ଦେଶରେ ଗ୍ରୀଷ୍ମ ପ୍ରଦାହ ଜାରି, ପ୍ରତିକାର ବ୍ୟବସ୍ଥା ପାଇଁ ଉଚ୍ଚସ୍ତରୀୟ ବୈଠକ


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁନ ୨୦
ଓଡ଼ିଶା ସମେତ ଦେଶର ବହୁ ରାଜ୍ୟରେ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସ୍ୱାଭାବକ ଗରମ ଓ ଗୁଳୁଗୁଳି ପରିସ୍ଥିତି ଯୋଗୁଁ ୟୁପି, ବିହାରରେ ଗତ କିଛି ଦିନ ମଧ୍ୟରେ ସର୍ବାଧିକ ସଂଖ୍ୟକ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ମଧ୍ୟ ଜଣକର ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରଣାଳୟ ସ୍ୱୀକାର କରିଛନ୍ତି । ଏସଆରସିଙ୍କ ତଥ୍ୟ ଅନୁଯାୟୀ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଏହି ମାତ୍ରାଧିକ ଗ୍ରୀଷ୍ମ ପ୍ରଦାହ ଜନିତ ମୃତ୍ୟୁ ଘଟିଛି । ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରଦାହ ଜନିତ ତାପମାତ୍ର ଓ ଆଦ୍ରତା ସ୍ୱାଭାବିକଠାରୁ ଯଥେଷ୍ଟ ଅଧିକ ଥିବାରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ସମୀକ୍ଷା କରିବା ସକାଶେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ଯାଇଛି । ଅସ୍ୱାଭାବିକ ଗ୍ରୀଷ୍ମ ପ୍ରଦାହ କାରଣରୁ ଯେଉଁ ସବୁ ରାଜ୍ୟ ଅଧିକ ଭାବେ ପ୍ରଭାବିତ ହୋଇଛନ୍ତି ସେସବୁ ରାଜ୍ୟକୁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇଏମଡି (ଭାରତୀୟ ପାଣିପାଗ ବିଭାଗ)ର ଏକ ପାଂଚ ଜଣିଆ ବରିଷ୍ଠ ଅଧିକାରୀ ଦଳଙ୍କୁ ପଠାଇବେ । ଏହି ପାଂଚ ଜଣିଆ ଟିମ୍ ଗ୍ରୀଷ୍ମ ପ୍ରଦାହ ଜନିତ ପ୍ରଭାବକୁ କିଭଳି ସୀମିତ କରିହେବ ଏବଂ ସେଦିଗରେ କି ପଦକ୍ଷେପ ନେବାକୁ ପଡିବ ସେନେଇ ସରକାରଙ୍କୁ ପ୍ରସ୍ତାବ ଦେବେ । ଆଇସିଏମଆର (ଇଣ୍ଡିଆନ କାଉସିଲ ଅଫ୍ ମେଡିକାଲ ରିସର୍ଚ୍ଚ) ମଧ୍ୟ ଏଦିଗରେ ପ୍ରସ୍ତାବ ମାଗିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ପ୍ରଦାହରୁ ପ୍ରତିଟି ସାଧାରଣ ଜୀବନକୁ ସୁରକ୍ଷିତ ରଖିବା ସକାଶେ ପ୍ରତ୍ୟେକ ସ୍ତରରେ ବ୍ୟବସ୍ଥା ହେବ । ‘ହିଟ୍ ଷ୍ଟ୍ରୋକ୍’ରେ ଯେପରି ଗୋଟିଏ ହେଲେ ମୃତ୍ୟୁ ନହୁଏ ତାହା ସରକାର ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି । ଯେଉଁ ସବୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମାତ୍ରାଧିକ ବୃଦ୍ଧି ପାଇବାର ଆକଳନ କରାଯାଇଛି ସେସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସେ ଭର୍ଚୁଆଲ ବୈଠକ କରିବେ ବୋଲି ମଓ୍ୟ ମାଣ୍ଡଭ୍ୟ କହିଛନ୍ତି । ୟୁପି, ବିହାର, ହରିୟାଣା, ତାମିଲନାଡୁ, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ବିଦଭ୍ର ଅଂଚଳ, ଓଡ଼ିଶା, ପଶ୍ଚିମ ବଂଗ, ଆନ୍ଧ୍ର ପ୍ରଦେଶ, ତେଲେଂଗାନା ପ୍ରଭୃତି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଦାହ ପରିସ୍ଥିତି ଥିବା ବେଳେ ଆସନ୍ତା କାଲିଠାରୁ ପୂର୍ବ ଭାରତ ଓ କେନ୍ଦ୍ରୀୟ ଭାରତ ସଂଲଗ୍ନ ଅଂଚଳରେ ତାହା କିଛିମାତ୍ରାରେ ହ୍ରାସ ପାଇବ ବୋଲି ଆଇଏମଡ଼ି ଆକଳନ କରିଛି । ଗତ କିଛି ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହରେ ଅସ୍ୱାଭାବିକ ବୃଦ୍ଧି କାରଣରୁ ୟୁପିରେ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ସରକାର ସ୍ୱୀକାର କରିଥିବା ବେଳେ ବିହାର ଓ ଯୁପିରେ ମିଶି ପାଖାପାଖି ଶହେ ଜଣଙ୍କ ମୃତ୍ୟୁ ଘଟିଥିବା ଓ ବହୁ ସଂଖ୍ୟାରେ ବୟସ୍କ ଲୋକମାନେ ହପ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ରାଜ୍ୟରୁ ରିପୋର୍ଟ ମିଳିଛି । ହିଟ୍ ୱେଭରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଗୋଟିଏ ମୃତ୍ୟୁ ଘଟି ଥିବା ରାଜ୍ୟ ସରକାରୀ ସ୍ୱୀକାର କରିଥିବା ବେଳେ ଅନ୍ୟୁନ ୨୦ଟି ମୃତ୍ୟୁ ଘଟି ଥିବା ଘରୋଇ ଭାବେ ଦାବି ହେଉଛି । ଆଇଏମଡିର କହିବା ଅନୁଯାୟୀ ସାଧାରଣତଃ ମାର୍ଚ୍ଚରୁ ଜୁନ ମାସ ପର୍ଯ୍ୟନ୍ତ ‘ହିଟ୍ ୱେଭ’ ରହିଥାଏ । ବେଳେ ବେଳେ ଜୁଲାଇ ପର୍ଯ୍ୟନ୍ତ ତାହା ଅନୁଭୂତ ହୋଇଥାଏ । ଚଳିତ ବର୍ଷ ବିଭିନ୍ନ କାରଣରୁ ଏହି ସମୟରେ ତାପମାତ୍ର ଯାହା ସାଧାରଣତଃ ରହିଥାଏ ତାହାଠାରୁ ଯଥେଷ୍ଟ ଅଧିକ ରହିବାରୁ ସାଧାରଣ ଜୀବନ ଉପରେ ତାହାର ମାତ୍ରାଧିକ ପ୍ରଭାବ ପଡୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS