ଯୌନ ଉତ୍ପୀଡନ ମାମଲାରେ ପୁଲିସ ଚାର୍ଜସିଟ୍, ‘ପୋକ୍ସୋ’ ଏତଲା ରଦ୍ଦ ହେବ ?


ପ୍ରସାଦ ରାଓ
ନୂଆଦିଲ୍ଲୀ/ ଜୁନ ୧୫
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମହିଳା କୁସ୍ତିଯୋଦ୍ଧାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଦିଲ୍ଲୀ ପୁଲିସ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ) ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆଜି ଦିଲ୍ଲୀ ପାତିଆଲା ହାଉସ୍ କୋର୍ଟ ଓ ରାଉଜ୍ ଏଭିନ୍ୟୁ କୋର୍ଟରେ ୧୫ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛନ୍ତି । ଜଣେ ନାବାଳିକାଙ୍କ ସମେତ ୭ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରି ପୁଲିସରେ ଏତଲା ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଫଳରେ ପୁଲିସ ଗତ ଏପ୍ରିଲ ମାସରେ ଏତଲା ପଂଜୀକୃତ କରି ତଦନ୍ତ ଆରମ୍ଭ କରିଥିଲେ । ନାବାଳିକା ଜଣକର ଅଭିଯୋଗ ଅଧାରରେ ପୁଲିସ ବ୍ରିଜ୍ ଭୂଷଣଙ୍କ ବିରୋଧରେ ‘ପୋକ୍ସୋ’ ଆଇନରେ ଗୋଟିଏ ମାମଲା ରୁଜୁ କରିଥିବା ବେଳେ ଅନ୍ୟ ଛଅ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଏତଲା ଅଧାରରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲେ । ‘ପୋକ୍ସୋ’ ଆଇନରେ ହୋଇଥିବା ଏତଲାର ତଦନ୍ତ ସମୟରେ ପୁଲିସକୁ ଅଭିଯୋଗକୁ ସାବ୍ୟସ୍ତ କଲା ଭଳି କୌଣସି ଠୋସ୍ ପ୍ରମାଣ ମିଳି ନଥିବା ଚାର୍ଜସିଟରେ ଦର୍ଶାଯାଇଛି ଏବଂ ଏତଲା ରଦ୍ଦ କରାଯିବାକୁ ପୁଲିସ ପାତିଆଲା ହାଉସ୍ କୋର୍ଟରେ ଆବେଦନ କରିଛି । ଏହି ମାମଲାରେ କୋର୍ଟରେ ୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ସୂଚନା ମିଳିଛି । ଏତଲା ରଦ୍ଦ ଆବେଦନ ଉପରେ କୋର୍ଟ ଜୁଲାଇ ୪ ତାରିଖରେ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।
ସୂଚନାଯୋଗ୍ୟ କି, ଅଭିଯୋଗକାରୀଣୀ ଜଣକ ନାବାଳିକା କି ସାବାଳିକା (?) – ସେନେଇ କିଛି ଦିନ ରଂଜଘସ ଚାଲିବା ପରେ ପୁଲିସ ମାମଲାର ତଦନ୍ତକୁ ଆଗେଇ ନେଇଥିଲେ । ‘ପୋକ୍ସୋ’ ଆଇନରେ ଏତଲା ହୋଇଥିବାରୁ ବ୍ରିଜ୍ ଭୂଷଣ ଓ ତାଙ୍କ ସମର୍ଥକମାନେ ଚିନ୍ତାରେ ଥିଲେ । ‘ପୋକସ୍’ ଆଇନ କୋହଳ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବ୍ରିଜ୍ ଭୂଷଣଙ୍କ ଆଡୁ ଯେଉଁ ଯୋଜନା ପ୍ରସ୍ତୁତ ହୋଇଥିଲା ତାହା ମହିଳା କୁସ୍ତିଯୋଦ୍ଧାଙ୍କ ପକ୍ଷରୁ ହୋଇଥିବା ଯୌନ ଉତ୍ପୀଡନ ଏତଲାରେ ଥିବା ଗୁରୁତର ଅଭିଯୋଗମାନ ପଦାରେ ପଡିଯିବା ପରେ ଫେଲ୍ ମାରିଥିଲା । ତେବେ, ଅଭିଯୋଗକାରୀ ନାବାଳିକାଙ୍କ ପିତା ନିକଟରେ ଲିପିବଦ୍ଧ କରାଇଥିବା ଏକ ବୟାନ ଉଭୟ ତଦନ୍ତକାରୀ ପୁଲିସ ଅଧିକାରୀ ଓ ଅଭିଯୁକ୍ତ ବ୍ରିଜ୍ ଭୂଷଣଙ୍କୁ ସୁହାଇଛି । ତାଙ୍କ ଝିଅ ପ୍ରତି କୌଣସି ପ୍ରକାର ଯୌନ ଉତ୍ପୀଡନ ହୋଇନାହିଁ, ଅନ୍ୟ କାରଣରୁ ସେ ବ୍ରିଜ୍ ଭୂଷଣଙ୍କ ଉପରେ ରାଗ ରଖି ଏହି ଯୌନ ଉତ୍ପୀଡନ ମାମଲା କରିଥିଲେ ବୋଲି ନାବାଳିକାଙ୍କ ପିତା ବୟାନ ଦେବା ପରେ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଲାଗି ଥିବା ‘ପୋକ୍ସୋ’ ଆଇନ ହଟିବାର ବାଟ ଖୋଲି ଯାଇଛି ।
ତଦନ୍ତ ସମୟରେ ନାବାଳିକାଙ୍କ ପ୍ରତି ବ୍ରିଜ୍ ଭୂଷଣ କୌଣସି ପ୍ରକାର ଯୌନ ଉତ୍ପୀଡନ କରିଥିବାର ଠୋସ୍ ପ୍ରମାଣ ମିଳି ନାହିଁ ଦର୍ଶାଇ ଦିଲ୍ଲୀ ପୁଲିସ ବ୍ରିଜ୍ ଭୂଷଣଙ୍କ ବିରୋଧରେ ‘ପୋକ୍ସୋ’ ଆଇନରେ ହୋଇଥିବା ଏତଲା ରଦ୍ଦ କରାଯିବାକୁ ସିଆରପିସିର ୧୭୩ ଧାରାରେ ଆଜି ପାତିଆଲା ହାଉସ କୋର୍ଟରେ ଆବେଦନ କରିବା ଫଳରେ ବ୍ରିଜ୍ ଭୂଷଣ ଆଶ୍ୱସ୍ତ ହୋଇଛନ୍ତି । ତେବେ, ଅନ୍ୟ ଛଅ ମହିଳା କୁସ୍ତିଯୋଦ୍ଧା ତାଙ୍କ ବିରୋଧରେ ଯେଉଁ ଯୌନ ଉତ୍ପୀଡନ ଅଭିଯୋଗ କରିଛନ୍ତି ସେଥିରୁ ତାଙ୍କୁ ଏତେଶୀଘ୍ର ନିସ୍ତାର ମିଳୁ ନଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ପୁଲିସ ଅନ୍ୟ ଛଅଟି ଅଭିଯୋଗର ତଦନ୍ତ କରି ବ୍ରିଜ୍ ଭୂଷଣ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ସଂଗୀନ ଦଫା ଲଗାଇଛନ୍ତି ଏବଂ ଆଜି ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟରେ ୧୦୦୦ (ଏକ ହଜାର) ପୃଷ୍ଠାର ଚାର୍ଜସିଟ ଦାଖଲ କରିଛନ୍ତି । ଏହି ଚାର୍ଜସିଟରେ ପୁଲିସ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଆଇପିସିର ୩୫୪, ୩୫୪-ଏ ଓ ୩୫୪-ଡି ଦଫା ଲଗାଇ ଥିବା ବେଳେ ଅନ୍ୟତମ ଅଭିଯୁକ୍ତ ତଥା ତାଙ୍କ ଘନିଷ୍ଟ ସହଯୋଗୀ ବିନୋଦ ତୋମରଙ୍କ ବିରୋଧରେ ୧୦୯, ୩୫୪, ୩୫୪-ଏ ଓ ୫୦୬ ଦଫା ଲଗାଇଛନ୍ତି । ବ୍ରିଜ୍ ଭୂଷଣ ହେଉଛନ୍ତି ଛଅ ଥରର ସାଂସଦ । ସଂପ୍ରତି ସେ ବିଜେପିର ସାଂସଦ ଅଛନ୍ତି । ବ୍ରିଜ ଭୂଷଣ ଓ ତାଙ୍କ ଘନିଷ୍ଟ ସହଯୋଗୀ ଦେଶ, ବିଦେଶରେ ଆୟୋଜିତ ବିଭିନ୍ନ କୁସ୍ତି ପ୍ରତିଯୋଗିତା ଅବସରରେ, ଏପରିକି ଦିଲ୍ଲୀସ୍ଥିତ ଡବ୍ଲୁଏଫଆଇ କାର୍ଯ୍ୟାୟଳରେ ନାବାଳିକା ଓ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିଲେ ବୋଲି ଅଭିଯୋଗ ରହିଛି ।
ଦେଶର ପ୍ରମୁଖ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ, ବଜରଂଗ ପୁନିଆଙ୍କ ସମେତ କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇ ପୂର୍ବତନ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଗତ ଜାନୁୟାରୀ ମାସରୁ ଗୁରୁତର ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯିବାକୁ ଦାବି କରୁଛନ୍ତି । ଜାନୁୟାରୀ ମାସରେ ସେମାନେ ‘ଯନ୍ତର ମନ୍ତର’ରେ ଧାରଣା ଦେବା ସହ ନାବାଳିକାଙ୍କ ସମେତ ମୋଟ ସାତ ଜଣ ମହିଳା କୁସ୍ତିଯୋଦ୍ଧା ଦିଲ୍ଲୀ କନ୍ନଟ ପ୍ଲେସ ଥାନାରେ ଭିନ୍ନ ଭିନ୍ନ ଏତଲା ଦେଇଥିଲେ । ପରିସ୍ଥିିତି ଅନିୟନ୍ତ୍ରିତ ହେଉଥିବା ଦେଖି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଠାକୁର ସେମାନଙ୍କୁ ଡକାଇ ଆଲୋଚନା କରିବା ସହ ସେମାନଙ୍କ ଅଭିଯୋଗର ତଦନ୍ତ କରିବାକୁ କମିଟି ଗଠନ କରିଥିଲେ । ଫଳରେ, କୁସ୍ତିଯୋଦ୍ଧାଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଭାରତୀୟ ଅଲିଂପିକ୍ ଆସୋସିଏସନ (ଆଇଓଏ) ପକ୍ଷରୁ ଗଠିତ କମିଟି ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ତଦନ୍ତ କରୁଥିଲେ ମଧ୍ୟ ଏହାର ଅଗ୍ରଗତିକୁ ନେଇ କୁସ୍ତିଯୋଦ୍ଧାଙ୍କୁ କୌଣସି ସୂଚନା ଦିଆନଯିବାରୁ ଏବଂ ଦିଲ୍ଲୀ ପୁଲିସ ମଧ୍ୟ ସେମାନଙ୍କ ଏତଲାକୁ ପଂଜୀକୃତ ନ କରିବାରୁ କୁସ୍ତିଯୋଦ୍ଧାମାନେ ଏପ୍ରିଲ ତୃତୀୟ ସପ୍ତାହରେ ପୁନର୍ବାର ଦିଲ୍ଲୀରେ ଧାରଣାରେ ବସିଥିଲେ । ସେମାନଙ୍କ ପ୍ରତି ବିଭିନ୍ନ ବିରୋଧୀ ରାଜନୈତିକ ଦଳ ଓ ଚାଷୀ ସଂଗଠନର ସମର୍ଥନ ବଢୁଥିବା ଦେଖି ସରକାର ତାହାକୁ ଦବାଇବାକୁ ଉଦ୍ୟମ କରିଥିବା ବେଳେ ଦିଲ୍ଲୀ ପୁଲିସ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ନାବାଳିକା ସମେତ ଅନ୍ୟ ମହିଳା କୁସ୍ତିଯୋଦ୍ଧାଙ୍କ ଏତଲାକୁ ପଂଜୀକୃତ କରି ତଦନ୍ତ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ ।
ତେବେ, ବ୍ରିଜ୍ ଭୂଷଣ ଗିରଫ ହେଉନଥିବା ଓ ତଦନ୍ତ ମନ୍ଥର ଗତିରେ ଚାଲି ଥିବା ଦେଖି ଦେଶର ପ୍ରମୁଖ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ, ବଜରଂଗ ପୁନିଆ ଓ ଭିନେଶ ଫୋଗଟଙ୍କ ନେତୃତ୍ୱରେ ମେ’ ୨୮ ତାରିଖ ଦିନ ଯନ୍ତର ମନ୍ତରରୁ ଉଦ୍ଘାଟନ ହେଉଥିବା ନୂତନ ସଂସଦ ଭବନ ଅଭିମୁଖେ ଏକ ବଡ ଧରଣର ଶୋଭାଯାତ୍ରା ହୋଇଥିଲା । ଶୋଭାଯାତ୍ରାରେ ଯାଉଥିବା କୁସ୍ତିଯୋଦ୍ଧା ଓ ସେମାନଙ୍କ ସମର୍ଥକଙ୍କ ସହ ବାଟରେ ପୁଲିସର ହାତାହାତି ହୋଇ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲା ତାହା କେନ୍ଦ୍ର ସରକାର ଓ ବିଜେପି ଦଳର ଅଡୁଆ ବଢାଇବାରୁ ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସେମାନଙ୍କୁ ଡକାଇ ଆଲୋଚନା କରିଥିଲେ । ପରେ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଠାକୁର ସେମାନଙ୍କୁ ଡାକି ଆଲୋଚନା କରିବା ସହ ଦିଲ୍ଲୀ ପୁଲିସ ତଦନ୍ତ କାର୍ଯ୍ୟ ସାରି ଜୁନ ୧୫ ତାରିଖ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଠାକୁରଙ୍କ ପ୍ରତିଶ୍ରୁତି ପରେ ମହିଳା କୁସ୍ତିଯୋଦ୍ଧା ଆନ୍ଦୋଳନ ସ୍ଥଗିତ ରଖିଥିବା ବେଳେ ପୁଲିସ ଆଜି ଦୁଇଟି ଭିନ୍ନ ଭିନ୍ନ କୋର୍ଟରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛନ୍ତି । ନାବାଳିକାଙ୍କ ଏତଲା ଭିତ୍ତିରେ ପୁଲିସ ‘ପୋକ୍ସୋ’ ଆଇନରେ ଯେଉଁ ମାମଲା କରିଥିଲେ ଅଭିଯୁକ୍ତ ବ୍ରିଜ୍ ଭୂଷଣ ସେଥିରୁ କୌଣସି ପ୍ରକାର ମୁକୁଳିବାକୁ ଚାହୁଁ ଥିଲେ । ନାବାଳିକାଙ୍କ ପିତା ଯୌନ ଉତ୍ପୀଡନ ଅଭିଯୋଗରୁ ପଛକୁ ହଟି ଯିବା ପରେ ଦିଲ୍ଲୀ ପୁଲିସ ତଦନ୍ତ ବେଳେ ଅଭିଯୋଗକୁ ସାବ୍ୟସ୍ତ କଲା ଭଳି କୌଣସି ପ୍ରମାଣ ମିଳି ନଥିବା ଦର୍ଶାଇ ଏତଲା ରଦ୍ଦ କରିବାକୁ ପାତିଆଲା ହାଉସ୍ କୋର୍ଟରେ ଆବେଦନ କରିଛନ୍ତି । ଡବ୍ଲୁଏଫଆଇ ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଏହାଦ୍ୱାରା ଆଶ୍ୱସ୍ତ ହୋଇଥିଲେ ମଧ୍ୟ ନାବାଳିକାଙ୍କ ପିତା ଚାପଗ୍ରସ୍ତ ହୋଇ ଅଭିଯୋଗ ପ୍ରତ୍ୟାହାର କରିଥିବା ଅନ୍ୟମାନେ ସନ୍ଦେହ କରୁଛନ୍ତି । ପୁଲିସର ଆବେଦନ ଉପରେ କୋର୍ଟ ଜୁଲାଇ ୪ ତାରିଖରେ ଶୁଣାଣୀ ରଖି ଥିବାରୁ କୋର୍ଟ କି ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS