି ଦେବାକୁ ଯାଇଥିଲେ । ତେବେ, ଚାଷୀ ଆନ୍ଦୋଳନ ନେତା ନରେଶ ଟିକାୟତଙ୍କ ହସ୍ତକ୍ଷେପରୁ ସେଥିରୁ ନିବୃତ୍ତ ଅଛନ୍ତି । ବ୍ରିଜ୍ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ ପାଂଚ ଦିନ ସମୟ ଦେଇ ସରକାରଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି । କେନ୍ଦ୍ର କ୍ରୀଡା ମନ୍ତ୍ରୀ ଠାକୁର ଗୋଟିଏ ପଟେ କୁସ୍ତିଯୋଦ୍ଧାଙ୍କ ପ୍ରତି ପ୍ରତି ତାଙ୍କ ପୂର୍ଣ୍ଣ ହାନୁମୂତି ଥିବା କହୁଥିବା ବେଳେ ଅନ୍ୟପଟେ ସେମାନେ ‘ଗୋଲପୋଷ୍ଟ୍’ ବଦଳାଇଥିବା କହି ଦିଲ୍ଲୀ ପୁଲିସର ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହୁଥିବାରୁ ପୀଡିତ କୁସ୍ତିଯୋଦ୍ଧାଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।
ପାଂଚ ମାସ ହେଲା କୁସ୍ତିଯୋଦ୍ଧାମାନେ ଗୋଟିଏ ଦାବିରେ ଆନ୍ଦୋଳନ ଚଳାଇ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥରଟିଏ ମଧ୍ୟ ସେମାନଙ୍କ ସହ ଆଲୋଚନା କରିବାକୁ ଆଗେଇ ଆସି ନଥିବା ଏବଂ ଦିଲ୍ଲୀ ପୁଲିସ ତଦନ୍ତ ଚାଲୁ ରହିଛି ବୋଲି କହୁଥିବା ବେଳେ ବ୍ରିଜ୍ ଭୂଷଣଙ୍କ ବିରୋଧରେ କୌଣସି ପ୍ରମାଣ ମିଳୁ ନାହିଁ ବୋଲି ଘରୋଇ ଭାବେ କିଛି ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚିତ କରୁଥିବା ଘଟଣା ପୁଲିସର ନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଶର ରାଷ୍ଟ୍ରପତି ଜଷର ମହିଳା ହୋଇ ମଧ୍ୟ ଏହି ଘଟଣାରେ ମୁକ ଦର୍ଶକ ସାଜି ଥିବା ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ବିବ୍ରତ କରୁଛି । ଇତିମଧ୍ୟରେ, ପଂଜାବ, ହରିୟାଣା, ରାଜସ୍ଥାନର ଖାପ୍ ନେତାମାନେ ମହିଳା କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ମହାପଂଚାୟତମାନ ଆୟୋଜନ କରିବାକୁ ଆଗେଇ ଆସିଲେଣି । ତିନି କୃଷି ଆଇନ ବିରୋଧରେ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷାଧିକ କାଳ ଆନ୍ଦୋଳନ ଚଳାଇ ଆଇନ ପ୍ରତ୍ୟାହାର କରିବାକୁ ଏକପ୍ରକାର ବାଧ୍ୟ କରିଥିବା କୃଷକ ସଂଗଠନମାନେ ମଧ୍ୟ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ ଦେଲେଣି, ଯାହାକି ବିଜେପି ପାଇଁ ଚିନ୍ତାର କାରଣ ହୋଇଛି । ବିଶେଷକରି, ହରିୟାଣାରେ କ୍ଷମତାରେ ଥିବା ବିଜେପି ଏହି ଆନ୍ଦୋଳନକୁ ନେଇ ଅଧିକ ଚିନ୍ତାରେ ଥିବା ଜଣାପଡିଛି ।
ହରିୟାଣା ବିଜେପି ନେତାମାନେ ଚିନ୍ତିତ ହେବାର କାରଣ ହେଉଛି, ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ଦିଆଯାଉଥିବା ଅଭିଯୋଗରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ତିନି ଜଣ ପ୍ରମୁଖ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଓ ବଜରଂଗ ପୁନିଆ ହେଉଛନ୍ତି ହରିୟାଣା ବାସିନ୍ଦା । ସେହିଭଳି, ଡବ୍ଲୁଏଫଆଇ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଏଭଳି ଏକ ଗୁରୁତର ଅଭିଯୋଗ ଆସିଥିବା ବେଳେ ସେ ମଧ୍ୟ ହରିୟାଣାରୁ ସାଂସଦ ଅଛନ୍ତି । ଆସନ୍ତା ବର୍ଷ ହରିୟାଣାରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବ । କେନ୍ଦ୍ର ସରକାର ଡବ୍ଲୁଏଫଆଇ ସଭାପତି ବ୍ରିଜ୍ ଭୂଷଣଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ଅଭିଯୋଗ ଓ ତାହା ବିରୋଧରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର ତୁରନ୍ତ ସମାଧାନର ରାସ୍ତା ବାହାର ନକଲେ ତାହାର ପ୍ରଭାବ ହରିୟାଣା ବିଜେପି ଉପରେ ପଡିବ ବୋଲି ସେଠାକାର ନେତାମାନେ ଆଶଙ୍କା କରୁଛନ୍ତି ।
ହିସାର ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହ ତାଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କ ଆଡୁ ହୋଇଥିବା ଯୌନ ଉତ୍ପୀଡନ ଅଭିଯୋଗ ‘ଭିତ୍ତିହୀନ’ କହି ଟାଳି ଦେଉଛନ୍ତି । ଦିଲ୍ଲୀ ପୁଲିସର ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି । ଅପରପକ୍ଷରେ, ଦିଲ୍ଲୀ ପୁଲିସ ପ୍ରାରମ୍ଭରୁ ବ୍ରିଜ୍ ଭୂଷଣଙ୍କ ‘ସୁରକ୍ଷା କବଚ’ ରହି ଆସି ଥିବାରୁ ପୁଲିସ ତଦନ୍ତ କେତେଦୂର ନିରପେକ୍ଷ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇଛି । ଏଭଳି ପରିସ୍ଥିତିରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ‘ମାମଲା ହରିୟାଣାର ନୁହେଁ, କେନ୍ଦ୍ର ସରକାର-କୁସ୍ତଯୋଦ୍ଧାଙ୍କ ମଧ୍ୟରେ ସୀମିତ’ କହି ନିଜକୁ ଏଥିରୁ ଦୂରେଇ ରଖୁଥିବା ବେଳେ ରାଜ୍ୟ ବିଜେପି ମଧ୍ୟ ଏପର୍ଯ୍ୟନ୍ତ ତାହାର ଆଭିମୁଖ୍ୟ ଜାହିର କରିନି । ଅପରପକ୍ଷରେ, ରାଜ୍ୟରେ ବିରୋଧୀ ଭୂମିକାରେ ଥିବା କଂଗ୍ରେସ ଓ ଭାରତୀୟ ଜାତୀୟ ଲୋକଦଳ (ଆଇଏନଏଲଡି) କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଖୋଲାଖୋଲି ମଇଦାନରେ ଅଛନ୍ତି । ଅନ୍ତତଃ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ଏଥିରେ ହସ୍ତକ୍ଷେପ କରି କୁସ୍ତଯୋଦ୍ଧା ଓ ସରକାରଙ୍କ ମଧ୍ୟରେ ତୁରନ୍ତ ସମାଧାନର ରାସ୍ତା ବାହାର କରିବା ଉଚିତ ବୋଲି ହରିୟାଣା ବିଜେପି ନେତାମାନେ ଅନୁଭବ କରୁଥିବା ବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏଦିଗରେ କେତେଦୂର ଆଗ୍ରହ ପ୍ରକାଶ କରିବେ ତାହା ଦେଖିବା ସମୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS