ଅପରାଜିତାଙ୍କୁ ଉଚିତ ଜବାବ ଦେଇ ପାରିଲେ କି ଶ୍ରୀମୟୀ ?
ପ୍ରସାଦ ରାଓ
ଭୁବନେଶ୍ୱର/ଜୁନ ୧୮
ଜଣେ ସରକାରୀ ବାବୁଙ୍କୁ କେନ୍ଦ୍ର କରି ଓଡ଼ିିଶାର ଦୁଇଟି ପ୍ରମୁଖ ରାଜନୈତିକ ଦଳର ନେତ୍ରୀଙ୍କ ମଧ୍ୟରେ କଥା କଟାକଟି ଦୃଶ୍ୟ ରାଜ୍ୟବାସୀଙ୍କୁ ବେଶ ଆମୋଦିତ କରିଛି । ଶନିବାର ଦିନ ଦୁଇ ଦଳର ନେତ୍ରୀ ରାଜଧାନୀରେ ଭିନ୍ନ ଭିନ୍ନ ସାମ୍ବାଦିକ ସମ୍ମିଳନୀ କରି ନାଟକୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଶନିବାର ପ୍ରଥମେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସଂପୃକ୍ତ ସରକାରୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ଓଡ଼ିଶା ଶାସନକୁ ‘ଅପହରଣ’ କରିନେଇଥିବା ଅଭିଯୋଗ କରିଥିବା ବେଳେ ବିରୁଡି ମାରିବା ଭଳି ଶାସକ ବିଜେଡ଼ି ପକ୍ଷରୁ ‘ଶଙ୍ଖ ଭବନ’ରେ ପାଲଟା ସାମ୍ବାଦିକ ସମ୍ମିଳନୀ ହୋଇଥିଲା ଏବଂ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ସିଧାସଳଖ ଅପରାଜିତାଙ୍କୁ ଉପଲକ୍ଷ୍ୟ କରି ଭୁବନେଶ୍ୱର ସାଂସଦ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲି ଥିବା ବିକାଶମୂଳକ କାର୍ଯ୍ୟକୁ ସହ୍ୟ କରିନପାରି ଓ ନିଜର ଅପାରଗତାକୁ ଘୋଡାଇବା ପାଇଁ ସଂପୃକ୍ତ ସରକାରୀ ବାବୁଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଶନିବାର ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମରେ ଏହା ପ୍ରମୁଖ ଖବର ହୋଇଥିବା ବେଳେ ଆଜି ମୁଖ୍ୟସ୍ରୋତ ଛାପା ଗଣମାଧ୍ୟମରେ ତାହା ଅନ୍ୟତମ ପ୍ରମୁଖ ଖବର ଭାବେ ପ୍ରସାରିତ ହୋଇଛି ।
ଯେଉଁ ସରକାରୀ ବାବୁଙ୍କୁ ନେଇ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ନେତ୍ରୀଙ୍କ ମଧ୍ୟରେ ଶନିବାର କଥା କଟାକଟି ହୋଇଛି ସେ ଅନ୍ୟ କେହି ନୁହନ୍ତି, ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍ ଭି.କାର୍ତ୍ତିକେଶ୍ୱର ପାଣ୍ଡିଆନ । ପାଣ୍ଡିଆନ ମହାଶୟ କେବଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନୁହନ୍ତି, ୨୦୧୯ରେ ବିଜେଡ଼ି ରାଜ୍ୟରେ ଲଗାତର ପଂଚମ ଥର ପାଇଁ କ୍ଷମତାକୁ ଆସିବା ପରେ ଯେଉଁ ପଂଚସୂତ୍ରୀ (୫-ଟି) ଆଭିମୁଖ୍ୟ ଘୋଷଣା କରିଛି ତାହାକୁ ସାକାର କରିବାର ସଂପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫-ଟି ମନ୍ତ୍ରଣାଳୟ ଖୋଲି ନଥିଲେ ମଧ୍ୟ ପାଣ୍ଡିଆନ ମହାଶୟଙ୍କୁ ୫-ଟି ସଚିବର ମାନ୍ୟତା ଦେଇ କାର୍ଯ୍ୟ କରାଉଛନ୍ତି । ପୂର୍ବରୁ ୫-ଟି ସଚିବ ପାଣ୍ଡିଆନ ପରଦା ଆଢୁଆଳରେ ରହି ରାଜ୍ୟର ଶାସନ ଓ ବିଜେଡ଼ି ଦଳକୁ ପରିଚାଳିତ କରୁଥିବା ଅଭିଯୋଗ ହେଉଥିଲା । ଆଜି ଦିନରେ ଖୋଲାଖୋଲି କାର୍ଯ୍ୟକ୍ଷେତ୍ରକୁ ଯାଇ ସେ ଉଭୟ କାର୍ଯ୍ୟ ସଂପାଦନ କରୁଥିବାରୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ହିଁ ସମସ୍ତ କାର୍ଯ୍ୟ କରୁଥିବା ସଭା, ସମିତିରେ ଘୋଷଣା କରୁଥିବାରୁ ବିରୋଧୀଙ୍କ ଚକ୍ଷୁଶୂଳ ହୋଇଛନ୍ତି ।
ବିଜେପି ସାଂସଦ ଅପରାଜିତା ଗତକାଲିର ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ ମହାଶୟଙ୍କ ନାମ ନେଇ ନଥିଲେ ମଧ୍ୟ ସିଧାସଳଖ ତାଙ୍କୁ ଟାର୍ଗେଟ୍ କରି ବିରୁଡି ବସାରେ ହାତ ମାରିଥିଲେ । ପାଣ୍ଡିଆନ ଯେଭଳି ଭାବରେ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟ ତଦାରଖ କରୁଛନ୍ତି ଓ ସଭା, ସମିତିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ନାମରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରୁଛନ୍ତି ତାହା କେବଳ ବିରୋଧୀ ରାଜନୈତିକ ମହଲରେ ନୁହେଁ, ସର୍ବସାଧାରଣରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ତେବେ, ପାଣ୍ଡିଆନ ମହାଶୟ ପବନ ବେଗରେ ଜିଲ୍ଲାୱାରୀ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଅଂଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରୁଥିବାରୁ, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାରୁ ଏବଂ ଜନସାଧାରଣଙ୍କ ଆବେଗକୁ ବୁଝି ତୁରନ୍ତ ନୂଆ ପ୍ରକଳ୍ପ ଘୋଷଣା କରୁଥିବାରୁ ସବୁଠି ତାଙ୍କୁ ଭବ୍ୟ ସ୍ୱାଗତ ସଂବର୍ଦ୍ଧନା ମିଳୁଛି । ଅପରପକ୍ଷରେ, ସେହି ଅଂଚଳର ରାଜନେତା ଓ ସରକାରୀ ଅଧିକାରୀଙ୍କ ପରାକ୍ରମ ଗୌଣ ହୋଇଯାଉଛି । ଯେଉଁ ନେତାମାନେ ଲୋକଙ୍କ ଗହଣକୁ ଯାଇ ଫୁଲମାଳ ପାଉଥିଲେ ଓ ଜନତାଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୁଲି ଯାଉଥିଲେ ସେମାନେ ଏବେ ପାଣ୍ଡିଆନ ମହାଶୟଙ୍କ ଗସ୍ତ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ଏବଂ ସଭା, ସମିତି ଓ ସମୀକ୍ଷା ବୈଠକରେ ପଛ ଧାଡିରେ ବସି ତାଳି ମାରିବା କାମ କରୁଛନ୍ତି ।
ବିଶେଷକରି, ଶାସକ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତାମାନେ ଏହା ଦ୍ୱାରା ପ୍ରଭାବିତ ହେଉଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେମାନଙ୍କ ଅଂଚଳକୁ ଯାଇ ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ଏହି ସରକାରୀ ବାବୁଙ୍କୁ ବିରୋଧ କରିବା ସ୍ଥିତିରେ ନାହାନ୍ତି । ଓଲଟା, ନିଜର ଆସନକୁ ବଂଚାଇବା ପାଇଁ ବାବୁଙ୍କ ସପକ୍ଷରେ ଓକିଲାତି କରୁଛନ୍ତି । ବିଦେଶ ଗସ୍ତ ହେଉ ବା ଲୋକସେବା ଭବନରେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉ – ସବୁଠି ମୁଖ୍ୟମନ୍ତ୍ରୀଙ୍କ ସହ ପାଣ୍ଡିଆନ ମହାଶୟଙ୍କ ଉପସ୍ଥିତି ଏବଂ ସମସ୍ତ ଆଲୋଚନା ଓ ନିଷ୍ପତ୍ତି କ୍ଷେତ୍ରରେ ତାଙ୍କୁ ଦିଆଯାଉଥିବା ଗୁରୁତ୍ୱ ରାଜନେତା ଓ ରାଜ୍ୟର ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ବିଚଳିତ କରୁଛି ସିନା କେହି ତାହାକୁ ବିରୋଧ କରିପାରୁ ନାହାନ୍ତି । ଶାସକ ଦଳର ନେତାମାନେ ତ ପାଣ୍ଡିଆନଙ୍କ ଅନୁଗ୍ରହ ଟିକକ ପାଇଁ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତାରେ ମାତିଥିବା ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଭୁବନେଶ୍ୱର ସାଂସଦ ଅପରାଜିତା ୨୦୧୯ରେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ପ୍ରଶାସକ ଥିଲେ । ଜଣେ ଆଇଏଏସ୍ ଅଫିସର ଭାବେ ସେ ଓଡ଼ିଶା ସରକାରଙ୍କ ଅଧିନରେ ଦୀର୍ଘ ବର୍ଷ କାର୍ଯ୍ୟ କରିଛନ୍ତି । ତେଣୁ, ରାଜ୍ୟର ଜଣେ କାର୍ଯ୍ୟରତ ଜଣେ ସଚିବସ୍ତର ଆଇଏଏସ୍ ଅଧିକାରୀ ରାଜ୍ୟ ଶାସନକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା କଥାକୁ ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
ସରକାରୀ ବାବୁ ଜଣକ ରାଜନୀତିରେ ଯଦି ଏତେ ରୁଚି ରଖୁଛନ୍ତି ଚାକିରୀ ଛାଡି ସିଧାସଳଖ ରାଜନୈତିକ ମଇଦାନକୁ ଆସୁ ନାହାନ୍ତି କାହିଁକି (?) ବୋଲି ଶନିବାର ସାଂସଦ ଅପରାଜିତା ପ୍ରଶ୍ନ ଉଠାଇ ସରକାରୀ ଅଧିକାରୀଙ୍କ ପାଇଁ ଥିବା ନୀତି, ନିୟମର ପାଠ ପଢାଇ ଥିଲେ । ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଜଣେ ସଚିବସ୍ତରୀୟ ଅଧିକାରୀ ଚଂଚକତାର ସହ ରାଜନୈତିକ ଜନମତକୁ ଅପହରଣ କରିବା ଓଡ଼ିଶାବାସୀଙ୍କ ଆତ୍ମସମ୍ମାନ ପ୍ରତି କୁଠାରାଘାତ କଲା ଭଳି ହୋଇଛି । ଲାଗୁଛି, ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନ କରୁ ନାହାନ୍ତି, ନିର୍ଦ୍ଧିଷ୍ଟ ସରକାରୀ ବାବୁ ଓଡ଼ିଶା ଶାସନକୁ ଅପହରଣ କରି ନେଇଛନ୍ତି । ରାଜ୍ୟ ବାହାରେ ଏନେଇ ଆଲୋଚନା ହେଲାଣି । ଜଣେ ସଚିବସ୍ତରୀୟ ସରକାରୀ ଅଧିକାରୀ ଓଡ଼ିଶା ସରକାରଙ୍କ ଖର୍ଚ୍ଚରେ ଉଡାଜାହାଜରେ ବୁଲି ରାଜ୍ୟର ବିଭିନ୍ନ ଅଂଚଳରେ ସରକାରୀ ପ୍ରକଳ୍ପର ସମୀକ୍ଷା କରିବା, ନିର୍ବାଚିତ ପ୍ରତିନିଧିମାନେ ତାଙ୍କୁ ଫୁଲତୋଡା ଧରି ସ୍ୱାଗତ କରିବା ପାଇଁ ଘଂଟା ଘଂଟା ଧରି ଆପେକ୍ଷା କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରହିଛି କି (?) ବୋଲି ସେ ପ୍ରଶ୍ନ କରିବା ସହ ଏହା ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ଥିବା ନିୟମାବଳୀର ଉଲଂଘନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦେଶ ରହିଛି କି ? ଯଦି ନାହିଁ, ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।
ଅପରାଜିତାଙ୍କ ପ୍ରଶ୍ନ ଶାସକ ବିଜେଡ଼ିକୁ ଅଡୁଆରେ ପକାଇଲା ଭଳି ହୋଇଛି । ଯେହେତୁ ପାଣ୍ଡିଆନ ମହାଶୟ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତମ ଅଧିକାରୀ ଓ ସେ ଯାହା କରୁଛନ୍ତି ତାହା ପଛରେ ମୁଖ୍ୟମନ୍ତ୍ରୀଙ୍କ ନିରବ ସହମତି ରହିଛି ବୋଲି ବିଜେଡ଼ିର ତଳୁ ଉପର ପର୍ଯ୍ୟନ୍ତ ନେତା ଜାଣନ୍ତି ବିଜେପି ସାଂସଦ ଅପରାଜିତା କଟାକ୍ଷ ସେମାନଙ୍କ ପାଇଁ ଅସହ୍ୟ ହେବା ସ୍ୱାଭାବିକ । ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର ଅପରାଜିତାଙ୍କୁ ଜବାବ ଦେବା ସକାଶେ ତୁରନ୍ତ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଅପରାଜିତା ଆଉ ଅମଲାତନ୍ତ୍ରୀ ନାହାନ୍ତି, ଜଣେ ରାଜନେତା । ତେଣୁ, ଅମଲାତାନ୍ତ୍ରିକ ମାନସିକତାରୁ ବାହାରି ରାଜନେତା ଭଳି ଆଚରଣ ପ୍ରଦର୍ଶନ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣ ତାଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିବାରୁ ସେ ନିଜ ନିର୍ବାଚନ ମଣ୍ଡଳୀର ବିଭନ୍ନ ସମସ୍ୟାର ସମାଧାନ ଦିଗରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ । ଏହାଛଡା, ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ (ଶ୍ରୀମୟୀଙ୍କୁ) ଭୁବନେଶ୍ୱର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବାରୁ ଅପରାଜିତା ଭୟଭିତ ହୋଇ ପ୍ରଳାପ କରୁଥିବା ମଧ୍ୟ ଶ୍ରୀମୟୀ ଅଭିଯୋଗ କରିଛନ୍ତି । ଯେତେବେଳେ ପ୍ରଶାସନ ସିଧାସଳଖ ଲୋକଙ୍କ ଦୁଆର ମୁହଁରେ ପହଂଚୁଛି, ତତ୍କ୍ଷଣାତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁଛି, ସରକାର ଯେତେବେଳେ ଜନମଂଗଳ ଶାସନ କରୁଛନ୍ତି ବିଜେପି ଡରୁଛି କାହିଁକି (?) ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଆକ୍ଷେପ ଏବଂ ତାହାର ଉତ୍ତର ରଖିବାକୁ ଯାଇ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ତ୍ୱରିତ ସାମ୍ବାଦିକ ସମ୍ମିଳନୀ ଓ ବକ୍ତବ୍ୟକୁ ବିଶ୍ଲେଷଣ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ମୁଖ୍ୟମନ୍ତ୍ରୀଙ୍କ ଇଂଗିତର ହିଁ ସଂପୃକ୍ତ ପ୍ରାଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ସଂପାଦନ କରୁଛନ୍ତି, ଯାହାକି ବିରୋଧୀ ସରକାରଙ୍କୁ ସମାଲୋଚନା କରିବା ସୁଯୋଗ ସୃଷ୍ଟି କରିଛି । ଅପରପକ୍ଷରେ, ଓଡ଼ିଶାରେ ପ୍ରଶାସନିକ କଳ ଯେଭଳି ଭାବେ କାର୍ଯ୍ୟ କରୁଛି ତାହାକୁ ସାଂସଦ ଅପରାଜିତା ସମାଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ବା ରାଜ୍ୟର ପ୍ରଶାସନିକ ମୁଖ୍ୟ ଭାବେ ମୁଖ୍ୟ ଶାସନ ସଚିବ ତାହାର ଉତ୍ତର ରଖିବା କଥା । କିନ୍ତୁ, ଜଣେ ବିଜେଡ଼ି ନେତ୍ରୀ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡାକି ଏହା ଉତ୍ତର ରଖିଛନ୍ତି । ଅପରାଜିତାଙ୍କ ପ୍ରଶ୍ନ ଓ ଶ୍ରୀମୟୀଙ୍କ ଉତ୍ତରରେ କେବଳ ରାଜନୈତିକ ବିରୋଧ ଓ ଅସୂୟା ହିଁ ଦେଖିବାକୁ ମିଳିଛି । ଏଠି ଗୋଟିଏ ପ୍ରଶ୍ନ ଉଠି ପାରେ, ବିଜେଡ଼ି ନେତୃବର୍ଗ ସଂପୃକ୍ତ ପ୍ରାଶାସନିକ ଅଧିକାରୀଙ୍କୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ଭାବେ ଗ୍ରହଣ କରି ନେଲେଣି କି ?
୨୦୨୪ରେ ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବ । ତାହାକୁ ନଜରରେ ରଖି ବିିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଶାସକ ବିଜୁ ଜନତା ଦଳ (ବିଜେଡ଼ି) ଚଳିତ ବର୍ଷ ପ୍ରାରମ୍ଭରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ମଧ୍ୟ ବିଜେଡ଼କୁ ଲଗାତର ଷଷ୍ଠ ତର ପାଇଁ କ୍ଷମତାକୁ ଆସିବାରୁ ରୋକିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ ଆରମ୍ଭ କରିଛି । ବିଜେଡ଼ି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ପୂର୍ବରୁ ଯେଭଳି ରାଜ୍ୟସାରା ବୁଲି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରୁଥିଲେ ୨୦୨୪ ପୂର୍ବରୁ ମଧ୍ୟ ସେଭଳି ଘୋଷଣା କରୁଛନ୍ତି । ତେବେ, ବ୍ୟତିକ୍ରମ ହେଉଛି, ଏଥିସକାଶେ ମୁଖ୍ୟମନ୍ତ୍ରୀ ନିଜେ ତୋଫାନୀ ଗସ୍ତ ନକରି ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ତାହା କରାଉଛନ୍ତି । ୨୦୧୯ ନିର୍ବାଚନରେ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ରଜନେତାଙ୍କୁ ଗୁରୁତ୍ୱ ଦିଆଯାଉଥିଲା । ୨୦୨୪ ନିର୍ବାଚନ ପ୍ରସ୍ତୁତିରେ ସେମାନଙ୍କୁ ଗୁରୁତ୍ୱ ଦିଆନଯାଇ ଜଣେ ପ୍ରଶାସକଙ୍କୁ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ‘ୱାନ୍ ମ୍ୟାନ୍ ଆର୍ମିର୍’ର ନେତୃତ୍ୱ ନେଉଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍ କାର୍ତ୍ତିକେୟନ ପାଣ୍ଡିଆନ୍ ।
ପାଣ୍ଡିଆନଙ୍କ ଆଇଏଏସ୍ ପତ୍ନୀ ସୁଜାତା ଆର୍ କାର୍ତ୍ତିକେୟନ ଓଡ଼ିଶା ସରକାରଙ୍କ ‘ମିଶନ ଶକ୍ତି’ ବିଭାଗର ‘କମିଶନର କମ୍ ସେକ୍ରେଟାରୀ’ ଅଛନ୍ତି । ରାଜ୍ୟରେ ୭୦ (ସତୁରି) ଲକ୍ଷ ମହିଳା ସଦସ୍ୟ ଥିବା ୦୬ (ଛଅ) ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)କୁ ସୁଜାତା ନିୟନ୍ତ୍ରଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମହିଳା ସଶକ୍ତୀକରଣ ଲକ୍ଷ୍ୟ ନେଇ ୨୦୦୧ରେ ‘ମିଶନ ଶକ୍ତି’ ଅଭିଯାନ ଆରମ୍ଭ କରିଥିଲେ । ଇତିମଧ୍ୟରେ ୨୨ ବର୍ଷ ବିତି ଗଲାଣି ଏବଂ ‘ମିଶନ ଶକ୍ତି’ ଅଭିଯାନ ଏବେ ବିରାଟ ବଟବୃକ୍ଷରେ ପରିଣତ ହୋଇ ରାଜ୍ୟର ଗ୍ରାମାଂଚଳ, ସହରାଂଚଳରେ ମହିଳା ଏସଏଚଜିଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ମାଧ୍ୟରେ ବିଜେଡ଼ିର ଏକ ବଡ ଭୋଟବ୍ୟାଙ୍କ୍ ସୃଷ୍ଟି କରିଛି । ତେଣୁ, ସରକାରୀ କାର୍ଯ୍ୟକ୍ରମ ହେଉ ବା ବିଜେଡ଼ିର ନିଜସ୍ୱ ରାଜନୈତିକ କାର୍ଯ୍ୟକ୍ରମ – ସବୁଠି ମହିଳା ପ୍ରତିନିଧିଙ୍କ ଭିଡ ଜମୁଛି । ରାଜ୍ୟ ସରକାର ଏବାବଦରେ ଶହ ଶହ କୋଟି ଟଙ୍କା ବିନିଯୋଗ କରୁଛନ୍ତି । ମହିଳା ଏସଏଚଜିଙ୍କ ବ୍ୟବସାୟିକ କାର୍ଯ୍ୟକୁ ଆଗେଇ ନେବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ‘ଇଂଡଷ୍ଟ୍ରିଆଲ୍ ପାର୍କ’ ପ୍ରତିଷ୍ଠା କରାଯିବା ସହ ପ୍ରତ୍ୟେକ ମହିଳା ଏସଏଚଜିକୁ ୫ (ପାଂଚ) ଲକ୍ଷ ଟଙ୍କା ପର୍ଯ୍ୟନ୍ତ ‘ଶୂନ୍ୟ ସୁଧ’ ହାରରେ ଋଣ ଯୋଗାଣ ବ୍ୟବସ୍ଥା ହୋଇଛି । ଜିଲ୍ଲା ଓ ବ୍ଲକସ୍ତରରେ ମହିଳା ଏସଏଚଜିଙ୍କ ବ୍ୟବସାୟିକ କାର୍ଯ୍ୟକୁ ସୁଦୃଢ କରିବା ସକାଶେ ମହାସଂଘମାନ ଗଠନ କରାଯାଇଛି । ଏଥିସକାଶେ ରାଜ୍ୟ ସରକାର ୩୨୪ କୋଟି ଟଙ୍କାର ପାଂଠି ବ୍ୟବସ୍ଥା କରିଛନ୍ତି ।
ସରକାର ଏତେସବୁ କରିବାର ଉଦ୍ଦେଶ୍ୟ ହେଉଛି – ଦୀର୍ଘ ୨୩ ବର୍ଷର ଶାସନରେ ଯେଉଁ ୭୦ ଲକ୍ଷ ମହିଳାଙ୍କ ବିରାଟ ଭୋଟବ୍ୟାଙ୍କ ସୃଷ୍ଟି କରାଯାଇଛି ଲଗାତର ଷଷ୍ଠ ଥର ପାଇଁ କ୍ଷମତାକୁ ଫେରିବା ପାଇଁ ତାହାର ସଫଳ ବିନିଯୋଗ କରିବା । ଆଇଏଏସ୍ ସୁଜାତା କାର୍ତ୍ତିକେୟନ ‘ମିଶନ ଶକ୍ତି’ର ଡୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ପବନ ବେଗରେ ସାରା ଓଡ଼ିଶା ଗସ୍ତ କରି ଶାସକ ଦଳର ନେତା ଓ ଭୋଟରଙ୍କ ମନ କଥା ବୁଝୁଛନ୍ତି । ବିରୋଧୀ ଏଥିରେ ବିଚଳିତ ହେବା ସ୍ୱାଭାବିକ । ଅପରାଜିତା ଭଲ ଭାବେ ଜାଣନ୍ତି, ୨୦୨୪ ନିର୍ବାଚନରେ ବିଜେଡ଼ିର ବିଜୟ ପାଇଁ କାର୍ତ୍ତିକେୟନ ପତି, ପତ୍ନୀଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ତେଣୁ, ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଯାଇ ସେ ପାଣ୍ଡିଆନଙ୍କୁ (ନାମ ନନେଇ) ରାଜନୈତିକ ଆକ୍ରମଣ କରିଛନ୍ତି । ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ତାହାର ଉତ୍ତର ରଖିଛନ୍ତି ସିନା ଅପରାଜିତାଙ୍କ ମୂଳ ପ୍ରଶ୍ନର ଉତ୍ତର ଦେବା ବଦଳରେ ଗୋଲମୋଲ ଉତ୍ତର ଦେଇ ନିଜର ରାଜନୈତିକ ଅପରିପକ୍ୱତା ହିଁ ସାବ୍ୟସ୍ତ କରିଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS