ଜୁନ ୨୩ ଉପରେ ସମସ୍ତଙ୍କ ନଜର, ବିରୋଧୀ ଦେଶକୁ ଏକ ଉପଯୁକ୍ତ ବିକଳ୍ପ ଦେଇ ପାରିବ ?


ପ୍ରସାଦ ରାଓ
ଜୁନ ୨୦
୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତା କରିବା ଉଦ୍ଦେଶ୍ୟରେ ବିରୋଧୀ ରାଜନୈତିକ ଦଳମାନେ ଏକାଠି ହେବା ପ୍ରକ୍ରିୟା ଚାଲୁ ରହିଛି । ଜୁନ ୨୩ ତାରିଖ ଦିନ ବିହାରର ପାଟନାଠାରେ ବିଭିନ୍ନ ବିରୋଧୀ ଦଳର ନେତାମାନେ ଏକାଠି ହେବାର କାର୍ଯ୍ୟକ୍ରମ ଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର୍) ଏହି ବୈଠକରେ ଯୋଗ ଦେଉନଥିବା ଆଲୋଚନା ହେଉଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୦୯ରୁ ତାଙ୍କ ନେତୃତ୍ୱାଧିକ ବିଜୁ ଜନତା ଦଳ (ବିଜେଡ଼ି) ଦେଶର ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଆସୁଛନ୍ତି । ତେଲେଂଗାନା ମୁଖ୍ୟମନ୍ତ୍ରୀ କେସିଆର୍ ମଧ୍ୟ ଏବେ ସେହି କଥା କହିଲେଣି । ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା କହି ୨୩ ତାରିଖରେ ପାଟନାରେ ହେଉଥିବା ବିରୋଧୀ ରାଜନୈତିକ ଦଳ ନେତାମାନଙ୍କ ବୈଠକରେ ଯୋଗ ଦେଉନଥିବା ସୂଚନା ଦେଇଛନ୍ତି । ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ନେତାମାନଙ୍କ ଏହି ବୈଠକର ସଂଯୋଜନା କରୁଥିବା ବେଳେ ଏଥିରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ (ଡିଏମକେ) ଏମ.କେ.ଷ୍ଟାଲିନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ (ଜେଏମଏମ) ହେମନ୍ତ ସୋରେନ, ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା (ୟୁବିଟି) ମୁଖ୍ୟ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ବାମଦଳ ନେତାମାନେ ଏବଂ କଂଗ୍ରେସରୁ ଏଆଇସିସି ସଭାପତି ମଲ୍ଲାକାର୍ଜୁନ ଖାର୍ଗେ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଯୋଗ ଦେଉଥିବା ସୂଚନା ମିଳୁଛି । ବିହାରରେ ଆରଜେଡ଼ି, ଜେଡିୟୁ ଓ କଂଗ୍ରେସର ମିଳିତ ସରକାର ଚାଲିଛି । ଆରଜେଡ଼ି ନେତା ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିରୋଧୀ ଏକତା ଉଦ୍ୟମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ସକ୍ରିୟ ଭାବେ କାର୍ଯ୍ୟ କରୁଥିବାରୁ ୨୩ ତାରିଖ ବୈଠକରେ ଯୋଗଦେବା ସ୍ୱଭାବିକ । ତେବେ, ଆରଜେଡି ପ୍ରତିଷ୍ଠାତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବିରୋଧୀ ନେତାଙ୍କ ବୈଠକରେ ଯୋଗ ଦେବାକୁ ଆଗ୍ରହୀ ଥିବା ଏବେ ଜଣାପଡିଛି । ଏଠାରେ ଉଲ୍ଲେଖନୀୟ ଯେ, ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପିକୁ ପରାଜିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ଅଣ-ବିଜେପି ଆଂଚଳିକ ରାଜନୈତିକ ଦଳର ନେତାମାନଙ୍କୁ ଏକାଠି କରିବା ଉଦ୍ୟମ ଆରମ୍ଭ କରିଥିଲେ । କଂଗ୍ରେସକୁ ବାଦ ଦେଇ ବିରୋଧୀ ମେଂଟ ଗଠନ କରାଯିବା ତାଙ୍କ ଲକ୍ଷ୍ୟ ଥିଲା । ପରେ, ତେଲେଂଗାନା ମୁଖ୍ୟମନ୍ତ୍ରୀ କେସିଆର୍ ମଧ୍ୟ କଂଗ୍ରେସ ଓ ବିଜେପିକୁ ଦୂରେଇ ରଖି ୨୦୨୪ ପାଇଁ ବିରୋଧୀ ମେଂଟ ଗଠନ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ । ମମତା ଓ କେସିଆରଙ୍କୁ କେନ୍ଦ୍ରବିନ୍ଦୁ କରି ବିରୋଧୀ ଏକତା ଉଦ୍ୟମ ଜାରି ରହିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ଓ ଏନଡିଏ ସହ ସଂପର୍କ ଛିନ୍ନ କରି ବିହାରରେ ଆରଜେଡି ଓ କଂଗ୍ରେସକୁ ନେଇ ସରକାର ଗଠନ କରିବା ସହ ୨୦୨୪ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଲକ୍ଷ୍ୟ ନେଇ ବିରୋଧୀ ମେଂଟ ଗଠନ ଦିଗରେ ଉଦ୍ୟମ ଚଳାଇଛନ୍ତି । କଂଗ୍ରେସକୁ ସାଥିରେ ନେଇ ଦେଶରେ ଏକ ବିରୋଧୀ ମେଂଟ ଗଠନ କରିବାକୁ ନୀତୀଶ ଚାହୁଁ ଥିଲେ ମଧ୍ୟ ମମତା, କେସିଆର, କେଜରୀୱାଲଙ୍କ ଭଳି କିଛି ବିରୋଧୀ ନେତା ତାହାକୁ ବିରୋଧ କରୁଥିଲେ । କାରଣ, ରାଜ୍ୟ ରାଜନୀତିରେ ବିଜେପି ଭଳି କଂଗ୍ରେସ ମଧ୍ୟ ସେମାନଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହି ଆସିଛି । ତେବେ, ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜେପିକୁ ପରାଜିତ କରି ପୁନର୍ବାର ନିଜର ଆତ୍ମବିଶ୍ୱାସ ଫେରି ପାଇଥିବା ବେଳେ ବିଭିନ୍ନ କାରଣରୁ ମମତା ଓ କେଜରୀୱାଲ କଂଗ୍ରେସକୁ ସାଥିରେ ନେଇ ବିଜେପି ସହ ଲଢିବାକୁ ନୀତୀଶଙ୍କ ସହ ସହମତ ହୋଇଛନ୍ତି । କିନ୍ତୁ, ତେଲେଂଗାନା ମୁଖ୍ୟମନ୍ତ୍ରୀ କେସିଆର୍ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଦୃଷ୍ଟିରୁ କଂଗ୍ରେସ ସହ ସଂପର୍କ ଯୋଡିବା ସପକ୍ଷରେ ନାହାନ୍ତି । ତେଣୁ, ସମଦୂରତା କଥା କହି ୨୩ ତାରିଖ ହେବାକୁ ଥିବା ବିରୋଧୀ ନେତାଙ୍କ ବୈଠକରୁ ଦୂରେଇ ରହିବାକୁ ସେ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୦୯ରେ ବିଜେପି ସହ ସଂପର୍କ ଛିନ୍ନ କରି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା କଥା କହି ଆସୁଥିଲେ ମଧ୍ୟ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତିକୁ ସମର୍ଥନ ଦେଇ ଆସୁଥିବା କାହାରିକୁ ଅଛପା ନାହିଁ । ଓଡ଼ିଶାରେ ବିଜେପି ବିଜେଡ଼ିର ପ୍ରଧାନ ଶତୃ ଥିଲେ ମଧ୍ୟ ଜାତୀୟ ରାଜନୀତିରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦଳର ଅତୁଟ ବନ୍ଧୁତା ଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମମତା ଓ ନୀତୀଶଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ମେଂଟରେ ସାମିଲ ହେବାକୁ ସାମାନ୍ୟତମ ଆଗ୍ରହ ଦେଖାଇ ନାହାନ୍ତି । ଭୁବନେଶ୍ୱର ନବୀନ ନିବାସରେ ନୀତୀଶ ତାଙ୍କୁ ଭେଟିବା ପର ଦିନ ନବୀନ ଦିଲ୍ଲୀରେ ପହଂଚି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଆଲୋଚନା କରିବା ଏବଂ ଓଡ଼ିଶାର କିଛି ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବା ବିଜେଡ଼ିର ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛି । ଅପରପକ୍ଷରେ,ଗତ ମାସରେ ଛଅ ଦିନିଆ ଆମେରିକା ଗସ୍ତରେ ଯାଇ ୨୧ ଦିନ ରହିଥିବା ଏବଂ ଆଜି ଫେରିବା କାର୍ଯ୍ୟକ୍ରମ ରଖିଥିବା ରାହୁଲ ଗାନ୍ଧୀଙ୍କୁ ବିଜେପି କଡା ସମାଲୋଚନା କରିଥିବା ବେଳେ ରାହୁଲ ୨୩ ତାରିଖ ଦିନ ପାଟନାରେ ହେବାକୁ ଥିବା ବିରୋଧୀ ନେତାଙ୍କ ବୈଠକରେ ଯୋଗ ଦେବାକୁ ଆଜି ଦିଲ୍ଲୀ ଫେରୁଥିବା କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି । ରାହୁଲ ୨୧ ଦିନ ଧରି ଆମେରିକାରେ କଣ କରୁଥିଲେ (?) ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭ୍ୟ ଏକ ଟ୍ୱିଟ୍ ମାଧ୍ୟମରେ ପ୍ରଶ୍ନ କରିଛନ୍ତି । ରାହୁଲଙ୍କୁ ବିଜେପି ଓ ଅନ୍ୟ ବିରୋଧୀ ରାଜନୈତିକ ଦଳମାନେ ପୂର୍ବରୁ ହାଲୁକା ଦୃଷ୍ଟିରେ ଦେଖୁଥିଲେ । ବିଜେପି ତାଙ୍କୁ ‘ପପ୍ପୁ’ ବୋଲି ସମାଲୋଚନା କରୁଥିବା ବେଳେ ଅଣ-ବିଜେପି ବିରୋଧୀ ଦଳମାନେ ରାହୁଲଙ୍କ ନେତୃତ୍ୱରେ ୨୦୨୪ ସାଧାରଣ ନିର୍ବାଚନ ଲଢିବା ଆତ୍ମଘାତୀ ହେବ ବୋଲି ବିଚାର କରୁଥିଲେ । ରାହୁଲ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡୋ’ ପଦଯାତ୍ରାର ଅପୂର୍ବ ସଫଳତା ପରେ ତାଙ୍କ ପ୍ରତି ବିରୋଧୀ ନେତାଙ୍କ ମନରେ ଥିବା ଅବିଶ୍ୱାସ ଭାବ କିଛି ପରିମାଣରେ ଦୂର ହୋଇଥିଲା । ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଆଶାତୀତ ବିଜୟ ପରେ ବିରୋଧୀ ରାଜନୈତିକ ନେତାମାନେ ରାହୁଲଙ୍କ ନେତୃତ୍ୱକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ମେଂଟକୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ମିଳିଲେ ଯାଇ ମେଂଟର ନେତୃତ୍ୱ କିଏ ନେବ ଓ କିଏ ଦେଶର ପ୍ରଧାନମନ୍ତ୍ରୀ ହେବ ତାହା ନିର୍ଣ୍ଣୟ ହେବ ବୋଲି ନୀତୀଶ, ରାହୁଲ, ଖାର୍ଗେଙ୍କ ସମେତ ସବୁ ବିରୋଧୀ ନେତା ପ୍ରାୟ ଏକମତ ଥିବା ବୟାନ ଦେଉଛନ୍ତି । ତେଣୁ, ବିରୋଧୀ ନେତାଙ୍କ ଜୁନ ୨୩ ତାରିଖ ବୈଠକ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ । ୨୩ ତାରିଖ ବୈଠକ କିଛି ‘ସ୍ୱତନ୍ତ୍ର’ ହେବ କି ପୂର୍ବଭଳି ‘ଚିରାଚରିତ’ ରହିବ, ତାହା ସମୟ କହିବ । ତଥାପି, ଦେଶବାସୀ ଏକ ବିକଳ୍ପର ଆଶା ରଖିଛନ୍ତି ଏବଂ ୨୩ ତାରିଖ ବୈଠକ ସେଦିଗରେ ପ୍ରଥମ ସୋପାନ ହେବ ବୋଲି ବିଶ୍ୱସ କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS