ଅଭିଯୋଗ ଗୁରୁତର, ପ୍ରମାଣ ଯୋଗାଡ କରିବା ଦାୟିତ୍ୱ ପୁଲିସର ନୁହେଁ କି ?
ପ୍ରସାଦ ରାଓ
ଜୁନ ୦୨
ରେସିଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ) ବା ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦେଶର ପଦକପ୍ରାପ୍ତ ମହିଳା କୁସ୍ତିଯୋଦ୍ଧାମାନେ ଯାହା ସବୁ ଅଭିଯୋଗ କରିଛନ୍ତି ସେସବୁ ଅତ୍ୟନ୍ତ ଗୁରୁତର । ଏତଲାରେ ସମସ୍ତ ଅଭିଯୋଗ ବିସ୍ତୃତ ଭାବେ ଉଲ୍ଲେଖ ଥିଲେ ମଧ୍ୟ ଦିଲ୍ଲୀ ପୁଲିସ ପ୍ରମାଣ ପାଉନଥବା ଦର୍ଶାଇ ତଦନ୍ତକୁ ଗଡାଇ ଚାଲିଛି । ହରିୟାଣାର ଏହି ଶାସକ ଦଳ (ବିଜେପି) ସାଂସଦ ମଧ୍ୟ କ୍ଷମତାର ଆଢୁଆଳରେ ରହି ନିର୍ବିରୋଧରେ ବିଚରଣ କରୁଛନ୍ତି । ସରକାର ଏହା ପଛରେ ବିରୋଧୀଙ୍କ ଷଡଯନ୍ତ୍ର ଥିବା କହି ବ୍ରିଜ୍ ଭୂଷଣଙ୍କୁ ସୁରକ୍ଷା ଦେଉଛନ୍ତି । ସାମାଜିକ ଲଜ୍ୟାକୁ ପଛରେ ପକାଇ ବ୍ରିଜ୍ ଭୂଷଣଙ୍କୁ କାଠଗଡାରେ ଠିଆ କରାଇ ଥିବା ଦେଶର ମହିଳା କୁସ୍ତିଯୋଦ୍ଧାମାନେ ନ୍ୟାୟ ପାଇବାକୁ ଦୀର୍ଘ ପାଂଚ ମାସ ହେଲା ସଂଘର୍ଷ କରୁଛନ୍ତି ।
ଗତ ଏପ୍ରିଲ ୨୧ ତାରିଖ ଦିନ ଦିଲ୍ଲୀ କନ୍ନଟ ପ୍ଲେସ୍ ଥାନାରେ ହୋଇଥିବା ମହିଳା କୁସ୍ତିଯୋଦ୍ଧାମାନେ ଦେଇଥିବା ଏତଲାରେ ଡବ୍ଲୁଏଫଆଇ ସଭାପତି ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯାହା ସବୁ ଅଭିଯୋଗ ରହିଛି ସେସବୁ ଅତ୍ୟନ୍ତ ଗୁରୁତର କୁହାଯାଇପାରେ । ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଏସଂପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଜଣେ ନାବାଳିକା ସମେତ ସାତ ଜଣ ଜାତୀୟ, ଆନ୍ତର୍ଜାତିକ ପଦକପ୍ରାପ୍ତ ମହିଳା କୁସ୍ତିଯୋଦ୍ଧା ଏପ୍ରିଲ ୨୧ ତାରିଖ ଏତଲାରେ ଅଭିଯୋଗ କରିଛନ୍ତି, ବିଭିନ୍ନ ପ୍ରତିଯୋଗିତା ସ୍ଥଳ, ବ୍ୟାୟାମ ସମୟ, ଏପରିକି ଡବ୍ଲୁଏଫଆଇ କାର୍ଯ୍ୟାଳୟରେ ମଧ୍ୟ ସେମାନଙ୍କ ପ୍ରତି ବର୍ଷ ବର୍ଷ ଧରି ଯୌନ ଉତ୍ପୀଡନ ହୋଇ ଆସିଛି ।
ଜଣେ ସ୍ୱର୍ଣ୍ଣ ପଦକପ୍ରାପ୍ତ ମହିଳା କୁସ୍ତିଯୋଦ୍ଧା ଅଭିଯୋଗ କରିଛନ୍ତି, ଡବ୍ଲୁଏଫଆଇ ସଭାପତି ବ୍ରିଜ୍ ଭୂଷଣ ‘ଯୌନ ସୁଖ’ ବଦଳରେ ତାଙ୍କୁ ଶରୀରକୁ ଶକ୍ତି ଯୋଗାଉ ଥିବା ଆବଶ୍ୟକ ‘ନ୍ୟୁଟ୍ରେସନାଲ ସପ୍ଲିମେଂଟ’ କ୍ରୟ କରି ଦେବାକୁ ପ୍ରଲୋଭନ ଦେଖାଇ ଥିଲେ । ଯେଉଁ ରାତିରେ ସେ ଏକ ପ୍ରମୁଖ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ସେହି ରାତିରେ ତାଙ୍କୁ ଡବ୍ଲୁଏଫଆଇ ସଭାପତି ନିଜ କୋଠରୀକୁ ଡକାଇ ଥିଲେ । ସେ ଭାବିଥିଲେ ସଭାପତି ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଡକାଇଛନ୍ତି । କିନ୍ତୁ କୋଠରୀକୁ ଯିବା ପରେ ବ୍ରିଜ୍ ଭୂଷଣଙ୍କ ଆଚରଣରେ ସେ ହତବାକ୍ ହୋଇପଡିଥିଲେ । ବ୍ରିଜ୍ ଭୂଷଣ ତାଙ୍କୁ ଜବରଦସ୍ତ ଶଯ୍ୟାରେ ବସାଇ କୁଣ୍ଢାଇ ଧରିଥିଲେ ଏବଂ ଏଭଳି ପ୍ରଲୋଭନ ଦେଖାଇ ଥିଲେ । ସେ ବ୍ରିଜ୍ ଭୂଷଣଙ୍କ କୋଠରୀରୁ ଫେରି ଘଟଣା ସଂପର୍କରେ ଜଣେ ସିନିୟର ସହଯୋଗୀଙ୍କୁ ଜଣାଇ ଥିଲେ ମଧ୍ୟ ତାହାର କିଛି ପ୍ରତିକ୍ରିୟା ନଥିଲା ।
ସିଂହଙ୍କ ଏଭଳି କୁତ୍ସିତ ଚିନ୍ତାଧାରା ସଂପର୍କରେ ସେ ନିଜ ମା’ଙ୍କୁ ଜଣାଇ ଥିଲେ । ନିଜ ବ୍ୟକ୍ତିଗତ ମୋବାଇଲ ନମ୍ବର ମଧ୍ୟ ବଦଳାଇ ଦେଇଥିଲେ । ତଥାପି, ବ୍ରିଜ୍ ଭୂଷଣ ତାଙ୍କ ପିଛା ଛାଡି ନଥିଲେ । ମା’ଙ୍କ ମୋବାଇଲକୁ ବାରମ୍ବାର ଫୋନ୍ କରି ତାଙ୍କୁ ଯୋଗାଯୋଗ କରୁଥିଲେ ଓ ମାନସିକ ପୀଡା ଦେଉଥିଲେ । ବର୍ଷ ବର୍ଷ ଧରି ଏଭଳି ଚାଲିଲା, ଯାହାକି ତାଙ୍କୁ ବିଚଳିତ କରିବା ସହ ଘୋର ମାନସିକ ଅଶାନ୍ତି ଭିତରକୁ ଠେଲି ଦେଇଥିଲା ଏବଂ ସେ ଭୟଭୀତ ହୋଇ ରହୁଥିଲେ । ଅନ୍ୟ ମହିଳା କୁସ୍ତିଯୋଦ୍ଧାମାନେ ମଧ୍ୟ ସେମାନଙ୍କ ଏତଲାରେ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଏକାପ୍ରକାର ଗୁରୁତର ଅଭିଯୋଗମାନ କରିଛନ୍ତି । ‘ଦି ଇଣ୍ଡିଆନ ଏକ୍ସପ୍ରେସ୍’ ରିପୋର୍ଟ ଅନୁଯାୟୀ, ବ୍ରିଜ୍ ଭୂଷଣଙ୍କ ବିରୋଧରେ ଅନ୍ୟୁନ ଆଠଟି ଯୌନ ଉତ୍ପୀଡନ ଅଭିଯୋଗ ରେକର୍ଡ ହୋଇଛି ।
ବିଭିନ୍ନ ପ୍ରତିଯୋଗିତା ବା ଟୁର୍ଣ୍ଣାମେଂଟ ସମୟରେ, କୁସ୍ତିଯୋଦ୍ଧାମାନେ ‘ୱାର୍ମଅପ୍’ ହେବା ସମୟରେ, ଏପରିକି ଡବ୍ଲୁଏଫଆଇ କାର୍ଯ୍ୟାଳୟ ଭିତରେ ମଧ୍ୟ ସେମାନଙ୍କ ପ୍ରତି ଏଭଳି ଅନୈତିକ ବ୍ୟବହାର ହେଉଥିଲା । ସେମାନଙ୍କ ଶରୀରକୁ ସ୍ପର୍ଶ କରାଯାଉଥିଲା । ଏବଂ ନିଶ୍ୱାସ ପ୍ରଶ୍ୱାସ ଠିକଠାକ୍ ଚାଲିଛି କି ନାହିଁ ଦେଖିବା ବାହାନାରେ ଛାତିକୁ ମଧ୍ୟ ସ୍ପର୍ଶ କରାଯାଇଥିଲା ବୋଲି ମହିଳା କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଥିବା ଜଣାପଡିଛି । ତେବେ, ଦିଲ୍ଲୀ ପୁଲିସ ବ୍ରିଜ୍ ଭୂଷଣଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ପାଇନଥିବା ଦର୍ଶାଇ ତଦନ୍ତକୁ ଗଡାଇବାରେ ଲାଗିଛି । କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରୀ ମଧ୍ୟ କହିଛନ୍ତି, ଦିଲ୍ଲୀ ପୁଲିସ ଯେଉଁ ତଦନ୍ତ କରୁଛି ତାହା ସରିଯାଉ, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ । ଦିଲ୍ଲୀ ପୁଲିସ ନିକଟରେ କୁସ୍ତିଯୋଦ୍ଧାଙ୍କ ଲିଖିତ ଅଭିଯୋଗ ରହିଛି, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେମାନଙ୍କ ବୟାନକୁ ମଧ୍ୟ ଲିପିବଦ୍ଧ କରାଯାଇଛି । ବ୍ରିଜ୍ ଭୂଷଣଙ୍କ ବିରୋଧରେ ପୁଲିସ ଆଉ କି ପ୍ରମାଣ ଖୋଜୁଛନ୍ତି (!) ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି ।
ଗତ ଜାନୁୟାରୀ ମାସରେ ପ୍ରଥମ କରି ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣି ଦିଲ୍ଲୀର ‘ଯନ୍ତର ମନ୍ତର’ରେ ଧାରଣାରେ ବସି ଥିଲେ । ଏହି ଧାରଣା ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିବାରୁ କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରି ଏକ ତଦନ୍ତ କମିଟି ଗଠନ କରିଥିଲେ । ତଦନ୍ତ ରିପୋର୍ଟ ଆସିବା ପରେ ସେମାନଙ୍କୁ ନ୍ୟାୟ ଦିଆଯିବ ବୋଲି କ୍ରାଡା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପାଂଚ ମାସ ହେଲା ନ୍ୟାୟ ମିଳି ନାହିଁ । କୁସ୍ତିଯୋଦ୍ଧାମାନେ ଏପ୍ରିଲ ୨୩ରୁ ଦିଲ୍ଲୀ ‘ଯନ୍ତର ମନ୍ତର’ରେ ଦ୍ୱିତୀୟ ପର୍ଯ୍ୟାୟ ଧାରଣା ଆରମ୍ଭ କରିବାରୁ ଏବଂ ବ୍ରିଜ୍ ଭୂଷଣଙ୍କୁ ଗିରଫ କରାଯିବା ଦାବିରେ ସୁପ୍ରିମ କୋର୍ଟକୁ ଯିବାରୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଦିଲ୍ଲୀ ପୁଲିସ କୁସ୍ତିଯୋଦ୍ଧାଙ୍କ ଏତଲା ପଂଜୀକୃତ କରିଛନ୍ତି । କିନ୍ତୁ, ତଦନ୍ତ ଚାଲିଛି ଦର୍ଶାଇ ବ୍ରିଜ୍ ଭୂଷଣଙ୍କୁ ଗିରଫ କରୁ ନାହାନ୍ତି ।
ଯାହାକି ଦେଶର ଆଇନ ବ୍ୟବସ୍ଥା ପ୍ରତି ଆହ୍ୱାନ ସୃଷ୍ଟି କରିଛି । ଅଲିଂପିକ ମେଡାଲପ୍ରାପ୍ତ ବଜରଂଗ ପୁନିଆ ଓ ସାକ୍ଷୀ ମଲ୍ଲିକ ଏବଂ କୁସ୍ତି ବିଶ୍ୱ ଚାଂପିଅନ ମେଡାଲପ୍ରାପ୍ତ ଭିନେଶ ଫୋଗଟ୍ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ସରକାରଙ୍କ ପାଇଁ ଅଡୁଆ ହୋଇଛି । ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନେ ସରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ ପାଇଁ ଗତ ୨୮ ତାରିଖ ଦିନ ଦିଲ୍ଲୀର ନୂତନ ସଂସଦ ଭବନ ଆଡକୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯିବା ସମୟରେ ସେମାନଙ୍କ ପ୍ରତି ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ଏବଂ ବିଭିନ୍ନ ସଂଗୀନ ଦଫାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବା କଥାକୁ ବିଶ୍ୱ କୁସ୍ତି ସଂଘ ଓ ଆନ୍ତର୍ଜାତିକ କୁସ୍ତି କମିଟି ନିନ୍ଦା କରିବା ସହ ତଦନ୍ତ ସରିବା ପର୍ଯ୍ୟନ୍ତ ଅଭିଯୋଗକାରୀଣୀ କୁସ୍ତିଯୋଦ୍ଧାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦେଶ ଦେବା ସରକାରଙ୍କ ଗାତ୍ରଦାହ ହୋଇଛି । ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ପଛରେ ଯେ ଶାସକ ଦଳର ପ୍ରଚ୍ଛନ୍ନ ସମର୍ଥନ ରହିଛି ତାହା ଏବେ ନିଃସନ୍ଦେହରେ କୁହାଯାଇପାରେ ।
ଅଭିଯୋଗକାରୀ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଜଣେ ନାବାଳିକା ଥିବାରୁ ପୁଲିସ ବ୍ରିଜ୍ ଭୂଷଣଙ୍କ ବିରୋଧରେ ‘ପୋଷ୍କୋ’ ଆଇନ ଲଗାଇଛନ୍ତି । ଏହି ଆଇନରେ ଗିରଫ ହେଲେ ଜାମିନ ମିଳିବା କଷ୍ଟସାଧ୍ୟ । ତେଣୁ, ନାବାଳିକା ଜଣକୁ ‘ସାବାଳିକା’ ପ୍ରମାଣ କରିବା ଉଦ୍ୟମ ଚାଲିଛି । ‘ପୋଷ୍କୋ’ (ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ) ଆଇନରେ ସଂଶୋଧନ ପାଇଁ ସରକାରଙ୍କ ଉପରେ ଚାପ ସୃ୍େଟି କରାଯାଉଥିବା ସୂଚନା ମିଳିଛି । କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଯୌନ ଉତ୍ପୀଡନ ଅଭିଯୋଗର ସମ୍ମୁଖୀନ ହୋଇଥିବା ବ୍ରିଜ୍ ଭୂଷଣ ‘ପୋଷ୍କା’ ଆଇନରେ କେତେକ ସଂଶୋଧନ ଦାବି ଉଠାଇ ଜୁନ ୫ ତାରିଖରେ ‘ଅଯୋଧ୍ୟା ଚାଲ’ ଆହ୍ୱାନ ଦେଇଥିଲେ । ଅଯୋଧ୍ୟାରେ ଏକ ‘ସନ୍ଥ ସମ୍ମିଳନୀ’ର ବ୍ୟବସ୍ଥା ହୋଇଥିଲା । ଏହାକୁ ‘ଜନ ଚେତନା ମହାରାଲି’ କୁହାଯିବା ସହ ସେଠାରେ ୧୧ ଲକ୍ଷରୁ ଅଧିକ ସାଧୁ, ସନ୍ଥଙ୍କୁ ଏକାଠି କରିବା ଯୋଜନା ଥିଲା ।
ତେବେ, ମହିଳା କୁସ୍ତିଯୋଦ୍ଧାଙ୍କ ଏତଲାରେ ଥିବା ବିବରଣୀ ପଦାରେ ପଡି ଯିବା ପରେ ବ୍ରିଜ୍ ଭୂଷଣ ଜୁନ ୫ ତାରିଖ ସମାବେଶକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ଏକ ‘ଫେସବୁକ୍’ ପୋଷ୍ଟ୍ ରେ ସେ ସମାବେଶ ବାତିଲ ହୋଇଥିବା ସୂଚନା ଦେଇଥିଲେ ମଧ୍ୟ ପୁଣି କେବେ ସମାବେଶ ହେବ, କହି ନାହାନ୍ତି । ଯୌନ ଉତ୍ପୀଡନ ଅଭିଯୋଗକୁ ନେଇ ବିଜେପି ସାଂସଦ ବ୍ରିଜ୍ ଭୂଷଣ ଓ ମହିଳା କୁସ୍ତିଯୋଦ୍ଧାଙ୍କ ବିବାଦରେ ପ୍ରତିଦିନ ନୂଆ ନୂଆ ମୋଡ ଆସୁଛି । ଧୀରେ ଧୀରେ କୁସ୍ତିଯୋଦ୍ଧାଙ୍କ ଶକ୍ତି ବଢୁଥିବା ବେଳେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସର ଗୁମର ପଦାରେ ପଡିବାରେ ଲାଗିଛି । ଜଣେ ବ୍ରିଜ୍ ଭୂଷଣଙ୍କ ପାଇଁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସକୁ ନିନ୍ଦିତ ହେବାକୁ ପଡୁ ଥିବାରୁ ସରକାର କେବେ ଦିଲ୍ଲୀ ପୁଲିସକୁ ସବୁଜ ସଂକେତ ଦେବେ ଓ ପୁଲିସ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିଳା କହି ତାଙ୍କୁ ଗିରଫ କରିବେ ତାହା ଦେଖିବାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS