କାହା କଥା ସତ, କାହା କଥା ମିଛ ?
ପ୍ରସାଦ ରାଓ
ଜୁନ ୦୯
ଦେଶର ପଦକପ୍ରାପ୍ତ କୁସ୍ତିଯୋଦ୍ଧାମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ)ର ପୂର୍ବତନ ସଭାପତି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବାର ପାଂଚ ମାସ ବିତିଲାଣି । ଦିଲ୍ଲୀ ପୁଲିସର ତଦନ୍ତ କେତେବାଟ ଗଲାଣି ଜଣାପଡୁନି । ସିଂହଙ୍କୁ ଗିରଫ କରାଯିବା ଦାବିରେ ଏହି କୁସ୍ତିଯୋଦ୍ଧାମାନେ ଜାନୁଆରୀ ମାସରୁ ଆନ୍ଦୋଳନରେ ଅଛନ୍ତି । ଅବଶ୍ୟ, ଏଇ କିଛି ଦିନ ହେଲା ପରିସ୍ଥିତି ବଦଳିଛି । ସରକାରଙ୍କୁ ନାକେଦମ୍ କରି ରଖିଥିବା କୁସ୍ତିଯୋଦ୍ଧାମାନେ ଗତ ଶନିବାର ରାତିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଦୁଇ ଘଂଟା ଆଲୋଚନା କରିବା ପରେ ନରମିଛନ୍ତି । ସରକାରଙ୍କ ସହ ଏକପ୍ରକାର ବୁଝାମଣାର ରାସ୍ତା ଧରିଛନ୍ତି । ଗୋଟିଏ ଦୃଷ୍ଟିରୁ ଏହା ଭଲ ଖବର । ତେବେ, ଶାହା କି ମନ୍ତ୍ର ଦେଲେ, ସ୍ପଷ୍ଟ ନୁହେଁ । ଶାହାଙ୍କ ସହ ସେମାନଙ୍କ ଆଲୋଚନା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମଂଗଳବାର ରାତିରେ ଏକ ଟ୍ୱିଟ୍ କରି ସେମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିବା ଓ ଠାକୁରଙ୍କ ବାସଭବନରେ ବୁଧବାର ଦିନ ଦୀର୍ଘ ଛଅ ଘଂଟା ଆଲୋଚନା ପରେ ସତ୍ୟାଗ୍ରହରେ ଥିବା କୁସ୍ତିଯୋଦ୍ଧାମାନେ ଜୁନ ୧୫ ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ କାର୍ଯ୍ୟକ୍ରମ ସ୍ଥଗିତ ରଖିଲେ ବୋଲି ଘୋଷଣା କରିବା ପଛରେ ଯାହାବି କାରଣ ଥାଉନା କାହିଁକି ଉଭୟ ସରକାର ଓ କୁସ୍ତିଯୋଦ୍ଧା ସମାଧାନ ଆଡକୁ ଯାଉଥିବା ସ୍ପଷ୍ଟ ହେଉଛି ।
ଜଣେ ନାବାଳିକାଙ୍କ ସମେତ ସାତ ଜଣ ମହିଳା କୁସ୍ତିଯୋଦ୍ଧା ଡବ୍ଲୁଏଫଆଇ ପୂର୍ବତନ ସଭାପତି ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଦିଲ୍ଲୀ କନ୍ନଟ ପ୍ଲେସ୍ ଥାନାରେ ଏତଲା ଦେଇଛନ୍ତି । ଗତ ଜାନୁୟାରୀ ମାସରେ ସେମାନେ ଦେଇଥିବା ଏତଲାକୁ ଦିଲ୍ଲୀ ପୁଲିସ ପଂଜୀକୃତ କରୁ ନଥିବା ଅଭିଯୋଗରେ ମହିଳା କୁସ୍ତିଯୋଦ୍ଧାମାନେ ଏପ୍ରିଲ ମାସରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ପୁଲିସ ମହିଳା କୁସ୍ତିଯୋଦ୍ଧାଙ୍କ ଏତଲାକୁ ପଂଜୀକୃତ କରି ତଦନ୍ତ ଆରମ୍ଭ କରିଥିଲେ । ବ୍ରିଜ୍ ଭୂଷଣ ଶରଣ ସିଂହଙ୍କୁ ଗିରଫ କରାଯିବା ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରମୁଖ ଦାବି ଥିବା ଥିଲା । ଅପରପକ୍ଷରେ, ବିଜେପି ସାଂସଦ ଥିବା ବ୍ରିଜ୍ ଭୂଷଣ ଶରଣ ସିଂହ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ଅଗ୍ରାହ୍ୟ କରି ଆସୁଛନ୍ତି । ପୁଲିସ ତଦନ୍ତରୁ ଅଭିଯୋଗ ପ୍ରମାଣିତ ହେଲେ ସେ ଫାଶୀ ଖୁଂଟରେ ଝୁଲିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । ଦିଲ୍ଲୀ ପୁଲିସର ତଦନ୍ତ କେଉଁସ୍ତରରେ ପହଂଚିଲାଣି ତାହା ଅସ୍ପଷ୍ଟ ଥିଲେ ମଧ୍ୟ ସରକାରଙ୍କ ସପକ୍ଷରେ ଥିବା ଗଣମାଧ୍ୟମରେ ବିଭିନ୍ନ ସମୟରେ ଯେଭଳି ଖବର ଆସୁଛି ତାହା ସଂପୂର୍ଣ୍ଣ ଘଟଣାକୁ ରହସ୍ୟମୟ କରିଦେଉଛି । କେତେବେଳେ ଏତଲା ଦେଇଥିବା ନାବାଳିକା ଜଣକ ‘ନାବାଳିକା ନୁହନ୍ତି, ସାବାଳିକା’ ଦର୍ଶାଇ ସିଂହଙ୍କ ବିରୋଧରେ ‘ପୋଷ୍କୋ’ ଆଇନର ଦଫା ଲାଗିବା ଠିକ୍ ନୁହେଁ ବୋଲି କୁହାଯାଉଥିବା ବେଳେ ଆଉ କେତେବେଳେ ସଂପୂର୍ଣ୍ଣ ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସହ ବିରୋଧୀ ରାଜନୈତିକ ଦଳଙ୍କୁ ଯୋଡିବାର ପ୍ରୟାସ କରାଯାଇଛି ।
ଆଜି (ଶୁକ୍ରବାର ଜୁନ ୯ତାରିଖ) ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ ଆଧାରରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ଡବ୍ଲୁଏଫଆଇ ପୂର୍ବତନ ସଭାପତି ସିଂହଙ୍କ ବିରୋଧରେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଆଡୁ ଯେଉଁ ଯୌନ ଉତ୍ପୀଡନ ମାମଲା କରାଯାଇଛି ସେଥିରେ କୌଣସି ସତ୍ୟତା ନଥିବା ନାବାଳିକାଙ୍କ ପିତା କୁଆଡେ ଗୁରୁବାର ଦିନ ସଂପୃକ୍ତ ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି । ନାବାଳିକା ଜଣକ ପ୍ରତି ସିଂହ ସର୍ବଦା ଅନ୍ୟାୟ କରି ଆସୁଥିଲେ । ତେଣୁ, ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ହୋଇଛି । ନାବାଳିକା କୁସ୍ତିଯୋଦ୍ଧାଙ୍କ ପିତା ଯଦି କୌଣସି ପ୍ରକାର ଚାପଗ୍ରସ୍ତ ନହୋଇ ଏଭଳି ବିବୃତି ଦେଇଥା’ନ୍ତି ତେବେ ଅନ୍ୟ ମହିଳା କୁସ୍ତିଯୋଦ୍ଧାଙ୍କ ଏତଲାଗୁଡିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ପାଂଚ ମାସ ହେଲା ନାବାଳିକା ସମେତ ମହିଳା କୁସ୍ତିଯୋଦ୍ଧାମାନେ ସେମାନଙ୍କ ପ୍ରତି ସିଂହଙ୍କ ଆଡୁ ଯୌନ ଉତ୍ପୀଡନ ହୋଇଥିବା ଅଭିଯୋଗ କରିଆସୁଥିବା ବେଳେ ଏବଂ ଦିଲ୍ଲୀ ପୁଲିସ, ସୁପ୍ରିମ କୋର୍ଟ ଓ ମାଜିଷ୍ଟ୍ରେଟଙ୍କ ନିକଟରେ ସେହି ଅଭିଯୋଗକୁ ନେଇ ଅଡି ରହିଥିବା ସମୟରେ ଅଚାନକ ନାବାଳିକାଙ୍କ ପିତା ଯୌନ ଉତ୍ପୀଡନ ଅଭିଯୋଗରେ ସତ୍ୟତା ନଥିବା ଗଣମାଧ୍ୟମକୁ କହିବା କେମିତି ଅଡୁଆ ଅଡୁଆ ଲାଗୁଛି । ନାବାଳିକା ଜଣକର ଅଭିଯୋଗ ଭିତ୍ତିରେ ହିଁ ଦିଲ୍ଲୀ ପୁଲିସ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ‘ପୋଷ୍କୋ’ ଆଇନରେ ଏକ ମାମଲା କରିଛନ୍ତି । କଠୋର ‘ପୋଷ୍କୋ’ ଆଇନରୁ ବର୍ତ୍ତିବା ପାଇଁ ଏହା ଅଭିଯୁକ୍ତ ଓ ତାଙ୍କ ସମର୍ଥକଙ୍କ ନୂଆ ଚାଲ୍ ନୁହେଁ ତ ? ତଥ୍ୟାଭିଜ୍ଞ ମହଲରେ ଏଭଳି ପ୍ରଶ୍ନ ଉଠିବାରେ କିଛି ଅସୁବିଧା ନାହିଁ ।
ଏଠାରେ ସୂଚନାଯୋଗ୍ୟ ଯେ, ଦେଶର ପ୍ରମୁଖ କୁସ୍ତିଯୋଦ୍ଧାମାନେ ନୂଆଦିଲ୍ଲୀର ‘ଯନ୍ତର ମନ୍ତର’ଠାରେ ଏପ୍ରିଲ ୨୩ ତାରିଖରୁ ସେମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ସତ୍ୟାଗ୍ରହ ଆରମ୍ଭ କରିଥିଲେ ଏବଂ ବ୍ରିଜ୍ ଭୂଷଣଙ୍କୁ ଗିରଫ କରାଯାଉ ବୋଲି ଦାବିରେ ସୁପ୍ରିମ କୋର୍ଟକୁ ଯାଇଥିଲେ । ସୁପ୍ରିମ କୋର୍ଟଙ୍କ ନିର୍ଦେଶକ୍ରମେ ଦିଲ୍ଲୀ ପୁଲିସ ଡବ୍ଲୁଏଫଆଇ ପୂର୍ବତନ ସଭାପତି ସିଂହଙ୍କ ବିରୋଧରେ ଏତଲା ପଂଜୀକୃତ କରି ନାବାଳିକାଙ୍କ ଅଭିଯୋଗ ଭିତ୍ତିରେ ‘ପୋଷ୍କୋ’ ଆଇନରେ ଗୋଟିଏ ମାମଲା ଓ ଅନ୍ୟ ୭ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଆଉ ଏକ ମାମଲା, ଏଭଳି ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ଯୌନ ଉତ୍ପୀଡନ ଅଭିଯୋଗର କୌଣସି ପ୍ରମାଣ ମିଳି ନଥିବା ଦିଲ୍ଲୀ ପୁଲିସ ସରକାରୀ ଭାବେ ନହେଲେ ମଧ୍ୟ ଘରୋଇ ଭାବେ କହି ଆସୁଥିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି । କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ବ୍ୟାପକ ହେବା ପରେ ଦିଲ୍ଲୀ ପୁଲିସ ତାହାର ତଦନ୍ତ ସରି ନଥିବା କହିଛି ଏବଂ କେନ୍ଦ୍ର ସରକାର ପୁଲିସ ତଦନ୍ତ ସରି ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହେବ କହି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କୁ ନିର୍ବିରୋଧରେ ବୁଲିବାର ସୁଯୋଗ ଦେଇଛନ୍ତି । ସିଂଙ୍କୁ ଗିରଫ କରାଯିବା ସକାଶେ କୁସ୍ତିଯୋଦ୍ଧାଙ୍କ ଦାବିକୁ ନେଇ ଗତ ଶନିବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ସ୍ପଷ୍ଟ ପ୍ରତିକ୍ରିୟା ଥିଲା, କୁସ୍ତିଯୋଦ୍ଧାଙ୍କ ପାଇଁ ଆଇନ ଭିନ୍ନ ନୁହେଁ । ଦିଲ୍ଲୀ ପୁଲିସର ତଦନ୍ତ ରିପୋର୍ଟ ଦେବା ପରେ ହିଁ ସରକାର ଯାହା କାର୍ଯ୍ୟାନୁଷ୍ଠାନ ନେଇ ଗ୍ରହଣ କରିବେ ।
କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ବୁଧବାର ଦିନ କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା ବେଳେ ଗୃହ ମନ୍ତ୍ରୀ ଶାହାଙ୍କ କଥାକୁ ଦୋହରାଇ ଜୁନ ୧୫ ତାରିଖରେ ଦିଲ୍ଲୀ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେମାନଙ୍କ ଅନ୍ୟ ସମସ୍ତ ଦାବିକୁ ସରକାର ଗ୍ରହଣ କରିଥିବା ଦର୍ଶାଇ କୁସ୍ତିଯୋଦ୍ଧାମାନେ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବା ଘୋଷଣା କରିଛନ୍ତି । ତେବେ, କୁସ୍ତିଯୋଦ୍ଧା ଆନ୍ଦୋଳନ ମୋଡରୁ ଆଲୋଚନା ମୋଡକୁ ଆସିବା ପଛରେ ମେ’ ୨୮ ତାରିଖ ଦିନର ପୁଲିସ କାର୍ଯ୍ୟାନୁଷ୍ଠାନକୁ ଏଡାଇ ହେବ ନାହିଁ । ସେଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ନବ ନିର୍ମିତ ସଂସଦ ଭବନ ଉଦ୍ଘାଟନର ସମାରୋହ ଚାଲିଥିବା ବେଳେ କୁସ୍ତିଯୋଦ୍ଧାମାନେ ବିଜେପି ସାଂସଦ ସିଂହଙ୍କ ଗିରଫ ଦାବିରେ ‘ଯନ୍ତର ମନ୍ତର’ରୁ ନୂତନ ସଂସଦ ଭବନ ଅଭିମୁଖେ ଶୋଭାଯାତ୍ରା କରି ଥିଲେ । ପୁଲିସ ସେମାନଙ୍କୁ ଅଧାବାଟରେ ରୋକିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପୁଲିସ କୁସ୍ତିଯୋଦ୍ଧାଙ୍କୁ ରାସ୍ତାରୁ ଘୋଷାଡି ନେଇ ଅଟକ ରଖିବା ସହ ଆଇପିସିର ବିଭିନ୍ନ ସଂଗୀନ ଦଫାରେ ମାମଲା ରୁଜୁ କରିଥିଲା । ପୁଲିସ ମାତ୍ରାଧିକ୍ୟ ପ୍ରତିବାଦରେ କୁସ୍ତିଯୋଦ୍ଧାମାନେ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅର୍ଜନ କରିଥିବା ମୂଲ୍ୟବାନ ପଦକ ସବୁକୁ ହରିଦ୍ୱାରରେ ଗଂଗା ନଦୀରେ ବିସର୍ଜନ କରିବାକୁ ପହଂଚି ଥିଲେ । ଭାରତୀୟ କିଶାନ ଯୁନିୟନ (ବିକେୟୁ) ନେତା ନରେଶ ଟିକାୟତ ସେମାନଙ୍କୁ ରୋକବାରୁ ପଦକ ସବୁ ରହି ଯାଇଛି । ତେବେ, ସରକାର ପାଂଚ ଦିନ ମଧ୍ୟରେ କିଛି କାର୍ଯ୍ୟାନୁଷ୍ଠାନ ନକଲେ ସେମାନେ ପଦକ ବିସର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ ।
କୁସ୍ତିଯୋଦ୍ଧାଙ୍କ ସତ୍ୟାଗ୍ରହ ସହ ପ୍ରମୁଖ କୃଷକ ସଂଗଠନ ନେତାମାନେ ସାମିଲ ହେବା, ଆନ୍ଦୋଳନର ନେତୃତ୍ୱ ନେଉଥିବା ପ୍ରମୁଖ କୁସ୍ତିଯୋଦ୍ଧାମାନେ ହରିୟାଣାର ହୋଇଥିବା ଏବଂ ପଂଜାବ, ହରିୟାଣା, ୟୁପି, ରାଜସ୍ଥାନର ଖାପ୍ ନେତାମାନେ କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ମହାପଂଚାୟତମାନ ଆୟୋଜନ କରି ଜନସମର୍ଥନ ଜୁଟାଇବା ହରିୟାଣା ବିଜେପିରେ ଆତଙ୍କ ସୃଷ୍ଟି କରିଥିଲା । କାରଣ, ଆଗକୁ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଅଛି । କୁସ୍ତିଯୋଦ୍ଧାଙ୍କ ସତ୍ୟାଗ୍ରହ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ରାଜ୍ୟର ବିଜେପି ନେତାମାନେ ଆଶଙ୍କା ବ୍ୟକ୍ତ କରିସାରିଛନ୍ତି । ତେଣୁ, ଆନ୍ଦୋଳନ ପ୍ରତ୍ୟାହାର ପାଇଁ କୁସ୍ତିଯୋଦ୍ଧାଙ୍କ ଉପରେ ଚାପ ସୃଷ୍ଟି କରିବା ସକାଶେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଶନିବାର ରାତିରେ ସେମାନଙ୍କୁ ଡକାଇ ଆଲୋଚନା କରିଥିବା ଏବଂ ଶାହାଙ୍କ ନିର୍ଦେଶରେ କ୍ରୀଡା ମନ୍ତ୍ରୀ ଠାକୁର ବୁଧବାର ଦିନ ଆଲୋଚନାକୁ ଆଗକୁ ନେଇଥିବା ଅନୁମାନ କରାଯାଉଛି । ମେ’ ୨୮ ଦିନ କୁସ୍ତିଯୋଦ୍ଧାଙ୍କ ବିରୋଧରେ ପୁଲିସ ଯେଉଁ ସବୁ ମାମଲା କରିଛନ୍ତି ସେସବୁ ଉଠାଇ ଦିଆଯିବ ବୋଲି ଠାକୁର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହାଛଡା, ଡବ୍ଲୁଏଫଆଇ ନିର୍ବାଚନ ମୁକ୍ତ ଓ ଅବାଧ କରାଯିବା, ଜଣେ ମହିଳାଙ୍କୁ ଫେଡେରେସନର ଦାୟିତ୍ୱ ଦିଆଯିବା, ପୂର୍ବତନ ସଭାପତି ସିଂହ କିମ୍ବା ତାଙ୍କ ନିକଟତମ କେହି ଡବ୍ଲୁଏଫଆଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ନପାଇବା ଭଳି ଅନ୍ୟ ଦାବିଗୁଡିକୁ ମଧ୍ୟ କ୍ରୀଡା ମନ୍ତ୍ରୀ ଗ୍ରହଣ କରିନେଇଥିବା କୁସ୍ତିଯୋଦ୍ଧା କହିଛନ୍ତି ।
ସାକ୍ଷୀ ମଲ୍ଲିକ, ବଜରଂଗ ପୁନିଆ ଭିନେଶ ଫୋଗଟଙ୍କ ଭଳି ତାରକା କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇ ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯିବା ଦାବିରେ ପାଂଚ ମାସ ଧରି ଆନ୍ଦୋଳନ କାର୍ଯ୍ୟକ୍ରମ ଚଳାଇବାରୁ ସମଗ୍ର ବିଶ୍ୱର ଦୃଷ୍ଟି ଏହି ଆନ୍ଦୋଳନ ଉପରେ ଥିଲା । ‘ବେଟି ବଚାଓ, ବେଟି ପଢାଓ’ ନାରା ଦେଇ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦୀ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଓ ଆନ୍ଦୋଳନକୁ ନେଇ ନିରବ ରହିଥିବା ମଧ୍ୟ ପ୍ରଶ୍ନବାଚୀ ହୋଇଥିଲା । ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କୁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ସୁରକ୍ଷା ଦେଇ ଆସୁଥିବା ଜଳଜଳ ହୋଇ ଦିଶୁଥିଲା । ଏଭଳି ଅବସ୍ଥାରେ ସରକାର ନିଜ ଅହଂଭାବକୁ ସୁରକ୍ଷିତ ରଖି କୁସ୍ତିଯୋଦ୍ଧାଙ୍କ ସତ୍ୟାଗ୍ରହର ଅବସାନ ଘଟାଇବାକୁ ବାଟ ଖୋଜୁ ଥିଲେ । ଦିଲ୍ଲୀ ପୁଲିସ ମେ’ ୨୮ ହାତାହାତିକୁ ନେଇ କୁସ୍ତିଯୋଦ୍ଧାଙ୍କ ବିରୋଧରେ ସଂଗୀନ ଆପରାଧିକ ମାମଲା ରୁଜୁ କରି ସରକାରଙ୍କ ପାଇଁ ସେହି ରାସ୍ତା ଖୋଲି ଦେଇଥିବା ଅନୁମାନ କରାଯାଇପାରେ । ଗୃହ ମନ୍ତ୍ରୀ ଶାହାଙ୍କ ଆଲୋଚନା ପରେ ସାକ୍ଷୀ, ବଜରଂଗ ଓ ଭିନେଶ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇଥିଲେ । କ୍ରୀଡା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସେମାନେ ଜୁନ ୧୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଥିବା ଘୋଷଣା କରିଛନ୍ତି । ଇତିମଧ୍ୟରେ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଠାକୁର ଆଗାମୀ ଏସୀୟ କ୍ରୀଡାରେ ଭାଗ ନେବାକୁ ଚଳିତ ମାସରେ ହେଉଥିବା ଚୟନ ପ୍ରତିଯୋଗିତାରେ ଭାଗ ନେବାକୁ ଏହି ତିନି ପ୍ରମୁଖ କୁସ୍ତିଯୋଦ୍ଧାଙ୍କୁ ଆମନ୍ତ୍ରିତ କରିଛନ୍ତି ।
ବ୍ରିଜ୍ ଭୂଷଣ ଶରଣ ସିଂହଙ୍କୁ ଡବ୍ଲୁଏଫଆଇ ସଭାପତି ପଦରୁ ଅବ୍ୟାହତି ଦିଆଯିବା ପରେ ଏହାର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ଓ ତଦାରଖ ପାଇଁ ଏକ ଦୁଇ ଜଣିଆ ଆଡହକ କମିଟି କାର୍ଯ୍ୟ କରୁଛି । ଚୀନର ହାଂଗଝାଉଠାରେ ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଏସୀୟ କ୍ରୀଡା ହେବାକୁ ଥିବାରୁ ଏଥିସକାଶେ ଚୂଡାନ୍ତ ଭାରତୀୟ କୁସ୍ତିଯୋଦ୍ଧା ଦଳ ଚୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମର କେ.ଡି.ଯାଦବ ରେସଲିଂ ହଲ୍ ରେ ଚୟନ ପ୍ରତିଯୋଗିତା ହୋଇ ଜୁଲାଇ ୧୫ ତାରିଖ ସୁଦ୍ଧା ଚୂଡାନ୍ତ ତାଲିକା ଜାତୀୟ କ୍ରୀଡା ମହାସଂଘ (ନ୍ୟାସନାଲ ସ୍ପୋର୍ଟସ୍ ଫେଡେରେସନ) ନିକଟରେ ଦାଖଲ କରିବାକୁ ନିର୍ଦେଶ ରହିଛି । ତାରକା ରେସଲର୍ ସାକ୍ଷୀ ମଲ୍ଲିକ, ବଜରଂଗ ପୁନିଆ ଓ ଭିନେଶ ଫୋଗଟ୍ ଏସୀୟ କ୍ରାଡା ପାଇଁ ମନୋନୀତ ହେବା ଏକପ୍ରକାର ନିଶ୍ଚିତ । ତେଣୁ, ସେମାନେ ଆନ୍ଦୋଳନରୁ ହଟି ଟ୍ରାଏଲ୍ସ୍ (ଚୟନ ପ୍ରତିଯୋଗିତା)ରେ ଭାଗ ନିଅନ୍ତୁ ବୋଲି କ୍ରୀଡା ମନ୍ତ୍ରୀ ଗୁରୁବାର ଆହ୍ୱାନ ଦେଇଛନ୍ତି । ଥରେ ସେମାନେ ପ୍ରତିଯୋଗିତା ଦୁନିଆକୁ ଫେରି ଗଲେ ପୁଣି ଥରେ ଆନେ୍ଦାଳନକୁ ଫେରିବା ସହଜ ନୁହେଁ । ଏକଥା ସରକାର ଜାଣନ୍ତି, କୁସ୍ତିଯୋଦ୍ଧା ମଧ୍ୟ ଜାଣନ୍ତି । ତେଣୁ, ସରକାରଙ୍କ ଏହି କୌଶଳ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ବିରୋଧୀ ଅଭିଯାନରେ ପୂର୍ଣ୍ଣଛେଦ ପକାଇବାକୁ ଏକ ସୁଚିନ୍ତିତ ପ୍ରୟାସ ନୁହେଁ ତ ? ଏହାର ଉତ୍ତର ମିଳିବ । କିନ୍ତୁ, ସମୟ ଲାଗିବ ।
କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଦିଲ୍ଲୀ ପୁଲିସର ଏଟିଆର୍
ବିଜେପି ସାଂସଦ ତଥା ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ‘ମିଥ୍ୟା ଅଭିଯୋଗ’ କରିଛନ୍ତି ବୋଲି ହୋଇଥିବା ଏକ ଏତଲାକୁ ନେଇ ଦିଲ୍ଲୀ ପୁଲିସ ଆଜି ସ୍ଥାନୀୟ ଅଦାଲତରେ ଏଟିଆର (ଆକ୍ସନ ଟେକେନ୍ ରିପୋର୍ଟ) ଦାଖଲ କରିଛନ୍ତି । ଏହି ଏତଲାରେ ତାରକା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ, ବଜରଂଗ ପୁନିଆ ଓ ଭିନେଶ ପୋଗଟଙ୍କ ସମେତ ଅନ୍ୟମାନଙ୍କ ନାମ ରହିଥିଲା । ପୁଲିସ ଦାଖଲ କରିଥିବା ଏଟିଆରରେ କୁହାଯାଇଛି, ଏହି କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ‘ଯନ୍ତର ମନ୍ତର’ରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା, ତାହା ଘୃଣା ସୃଷ୍ଟିକାରୀ ଥିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେବା ଭଳି ହୋଇଥିବା ନେଇ ଅଭିଯୋଗକାରୀ ତାଙ୍କ ଏତଲାରେ ଯାହା ଦର୍ଶାଇଛନ୍ତି ତାହା ଠିକ୍ ନୁହେଁ । ଏହି ଅଭିଯୋଗକୁ ସାବ୍ୟସ୍ତ କରିବା ସକାଶେ ଅଭିଯୋଗକାରୀ ଯେଉଁ ଭିଡିଓ କ୍ଲିପ୍ ଦାଖଲ କରିଛନ୍ତି ସେଥିରେ ସେଭଳି ଘୃଣାଭାବ ସୃଷ୍ଟି କଲା କିଛି ଭାଷଣ ନାହିଁ ଏବଂ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ, ବଜରଂଗ ପୁନିଆ ଓ ଭିନେଶ ଫୋଗଟ କୌଣସି ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳି ନାହିଁ । ତେଣୁ, ଅଭିଯୋଗକାରୀଙ୍କ ଏତଲାକୁ ଖାରଜ କରିବାକୁ ଦିଲ୍ଲୀ ପୁଲିସ କୋର୍ଟକୁ ଅନୁରୋଧ କରିଛନ୍ତି । ନିଜକୁ ‘ଅଟଳ ଜନ ପାର୍ଟି’ ମୁଖ୍ୟ କହୁଥିବା ବମ୍ ବମ୍ ମହାରାଜ ନୌହାଟିଆ ନାମକ ବ୍ୟକ୍ତଙ୍କ ତରଫରୁ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଏଭଳି ଏକ ଏତଲା ହୋଇଥିଲା । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଜୁଲାଇ ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଜଣେ ନାବାଳିକାଙ୍କ ସହ ୭ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ଅଭିଯୋଗ ଭିତ୍ତିରେ ଦିଲ୍ଲୀ ପୁଲିସ ଡବ୍ଲୁଏଫଆଇ ସଭାପତି (ପୂର୍ବତନ) ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି । ଜୁନ ୧୫ ତାରିଖ ଦିନ ପୁଲିସ ଆଡୁ କୋର୍ଟରେ ଚାର୍ଜସିଟ୍ ଦାଖଲ ହେବ ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କୁସ୍ତିଯୋଦ୍ଧାଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ କୁସ୍ତିଯୋଦ୍ଧାଙ୍କ ବିରୋଧରେ ବମ୍ ବମ୍ ମହାରାଜ ନୌହାଟିଆ ନାମକ ଅଭିଯୋଗକାରୀଙ୍କ ଏତଲା ଉପରେ ଦିଲ୍ଲୀ ପୁଲିସ ଆଜି କୋର୍ଟରେ ଯେଉଁ ଏଟିଆର ଦାଖଲ କରିଛି ତାହା ସରକାର ଓ କୁସ୍ତିଯୋଦ୍ଧା ଏକ ବୁଝାମଣାରେ ପହଂଚି ସାରିଥିବାର ସୂଚନା ଦେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS