ଭାରତୀୟ କ୍ରିକେଟରେ ମଧ୍ୟ ‘ଦଳ’ ଅପେକ୍ଷା ‘ବ୍ୟକ୍ତି’କୁ ଗୁରୁତ୍ୱ ଦିଆଯାଉଛି !
ପ୍ରସାଦ ରାଓ
ଜୁନ ୧୬
ରାଜନୀତିରେ କେବଳ ନୁହେଁ, ଭାରତୀୟ କ୍ରିକେଟରେ ମଧ୍ୟ ‘ଦଳ’ ଅପେକ୍ଷା ‘ବ୍ୟକ୍ତି’ଙ୍କୁ ପ୍ରଧାନ୍ୟ ଦିଆଯାଏ । ତେଣୁ, ଦକ୍ଷ ଖେଳାଳୀମାନେ ମଧ୍ୟ ଅନେକ ସମୟରେ ଫିକା ପଡି ଯାଆନ୍ତି । ନିକଟରେ, ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ ହେଉଛି । ‘ନ୍ୟୁଜ୍-୧୮’ର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଗମ୍ଭୀର ଏଭଳି ଗହନ କଥା କହିଛନ୍ତି । ଗମ୍ଭୀରଙ୍କ ମତରେ, ଭାରତର ପୂର୍ବତନ କ୍ରିକେଟ୍ ତାରକା ଯୁବରାଜ ସିଂହ ୨୦୦୭ ଓ ୨୦୧୧ ବିଶ୍ୱ କପ୍ କ୍ରିକେଟରେ ଦଳକୁ ଫାଇନାଲରେ ପହଂଚାଇ ଥିଲେ । ତେବେ, ଏଥିପାଇଁ ତାଙ୍କୁ ଯେଉଁ ଶ୍ରେୟ ମିଳିବା କଥା, ମିଳି ନାହିଁ । ଅପରପକ୍ଷରେ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ (ନାମ ନ ନେଇ) ସମସ୍ତ ଶ୍ରେୟ ପାଇଛନ୍ତି । ଏହା ସମ୍ଭବ ହୋଇଛି ଧୋନୀ ଏବଂ ତାଙ୍କ ଶକ୍ତିଶାଳୀ ପିଆର୍ ବ୍ୟବସ୍ଥା ଯୋଗୁଁ । ଧୋନୀଙ୍କୁ ତାଙ୍କ ପିଆର୍ (ବ୍ୟକ୍ତିଗତ ପ୍ରଚାର) ବ୍ୟବସ୍ଥା ୨୦୦୭ ଓ ୨୦୧୧ ବିଶ୍ୱକପ୍ ‘ହିରୋ’ ଭାବେ ଉପସ୍ଥାପନ କରିବାରେ ସଫଳ ହୋଇଥିବା ବେଳେ ଶ୍ରେୟ ପାଇବାକୁ ବାସ୍ତବ ହକଦାର୍ ଥିବା ଯୁବରାଜ ସିଂହ ଫିକା ପଡି ଯାଇଥିଲେ । ଗମ୍ଭୀର କହିଛନ୍ତି, ୨୦୦୭ ଓ ୨୦୧୧ କ୍ରିକେଟ୍ ବିଶ୍ୱ କପ୍ ତାରକା ଯୁବରାଜ ସିଂହ ସର୍ବଦା ସେ ବିଶ୍ୱକପ୍ ଜିତିଥିବା କହୁଥିଲେ ମଧ୍ୟ ଏହି ଦୁଇଟି ଯାକ ବିଶ୍ୱକପ୍ ବିଜୟକୁ ନେଇ ଯେତେବେଳେ ବି ଚର୍ଚ୍ଚା ହୁଏ ଧୋନୀଙ୍କ ନାମ ହିଁ ଆସିଥାଏ । ଯୁବରାଜ ସିଂହ ଦୁଇଟି ଯାକ ଟୁର୍ଣ୍ଣାମେଂଟର ‘ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଂଟ’ ହୋଇ ସୁଦ୍ଧା ତାଙ୍କ ନାମ ଆସେ ନାହିଁ । ଧୋନୀଙ୍କ ଶକ୍ତିଶାଳୀ ପିଆର୍ ଓ ମାର୍କେଟିଂ ବ୍ୟବସ୍ଥା ଅନ୍ୟମାନଙ୍କ ଶ୍ରେୟକୁ ଗୌଣ କରି ଦେଇଛି । ୨୦୦୭ ଓ ୨୦୧୧ କିଏ ଦେଶ ପାଇଁ କ୍ରିକେଟ୍ ବିଶ୍ୱ କପ୍ ଜିତିଛନ୍ତି ବୋଲି ପ୍ରଶ୍ନ ହେଲେ ଆମେ ଧୋନୀଙ୍କ ନାମ ନେଉଛେ । ତେବେ, ଜଣେ ବ୍ୟକ୍ତି ଏକାକୀ କଣ ଏତେ ବଡ ପ୍ରତିଯୋଗୀତା ଜିତିବା ସମ୍ଭବ (?) ବୋଲି ଗମ୍ଭୀର ପ୍ରା୍ନ କରିଛନ୍ତି । ତାହା ଯଦି ସମ୍ଭବ ହେଉଥା’ନ୍ତା ତେବେ ଦେଶ ୫ରୁ ୧୦ଟି ବିଶ୍ୱକପ୍ ଜିତି ସାରନ୍ତାଣି ବୋଲି ସେ କହିଛନ୍ତି । ଗମ୍ଭର କହିଛନ୍ତି, ବାସ୍ତବରେ ଭାରତୀୟ କ୍ରିକେଟ୍ ଟିମ୍ ହିଁ ଦୁଇଟି ଯାକ ବିଶ୍ୱକପ୍ ଜିତିଛି । ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି ଦେଶରେ ‘ବ୍ୟକ୍ତି’ ଅପେକ୍ଷା ‘ଦଳ’କୁ ଗୁରୁତ୍ୱ ଦିଆଯାଏ । ତେବେ, ଭାରତୀୟ କ୍ରିକେଟରେ ‘ଦଳ’ ଅପେକ୍ଷା ‘ବ୍ୟକ୍ତି’କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ବ୍ରଡକାଷ୍ଟର୍, ମିଡ଼ିଆରୁ ଆରମ୍ଭ କରି ଭାରତୀୟ କ୍ରିକେଟ ସହ ସଂପୃକ୍ତ ସମସ୍ତ ପକ୍ଷ ବ୍ୟକ୍ତିବାଦର ପ୍ରଚାର (ପିଆର୍) ସ୍ତରକୁ ଖସି ଆସିଛନ୍ତି । ବ୍ରଡକାଷ୍ଟର୍ ଯେଉଁ ଖେଳାଳୀଙ୍କ ପ୍ରଚାରକୁ ଗୁରୁତ୍ୱ ଦେଉ ନାହାନ୍ତି ସେହି ଖେଳାଳୀ ଯେତେ ପାରଂଗମ ହୋଇଥିଲେ ସୁଦ୍ଧା ସର୍ବସାଧାରଣଙ୍କ ଆଖିକୁ ଆସୁ ନାହାନ୍ତି । ଏହା ହିଁ ହେଉଛି ବାସ୍ତବ ସତ୍ୟ । ବ୍ୟକ୍ତପୂଜା କାରଣରୁ ହିଁ ଭାରତ ଆଜି ସୁଦ୍ଧା କୌଣସି ଆଇସିସି କ୍ରିକେଟ୍ ଟୁର୍ଣ୍ଣମେଂଟ ଜିତିପାରି ନାହିଁ ବୋଲି ସେ ମତବ୍ୟକ୍ତ କରିଥିବା ଜଣାପଡିଛି । ଦେଶରେ ‘ହିରୋ ଓରସିପିଂ’ ବା ବ୍ୟକ୍ତିପୂଜା ୧୯୮୩ରେ କପିଳ ଦେବ ବିଶ୍ୱ କପ୍ ଜିତିବା ଦିନରୁ ଆରମ୍ଭ ହୋଇଥିବା ଦର୍ଶାଇ ଗମ୍ଭୀର କହିଛନ୍ତି, ଭାରତ ୧୯୮୩ରେ କ୍ରିକେଟ୍ ରେ ପ୍ରଥମ ବିଶ୍ୱକପ୍ ଜିତିବା ନେଇ ଯେ କୌଣସି ଆଲୋଚନା ବେଳେ ସେହି ସମୟର ଅଧିନାୟକ କପିଳ ଦେବଙ୍କ ନାମ ଆଲୋଚନାକୁ ଆସିଥାଏ । କେତେ ଜଣ ମହିନ୍ଦର ଅମରନାଥଙ୍କ କଥା ଜାଣନ୍ତି ବା କହୁଛନ୍ତି (?), ୧୯୮୩ ବିଶ୍ୱ କପ୍ ସହ ମହିନ୍ଦର ଅମରନାଥଙ୍କ ଫଟୋ କେତେଥର ପ୍ରକାଶ ପାଇଛି (?) ବୋଲି ପ୍ରଶ୍ନ କରି ଗମ୍ଭୀର କହିଛନ୍ତି, ୧୯୮୩ ବିଶ୍ୱକପ୍ କ୍ରିକେଟରେ ମହିନ୍ଦର ଅମରନାଥ ଭାରତୀୟ ଦଳକୁ ସେମି-ଫାଇନାଲ ଓ ଫାଇନାଲରେ ପହଂଚାଇ ଥିଲେ ଓ ‘ମ୍ୟାନ ଅଫ୍ ଦି ମ୍ୟାଚ୍’ ହୋଇଥିଲେ । କେତେ ଜଣ ଏହା ଜାଣିଛନ୍ତି ବୋଲି ଗମ୍ଭୀର ଉପସ୍ଥିତ ଥିବା ଦର୍ଶକଙ୍କୁ ପ୍ରଶ୍ନ କରିବାରୁ କେହି ଜାଣି ନଥିବା କହିଥିଲେ । ‘ଆମେ ୧୯୮୩ ବିଶ୍ୱକପ୍ ଟ୍ରଫି ସହିତ କେବଳ କପିଳ ଦେବଙ୍କୁ ଦେଖି ଆସୁଛେ, ମହିନ୍ଦର ଅମରନାଥଙ୍କ ହାତରେ ଏହି ଟ୍ରଫି କେବେ ଦେଖିନେ । ତାହା ହିଁ ସମସ୍ୟା’ ବୋଲି ସେ କହିଥିଲେ । ଭାରତୀୟ କ୍ରିକେଟ୍ ସହ ସଂପୃକ୍ତ ବ୍ରଡକାଷ୍ଟର ଓ ମିଡ଼ିଆ ବିରାଟ କୋହିଲି, ଧୋନୀଙ୍କ ଭଳି ଅତ୍ୟୁଜ୍ୱଳ ତାରକାଙ୍କ ପ୍ରଚାରରେ ସୀମିତ ନରହି ଭଲ ଖେଳୁଥିବା ଅନ୍ୟ ଖେଳାଳୀଙ୍କୁ ମଧ୍ୟ ସମାନ ଭାବେ ଗୁରୁତ୍ୱ ଦେବା ଓ ସେମାନଙ୍କ ପ୍ରଚାର ଓ ପ୍ରସାର କରିବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ ଗମ୍ଭୀର ମତ ରଖିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS