ଯୌନ ଉତ୍ପୀଡନ ମାମଲା, ତାମିଲନାଡୁର ପୂର୍ବତନ ଡିଜିପିଙ୍କୁ ତିନି ବର୍ଷ ଜେଲ୍
ପ୍ରସାଦ ରାଓ
ଚେନ୍ନାଇ/ ଜୁନ ୧୬
ଭିଲ୍ଲୁପୁରମର ଏକ ଅଦାଲତ ଆଜି ତାମିଲନାଡୁର ପୂର୍ବତନ ପୁଲିସ ମହାନିର୍ଦେଶକ (ଡିଜିପି) ରାଜେଶ ଦାସଙ୍କୁ ୨୦୨୧ର ଏକ ଯୌନ ଉତ୍ପୀଡନ ମାମଲାରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । କାରାଦଣ୍ଡ ସହ ଦାସଙ୍କୁ ଦଶ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି । ପୂର୍ବତନ ଡିଜିପି ଦାସଙ୍କ ବିରୋଧରେ ଜଣେ ମହିଳା ପୁଲିସ ଅଧିକାରୀ ୨୦୨୧ରେ ଏହି ଯୌନ ଉତ୍ପୀଡନ ମାମଲା କରିଥିଲେ । କୋର୍ଟ ଆଜି ଦଣ୍ଡାଦେଶ ଶୁଣାଇବା ସହ ପୂର୍ବତନ ଡିଜିପି ଦାସଙ୍କୁ ଜାମିନ ଦେଇ ଉପର କୋର୍ଟରେ ଅପିଲ ପାଇଁ ୩୦ ଦିନ ସମୟ ଦେଇଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ସୁରକ୍ଷା ନିମନ୍ତେ ଦୁହେଁ ମିଳିତ ପେଟ୍ରୋଲିଂରେ ଯାଉଥିବା ବେଳେ ଡିଜିପି ରାଜେଶ ଦାସ ତାଙ୍କ ପ୍ରତି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିଲେ ବୋଲି ଫେବୃୟାରୀ ୨୦୨୧ରେ ମହିଳା ଆଇପିଏସ୍ ଅଧିକାରୀ ଜଣକ ଅଭିଯୋଗ କରି ଏତଲା ଦେଇଥିଲେ । ଏତଲା ହେବା ପରେ ତତ୍କାଳୀନ ଏଆଇଏଡିଏମକେ ସରକାର ଡିଜିପି ଦାସଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ଅଭିଯୋଗର ତଦନ୍ତ ପାଇଁ ଏକ ଛଅ ଜଣିଆ କମିଟି ଗଠନ କରିଥିଲେ । ପୁଲିସ କର୍ମଚାରୀ ସମେତ ୬୮ ଜଣଙ୍କ ସାକ୍ଷ୍ୟ, ପ୍ରମାଣ ଆଧାରରେ କୋର୍ଟ ଆଜି ପୂର୍ବତନ ଡିଜିପି ଦାସଙ୍କୁ ଦଣ୍ଡାଦେଶ ଶୁଣାଇ ଥିବା ଜଣାପଡିଛି । ସଂପ୍ରତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥିବା ଏମ.କେ.ଷ୍ଟାଲିନ ୨୦୨୧ରେ ବିରୋଧୀ ଦଳ ନେତା ଥିଲେ ଏବଂ ସେହି ବର୍ଷ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ଏହି ଯୌନ ଉତ୍ପୀଡନ ମାମଲାକୁ ନିର୍ବାଚନୀ ପ୍ରସଙ୍ଗ କରି ତାଙ୍କ ଦଳ ଡିଏମକେ କ୍ଷମତାକୁ ଆସିଲେ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଦୋଷୀଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS