ମୋଦୀଙ୍କୁ ପ୍ରଶ୍ନ କରିଥିବା ସାମ୍ବାଦିକାଙ୍କୁ ଅନଲାଇନ୍ ନିର୍ଯ୍ୟାତନା ଦିଆଯାଉଛି !
ପ୍ରସାଦ ରାଓ
ଜୁନ ୨୭
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ‘ହ୍ୱାଇଟ୍ ହାଉସ’ରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତରେ ଗଣତନ୍ତ୍ରକୁ ନେଇ ପ୍ରଶ୍ନ କରିଥିବା ‘ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’ ସାମ୍ବାଦିକା ସାବ୍ରିନା ସିଦ୍ଦିକିଙ୍କୁ ଏବେ କିଛି ଭାରତୀୟ ‘ଅନଲାଇନ’ରେ ମାନସିକ ନିର୍ଯ୍ୟାତନା ଦେଉଥିବା ‘ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’ ପକ୍ଷରୁ ଅଭିଯୋଗ ହୋଇଛି । ଏଭଳି ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ସଂପର୍କରେ ଆମେରିକା ପ୍ରଶାସନ ଅବଗତ ଥିବା କହି ଏହାର ନିନ୍ଦା କରିଛି । ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ଗତ ସପ୍ତାହରେ ଏହି ମିଳିତ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବିଡେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସରିବା ପରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକା ସାବ୍ରିନା ସିଦ୍ଦିକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତରେ ଗଣତନ୍ତ୍ରକୁ ନେଇ ଏକ ଅପ୍ରିତିକର ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନ ପାଇଁ ସାବ୍ରିନାଙ୍କୁ ଅନଲାଇନରେ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ‘ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’ର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଆମେରିକାର ଜଣେ ବରିଷ୍ଠ ପ୍ରଶାସକ ଜନ୍ କିରବି କହିଛନ୍ତି, ଏସଂପର୍କରେ ଆମେରିକା ପ୍ରଶାସନ ଅବଗତ ଅଛନ୍ତି ଏବଂ ଏହାର ନିନ୍ଦା କରୁଛନ୍ତି । ‘ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’ର ଅଭିଯୋଗ ହେଲା, ସାମ୍ବାଦିକା ସାବ୍ରିନା ସିଦ୍ଦିକି ମିଳିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତରେ ଗଣତନ୍ତ୍ରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରିଥିଲେ । ଏହି କାରଣରୁ କିଛି ଭାରତୀୟ ତାଙ୍କୁ ‘ଅନଲାଇନ’ରେ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ସେ ମୁସଲମାନ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କ ଧାର୍ମିକ ବିଶ୍ୱାସକୁ ମଧ୍ୟ ଟାର୍ଗେଟ୍ କରାଯାଉଛି । ଜଣେ ସାମ୍ବାଦିକାଙ୍କୁ ଏଭଳି ମାନସିକ ନିର୍ଯ୍ୟାତନା ଦିଆଯିବା ଆମେରିକା ପ୍ରଶାସନ ପାଇଁ ଗ୍ରହଣୀୟ ନୁହେଁ । କୌଣସି ପରିସ୍ଥିତିରେ ମଧ୍ୟ କୌଣସି ସ୍ଥାନରେ ସାମ୍ବାଦିକଙ୍କୁ ପ୍ରଶ୍ନ ପଚାରିବା କାରଣରୁ ମାନସିକ ନିର୍ଯ୍ୟାତନା ଦିଆଯିବା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅନୈତିକ ବୋଲି କିରବି କହିଛନ୍ତି । ଜନ୍ କିରବି ‘ହ୍ୱାଇଟ ହାଉସ୍’ ଜାତୀୟ ସୁରକ୍ଷା ପରିଷଦର ଷ୍ଟ୍ରାଟେଜିକ୍ କମ୍ୟୁନିକେସନ୍ ସଂପର୍କିର୍ତ ସଂଯୋଜକ ଅଛନ୍ତି । କିରବି ବିବୃତି ଦେବା ପରେ ‘ହ୍ୱାଇଟ ହାଉସ୍’ ପ୍ରେସ୍ ସେକ୍ରେଟାରୀ କାରିନ ଜେନ୍-ପିଏରେ ପୋଡିଅମକୁ ଆସି କହିଛନ୍ତି, ଆମେରିକା ପ୍ରଶାସନ ସର୍ବଦା ସମ୍ବାଦପତ୍ର ସ୍ୱାଧୀନତାକୁ ନେଇ ଅଂଗୀକାରବଦ୍ଧ । ତେଣୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ‘ହ୍ୱାଇଟ ହାଉସ’ରେ ରାଷ୍ଟ୍ରପତି ବିଡେନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ରଖା ଯାଇଥିଲା । ସାମ୍ବାଦିକମାନେ ସେମାନଙ୍କ କର୍ତ୍ତବ୍ୟ ପାଳନ କରୁଥିବା ବେଳେ ଯେକୌଣସି ପ୍ରଶ୍ନ ପଚାରିବା କାରଣରୁ ସେମାନଙ୍କୁ ମାନସିକ ଭାବେ ନିର୍ଯ୍ୟାତନା ଦିଆଯିବା ଗ୍ରହଣୀୟ ନୁହେଁ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ବିଡେନ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ‘ହ୍ୱାଇଟ ହାଉସ୍’ରେ ଦ୍ୱିପାକ୍ଷୀକ ଆଲୋଚନା ସରିବା ପରେ ଆମେରିକା ପ୍ରଶାସନ ପକ୍ଷରୁ ଏହି ମିଳିତ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଭାରତରେ ଗଣତନ୍ତ୍ରକୁ ନେଇ ଏବେ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବାରୁ ‘ୱାଲଷ୍ଟ୍ରିଟ୍ ଜଣ୍ଣାଲ’ ସାମ୍ବାଦିକା ସାବ୍ରିନା ସିଦ୍ଦିକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେନେଇ ପ୍ରଶ୍ନ କରିଥିଲେ । ପ୍ରଧାନନ୍ତ୍ରୀ ମୋଦୀ ମଧ୍ୟ ତାହାର ଉତ୍ତର ରଖିଥିଲେ । ମୋଦୀ କହିଥିଲେ, ତାଙ୍କ ସରକାର ସମ୍ବିଧାନକୁ ମାନି କାର୍ଯ୍ୟ କରୁଛନ୍ତି । କାହାରି ପ୍ରତି କୌଣସି ପ୍ରକାର ବାଛବିଚାରର ପ୍ରଶ୍ନ ନାହିଁ । ଭାରତରେ ଧାର୍ମିକ ବାଛବିଚାର ଚାଲିଥିବା ଏବଂ ସରକାର ବିଭିନ୍ନ ବାଟରେ ଭିନ୍ନମତବାଦୀଙ୍କୁ ଚୁପ କରାଉଥିବା ନେଇ ବିଭିନ୍ନ ମାନବାଧୀକାର ଗୋଷ୍ଠୀ ପକ୍ଷରୁ ହେଉଥିବା ଅଭିଯୋଗ ସଂପର୍କରେ ସାମ୍ବାଦିକା ସାବ୍ରିନା ସିଦ୍ଦିକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭାରତରେ ବସବାସ କରୁଥିବା ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ଏବଂ ମୁକ୍ତ ଭାବେ ମତ ରଖିବାର ଅଧିକାର ସାବ୍ୟସ୍ତ କରିବା ଦିଗରେ ସେ ଓ ତାଙ୍କ ସରକାର କିଭଳି ଉନ୍ନତି ଆଣିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାହାର ଉତ୍ତରରେ କହିଥିଲେ, ଏଭଳି ପ୍ରଶ୍ନକୁ ନେଇ ସେ ଆଶ୍ଚର୍ଯ୍ୟଚକିତ । ଭାରତ ହେଉଛି ଏକ ଗଣତନ୍ତ୍ର ଏବଂ ଏହାର ଶିରା, ପ୍ରଶିରା ଓ ନିଶ୍ୱାସରେ ଗଣତନ୍ତ୍ରର ପ୍ରବାହ ହେଉଛି । ଏହା ହିଁ ହେଉଛି ଭାରତର ସମ୍ବିଧାନ । ଯେଉଁଠି ମାନବିକ ମୂଲ୍ୟବୋଧ ଓ ମାନବିକ ଅଧିକାର ନାହିଁ, ତାହା ଗଣତନ୍ତ୍ର ନୁହେଁ । ‘ଆମେ ଗଣତନ୍ତ୍ରର ଗଣ୍ଡି ଭିତରେ ରହୁଥିବାରୁ କାହାରି ପ୍ରତି ବାଛବିଚାରର ପ୍ରଶ୍ନ ନାହିଁ’ । ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ‘ୱାଲଷ୍ଟ୍ରିଟ ଜର୍ଣ୍ଣଲ’ ସାମ୍ବାଦିକା ସିବ୍ରିନା ସିଦ୍ଦିକିଙ୍କ ମଧ୍ୟରେ ହୋଇଥିବା ଏହି ପ୍ରଶ୍ନୋତ୍ତର ଭାରତରେ କିଛି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବିଶେଷକରି, ଦକ୍ଷିଣପନ୍ଥୀ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଗୋଷ୍ଠୀ ଭାରତରେ ଗଣତନ୍ତ୍ରକୁ ନେଇ ସାମ୍ବାଦିକା ସିଦ୍ଦିକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରିଥିବାରୁ କ୍ଷୁବ୍ଧ । ଭାରତରୁ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ ହୋଇଯାଇଛି । ଏଠାରେ ଏହା ମଧ୍ୟ ସୂଚନାଯୋଗ୍ୟ ଯେ, ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ନିକଟରେ ତାଙ୍କ ବ୍ରିଟେନ ଓ ଆମେରିକା ଗସ୍ତ ଅବସରରେ ଭାରତରେ ଗଣତନ୍ତ୍ର ବିପଦରେ ଥିବା କହି ଦକ୍ଷିଣପନ୍ଥୀଙ୍କ କଡା ଟିପ୍ପଣୀ ଓ ସମାଲୋଚନାର ଶରବ୍ୟ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଆମେରିକା ଗସ୍ତ ସମୟରେ ସେଠାକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଭାରତରେ ସଂଖ୍ୟାଲଘୁ ମୁସଲମାନଙ୍କ ସ୍ଥିତି ସଂପର୍କରେ ଏକ ବୟାନ ଦେଇ ବିଜେପି ନେତୃବର୍ଗଙ୍କ ଦ୍ୱାରା ଏବେ କଡା ସମାଲୋଚନର ଶରବ୍ୟ ହୋଇଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀଥାରମଣ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ବଜେପି ନେତା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କୁ ଅତ୍ୟନ୍ତ କଠୋର ଭାଷାରେ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଭାରତରେ ମୁସଲମାନଙ୍କ ସ୍ଥିତି ସଂପର୍କରେ ପ୍ରଶ୍ନ କରୁଥିବା ଓବାମା ଆମେରିକା ରାଷ୍ଟ୍ରପତି ଥିବା ସମୟରେ ଅଧିକ ଭାବେ ମୁସଲମାନ ବହୁଳ ରାଷ୍ଟ୍ରଙ୍କ ଉପରେ ହିଁ ସର୍ବାଧିକ ସଂଖ୍ୟକ ବୋମା ବର୍ଷଣ କରାଇ ଥିଲେ ବୋଲି ଏହି ନେତାମାନେ ଟ୍ୱିଟର ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଷୋଦଗାର କରୁଥିବା ଦେଖିବାକୁ ମିଳୁଛି । ଓବାମାଙ୍କ ମନ୍ତବ୍ୟକୁ ନେଇ ଭାରତର ଦକ୍ଷିଣପନ୍ଥୀ ନେତାଙ୍କ ବୟାନବାଜୀରେ ବିରାମ ଲାଗି ନଥିବା ବେଳେ ୱାଲଷ୍ଟ୍ରିଟ ଜର୍ଣ୍ଣାଲ ସାମ୍ବାଦିକା ସାବ୍ରିନା ସିଦ୍ଦିକିଙ୍କୁ ଅନଲାଇନରେ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି । ‘ହ୍ୱାଇଟ୍ ହାଉସ’ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମାନ ଧରଣର ଏକ ପ୍ରଶ୍ନକୁ ଆମେରିକା ରାଷ୍ଟ୍ରପତି ବିଡେନ ଗୁରୁତ୍ୱ ନଦେଇ ଏଡାଇ ଦେବା ଏହି ‘ଟୁଲକିଟ୍ ଗାଙ୍ଗ’ର ମୁଖା ଖୋଲି ଦେଇଛି ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭ୍ୟ ୨୩ ତାରିଖ ଦିନ ଟ୍ୱିଟ୍ କରି ସିଦ୍ଦିକିଙ୍କ ପ୍ରଶ୍ନକୁ ନେଇ ବିଜେପି କେତେଦୂର ପ୍ରତିକ୍ରିୟାଶୀଳ ତାହା ସ୍ପଷ୍ଟ କରିଦେଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS