୨୦୨୪, ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଏକତା…
ପ୍ରସାଦ ରାଓ
ଜୁନ ୨୬
୨୦୨୪ ଯେତିକି ପାଖୋଉଛି ଭାରତୀୟ ରାଜନୀତିରେ କୋଳାହଳ ସେତିକି ବଢୁଥିବା ଦେଖିବାକୁ ମିଳୁଛି । କୋଳାହଳର କାରଣ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀଙ୍କୁ ପରାଜିତ କରି ଲଗାତର ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ବିଜେପି ଦୃଢତାର ସହ କହୁଥିବା ବେଳେ ମୋଦୀଙ୍କୁ ପରାଜିତ କରି କେନ୍ଦ୍ରରେ ଅଣ-ବିଜେପି ସରକାର ପ୍ରତିଷ୍ଠା ପାଇଁ ଦେଶର ପ୍ରମୁଖ ବିରୋଧୀ ରାଜନୈତିକ ଦଳମାନେ ଏକାଠି ହେବାର ସଂକଳ୍ପ ନେଇଛନ୍ତି । ସେମାନେ ବର୍ଷ ବର୍ଷ ଧରି ଥିବା ରାଜନୈତିକ ଶତୃତାକୁ ଜଳାଂଜଳୀ ଦେଇ ଏକାଠି ହେଉଥିବାର ଘୋଷଣାକୁ ବିଜେପି ତାତ୍ସଲ୍ୟ କରୁଥିଲେ ମଧ୍ୟ ସଂପୂର୍ଣର୍ ଭାବେ ଅଣଦେଖା କରିପାରୁନାହିଁ । ଫଳରେ ଉଭୟ ପକ୍ଷ ମଧ୍ୟରେ ଯେଉଁ ବୟାନବାଜୀ ଚାଲିଛି ତାହା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ସମଗ୍ର ଦେଶକୁ ଆଚ୍ଛାଦିତ କଲା ଭଳି ଭାରତୀୟ ରାଜନୀତିକୁ ଆଚ୍ଛାଦିତ କରିବାରେ ଲାଗଛି ।
୨୦୨୪ ନିର୍ବାଚନ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସକାଶେ ଏଇଥିପାଇଁ ଅଗ୍ନି ପରୀକ୍ଷାର ସମୟ ହେବାକୁ ଯାଉଛି କି, ବିଗତ ନଅ ବର୍ଷ ଦେଶବାସୀ ମୋଦୀଙ୍କ ଶାସନକୁ ଅଂଗେ ନିଭାଉଛନ୍ତି । ଏହି ନଅ ବର୍ଷ ଭିତରେ ଯାହା ହେଉ, ନହେଉ ଦେଶରେ ସାଂପ୍ରଦାୟିକ ଧ୍ରୁବୀକରଣ ଚରମରେ ପହଂଚିଛି । ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ଦେଶର ଗଣତନ୍ତ୍ରକୁ ବିପନ୍ନ କରୁଥିବା କେବଳ ବିରୋଧୀ ନୁହନ୍ତି, ଦେଶର ବହୁ ବୁଦ୍ଧିଜୀବୀ ମଧ୍ୟ ଅନୁଭବ କରୁଛନ୍ତି ଓ ଏହା ବିରୋଧରେ ଖୋଲାଖୋଲି ମତ ରଖୁଛନ୍ତି । ଭାରତୀୟ ଗଣତନ୍ତ୍ରର ସାଂପ୍ରତିକ ଅବସ୍ଥାକୁ ନେଇ ବିଦେଶ ମାଟିରେ ଆଲୋଚନା, ସମାଲୋଚନା ହେଉଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଭଳି ଉଦାରବାଦୀ ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନରେ ସଂଖ୍ୟାଲଘୁଙ୍କ ଅବସ୍ଥାକୁ ନେଇ ଟିପ୍ପଣୀ ଦେବା ଆରମ୍ଭ କଲେଣି । ଗତ ନଅ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟି ଥିବା ସରକାର ଦାବି କରୁଥିବା ବେଳେ ଦେଶରେ ବେକାରୀ, ଦରଦାମ ବୃଦ୍ଧି ଭଳି ସମସ୍ୟା ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଯାହାସବୁ ପ୍ରତିଶ୍ରୁତି ଦେଇ ୨୦୧୪ରେ ପ୍ରଥମ କରି କ୍ଷମତା ଦଖଲ କରିଥିଲେ ଗତ ନଅ ବର୍ଷ ଭିତରେ ତାଙ୍କ ସରକାର ତାହା ପୂରଣ କରିବାରେ ସଫଳ ହୋଇ ନାହାନ୍ତି । ଅପରପକ୍ଷରେ, ଶାସନ ତାହାର ବିପରିତ ଦିଗରେ ଚାଲିଛି ବୋଲି ବିରୋଧୀ ଯାହା ଅଭିଯୋଗ କରୁଛନ୍ତି ମୋଦୀ ସମର୍ଥକମାନେ ତାହାକୁ ଅପପ୍ରଚାର କହି ଟାଳି ଦେଉଥିଲେ ମଧ୍ୟ ଦେଶବାସୀଙ୍କ ମନ ଭିତରେ ଧୀରେ ଧୀରେ ତାହା ଦାନା ବାନ୍ଧୁଥିବା ଲକ୍ଷ୍ୟ କରାଯାଉଛି । ତେବେ, ବିକଳ୍ପ ରାଜନୈତିକ ନେତୃତ୍ୱ ଅଭାବ କାରଣରୁ ଦେଶବାସୀ ସାଂପ୍ରତିକ ରାଜନୈତିକ ପରିସ୍ଥିତି ସହ ନିଜକୁ ଖାପ ଖୁଆଇବାକୁ ବାଧ୍ୟ ହେଉଛନ୍ତି । ୨୦୧୪ରେ ଦେଶରେ ସରକାର ପରିବର୍ତ୍ତନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଆସିବା କିଛି ଅଲୌକିକ କଥା ନଥିଲା । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିଲା । ଏହି ସରକାର ବିରୋଧରେ ମାତ୍ରାଧିକ ଦୁର୍ନୀତି, ପ୍ରିୟାପ୍ରିତି ଓ କୁଶାସନ ଅଭିଯୋଗ ଥିଲା । ଦେଶବାସୀ ଅତିଷ୍ଟ ହୋଇ ପରିବର୍ତ୍ତନ ଚାହୁଁଥିଲେ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ ସେହି ପରିବର୍ତ୍ତନର ବାର୍ତ୍ତା ଧରି ୨୦୧୪ରେ ଜାତୀୟ ରାଜନୀତିକୁ ଆସିଥିଲେ ।
ଦେଶରେ ‘ଗୁଜରାଟ’ ଧରଣର ସୁଶାସନ ପ୍ରତିଷ୍ଠା ହେବ । ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯେଭଳି ରାଜ୍ୟର ଅର୍ଥନୈତିକ ବିକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ହେବା ପରେ ସେହିଭଳି ଦେଶର ବିକାଶ କରିବେ – ଏହାଥିଲା ୨୦୧୪ରେ ବିଜେପିର ପ୍ରଚାର । ଦେଶରେ ‘ଗୁଜରାଟ ମଡେଲ’ ସରକାର ପ୍ରତିଷ୍ଠାର ସ୍ୱପ୍ନ ଦେଖାଇ ବିଜେପି ଜନମତକୁ ପ୍ରଲୋଭିତ କରିଥିଲା । ଏହି ମଡେଲର ବାସ୍ତବିକତା କଣ ଜାଣି ନଥିବା ମତଦାତା ମଧ୍ୟ ୟୁପିଏ ଶାସନ ବିରୋଧରେ କ୍ରୋଧକୁ ପରିପ୍ରକାଶ କରିବାକୁ ଯାଇ ମୋଦୀଙ୍କ ପ୍ରତି ବିପୁଳ ସମର୍ଥନ ଜଣାଇଲେ । ‘ଗୁଜରାଟ ମଡେଲ’ କଣ ? – ଠିକ୍ ଭାବେ ଜାଣି ନଥିବା ମତଦାତା ମଧ୍ୟ କଂଗ୍ରେସ ଓ ତାହାର ସହେଯୋଗୀଙ୍କ (ୟୁପିଏ) ୧୦ ବର୍ଷର କୁଶାସନରେ ଅତିଷ୍ଟ ହୋଇ ବିଜେପି ଓ ତାହାର ସହଯୋଗୀଙ୍କ (ଏନଡିଏ) ସପକ୍ଷରେ ଭୋଟ ଦେଲେ । ଫଳରେ, ମୋଦୀଜୀ ଦେଶରେ ଏକ ରାଜନୈତିକ ସୁନାମୀ ଆଣିବାରେ ସଫଳ ହେଲେ । ତେବେ, ଦେଶରେ ବିଜେପି ନେତୃତ୍ୱରେ ଏନଡିଏର ସରକାର ପ୍ରତିଷ୍ଠା ହେବାର ନଅ ବର୍ଷ ଭିତରେ ଦେଶରେ କଥିତ ‘ଗୁଜରାଟ ମଡେଲ’ ବିକାଶ କଥା ଦୂରେଥାଉ, ‘ମୋଦୀ ମଡେଲ’ ମଧ୍ୟ ଦରବୃଦ୍ଧି, ବେକାରୀ ଓ ଅର୍ଥନୈତିକ ଅବ୍ୟବସ୍ଥାକୁ ଦୂର କରିବାକୁ ସକ୍ଷମ ହୋଇନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପର୍ଯ୍ୟାୟ ଶାସନରେ ଗ୍ରହଣ କରାଯାଇଥିବା ବିମୁଦ୍ରୀକରଣ ଓ ଜିଏସଟି ଲାଗୁ ନୀତି ଆଜି ମଧ୍ୟ ଏକ ବିବାଦୀୟ ବିଷୟ ହୋଇ ରହିଛି ।
୨୦୧୯ ସାଧାରଣ ନିର୍ବାଚନ ବେଳକୁ ଦେଶବାସୀ ଏକପ୍ରକାର ‘ମୋଦୀ କିମିଆ’ରୁ ଦୂରେଇବା ଆରମ୍ଭ କରିଥିଲେ । ଦେଶରେ ‘ସରକାର ବିରୋଧୀ’ ମାହୋଲ ସୃଷ୍ଟି ହୋଇସାରିଥିଲା । ତେବେ, ବିରୋଧୀ ତାହାର ଫାଇଦା ନେଇ ପାରି ନଥିଲେ । ଏହାର କାରଣ ଥିଲା, ବିଜେପି ବିରୋଧରେ ଅଣ-ବିଜେପି ବିରୋଧୀ ଦଳଙ୍କ ରଣନୀତିରେ ବିଫଳତା । ସେମାନେ ଏକାଠି ହୋଇ ବିଜେପିର ମୁକାବିଲା କରିନଥିଲେ । ମତଦାତା ବିରୋଧୀ ଶିବିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେଲା ଭଳି ଜଣେ କଠୋର ନେତାଙ୍କୁ ଦେଖି ପାରିନଥିଲେ । ଦେଶର ଅନ୍ୟତମ ବୃହତ୍ତ ଜାତୀୟ ରାଜନୈତିକ ଦଳ କଂଗ୍ରେସର ନେତୃତ୍ୱ ନେଉଥିବା ସେହିସମୟର ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିଜର ଅପରିପକ୍ୱ ବୟାନବାଜୀ କାରଣରୁ ଜନସାଧାରଣରେ ଉପହାସର ଶରବ୍ୟ ଥିଲେ । ତଥାପି, କଂଗ୍ରେସ ବିଜେପିକୁ ଟକ୍କର ଦେଲା ଭଳି ପ୍ରଚାର ଅଭିଯାନ ଚଳାଇ ଥିବା ସମୟରେ ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ ଘଟିଥିଲା ଜମ୍ମୁ-କଶ୍ମୀରର ପୁଲୱାମା ଆତଙ୍କୀ ହମଲା । ପୁଲୱାମାରେ ପାକ୍ ପ୍ରୟୋଜିତ ଆତଙ୍କୀ ହମଲାରେ ଘଟଣା ସ୍ଥଳରେ ହିଁ ଭାରତୀୟ ଅର୍ଦ୍ଧସାମରିକ ବାହିନୀର ୪୦ ଜଣ ଯବାନ ସହିଦ ହୋଇଥିଲେ । ସମଗ୍ର ଦେଶରେ ଏହା ବିରୋଧରେ ଆକ୍ରୋଶର ବାତାବରଣ ଥିଲା । ଭାରତୀୟ ସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନ ଅଂଚଳରେ ‘ସର୍ଜିକାଲ ଷ୍ଟାଇକ୍’ କରି ତାହାର ଉଚିତ ଜବାବ ଦେଇଥିଲେ ।
ଏହି ‘ସର୍ଜିକାଲ ଷ୍ଟାଇକ୍’ ବଦଳାଇ ଦେଇଥିଲା ୨୦୧୯ ସାଧାରଣ ନିର୍ବାଚନର ମୋଡ । ଦେଶବାସୀ ଭୁଲି ଗଲେ ଦରବୃଦ୍ଧି ଓ ବର୍ଦ୍ଧିତ ବେକାର ଭଳି ଉକ୍ରଟ ସମସ୍ୟାକୁ । ବିମୁଦ୍ରୀକରଣ ଓ ଜିଏସଟି ଲାଗୁ ପରର ଦୁଃଖକୁ । ସେନା ‘ସର୍ଜିକାଲ ଷ୍ଟାଇକ୍’ କରିଥିଲା ସିନା ଶ୍ରେୟ ନେଇଥିଲେ ମୋଦୀ ସରକାର । ଏକାଥରେ ୪୦ ଅର୍ଦ୍ଧ ସାମରିକ ଯବାନଙ୍କ ମୃତ୍ୟୁରେ କ୍ରୁଦ୍ଧ ଜନତା ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ‘ଜାତୀୟତାବାଦ’ ପ୍ରଚାରରେ ଏତେଦୂର ମଜ୍ଜି ଗଲେ ଯେ ବିରୋଧୀ ବାଟ ପାଇଲେ ନାହିଁ । ଭାବପ୍ରବଣ ଜନତା ଭାବାବେଗରେ ଆସି ଏଭଳି ମତଦାନ କଲେ ଯେ ସମଗ୍ର ଦେଶରେ ବିରୋଧୀ ମୂଳପୋଛପ୍ରାୟ ହୋଇଗଲେ । ବିଜେପି ୨୦୧୪ ଠାରୁ ଅଧିକ ଆସନ ପାଇ ଲୋକସଭାରେ ଏକାକୀ ଶାସନ କରିବାର ବଳ ପାଇଗଲା । ତାହାର ସହଯୋଗୀମାନେ ମଧ୍ୟ ବିଜେପି ନେତୃତ୍ୱ ନିକଟରେ ଗୌଣ ହୋଇଗଲେ । ନିରଙ୍କୁଶ କ୍ଷମତା ସରକାରଙ୍କୁ ନିଷ୍ଠୁର କରିବା ସ୍ୱାଭାବିକ । ଆଜି ଦେଶରେ ସେହିଭଳି ପରିସ୍ଥିତି ରହିଛି । ଲୋକସଭାରେ ଯଥେଷ୍ଟ ସଂଖ୍ୟା ଥିବାରୁ ମୋଦୀ ସରକାର ବିନା ଚର୍ଚ୍ଚାରେ ଗୁରୁତ୍ୱପୂର୍ଣ୍ଣ ନିୟମ କାନୁନ ପ୍ରଣୟନ କରୁଥିବା ବେଳେ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେଡ଼ି, ୱାଇଏସଆରସିପି ଭଳି ଆଂଚଳିକ ଦଳଙ୍କ ସମର୍ଥନ ନେଉଛନ୍ତି । ଏହି ଆଂଚଳିକ ଦଳମାନେ ନିଜ ନିଜ ରାଜ୍ୟରେ ବିଜେପି ସହ ଲଢୁଥିଲେ ମଧ୍ୟ ଜାତୀୟ ରାଜନୀତିରେ ମୋଦୀ ସରକାରଙ୍କୁ ଅନ୍ଧ ସମର୍ଥନ ଦେଇ ଆସୁଛନ୍ତି ।
ଏବେ ଆସିବା ୨୦୨୪ର ପ୍ରସ୍ତୁତିକୁ । କେନ୍ଦ୍ରରେ ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ବିଜେପି ବିରୋଧୀଙ୍କୁ ଏତେଦୂର ନିର୍ବଳ କରିଛି ଯେ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ସ୍ୱପ୍ନ ଦେଖୁଛି । ଅପରପକ୍ଷରେ, ମୋଦୀ ସରକାରଙ୍କ ଶାସନରେ ଅତିଷ୍ଟ ବିରୋଧୀ ରାଜନୈତିକ ଦଳମାନେ ଏବେ ‘ମୋଦୀ ହଟାଓ’ ଅଭିଯାନକୁ ଶାଣିତ କରିବା ଉଦ୍ୟମରେ ଅଛନ୍ତି । ବିରୋଧୀ ଏକତା ଉଦ୍ୟମ ଏଯାବତ୍ ଜନତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇ ନାହିଁ । ତେବେ, ଧୀରେ ଧୀରେ ତାହା ଦାନା ବାନ୍ଧୁଥିବାରୁ ବିରୋଧୀଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି । ଜାତି, ସଂପ୍ରଦାୟକୁ ନେଇ ଦେଶରେ ଯେଉଁ ଧ୍ରୁବୀକରଣ ରାଜନୀତି ଚାଲିଛି ତାହା ଅଧିକାଂଶ ଭାରତୀୟଙ୍କ ପାଇଁ ଗ୍ରହଣ ନଥିଲେ ମଧ୍ୟ ଜନମତ ବିଭାଜନରେ ସକ୍ଷମ ହେଉଛି । ଦେଶର ଗଣମାଧ୍ୟମ ସରକାରଙ୍କ ବନ୍ଧୁ ହାଇ ରହିବା ଅଧିକା ଲାଭଦାୟକ ବୋଲି ଧରି ନେଇ ଏକପାଖିଆ ବ୍ୟାଖ୍ୟାୟନକୁ ପ୍ରାଧାନ୍ୟ ଦେଉଥିବା ସମୟରେ ବିଭିନ୍ନ ଗଣତାନ୍ତ୍ରିକ ଅନୁଷ୍ଠାନ ଶ୍ୱାସରୁଦ୍ଧ ଅବସ୍ଥାରେ ଅଛନ୍ତି । ଏହାଦ୍ୱାରା ଦେଶର ଗଣତନ୍ତ୍ର ବିପନ୍ନ ହୋଇପଡିଥିବା ସମସ୍ତେ ଅନୁଭବ କରୁଛନ୍ତି ସିନା ବିଭିନ୍ନ କାରଣରୁ ନିଜକୁ ବିବାଦରୁ ଦୂରେଇ ରଖୁଛନ୍ତି । ଯଦିବା କେହି ସରକାରଙ୍କ ବିରୋଧୀରେ ସ୍ୱର ଉଠାଉଛନ୍ତି ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ, ଆୟକର ବିଭାଗ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଅସ୍ତ୍ର ନିର୍ବିଚାରରେ ସେମାନଙ୍କ ପ୍ରତି ପ୍ରୟୋଗ କରାଯାଉଥିବା ବିରୋଧୀଙ୍କୁ ସଂଗଠିତ ହେବାକୁ ବାଧ୍ୟ କରିଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ସମୟରେ ପ୍ରତିକୂଳ ଟିପ୍ପଣୀ ଦେଉଛି ସତ, କିନ୍ତୁ ତାହା ସରକାରଙ୍କୁ ସ୍ୱେଚ୍ଛାଚାରୀ ହେବାରେ ରୋକି ପାରୁନାହିଁ ।
ଦେଶବାସୀ ୨୦୨୪ ନିର୍ବାଚନରେ ଅନ୍ତତଃ ବିଜେପିକୁ ଏହାର ଜବାବ ଦେବେ ବୋଲି ଆଶା କରୁଥିବା ବିରୋଧୀ ରାଜନୈତିକ ଦଳମାନେ ଏକାଠି ହେବାକୁ ଯେଉଁ ଉଦ୍ୟମ କରୁଛନ୍ତି ତାହାର ପ୍ରଥମ ଆନୁଷ୍ଠାନିକ ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡ଼ିୟୁ)ଙ୍କ ନେତୃତ୍ୱରେ ଜୁନ ୨୩ ତାରିଖ ଦିନ ପାଟନାଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟୁନ ୧୬ଟି ବିରୋଧୀ ରାଜନୈତିକ ଦଳର ୩୨ ଜଣ ନେତା ଏହି ବୈଠକରେ ଯୋଗଦେଇ ଯାହା ମତାମତ ରଖିଛନ୍ତି ତାହା ଆଗାମୀ ଦିନରେ ଦେଶରେ ଏକ ପ୍ରଗତିଶୀଳ ବିରୋଧୀ ମେଂଟ ଗଠନ ସମ୍ଭାବନାକୁ ଦୃଢିଭୂତ କରିଛି । ଚଳିତ ବର୍ଷ ପ୍ରାରମ୍ଭ ସୁଦ୍ଧା ବିରୋଧୀ ରାଜନୈତିକ ଦଳଙ୍କ ପାଇଁ କଂଗ୍ରେସ ଅସ୍ପୃଶ୍ୟ ଥିଲା । ତେବେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାସାଧିକ କାଳ ‘ଭାରତ ଯୋଡୋ’ ଯାତ୍ରା ଏବଂ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଆଶାତୀତ ବିଜୟର ପ୍ରଭାବ ଦଳକୁ ବିରୋଧୀଙ୍କ ମଧ୍ୟରେ ଗ୍ରହଣୀୟ କରାଇବା ସହ ବିରୋଧୀ ମେଂଟର ନେତୃତ୍ୱ ନେବାକୁ ଆଉ ଏକ ସୁଯୋଗ ଦେଇଥିବା ଦେଖିବାକୁ ମିଳୁଛି । ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ପୁନଃ କ୍ଷମତା ଦଖଲ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳର ବିରିଷ୍ଠ ନେତାମାନେ ବିଶ୍ୱାସ କରୁଥିଲେ । ସେମାନଙ୍କ ଅବିରାମ ନିର୍ବାଚନ ପ୍ରଚାର ସତ୍ତ୍ୱେ କଂଗ୍ରେସ ସଫଳ ହେବା ଜାତୀୟ ରାଜନୀତିରେ କଂଗ୍ରେସର ସ୍ଥିତିକୁ ପୁନଃ ସୁଦୃଢ କରିଥିବା ବେଳେ ଏହାର ଶ୍ରେୟ ରାହୁଲ ଗାନ୍ଧୀଙ୍କୁ ଦିଆଯାଉଛି ।
ଜୁନ ୨୩ ତାରିଖ ବୈଠକରେ ଯୋଗ ଦେଇଥିବା ବିରୋଧୀ ରାଜନେତାମାନେ ସମ୍ଭାବ୍ୟ ବେଂଟର ନେତୃତ୍ୱ କଂଗ୍ରେସ ନେଉ ବୋଲି ପ୍ରସ୍ତାବ ଦେଇ କଂଗ୍ରେସ ଫେରି ପାଇଥିବା ପ୍ରାଧାନ୍ୟକୁ ଏକପ୍ରକାର ସ୍ୱୀକାର କରିଥିବା ଅନୁମାନ କରାଯାଉଛି । ବିରୋଧୀ ଏକତା ପ୍ରସଙ୍ଗରେ କଂଗ୍ରେସ ପ୍ରଥମେ ତାହାର ବକ୍ତବ୍ୟ ରଖୁ ବୋଲି ଆବାହକ ନୀତୀଶ କୁମାର ସୁଯୋଗ ଦେଇଥିଲେ । ତେବେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ତାହା ଗ୍ରହଣ ନକରି ଅନ୍ୟ ନେତାମାନଙ୍କଠାରୁ ଶୁଣିବା ପରେ କଂଗ୍ରେସ ତାହାର ମତାମତ ଉପସ୍ଥାପନ କରିବ ବୋଲି କହିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡିୟୁ) ପ୍ରଥମେ ବକ୍ତବ୍ୟ ରଖି କହିଥିଲେ, ୨୦୨୪ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ ଏକତା ଦିଗରେ ଏହି ବୈଠକ ହେଉଛି ପ୍ରଥମ ଆନୁଷ୍ଠାନିକ ପଦକ୍ଷେପ । ନିର୍ବାଚନ ସମୟ ଯେତେ ପାଖକୁ ଆସିବ ବିରୋଧ ଏକତା ସେତିକି ସୁଦୃଢ ହେବ ଏବଂ ଅଧିକରୁ ଅଧିକ ବିରୋଧୀ ଦଳ ମେଂଟରେ ସାମିଲ ହେବେ ବୋଲି ସେ ଆଶା କରୁଛନ୍ତି । ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏହି ବୈଠକରେ ଯୋଗ ଦେଇ ବକ୍ତବ୍ୟ ରଖିବା ଜାତୀୟ ଗଣାମଧ୍ୟମକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ଲାଲୁ କହିଛନ୍ତି, ଦେଶର ସବୁଠାରୁ ବଡ ବିରୋଧୀ ରାଜନୈତିକ ଦଳ (କଂଗ୍ରେସ) ବିରୋଧୀ ଏକତାର ନେତୃତ୍ୱ ନେବା ଆବଶ୍ୟକ ।
ଆସନ ବୁଝାମଣା ସମୟରେ କଂଗ୍ରେସ ଅଧିକ ସହୃଦୟତା ପ୍ରଦର୍ଶନ କରିବାକୁ ଲାଲୁ ଆହ୍ୱାନ ଦେଇଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାର ବିରୋଧୀ କେବଳ ନିର୍ବାଚନ ପାଇଁ ନୁହେଁ, ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକାଠି ହେବା ଆବଶ୍ୟକ ବୋଲି ମତ ରଖିଥିଲେ । ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ଯେହେତୁ ୨୦୨୪ ନିର୍ବାଚନ ପ୍ରଧାନମନ୍ତ୍ରୀ ମୋଦୀ ବନାମ ଭାରତୀୟ ଜନତା ହେବ, ଦେଶର ପ୍ରତିଟି ଲୋକସଭା ଆସନରେ ବିଜେପି ବିପକ୍ଷରେ ମେଂଟ ଜଣେ ଲେଖାଏଁ ପ୍ରାର୍ଥୀ ଦେବା ଫଳଦାୟୀ ହେବ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ (ଡିଏମକେ) ପ୍ରତିଟି ରାଜ୍ୟ ପାଇଁ ଭିନ୍ନ ଫର୍ମୁଲା ଏବଂ ଯେଉଁ ରାଜ୍ୟରେ ଯେଉଁ ଦଳର ସ୍ଥିତି ସୁଦୃଢ ରହିଛି ସେହି ଦଳର ନେତୃତ୍ୱରେ ରାଜ୍ୟସ୍ତର ମେଂଟ ଗଠନ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ଯଦି କେଉଁଠି ମେଂଟ ହୋଇପାରୁନାହିଁ ବିଜେପି ବିପକ୍ଷରେ ଆସନ ବୁଝାମଣା କିମ୍ବା ଏକକ ପ୍ରାର୍ଥୀ ଦେବାର ନୀତି କାର୍ଯ୍ୟକାରୀ ହେବା ଆବଶ୍ୟକତା ବୋଲି ସେ କହିଥିଲେ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ୨୦୨୪ରେ ଏକଛତ୍ରବାଦ ବନାମ ଗଣତନ୍ତ୍ରର ଲଢେଇ ହେବ ବୋଲି କହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବିରୋଧୀ ଏକତାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେ ତାଙ୍କ ଦଳକୁ ନିଜ ରାଜ୍ୟରେ ସୀମିତ ରଖିବାକୁ ଅଂଗୀକାରବଦ୍ଧ ଥିବା କହିଥିଲେ । ତେବେ, ଦିଲ୍ଲୀ ସରକାରଙ୍କୁ ସ୍ଥବିର କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଅଧ୍ୟାଦେଶ ଆଣିଛନ୍ତି ତାହା ଉପରେ କଂଗ୍ରେସ ଦଳ ନିଜ ମତ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହେବୁବା ମୁଫତି ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଏବଂ ରାଜ୍ୟକୁ ବିଭାଜିତ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିବାରେ କେନ୍ଦ୍ର ସରକାରଙ୍କ ଭୁମିକାକୁ ନିନ୍ଦା କରିବା ସହ ବିଜେପି ଜମ୍ମୁ-କଶ୍ମୀରରେ ଯାହା କଲା ଅନ୍ୟ ରାଜ୍ୟରେ ମଧ୍ୟ ତାହା କରିପାରେ ବୋଲି ଚେତାଇ ଦେଇଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ତାଙ୍କ ଦଳ ଦେଶର ସବୁଠାରୁ ବଡ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଓ ସେମାନଙ୍କ ହୃଦୟ ମଧ୍ୟ ବଡ ଥିବା ଦର୍ଶାଇ ଆସନ ବୁଝାମଣା ହେଉ ବା ବିଜେପି ବିରୋଧରେ ଏକକ ପ୍ରାର୍ଥୀ ଦେବା ରଣନୀତିରେ ହେଉ ସେ ଓ ତାଙ୍କ ଦଳ ସହୃଦୟତାର ସହ ବୁଝାମଣା କରିବାକୁ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ‘ଆମେ କଂଗ୍ରେସ-ବିରୋଧୀ ନୋହୁଁ, ଆମ ଲଢେଇ ବିଜେପି ବିରୋଧରେ’ ବୋଲି ଅଖିଳେଶ କହିଛନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (ଜେଏମଏମ) ବିରୋଧୀ ମେଂଟ ନେତାମାନେ ଦେଶବ୍ୟାପୀ ମିଳିତ ନିର୍ବାଚନ ପ୍ରଚାର କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଶେଷରେ, କଂଗ୍ରେସ ସଭାପତି ଖାର୍ଗେ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସମଭାବାପନ୍ନ ରାଜନୈତିକ ଦଳଙ୍କ ସହ କଂଗ୍ରେସ ମେଂଟ କରିବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଥିଲେ । କଂଗ୍ରେସ ହୃଦୟ ଖୋଲା ରଖି ବିରୋଧୀ ଏକତା ପାଇଁ ଆଗକୁ ଆସିଛି । ସମସ୍ତେ ଅତୀତର ତୀକ୍ତତାକୁ ଭୁଲି ନିଜକୁ ସହଜ କରିବା ସହ ଏହି ଲଢେଇରେ ସାମିଲ ହେବାକୁ ରାହୁଲ ପ୍ରସ୍ତାବ ଦେଇଛନ୍ତି । ଜୁନ ୨୩ ତାରିଖ ବୈଠକ ସଫଳ ହୋଇଛି ବୋଲି ବିରୋଧୀ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବା ସହ ଜୁଲାଇ ଦ୍ୱିତୀୟ ସପ୍ତାହରେ ହିମାଚଳ ପ୍ରଦେଶର ସିମଲାଠାରେ ହେବାକୁ ଥିବା ଦ୍ୱିତୀୟ ଆନୁଷ୍ଠାନିକ ବୈଠକରେ ମେଂଟର ନାମ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ସେମାନଙ୍କ ସର୍ବନିମ୍ନ ମିଳିତ କାର୍ଯ୍ୟକ୍ରମ ଏବଂ ଆସନ ବୁଝାମଣା ନେଇ ଅଧିକ ଆଲୋଚନା ହେବ ବୋଲି କହିଛନ୍ତି । ବିରୋଧୀ ନେତାମାନେ ଜାଣନ୍ତି, ୨୦୨୪ରେ ମୋଦୀ ଯଦି ତୃତୀୟ ଥର ପାଇଁ ଶାସନକୁ ଫେରନ୍ତି ତେବେ ଅଣ-ବିଜେପି ରାଜନୈତିକ ନେତାଙ୍କ ଜୀବନ ଅଧିକ ଦୁର୍ବିସହ ହୋଇପଡିବ । ତେଣୁ, ଏଥରର ଲଢେଇ ସେମାନଙ୍କ ପାଇଁ ‘କର ବା ମର’ ଭଳି ହୋଇଛି ।
ବିଜେପି ବିରୋଧୀ ନେତାଙ୍କ ଏହି ଭୟ ଓ ଦୁର୍ବଳତାକୁ ଭଲ ଭାବେ ଜାଣିଛି । ତେଣୁ, ବିରୋଧୀଙ୍କୁ ଭାଗ ଭାଗ କରି ରଖିବାର ସବୁ କୌଶଳ ଜାରି ରଖିଛି । ପ୍ରଧାନମନ୍ତ୍ରୀ ହେବା ପାଇଁ ସବୁ ବିରୋଧୀ ନେତାଙ୍କ ଗୋପନ ଅଭିଳାଷ ରହିଥିବା ଦର୍ଶାଇ କ୍ଷମତାକୁ ଆସିଲେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ (?) ବୋଲି ପ୍ରଶ୍ନ ଉଠାଇଛି । ଚବିଶି ନିର୍ବାଚନ ପାଇଁ ଆହୁରି ସମୟ ରହିଛି, ସେମାନେ (ବିରୋଧୀ) କେତେଦିନ ଏକାଠି ରହିବେ ବୋଲି ମଧ୍ୟ ବିଜେପି ନେତାମାନେ ପ୍ରଶ୍ନ କରୁଛନ୍ତି । ଜୁନ ୨୩ ତାରିଖ ବୈଠକକୁ ଏକ ‘ଫଟୋ ସେସନ୍’ କହି କିଛି ନେତା ଲଘୁ ପରିହାସ ମଧ୍ୟ କରିଛନ୍ତି । ତେବେ, ଏହା ସତ୍ୟ ଯେ, ୨୦୨୪ରେ କିଏ କ୍ଷମତାକୁ ଆସିବା ଉଚିତ, ତାହା ନେତା ନୁହନ୍ତି, ଭାରତୀୟ ମତଦାତା ନିର୍ଣ୍ଣୟ କରିବେ । କେବଳ ମୋଦୀଙ୍କୁ ପରାଜିତ କରିବା ଆଭିମୁଖ୍ୟ ରଖି ବିରୋଧୀ ଦଳମାନେ ଏକାଠି ହେୁଥିବା କଥାକୁ ଦେଶବାସା ସେତେ ଗୁରୁତ୍ୱ ଦେଉ ନାହାନ୍ତି । ସେମାନେ ଚାହୁଁଛନ୍ତି, ବିରୋଧୀ ମେଂଟ ପକ୍ଷରୁ ଦେଶ ସମ୍ମୁଖରେ ଏକ ଏକ ବିକଳ୍ପ ଓ ଫଳପ୍ରଦ ଶାସନ ବ୍ୟବସ୍ଥା ଉପସ୍ଥାପନ କରାଯାଉ । ନୀତୀଶ କୁମାର ଓ ବିରୋଧୀ ମେଂଟର ଅନ୍ୟ ନେତାମାନେ ୨୦୨୪ରେ ଭାରତୀୟ ମତଦାତାଙ୍କ ବିଶ୍ୱାସ ଜିଣିବାରେ କେତେ ସଫଳ ହେବେ, ତାହା ଉପରେ ସେମାନଙ୍କ ରାଜନୈତିକ ଭବିଷ୍ୟତ ବହୁମାତ୍ରାରେ ନିର୍ଭର କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS