ବିରୋଧୀଙ୍କ ପାଟନା ବୈଠକ ସରିଲା, ପରବର୍ତ୍ତୀ ବୈଠକ ଜୁଲାଇରେ ସିମଲାରେ


ପ୍ରସାଦ ରାଓ
ଜୁନ ୨୩
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆହ୍ୱାନକ୍ରମେ ପାଟନାଠାରେ ଆଜି ୧୬ଟି ବିରୋଧୀ ଦଳର ମିଳିତ ବୈଠକ ଅନୁଷ୍ଠିତ ହୋଇଛି । ଦୀର୍ଘ ଚାରି ଘଂଟା ଧରି ଏହି ବୈଠକ ଚାଲିଥିଲା । ପରେ, ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ରାଜନୈତିକ ଦଳର ନେତାମାନେ କହିଛନ୍ତି, ୨୦୨୪ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ସେମାନେ ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ, ଅଧିକ ଆଲୋଚନା ପାଇଁ ଆସନ୍ତା ମାସରେ ହିମାଚଳ ପ୍ରଦେଶର ସିମଲାଠାରେ ସେମାନେ ଆଉ ଏକ ବୈଠକରେ ମିଳିତ ହେବେ । ଆଜିର ବୈଠକରେ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରୀୱାଲ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଯୋଗ ଦେଇଥିଲେ ମଧ୍ୟ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନଥିଲେ । ଷ୍ଟାଲିନ୍ ତୁରନ୍ତ ଫେରିଯିବାକୁ ଥିବାରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ନଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ବୈଠକର ଆବାହକ ନୀତୀଶ କୁମାର କହିଛନ୍ତି । ଅପରପକ୍ଷରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ କଂଗ୍ରେସ ପ୍ରତି କ୍ଷୁବ୍ଧ ଥିବାରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅନୁପସ୍ଥିତ ଥିବା ଅନୁମାନ କରାଯାଉଛି । କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରି ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ରାଜ୍ୟରେ ପ୍ରଶାସକ ନିଯୁକ୍ତି, ବଦଳୀ ଓ ଅନ୍ୟାନ୍ୟ ସେବା ପରିଚାଳନା କରିବାର ଅଧିକାର ଦେଇଥିବାରୁ ମୁଖ୍ୟମନ୍ତ୍ରୀ କେଜରୀୱାଲ କ୍ଷୁବ୍ଧ । ଏହା ଏକ ‘କଳା ଅଧ୍ୟଦେଶ’ ବୋଲି ଦର୍ଶାଇ କେଜରୀୱାଲ ରାଜ୍ୟସଭାରେ ସମସ୍ତ ବିରୋଧୀ ଦଳ ମିଳିତ ଭାବେ ଏହାକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ । ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ଭେଟି ସେମାନଙ୍କ ସମର୍ଥନ ଲୋଡି ଥିଲେ । ଆଜି ବିରୋଧୀ ଦଳଙ୍କ ବୈଠକରେ ଦେଶର ବୃହତ୍ତମ ବିରୋଧୀ ରାଜନୈତିକ ଦଳ କଂଗ୍ରେସ ଏହି ଅଧ୍ୟାଦେଶକୁ ଖୋଲାଖୋଲି ନିନ୍ଦା କରୁ ଓ କଂଗ୍ରେସର ସମସ୍ତ ୩୧ ରାଜ୍ୟସଭା ସାଂସଦ ରାଜ୍ୟସଭାରେ ଏହା ବିରୋଧରେ ଭୋଟ ଦେବେ ବୋଲି ଘୋଷଣା କରନ୍ତୁ ବୋଲି ‘ଆପ୍’ ମୁଖ୍ୟ କେଜରୀୱାଲ ଦାବି କରିଥିଲେ । ତେବେ, ଏଭଳି ଏକ ବଡ ଧରଣର ବୈଠକରେ ଛୋଟ ସମସ୍ୟାକୁ ନେଇ ଆଲୋଚନା କରାଯିବା ଠକ୍ ନୁହେଁ, ରାଜ୍ୟସଭା ଅଧିବେଶନ ସମୟରେ ବିରୋଧୀ ଦଳମାନେ ଗୃହରେ କି କି ପ୍ରସଙ୍ଗ ଉଠାଇବେ ସେନେଇ ଆଲୋଚନା ବେଳେ ଏହି ପ୍ରସଙ୍ଗକୁ ବିଚାରକୁ ନିଆଯିବ ବୋଲି କଂଗ୍ରେସ ସ୍ପଷ୍ଟ କରିବାରୁ କେଜରୀୱାଲ ବିଗିଡି ଯାଇଥିଲେ । ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଖୋଲାଖୋଲି ତାହାର ମତ ନ ରଖିବା ଯାଏଁ ବିରୋଧୀ ଦଳଙ୍କ ଦ୍ୱାରା ଆୟୋଜନ ହେବାକୁ ଥିବା ପରବର୍ତ୍ତୀ କୌଣସି ବୈଠକରେ ସେ ଯୋଗ ଦେବେ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଆଜି ଘୋଷଣା କରିଥିବା ଜଣାପଡିଛି । ଆଜିର ବୈଠକ ପୂର୍ବରୁ ‘ଆପ୍’ର ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ବିରୋଧରେ କରିଥିବା ଅଭିଯୋଗକୁ ନେଇ ବୈଠକରେ ‘ଆପ୍’ ମୁଖ୍ୟ କେଜରୀୱାଲ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବିଜେପି ସହିତ କଂଗ୍ରେସର ବୁଝାମଣା ହୋଇଥିବାରୁ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ମୁହଁ ଖୋଲୁନି ବୋଲି କକ୍କର ଅଭିଯୋଗ କରିଥିଲେ । ଆଜି ପାଟନାରୁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ତାହା ଜନ ଆନେ୍ଦୋଳନ ହେବାକୁ ଯାଉଛି ବୋଲି ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବିରୋଧୀ ଦଳମାନେ ଏକାଠି ହେଉଛନ୍ତି, ୨୦୨୪ ନିର୍ବାଚନ ଏକାଠି ଲଢିବେ ବୋଲି କହିଛନ୍ତି । ଅପରପକ୍ଷରେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଜମ୍ମୁରେ କହିଛନ୍ତି, ବିରୋଧୀ ଦଳମାନେ ଏକାଠି ହେବା ପ୍ରଶ୍ନ ଉଠୁ ନାହିଁ । ଆଜି ପାଟନାରେ ସେମାନେ କେବଳ ଫଟୋ-ସେସନ୍ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନ ପାଇବ ଏବଂ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS