ବାହାନଗା ରେଳ ଦୁର୍ଘଟଣା ପଛରେ କିଏ ?
ପ୍ରସାଦ ରାଓ
ଜୁନ ୦୬
ଓଡ଼ିଶାର ବାହାନଗା ରେଳ ଦୁର୍ଘଟଣା ପଛରେ କିଏ ? ଆଜି ଦିନରେ ମଧ୍ୟ ତାହା ଅସମାଧିତ ପ୍ରଶ୍ନ ହୋଇ ରହିଛି । କେବଳ ସାଧାରଣ ଜନତା ନୁହନ୍ତି, କେନ୍ଦ୍ର ସରକାରଙ୍କ ରେଳବାଇ ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରଶ୍ନକୁ ନେଇ ବିଚଳିତ । ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାରେ ଏହି ଭୟଙ୍କର ରେଳ ଦୁର୍ଘଟଣା ଘଟିବା ପରଠାରୁ ପୁଲିସ, ରେଳବାଇ ସୁରକ୍ଷା କମିଶନ ଏହାର ତଦନ୍ତ କରୁଛନ୍ତି । ଏହା ଯାନ୍ତ୍ରିକ ତୃଟି ନୁହେଁ, ମାନବ ପ୍ରୟୋଜିତ ଦୁର୍ଘଟଣା ବୋଲି ରେଲବାଇ ବୋର୍ଡ ଅନୁଭବ କରିବା ପରେ ସଂପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ସିବିଆଇ ତଦନ୍ତ ଦାୟିତ୍ୱ ନେଇ ସାରିଛି ଏବଂ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଏକ ୧୦ ଜଣିଆ ଟିମ୍ ଫେରେନ୍ସିକ ବିଶେଷଜ୍ଞଙ୍କ ସହ ଦୁର୍ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ସିବିଆଇ ଓ ସିସିଆରଏସ୍ (ଚିଫ୍ କମିଶନର ଅଫ୍ ରେଲୱେ ସେଫ୍ଟି) ଭିନ୍ନ ଭିନ୍ନ ଭାବେ ରେଳ ଦୁର୍ଘଟଣାର ତଦନ୍ତ କରୁଥିବାରୁ କେଉଁ ପରିସ୍ଥିତିରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଲା ତାହା ଅତିଶୀଘ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଅଦ୍ଭୁତପୂର୍ବ ରେଳ ଦୁର୍ଘଟଣା ଘଟିଲା ବାଲେଶ୍ୱରରୁ ପ୍ରାୟ ୨୨ କିମି ଦୂର ବାହାନଗା ବଜାର ରେଳ ଷ୍ଟେସନ ନିକଟରେ । ହାୱଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ସୁପର ଫାଷ୍ଟ୍ ଏକ୍ସପ୍ରେସ୍ ବାହାନଗା ବଜାର ଷ୍ଟେସନ୍ ଅତିକ୍ରମ କରିବା ସକାଶେ ମୁଖ୍ୟ ଲାଇନ (ମେନ୍ ଲାଇନ୍)ରେ ସବୁଜ ସଂକେତ (ଗ୍ରୀନ ସିଗ୍ନାଲ) ଥିଲେ ସୁଦ୍ଧା ଅଚାନକ ଦୃତ ଗତିରେ ଲୁପ୍ ଲାଇନରେ ପ୍ରବେଶ କରି ସେଠାରେ ପୂର୍ବରୁ ସ୍ଥିର ଅବସ୍ଥାରେ ଥିବା ମାଲ୍ ବୋଝେଇ ଟ୍ରେନ୍ ଉପରେ ମାଡି ଯାଇଥିଲା । ଫଳରେ, କରମଣ୍ଡଳ ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ ହୋଇ ଅପର ଲାଇନକୁ ଛିଟିକି ପଡିବା ସମୟରେ ହାୱାଡା ଅଭିମୁଖେ ଯାଉଥିବା ଯଶୋବନ୍ତପୁର ସୁପର ଫାଷ୍ଟ୍ ଏକ୍ସପ୍ରେସ୍ ବିପରିତ ଦିଗରୁ ଦୃତ ଗତିରେ ମାଡି ଆସିଲା । ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ସୁପର ଫାଷ୍ଟ୍ ଏକ୍ସପ୍ରେସର ଲାଇନଚ୍ୟୁତ ବିଗି ମଧ୍ୟରୁ କେତେକ ଯଶୋବନ୍ତପୁର ଏକ୍ସପ୍ରେସର ଶେଷ ଦୁଇଟି ବଗି ଉପରକୁ ଛିଟିକି ପଡିବାରୁ ଦୁର୍ଘଟଣାର ସ୍ୱରୁପ ଅଧିକ ବ୍ୟାପକ ହୋଇଥିଲା । ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଆଜି ସୁଦ୍ଧା ୨୭୮ ଜଣ ରେଳ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଯାତ୍ରୀ ଆହତ ବା ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ।
ବାହାନଗା ରେଳ ଦୁର୍ଘଟଣାଟି ଏଇଥି ପାଇଁ ଅସ୍ୱାଭାବିକ ଓ ସନ୍ଦେହଜନକ ଦିଗ ହେଉଛି, ଦେଶବ୍ୟାପୀ ରେଳ ଚଳାଚଳ ନିୟନ୍ତ୍ରଣ କରିବା ସକାଶେ ରେଳବାଇ କର୍ତ୍ତୃପକ୍ଷ ବ୍ୟବହାର କରୁଥିବା ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ ଇଂଟରଲକିଂ ସିଷ୍ଟମ ‘ଦୁର୍ଘଟଣା ରହିତ’ ବା ‘ଫୁଲ୍ ପ୍ରୁଫ୍’ ବୋଲି କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ରେଳବାଇ ସୁରକ୍ଷା କମିଶନ୍ ଦୃଢତାର ସହ କହୁଥିବା ବେଳେ ବାଲେଶ୍ୱରର ବାହାନଗା ନିକଟରେ ଏହି ବ୍ୟବସ୍ଥା ବିଫଳ ହୋଇଛି । ସିଗ୍ନାଲ ତୃଟି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସକୁ ବାହାନାଗା ଷ୍ଟେସନ ମାଷ୍ଟର ମୁଖ୍ୟ ଲାଇନରେ ଅତିକ୍ରମ କରିବା ସକାଶେ ସବୁଜ ସଂକେତ (ଗ୍ରାନ୍ ସିଗ୍ନାଲ) ଦେଇଥିଲେ ବୋଲି କହୁଥିବା ବେଳେ ଏହି ସୁୁପର ଫାଷ୍ଟ୍ ଏକ୍ସପ୍ରେସ୍ ଚାଳକ ଦ୍ୱୟ କହୁଛନ୍ତି, ସେମାନେ ଲୁପ୍ ଲାଇନରେ ଯିବାକୁ ସିଗ୍ନାଲ ପାଇଥିଲେ ଏବଂ ଟ୍ରେନ୍ ଲୁପ୍ ଲାଇନକୁ ମୋଡି ହୋଇ ଦୃତ ବେଗରେ ଆଗକୁ ମାଡି ଯାଇଥିଲା ।
ରେଳ ମନ୍ତ୍ରୀ ଓ ରେଳବାଇ ସୁରକ୍ଷା କମିଶନ କହିବା ଅନୁଯାୟୀ, ଇଲୋକ୍ଟ୍ରୋନିକ ଇଂଟରଲକିଂ ସିଷ୍ଟମରେ କୌଣସି ତୃଟି ଥିଲେ ଅତିକ୍ରମଣ କରିବାକୁ ଥିବା ରେଳଗାଡିକୁ ସବୁଜ ସଂକେତ ମିଳି ନଥାଏ । ସିଗ୍ନାଲ ନାଲି ଥାଏ । ତୃଟି ସୁଧୁରିଲା ପରେ ହିଁ ସିଗ୍ନାଲ ସବୁଜ ହୁଏ ଏବଂ ଟ୍ରେନକୁ ଆଗକୁ ବଢିବାକୁ ସଂକେତ ମିଳେ । ଟ୍ରେନ୍ ମୁଖ୍ୟ ଲାଇନରେ ଯିବାକୁ ଗ୍ରୀନ୍ ସିଗ୍ନାଲ ଥିବା ସମୟରେ ଲୁପ୍ ଲାଇନ୍ ଏଭଳି ସ୍ୱୟଂକ୍ରୀୟ ଭାବେ ଲକ୍ ହୋଇଯାଏ ଯେ ଟ୍ରେନ୍ ଅତିକ୍ରମ କରିବା ପରେ ହିଁ ତାହାର ବ୍ୟବହାର ସମ୍ଭବ ହୋଇଥାଏ । କୌଣସି କାରଣରୁ ଲୁପ୍ ଲାଇନ୍ ଖୋଲା ଥିଲେ ଟ୍ରେନକୁ ସବୁଜ ସଂକେତ ମିଳି ନଥାଏ, ସିଗ୍ନାଲ୍ ନାଲି ହିଁ ରହିଥାଏ । ଶୁକ୍ରବାର ଦୁର୍ଘଟଣା ସମୟରେ ଏଥିରେ ବ୍ୟତିକ୍ରମ ଘଟିଛି । ବାହାନଗା ଷ୍ଟେସନ ମାଷ୍ଟର କରମଣ୍ଡଳ ଏକ୍ସପ୍ରେସକୁ ମୁଖ୍ୟ ଲାଇନରେ ଅତିକ୍ରମ କରିବାକୁ ସବୁଜ ସଂକେତ ବା ଗ୍ରୀନ୍ ସିଗ୍ନାଲ ଦେଇଥିବା କହୁଥିବା ବେଳେ ଟ୍ରେନ୍ ଚାଳକ ଦ୍ୱୟ କହୁଛନ୍ତି ଲୁପ୍ ଲାଇନରେ ଯିବାକୁ ସିଗ୍ନାଲ ଥିଲା ଏବଂ ଲୁପ୍ ଲାଇନ ଖୋଲା ଥିବାରୁ ସେମାନେ ଗତିକୁ ନିୟନ୍ତ୍ରଣ ନକରି ଯେଉଁ ବେଗରେ (ଘଂଟାକୁ ୧୨୮ କିମି ବେଗ) ଆସୁଥିଲେ ସେହି ବେଗରେ ଆଗକୁ ମାଡି ଯାଇଥିଲେ ।
ଏଇଠି ରହିଛି ସଂଦେହର ମଂଜି । କରମଣ୍ଡଳ ଏକ୍ସପ୍ରେସକୁ ମୁଖ୍ୟ ଲାଇନରେ ଯିବାକୁ ସବୁଜ ସଂକେତ ଥିବା ବେଳେ ସେହି ସମୟରେ ଲୁପ୍ ଲାଇନ୍ କେମିତି ଖୋଲା ଥିଲା ? କରମଣ୍ଡଳ ଏକ୍ସପ୍ରେସ ଡ୍ରାଇଭର ଲୁପ୍ ଲାଇନରେ ଗାଡି ନେବାକୁ କିଭଳି ସଂକେତ ପାଇଲେ ?? ବୈଷୟିକ ଦୃଷ୍ଟିରୁ ଏହା ଅସମ୍ଭବ ବୋଲି ରେଲୱେ ବୋର୍ଡ ଓ ରେଲୱେ ସେଫ୍ଟି କମିଶନ କହୁଛନ୍ତି । ଏହା ଏକ ମାନବଜନତି ତୃଟି ହୋଇପାରେ କିମ୍ବା ଷଡଯନ୍ତ୍ର । ତେଣୁ, ରେଲୱେ ବୋର୍ଡ ରବିବାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି । ସୋମବାର ସିସିଆରଏସ୍ ଶୈଳେଶ କୁମାର ପାଠକ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି କଂଟ୍ରୋଲ ରୁମ୍, ସିଗ୍ନାଲ୍ ରୁମ୍ ଓ ବାହାନଗା ବଜାର ରେଳ ଷ୍ଟେସନ ସିଗ୍ନାଲ ପଏଂଟକୁ ଯାଂଚ କରିଥିବା ଜଣାପଡିଛି । ଆଜି ୧୦ ଜଣିଆ ସିବିଆଇ ଟିମ୍ ଫୋରନ୍ସିକ ବିଶେଷଜ୍ଞଙ୍କ ସହ ସେସବୁର ପୁନଃ ଯାଂଚ କରିବା ସହ ସେଠାରେ କାର୍ଯ୍ୟରତ ରେଳ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଇତିମଧ୍ୟରେ ଖୋର୍ଦ୍ଧା ରୋଡ ରେଳବାଇ ଡିଭିଜନ ଡିଆରଏମ୍ ରିଙ୍କେଶ ରାୟ ଗଣମାଧ୍ୟମ ସହ ଆଲୋଚନା ବେଳେ ବାହାନଗା ରେଳ ଷ୍ଟେସନ ସିଗ୍ନାଲ ବ୍ୟବସ୍ଥାରେ ‘ଫିଜିକାଲ ଟ୍ୟାମ୍ପରିଂ’ ହୋଇଥିବା ସନ୍ଦେହ ପ୍ରକଟ କରିଛନ୍ତି । ଏବେ ସିବିଆଇ ମାନବୀୟ ଅବହେଳାରୁ ଏତେ ବଡ ଦୁର୍ଘଟଣା ଘଟିଲା ନା ଏହା ପଛରେ କିଛି ଆନ୍ତର୍ଘାତୀ କାର୍ଯ୍ୟ ରହିଛି – ତାହା ତଦନ୍ତ କରିବ ଏବଂ ଦୁର୍ଘଟଣାର ପ୍ରକୃତ କାରଣ ନିରୁପଣ କରିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି ।
ରେଳବାଇ ବୋର୍ଡ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରବିବାର ସୁପାରିଶ କରିବା ପୂର୍ବରୁ ଶନିବାର ରାତିରେ ବାଲେଶ୍ୱର ରେଳବାଇ ପୁଲିସ (ଜିଆରପି) ପକ୍ଷରୁ ରେଳ ଦୁର୍ଘଟଣାରେ ହୋଇଥିବା ମୃତ୍ୟୁ ସବୁ ମାନବ ଅବହେଳା ଜନତି ଦର୍ଶାଯାଇ ମାମଲା ରୁଜୁ କରାଯାଇଛି । ଜିଆରପି ପକ୍ଷରୁ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ୩୦୪-ଏ, ୩୩୭, ୩୩୮, ୧୫୩, ୧୫୪ ଓ ୧୭୫ ଦଫାରେ ଏତଲା ହୋଇଛି । କଟକ ରେଳବାଇ ପୁଲିସର ସବ୍ ଡିଭିଜନାଲ ଅଫିସର୍ ରଂଜିତ ନାୟକଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଏବେ, ସିବିଆଇ ଦୁର୍ଘଟଣାର ତଦନ୍ତ ଭାର ହାତକୁ ନେବା ପରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । ଗତ ଦୁଇ ଦଶନ୍ଦୀ ମଧ୍ୟରେ ଦେଶରେ ଏଭଳି ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟି ନଥିଲା । ତେଣୁ, ଶୁକ୍ରବାର ଦୁର୍ଘଟଣାର କାରଣ ବୈଷୟିକ ତୃଟି, ମାନବୀୟ ତୃଟି ନା ଏହା ପଛରେ କିଛି ଷଡଯନ୍ତ୍ର ରହିଛି – ତାହା ସିବିଆଇ ହିଁ ସ୍ପଷ୍ଟ କରି ପାରିବ । ତେବେ, ରେଲୱେ ସେଫ୍ଟି କମିଶନ ଥାଉ ଥାଉ ସିବିଆଇକୁ ଏହି ରେଳ ଦୁର୍ଘଟଣାର ତଦନ୍ତରେ ପୁରାଇବାର କିଛି ଆବଶ୍ୟକତା ନଥିଲା ବୋଲି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS