ବାହାନଗା ରେଳ ଦୁର୍ଘଟଣା: ତଦନ୍ତ ଅପେକ୍ଷା ରାଜନୀତି ଅଧିକ !


ପ୍ରସାଦ ରାଓ
ଭୁବନେଶ୍ୱର/ଜୁନ ୧୧
ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଗତ ସପ୍ତାହରେ (ଜୁନ ୨ ତାରିଖ) ଘଟିଥିବା ଭୟାବହ ରେଳ ଦୁର୍ଘଟଣା ଆଜି ମଧ୍ୟ ଦେଶବାସୀଙ୍କ ମନରେ ତାଜା ହୋଇ ରହିଛି । ଏହି ଦୁର୍ଘଟଣା ଘଟିବାର କାରଣ ସଂପର୍କରେ ଏକ ସପ୍ତାହ ହେଲା ସିବିଆଇ ତଦନ୍ତ ଚାଲିଛି । ତେବେ, ଆଜି ସୁଦ୍ଧା ରହସ୍ୟ ଉନ୍ମୋଚନ କରିବାରେ ସିବିଆଇ ସଫଳତା ପାଇ ନାହିଁ । ଫଳରେ, ଏହି ଦୁର୍ଘଟଣାକୁ ନେଇ ରାଜନୀତି ଅଧିକ ଜୋରଦାର ହେଉଥିବା ଲକ୍ଷ୍ୟ କରାଯାଉଛି । ଜୁନ ୨ ତାରିଖ ବିଳମ୍ବିତ ସନ୍ଧ୍ୟାରେ ବାହାନଗା ରେଳ ଦୁର୍ଘଟଣା ଘଟିବା ପରେ ରେଳବାଇ ସେଫ୍ଟି କମିଶନ ତୁରନ୍ତ ତାହାର ତଦନ୍ତ ଆରମ୍ଭ କରିଥିଲେ । ଇଲୋକ୍ଟ୍ରୋନିକ ଇଂଟରଲକିଂ ସିଷ୍ଟମରେ ବୈଷୟିକ ତୃଟି ଯୋଗୁଁ ସିଗ୍ନାଲିଂରେ ତୃଟି ହୋଇ ଶୁକ୍ରବାର ଏତେ ବଡ ଦୁର୍ଘଟଣା ଘଟିଲା ବୋଲି ରେଳବାଇ ସେଫ୍ଟି କମିଶନଙ୍କ ତଦନ୍ତରୁ ଏକପ୍ରକାର ସୂଚନା ମିଳିଥିଲା । ଦୁର୍ଘଟଣା ପର ଦିନ ବାହାନଗାରେ ପହଂଚି ଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏଥିରେ ସହମତ ହୋଇ ଦୁର୍ଘଟଣାର କାରଣ ଓ କେଉଁମାନେ ଏଥିରେ ସଂପୃକ୍ତ ତାହା ଜଣାପଡିଛି, ରେଳବାଇ ସେଫ୍ଟି କମିଶନଙ୍କ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଣମାଧ୍ୟମ ଜରିଆରେ ଦେଶବାସୀଙ୍କୁ ସୂଚିତ କରି ସମସ୍ତଙ୍କୁ ଆଶ୍ୱସ୍ତ କରିଥିଲେ । ରବିବାର ସକାଳ ପର୍ଯ୍ୟନ୍ତ ରେଳ ମନ୍ତ୍ରୀଙ୍କ ଆଶ୍ୱାସନା ବଳବତ୍ତର ଥିଲା । ତେବେ, ରବିବାର ସନ୍ଧ୍ୟାରେ ରେଳ ମନ୍ତ୍ରୀ ବୈଷ୍ଣବ ଗଣମାଧ୍ୟମକୁ ଭେଟି ଦୁର୍ଘଟଣା ପଛରେ ମାନବିକ ଷଡଯନ୍ତ୍ର ଥିବା ସନ୍ଦେହ ପ୍ରକଟ କରି ରେଳବାଇ ବୋର୍ଡ ଏହି ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ନ୍ୟସ୍ତ କରାଯିବାକୁ ସୁପାରିଶ କରିଥିବା ସୂଚନା ଦେଇଥିଲେ । ରେଳ ମନ୍ତ୍ରୀଙ୍କ ଏହି ସୂଚନା ପରେ ପରେ ସୋମବାର ସିବିଆଇର ଏକ ଦଶ ଜଣିଆ ଟିମ୍ ଦୁର୍ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ଯେପରି ସରକାର ସିବିଆଇ ତଦନ୍ତ ପାଇଁ ଆରମ୍ଭରୁ ମାନସିକ ପ୍ରସ୍ତୁତି ନେଇ ସାରିଥିଲେ ବୋଲି ଆଭାସ ଦେଉଛି ।
ଦୁର୍ଘଟଣାଟି ଯେଭଳି ଭାବେ ଘଟିଛି ସରକାର ଏଭଳି କିଛି ପଦକ୍ଷେପ ନେବା ଅସ୍ୱାଭାବିକ ନୁହେଁ । କାରଣ, ଦୁର୍ଘଟଣା ପଛରେ ବୈଷୟିକ ତୃଟି ଥିବା ରୋଳବାଇ ପକ୍ଷରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହା ଏକ ଅନିଚ୍ଛାକୃତ ତୃଟି ଥିଲା କି ଏହା ପଛରେ କୌଣସି ମାନବୀୟ ଷଡଯନ୍ତ୍ର ରହିଛି, ତାହା ଜାଣିବା ଜରୁରୀ ହୋଇପଡିଛି । ସିବିଆଇ ଟିମ୍ ଫୋରେନ୍ସିକ ବିଶେଷଜ୍ଞ ସହାୟତାରେ ଉଭୟ ବୈଷୟିକ ତୃଟି ଓ ସମ୍ଭାବ୍ୟ ମାନବୀୟ ଷଡଯନ୍ତ୍ର ଦିଗକୁ ନେଇ ତଦନ୍ତ କାର୍ଯ୍ୟ ଚଳାଇଛି । ତଦନ୍ତର ଏକ ସପ୍ତାହ ବିତି ଗଲାଣି । କିନ୍ତୁ, ଏହି କେନ୍ଦ୍ରୀୟ ଅପରାଧ ତଦନ୍ତକାରୀ ସଂସ୍ଥା ଦୁର୍ଘଟଣାର କାରଣକୁ ନେଇ କୌଣସି ସିଦ୍ଧାନ୍ତରେ ପହଂଚି ପାରି ନାହିଁ, ଯାହାକି ସଂପୂର୍ଣ୍ଣ ଘଟଣାକୁ ଅଧିକ ରହସ୍ୟମୟ କରିବା ସହ ବିରୋଧୀଙ୍କୁ ରାଜନୀତି କରିବାକୁ ସୁଯୋଗ ସେଇଛି । ବିରୋଧୀଙ୍କ ପ୍ରଶ୍ନ ହେଉଛି, ସିବିଆଇ ଦେଶର ପ୍ରମୁଖ ଅପରାଧ ତଦନ୍ତକାରୀ ସଂସ୍ଥା ଭାବେ ବିଭିନ୍ନ ଅର୍ଥନୈତିକ ଓ ଅନ୍ୟାନ୍ୟ ଆପରାଧିକ କାର୍ଯ୍ୟକଳାପର ତଦନ୍ତରେ ନିୟୋଜିତ ହୋଇଥାଏ । ରେଳ ଦୁର୍ଘଟଣାର ତଦନ୍ତ ପାଇଁ ରେଲୱେ ସେଫ୍ଟି କମିଶନରଙ୍କ କାର୍ଯ୍ୟାଳୟ ଯଥେଷ୍ଟ । ସେଫ୍ଟି କମିଶନଙ୍କ ତଦନ୍ତରୁ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇଥାଏ ଏବଂ ସରକାର ତାହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ । ଅଚାନକ ସିବିଆଇକୁ ତଦନ୍ତ ଭିତରକୁ ଘୋଷାଡି ଆଣିବାକୁ ସରକାର ନିଷ୍ପତ୍ତି ନେବାର କାରଣ କଣ ହୋଇପାରେ ? ସରକାର ବୋଧହୁଏ ବୈଷୟିକ ତୃଟି ପଛରେ ମାନବୀୟ ଷଡଯନ୍ତ୍ର ଥିବା ସନ୍ଦେହ କରୁଛନ୍ତି । ତେଣୁ, ସିବିଆଇକୁ ଏଥିରେ ପୁରାଇଛନ୍ତି ବୋଲି କିି ଯୁକ୍ତି କରୁଥିବା ବେଳେ ଆଉ କିଛିି କହୁଛନ୍ତି, ଗଲା କିଛି ବର୍ଷ ହେଲା କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଳ ସଂପତ୍ତିର ମରାମତି, ରକ୍ଷଣାବେକ୍ଷଣ ଓ ଯାତ୍ରୀଙ୍କ ସୁରକ୍ଷା ଦିଗକୁ ଯେଭଳି ଅବହେଳା କରାଯାଇଛି ତାହା ପଦାରେ ପଡିବା ଭୟରେ ସିବିଆଇକୁ ତଦନ୍ତରେ ସାମିଲ କରାଯାଇଛି । ବିରୋଧୀ ଏକ୍ଷେତ୍ରରେ ସିଏଜି ରିପୋର୍ଟକୁ ଆଧାରଶୀଳା ଭାବେ ନେଇଛନ୍ତି ।
ବିରୋଧୀ ଉପସ୍ଥାପନ କରୁଥିବା ସିଏଜିଙ୍କ ରିପୋର୍ଟ ଅନୁସାରେ ୨୦୧୩-୧୪ ବର୍ଷରୁ ରେଳ ଟ୍ରାକ୍ ମରାମତି, ସେସବୁର ସୁପରିଚାଳନା ଏବଂ ରେଳଯାତ୍ରାକୁ ସଂପୂର୍ଣ୍ଣ ସୁରକ୍ଷିତ କରିବା ପାଇଁ ମଂଜୁର ହୋଇଥିବା ପାଂଠିକୁ ସରକାର ଉଦ୍ଦିଷ୍ଟ କାର୍ଯ୍ୟରେ ବିନିଯୋଗ ନକରି ଅନ୍ୟ ବାଟରେ ଖର୍ଚ୍ଚ କରିଛନ୍ତି । ଦେଶର ବିଭିନ୍ନ ରେଳ ଡିଭିଜନରେ ଲକ୍ଷାଧିକ ପଦବୀ ଖାଲି ଥିବା ବେଳେ ସେଥିରେ ନୂତନ ନିଯୁକ୍ତି ହୋଇ ନାହିଁ । ଯେତିକି କର୍ମଚାରୀ ଅଛନ୍ତି ସେମାନେ ଚାପଗ୍ରସ୍ତ ରହି କାର୍ଯ୍ୟ କରୁଛନ୍ତି । ସରକାର ଏଥିପ୍ରତି ଧ୍ୟାନ ନଦେଲେ ଦେଶରେ ବଡ ଧରଣର ରେଳ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡାଇ ହେବ ନାହିଁ । ସିଏଜିଙ୍କ ଏହି ମତାମତ ସରକାରଙ୍କୁ ସମାଲୋଚନା କରିବାକୁ ବିରୋଧୀଙ୍କ ପାଇଁ ଅମୋଘ ଅସ୍ତ୍ର ହୋଇଛି । ଜୁନ ୨ ତାରିଖ ଦିନ ବାହାନଗାରେ ଘଟି ଥିବା କରମଣ୍ଡଳ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ହଜାରରୁ ଅଧିକ ଆହତ ହୋଇଛନ୍ତି । ଗୁରୁତର ଆହତମାନେ ଏବେ ସୁଦ୍ଧା ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ର ସରକାର ମୃତକଙ୍କ ପରିବାର, ଗୁରୁତର ଓ ସାମାନ୍ୟ ଆହତଙ୍କ ପାଇଁ ତୁରନ୍ତ କ୍ଷତିପୂରଣ ଘୋଷଣା କରିଛନ୍ତି । ଚିକିତ୍ସା ପ୍ରତି ମଧ୍ୟ ଧ୍ୟାନ ଦେଇଛନ୍ତି । ଏହି ଦୁର୍ଘଟଣାରେ ଓଡ଼ିଶା, ବିହାର, ପଶ୍ଚିମ ବଂଗ, ଆନ୍ଧ୍ର ପଦେଶ, ତାମିଲନାଡୁର ରେଳଯାତ୍ରୀମାନେ ଅଧିକ ଭାବେ ପ୍ରଭାବିତ ହୋଇଥିବାରୁ ସଂପୃକ୍ତ ରାଜ୍ୟ ସରକାରମାନେ ମଧ୍ୟ ମୃତାହତଙ୍କୁ କ୍ଷତିପୂରଣ ଦେବା ସହ ଚିକିତ୍ସା ପ୍ରତି ଧ୍ୟାନ ଦେଇଛନ୍ତି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଦେ ଆଗକୁ ଯାଇ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ରାଜ୍ୟର ଲୋକଙ୍କ ପରିବାରରୁ ଜଣକୁ ଲେଖାଏଁ ସରକାରୀ ଚାକିରୀ ଦେଇଛନ୍ତି । ଜୁନ ୨ ତାରିଖ ବାହାନଗା କରମଣ୍ଡଳ ରେଳ ଦୁର୍ଘଟଣାକୁ ଶତାବ୍ଦୀର ସବୁଠାରୁ ବଡ ଓ ଭୟଙ୍କର ରେଳ ଦୁର୍ଘଟଣା ବୋଲି ବିବେଚନା କରାଯାଉଛି । କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ଘଟିଲା, ତାହା ଜାଣିବା ପାଇଁ ଦେଶବାସୀ ଉତ୍ସୁକ ।
ଏଭଳି ସମୟରେ ରେଳବାଇ ସେଫ୍ଟି କମିଶନରଙ୍କ ଦ୍ୱାରା ଚାଲି ଥିବା ତଦନ୍ତକୁ ସରକାର ଗୌଣ କରିଦେଇ ସିବିଆଇକୁ ତଦନ୍ତ ଭିତରକୁ ଟାଣି ଆଣିବା ବିରୋଧୀଙ୍କ ହଜମ ହେଉନି । ପୂର୍ବରୁ ମଧ୍ୟ ସିବିଆଇ ଓ ଏନଆଇଏ ଯେଉଁ ରେଳ ଦୁର୍ଘଟଣାର ତଦନ୍ତ କରିଥିଲେ ସେସବୁର ତଦନ୍ତ ଅଧିପନ୍ତୁରିଆ ରହି ଥିବାରୁ ବାହାନଗା ରେଳ ଦୁର୍ଘଟଣା ତଦନ୍ତର ଭାଗ୍ୟ ମଧ୍ୟ ସେହି ଭଳି ହୋଇପାରେ ବୋଲି ବିରୋଧୀ ଆଶଙ୍କା କରୁଛନ୍ତି । ବାହାନଗା ରେଳ ଦୁର୍ଘଟଣା ଘଟି ୧୦ ଦିନ ହେଲାଣି । ରେଲୱେ ସେଫ୍ଟି କମିଶନରଙ୍କ ତଦନ୍ତ ଯେଉଁଠି ଅଟକି ଥିଲା ସପ୍ତାହେ ହେଲା ଚାଲିଥିବା ସିବିଆଇ ତଦନ୍ତ ମଧ୍ୟ ସେଇଠି ଅଟକିଛି । ବାହନାଗା ରେଳ ଦୁର୍ଘଟଣା ପରଠାରୁ ରେଳଯାତ୍ରାକୁ ନେଇ ଯାତ୍ରୀଙ୍କ ମନରେ ଅସୁରକ୍ଷା ଭାବ ଓ ଭୟ ବଢିଛି ସିନା କମି ନାହିଁ । ଏଭଳି ସ୍ଥିତିରେ, ତଦନ୍ତ ଇଲୋକ୍ଟ୍ରୋନିକ ଇଂଟରଲକିଂ ସିଷ୍ଟମ୍ ଓ ସିଗ୍ନାଲ ତୃଟିରେ ଲଟକି ରହିବା, ମାନବୀୟ ଷଡଯନ୍ତ୍ରକୁ ନେଇ ତଦନ୍ତରେ କୌଣସି ଅଗ୍ରଗତ ନ ଘଟିବା ସରକାରଙ୍କୁ ମଧ୍ୟ ଚାପଗ୍ରସ୍ତ ରଖିଛି । ଇତିମଧ୍ୟରେ, ଦେଶର କେତେକ ଅବସରପ୍ରାପ୍ତ ବାଚାରପତି, ବ୍ୟୁରୋକ୍ରେଟ୍ ଏବଂ ବରିଷ୍ଠ ନାଗରିକ ବାହାନଗା ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ମିଳିତ ପତ୍ର ଲେଖିଥିବା ସୂଚନା ମିଳିଛି । ଦେଶର ନିରାପତ୍ତା ଓ ପ୍ରଗତିକୁ ନ୍ୟୁନ କରିବା ଦିଗରେ ଏହା ଏକ ଉଦ୍ୟମ ବୋଲି ସେମାନେ ଅଭିଯୋଗ କରିବା ସହ ଘୋର ଉଦବେଗ ପ୍ରକାଶ କରିଛନ୍ତି । ଚିଠିରେ ୨୭୦ ଜଣଙ୍କ ଦସ୍ତଖତ ରହିଛି । ଦସ୍ତଖତକାରୀ ପ୍ରମୁଖ ନାଗରିକଙ୍କ ମଧ୍ୟରେ ଅଛନ୍ତି – ରାଜସ୍ଥାନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅନିଲ ଦେଓ ସିଂହ, ଗୁଜରାଟ ହାଇକୋର୍ଟର ପୂର୍ବତନ ବିଚାରପତି ଏସ.ଏମ.ସୋନି, ୟୁପିର ପୂର୍ବତନ ଡିଜିପି ବିକ୍ରମ ସିଂହ, ମହାରାଷ୍ଟ୍ରର ପୂର୍ବତନ ଡିଜିପି ପ୍ରବୀଣ ଦିକ୍ଷିତ, ଜମ୍ମୁ-କଶ୍ମୀରର ପୂର୍ବତନ ପୁଲିସ ମୁଖ୍ୟ ଏସ.ପି.ବୈଦ୍ୟ, ପୂର୍ବତନ ସିବିଆଇ ନିର୍ଦେଶକ (ଅବସରପ୍ରାପ୍ତ) ନାଗେଶ୍ୱର ରାଓ, ପୂର୍ବତନ ପ୍ରତିରକ୍ଷା ସଚିବ ତଥା ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ଯୋଗେନ୍ଦ୍ର ନାରାୟଣ, ପୂର୍ବତନ ‘ର’ ମୁଖ୍ୟ ସଂଜୀବ ତ୍ରିପାଠୀ ଓ ପୂର୍ବତନ ଏନଆଇଏ ନିର୍ଦେଶକ ଯୋଗେଶ ଚନ୍ଦ୍ର ମୋଦୀ ।
ଏହି ଚିଠିରେ କୁହାଯାଇଛି, ଦେଶରେ ରେଳବାଇ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଓ ଆଧୁନିକୀକରଣ ସତ୍ତ୍ୱେ ଚଳିତ ମାସ ପ୍ରାରମ୍ଭରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟି ଥିବା ରେଳ ଦୁର୍ଘଟଣା ସେମାନଙ୍କୁ ବିବ୍ରତ କରିଛି । ଦୁର୍ଘଟଣାକୁ ନେଇ ତଦନ୍ତ ଚାଲୁ ରହିଛି । ତଥାପି, ଏଯାବତ୍ ତଦନ୍ତକୁ ନେଇ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି ସେଥିରୁ ବାଲେଶ୍ୱର ଦୁର୍ଘଟଣାରେ ଜାଣତରେ ମାନବୀୟ ହସ୍ତକ୍ଷେପ ହୋଇଥିବା ସନ୍ଦେହକୁ ଦୃଢିଭୂତ କରୁଛି । ଆତଙ୍କବାଦୀ ଗୋଷ୍ଠୀଙ୍କ ଦ୍ୱାରା ଏହା ଏକ ପ୍ରୟୋଜିତ ଷଡଯନ୍ତ୍ର ବୋଲି କୁହାଯାଇପାରେ । ଅତୀତରେ, ଜମ୍ମୁ-କଶ୍ମୀର ଓ ଉତ୍ତର ପୂର୍ବାଂଚଳ ରାଜ୍ୟରେ ଏଭଳି ଷଡଯନ୍ତ୍ରର ଏକାଧିକ ନଜରି ଥିବାରୁ ରେଳ ଟ୍ରାକ୍ ଗୁଡିକୁ ସୁରକ୍ଷିତ ରଖିବା ଦିଗରେ ସରକାର ଅଧିକ କଡାକଡି ପଦକ୍ଷେପ ନେବା ଆବଶ୍ୟକ ବୋଲି ମିଳିତ ପତ୍ରରେ ପରାମର୍ଶ ଦିଆଯାଇଛି । ୧୪ ଜଣ ପୂର୍ବତନ ବିଚାରପତି, ୧୧୫ ଜଣ ଅବସରପ୍ରାପ୍ତ ପ୍ରାାସକ ଓ ୧୪୧ ଜଣ ବରିଷ୍ଠ ନାଗରିକ ଏହି ଚିଠିରେ ଦସ୍ତଖତ କରିଛନ୍ତି । ବାହାନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ଯଥାର୍ଥ ସାବ୍ୟସ୍ତ କରିବା ପାଇଁ ଏହି ଗୋଟିଏ ଚିଠି ପର୍ଯ୍ୟାପ୍ତ । ତେବେ, ବାହାନଗା ରେଳ ଦୁର୍ଘଟଣା ପଛରେ ମାନବୀୟ ହସ୍ତକ୍ଷେପ ବା ଷଡଯନ୍ତ୍ର ଥିବା କଥାକୁ ସାବ୍ୟସ୍ତ କରିବା ପାଇଁ ଏପର୍ଯ୍ୟନ୍ତ ସିବିଆଇ ହାତରେ କିଛି ଲାଗି ନଥିବାରୁ ବିରୋଧୀ ଏହି ଚିଠିକୁ ନେଇ କିଭଳି ପ୍ରତିକ୍ରିୟା ରଖିବେ ତାହା ଦେଖିବାକୁ ବାକି ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS