ନଡ୍ଡା ଦୋହରାଇଲେ ସେହି ପୁରୁଣା ପ୍ରଶ୍ନ – ‘ଓଡ଼ିଶାରେ କିଏ ସରକାର ଚଳାଉଛି ?’


ପ୍ରସାଦ ରାଓ
ଭୁବନେଶ୍ୱର/ଜୁନ ୨୩
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଏକତା ଉଦ୍ୟମରୁ ନିଜକୁ ଦୂରେଇ ରଖି ପରୋକ୍ଷରେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ ପ୍ରତି ବିଜେଡ଼ିର ସମର୍ଥନ ଥିବା ସୂଚନା ଦେଉଥିବା ବେଳେ ବିଜେପିର ରାଜ୍ୟ ଓ ଜାତୀୟସ୍ତର ନେତାମାନେ ନବୀନଙ୍କୁ ଏବେ ଗୋଟିଏ ପ୍ରଶ୍ନ କରୁଛନ୍ତି – ଓଡ଼ିଶାରେ କିଏ ସରକାର ଚଳାଉଛି ? ଓଡ଼ିଶାରେ ବିଜୁ ଜନତା ଦଳର ଶାସନ ଚାଲିଛି, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଦଳର ସର୍ବେସର୍ବା ରହିଛନ୍ତି । ୨୩ ବର୍ଷ ହେଲା ରାଜ୍ୟରେ ବିଜେଡ଼ି ଶାସନ ଚାଲିଛି । ଏହା ଭଲ ଭାବେ ଜାଣନ୍ତି ବିଜେପିର କେନ୍ଦ୍ରୀୟ ନେତାମାନେ । ସଂସଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାଶ୍ କରାଇବା ସମୟରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ସମର୍ଥନ ଲୋଡୁଥିବା ଏବଂ ବିଜେଡିରୁ ସମର୍ଥନ ପାଉଥିବା ବିଜେପିର ରାଷ୍ଟ୍ରୀୟ ନେତାମାନେ ନିର୍ବାଚନ ସମୟ ଆସିଲେ ସେହି ନବୀନଙ୍କୁ ପ୍ରଶ୍ନ କରୁଛନ୍ତି – ଓଡ଼ିଶା ସରକାରଙ୍କୁ କିଏ ଚଳାଉଛି । ନବୀନ ନିଜେ ନା କେହି ‘ପ୍ରକ୍ସି’ ମୁଖ୍ୟମନ୍ତ୍ରୀ !
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଡକ୍ଟର ଜେ.ପି.ନଡ୍ଡା ଆଜି ଭବାନୀପାଟଣାରେ ସେହି ପୁରୁଣା ପ୍ରଶ୍ନ ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନର ରିପୋର୍ଟ କାର୍ଡ ଜନସାଧାରଣରେ ଉପସ୍ଥାପନ କରିବା ସମୟରେ ନଡ୍ଡା ବିଜେଡ଼ିକୁ ପ୍ରଶ୍ନ କରିଛନ୍ତି – ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜେ ସରକାର ଚଳାଇଛନ୍ତି ନା ‘ଆଉଟସୋର୍ସିଂ’ରେ ସରକାର ଚାଲିଛି ? ରାଜ୍ୟରେ ନେତାମାନେ ସରକାର ଚଳାଇଛନ୍ତି ନା ମୁଷ୍ଠିମେୟ ଅଫିସର ?? ‘ରାଜ୍ୟରେ ନେତା କିଏ ଆମେ ଜାଣି ପାରୁନୁ । ବିଧାୟକ ଓ ସାଂସଦଙ୍କ କଥା କେହି ଶୁଣୁ ନାହାନ୍ତି । ଅଫିସରମାନେ ହିଁ ଶାସନ ଡୋରି ଧରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁ କ୍ଷମତା ଅଫିସରଙ୍କୁ ସମର୍ପି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବା ନେତାମାନେ ନୁହନ୍ତି, ରାଜ୍ୟ ଶାସନ ସଂପୂର୍ଣ୍ଣ ଭାବେ ‘ଆଉଟସୋର୍ସ’ ହୋଇ ସାରିଛି’ ବୋଲି ନଡ୍ଡା ଅଭିଯୋଗ କରିଛନ୍ତି ।
ଓଡ଼ିଶାରେ କ୍ଷମତାର ଡୋରି କାହା ହାତରେ ରହିଛି, କାହାରିକୁ ଅଛପା ନାହିଁ । ରାଜ୍ୟବାସୀ ଏଭଳି ସରକାର ଚାହୁଁଛନ୍ତି କି (?) ବୋଲି ନଡ୍ଡା ପ୍ରଶ୍ନ କରିବା ସହ ୨୦୨୪ରେ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ଶାସନ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଭବାନୀପାଟଣା ସଭାରେ ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଉଦବୋଧନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଯେଉଁ ଅର୍ଥ ମଂଜୁର କରୁଛନ୍ତି ତାହା ବାଟମାରଣା ହୋଇଯାଉଛି । ରାଜ୍ୟରେ ପାଂଚ ବର୍ଷ ଶାସନ କରିବାକୁ ବିଜେପିକୁ ସୁଯୋଗ ଦିଆଗଲେ ଗରିବ ଜନତା ପାଇଁ କେନ୍ଦ୍ରରୁ ଆସୁଥିବା ଅର୍ଥର ସଠିକ ବିିଯୋଗ ହେବ ଏବଂ ଗତ ୨୫ ବର୍ଷରେ ମଧ୍ୟରେ ରାଜ୍ୟରେ ଯାହା ବିକାଶ ହୋଇନି ଡବଲ ଇଂଜିନ ସରକାର ତାହା କରି ଦେଖାଇବ ବୋଲି ଏହି ନେତାମାନେ ସଭାରେ ପ୍ରତିଶ୍ରୁତି ଦେଇଥିଲେ ।
ଓଡ଼ିଶାରେ ନେତାଙ୍କ ଶାସନ ନୁହେଁ, ଅଫିସରଙ୍କ ଶାସନ ଚାଲି ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିବା ବେଳେ ନିକଟରେ ବିଜେପି ସାଂସଦ (ଭୁବନେଶ୍ୱର) ଅପରାଜିତା ଷଡଙ୍ଗୀ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ଜଣେ ସଚିବସ୍ତରୀୟ ଆଇଏଏସ୍ ଅଧିକାରୀଙ୍କୁ ଟାର୍ଗେଟ୍ କରିବା ମାଧ୍ୟମରେ ଏହି ବିବାଦକୁ ଅଧିକ ବଳ ଦେଇଥିଲେ । ଅପରାଜିତାଙ୍କ ଅଭିଯୋଗ ଥିଲା, ଏହି ସଚିବସ୍ତରୀୟ ଅଧିକାରୀ ଜଣକ ସରକାରୀ ଖର୍ଚ୍ଚରେ ହେଲିକପଟରରେ ବିଭିନ୍ନ ଅଂଚଳ ଗସ୍ତ କରୁଛନ୍ତି, ସରକାରୀ ଅଧିକାରୀଙ୍କୁ ବସାଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରୁଛନ୍ତି । ସେ ନୂଆ ପ୍ରକଳ୍ପ ଘୋଷଣା କରିବା ସଂଗେ ସଂଗେ ସେଥିପାଇଁ ଅର୍ଥବରାଦ ମଧ୍ୟ କରୁଛନ୍ତି । ସଭା ସମିତି ହେଉଛି । ସଚିବସ୍ତରୀୟ ଅଧିକାରୀ ଜଣକ ନେତାଙ୍କ ଭଳି ବେକରେ ଫୁଲମାଳ ପକାଇ ସଭାରେ ଭାଷଣ ଦେଉଥିବା ବେଳେ ଅଂଚଳର ଲୋକପ୍ରତିନିଧିମାନେ ହାତରେ ଫୁଳମାଳ ଧରି ତାଙ୍କୁ ସ୍ୱାଗତ କରୁଛନ୍ତି ଏବଂ ଗସ୍ତର ଆୟୋଜନ ଓ ତଦାରଖ କରୁଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ହିଁ ସେ ବିଭିନ୍ନ ଅଂଚଳ ଗସ୍ତ କରୁଥିବା ଏବଂ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ସହ ନୂଆ ପ୍ରକଳ୍ପ ଘୋଷଣା କରୁଥିବା ଅଧିକାରୀ ଜଣକ କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ସେସବୁ ପ୍ରସ୍ତାବକୁ ତୁରନ୍ତ ଅନୁମୋଦନ ଦେଇ କାର୍ଯ୍ୟକାରୀ କରିବା ସକାଶେ ଅର୍ଥ ବରାଦ କରୁଥିବା ଜନସାଧାରଣରେ ତାଙ୍କ ବିଶ୍ୱସନୀୟତା ବଢାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ସଂପୃକ୍ତ ଅଧିକାରୀଙ୍କୁ ଯେଭଳି ସ୍ୱାଗତ ସଂବର୍ଦ୍ଧନା ମିଳୁଛି ନେତାଙ୍କୁ ମଧ୍ୟ ମିଳୁ ନାହିଁ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ନିର୍ବାଚିତ ପ୍ରତିନିଧିଙ୍କ ଶାସନ ଚାଲିଛି ନା କିଛି ମୁଷ୍ଠିମେୟ ସରକାରୀ ଅଧିକାରୀଙ୍କ (?) ବୋଲି ପ୍ରଶ୍ନ ଉଠାଇ ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟରୁ ଉତ୍ତର ଚାହିଁ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବା ମୁଖ୍ୟ ଶାସନ ସଚିବ ତାହାର ଉତ୍ତର ରଖି ନାହାନ୍ତି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସେଦିନ ‘ଶଙ୍ଖ ଭବନ’ରେ ସାମ୍ବାଦିକ ସମ୍ମିଳନୀ ଡାକି ଯାହା ଉତ୍ତର ରଖିଲେ ତାହା ମୂଳ ପ୍ରଶ୍ନଠାରୁ ବହୁ ଦୂରରେ । ଏହାକୁ ନେଇ ବିଜେଡ଼ିର ଦୁଇ ଜଣ ବରିଷ୍ଠ ବିଧାୟକ ମୁହାଁମୁହିଁ ହେବା ମଧ୍ୟ ଓଡ଼ିଶା ରାଜନୀତିକୁ ଉଷ୍ଣ କରିଛି ।
୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶା ବିଜେପିର ଏକାଧିକ କ୍ଷମତାକେନ୍ଦ୍ର ସୃଷ୍ଟି ହୋଇ ସକ୍ରିୟ ଭାବେ କାର୍ଯ୍ୟ କରୁଛି – ତାହା କାହାରିକୁ ଅଛପା ନାହିଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଦଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଇ ନିଜର ଏକ କ୍ଷମତାକେନ୍ଦ୍ର ସୃଷ୍ଟି କରିଛନ୍ତି । ଦଳ ଭିତରେ ଗୋଷ୍ଠୀ କନ୍ଦଳ କାରଣରୁ ନେତାମାନେ ବିଭାଜିତ ହୋଇ ରହିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଟାର୍ଗେଟ୍ କରିବା ସମୟରେ ଦଳର ଅନ୍ୟ ନେତାମାନେ ନିରବଦ୍ରଷ୍ଟା ରହିବା ଅତୀତରେ ଦେଖିବାକୁ ମିଳିଛି । ତେବେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଚାଲିଥିବା ଅଫିସର ଶାସନକୁ ନେଇ ଅପରାଜିତା ଗତ ଶନିବାର ଦିନ ଯେଉଁ ସ୍ୱର ଉତ୍ତୋଳନ କରିଛନ୍ତି ସେଥିରେ ଦଳର ରାଜ୍ୟସ୍ତର ନେତାମାନେ ସ୍ୱର ମିଳାଇବା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ମଧ୍ୟ ଆଜି ଭବାନୀପାଟଣାରେ ଆୟୋଜିତ ଏକ ଦଳୀୟ ସଭାରେ ତାହା ଦୋହରାଇବା ଏକ ବ୍ୟତିକ୍ରମ କୁହାଯାଇପାରେ ।
ନଡ୍ଡା ମହାଶୟ ୨୦୧୯ ନିର୍ବାଚନ ପ୍ରଚାର ସମୟରେ ‘ଓଡ଼ିଶାରେ କିଏ ଶାସନ କରୁଛି ଜାଣିପାରୁ ନାହାନ୍ତି’ ବୋଲି କହି ରାଜ୍ୟରେ ଚାଲିଥିବା ‘ଅଫିସର ସର୍ବସ୍ୱ ଶାସନ’ ଆଡକୁ ଆଂଗୁଠି ଦେଖାଇ ଥିଲେ । ଓଡ଼ିଶା ସରକାର ‘ପୋଡା ଟ୍ରାନ୍ସଫର୍ମର’ କହି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହ ‘ଡବଲ ଇଂଜିନ’ ସରକାର ପ୍ରତିଷ୍ଠା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ । ନିର୍ବାଚନ ପରେ ଶାସକ ବିଜେଡ଼ିକୁ ରାଜ୍ୟ ବିଜେପି ନେତୃବର୍ଗ ସେମାନଙ୍କ ରାଜନୈତିକ ଶତୃ ଭାବେ ବିଚାର କରୁଥିବା ବେଳେ ଦଳର କେନ୍ଦ୍ରୀୟ ନେତୃବର୍ଗ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ତାଙ୍କ ନେତୃତ୍ୱାଧୀନ ବିଜେଡ଼ିକୁ ଏନଡିଏ ବାହାରେ ଥିବା ଏକ ରାଜନୈତିକ ସହଯୋଗୀ ଭାବେ ବିବେଚନା କରିଆସିଛନ୍ତି । ଏମିତି ବି ‘ଡବଲ ଇଂଜିନ’ରେ ସବୁ କିଛି ଚାଲିଛି । ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଜେପି ରାଷ୍ଟ୍ରୀୟ ନେତାମାନେ ଓଡ଼ିଶା ଆସିଲେ ‘ଓଡ଼ିଶାରେ କାହା ଶାସନ ଚାଲିଛି ଜାଣିପାରୁ ନାହାନ୍ତି’ ବୋଲି ମନ୍ତବ୍ୟ ରଖିବା ରାଜନୀତି ବ୍ୟତୀତ ଆଉ କିଛି ନୁହେଁ, ଏକଥା ନିଦ୍ୱର୍ନ୍ଦ୍ୱରେ କହି ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS