କଳା ପୋଷାକ ଓ କଳା ବେଲୁନକୁ ଓହ୍ଲାଇ ପଡିଲେ ବିରୋଧୀ !
ପ୍ରସାଦ ରାଓ
ଭୁବନେଶ୍ୱର/ଜୁନ ୨୯
ରାଜ୍ୟବାସୀ ଶାସକ ଦଳ ନେତାଙ୍କ ବିରୋଧରେ ବିରୋଧୀ ରାଜନୈତିକ ପ୍ରଦର୍ଶନ କରୁଥିବା, କୁଶପୁତ୍ତଳିକା ଦାହ କରୁଥିବା ଦେଖିବାରେ ଅଭ୍ୟସ୍ତ ହୋଇସାରିଛନ୍ତି । ଯେତେବେଳେ ଯେଉଁ ରାଜନୈତିକ ଦଳ କ୍ଷମତାରେ ରହିଛି ତାହା ବିରୋଧରେ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଏଭଳି ପ୍ରଦର୍ଶନ କରି ଆସିଛନ୍ତି । ତେବେ, ୨୦୨୩ରେ ଓଡ଼ିଶାରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ବିରୋଧୀ ଶାସକ ଦଳର ନେତାଙ୍କ ବିରୋଧରେ ନୁହେଁ, ରାଜ୍ୟ ସରକାରଙ୍କ ଅଧିନରେ ଥିବା ଜଣେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କଳା ପୋଷାକ ପରିଧାନ କରି ଓ କଳା ବେଲୁନ ଉଡାଇ ପ୍ରଦର୍ଶନ କରୁଥିବା ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡିଛି । ଏହି ପ୍ରଶାସନିକ ଅଧିକାରୀ ଜଣକ ହେଉଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ଆଇଏଏସ୍ ଭି.କାର୍ତ୍ତିିକେୟନ ପାଣ୍ଡିଆନ । ଆଜି ସେ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇଥିବା ସମୟରେ ସେଠାକାର ବିଜେପି ନେତା, ନେତ୍ରୀମାନେ ଏଭଳି ପ୍ରଦର୍ଶନ କରିଥିବା ଜଣାପଡିଛି ।
ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ ହେଉଛି, ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ଲୋକଙ୍କ ଦୁଃଖ, ସୁଖ ଶୁଣୁଛନ୍ତି । ଲୋକଙ୍କଠାରୁ ଫୁଲମାଳ ଗ୍ରହଣ କରୁଛନ୍ତି । ସବୁଜ ରଂଗ କପଡାରେ ଆଚ୍ଛାଦିତ (ବିଜେଡିର ଅତିପ୍ରିୟ ରଂଗ) ସଭାମଂଚରେ ଠିଆ ହୋଇ ରଜନେତାଙ୍କ ଭଳି ଉପସ୍ଥିତ ଜନତାକୁ ଉଦବୋଧନ ଦେଉଛନ୍ତି, ବିଭିନ୍ନ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବା ସହ କୋଟି କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି । ବିଶେଷକରି, ଶିକ୍ଷାନୁଷ୍ଠାନ, ଧାର୍ମିକ ପୀଠ ଓ ମିଶନ ଶକ୍ତି ମହିଳାଙ୍କ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସମୀକ୍ଷା ବୈଠକ କରିବା, ଭାଷଣ ଦେବା ଏବଂ ନୂଆ ପ୍ରକଳ୍ପ ଘୋଷଣା କରିବା ବିରୋଧୀଙ୍କ ତଂଟିରେ କଂଟା ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କ ନିକଟରେ ପହଂଚି ସେମାନଙ୍କ ସମସ୍ୟା ଶୁଣିବା ସହ ସେଗୁଡିକ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଆଇଏଏସ୍ ଅଧିକାରୀ ପାଣ୍ଡିଆନଙ୍କୁ ବ୍ୟବହାର କରୁଥିବା ବେଳେ ଜଣେ ସଚିବସ୍ତରୀୟ ସରକାରୀ ଅଧିକାରୀଙ୍କୁ ଏଭଳି ରାଜନୈତିକ କାର୍ଯ୍ୟରେ ବ୍ୟବହାର କରାଯିବା ଅନୈତିକ ଏବଂ ସରକାରୀ ଅଧିକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯେଉଁ ବିଧି ବ୍ୟବସ୍ଥା ରହିଛି ତାହାର ଉଲଂଘନ କରୁଛି ବୋଲି ବିରୋଧୀ କହୁଛନ୍ତି ।
କେବଳ ବିଜେପି ନୁହେଁ, ରାଜ୍ୟ କଂଗ୍ରେସ ମଧ୍ୟ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ବିରୋଧ କରୁଛି । ସେ ଯଦି ରାଜନୀତି କରିବାକୁ ମନ ବଳାଇଛନ୍ତି ଭାରତୀୟ ପ୍ରଶାସନିକ ସେବା ଚାକିରୀରୁ ଇସ୍ତଫା ଦେଇ ରାଜନୈତିକ ମୈଦାନକୁ ଚାଲି ଆସନ୍ତୁ ବୋଲି ଦୁଇ ବିରୋଧୀ ଦଳ ଆହ୍ୱାନ ଦେଇଛନ୍ତି । ଉଭୟ ବିଜେପି ଓ କଂଗ୍ରେସର ବରିଷ୍ଠ ନେତାମାନେ ଆଇଏଏସ୍ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରି ହାତ ଝାଡି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ତାଙ୍କ ଅଧସ୍ତନ ପ୍ରଶାସନିକ ଅଧିକାରୀ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ । ତେବେ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବିନା ଏହା ସମ୍ଭବ ନୁହେଁ । ମୁଖ୍ୟମନ୍ତ୍ରୀ ନିଜେ ଯେତେବେଳେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ରାଜନୈତିକ କାର୍ଯ୍ୟରେ ବ୍ୟବହାର କରୁଥିବା ପରୋକ୍ଷ ସୂଚନା ଦେଉଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ କଣ ବା କରି ପାରିବେ ?
ପଶ୍ଚିମ ବଂଗରେ ଯେତେବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରୁଥିଲେ କେନ୍ଦ୍ର ସରକାର କ୍ଷୁବ୍ଧ ହୋଇ ତାଙ୍କୁ ନିଜ ଅଧିନକୁ ବଦଳି କରିଥିଲେ ଏବଂ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦେଇଥିଲେ । ତେବେ, ସଂପୃକ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମୁନିବ କେନ୍ଦ୍ର ସରକାରଙ୍କ ନିର୍ଦେଶକୁ ଅବମାନନା କରି ଚାକିରୀରୁ ଇସ୍ତଫା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ତୁରନ୍ତ ନିଜର ରାଜନୈତିକ ପରାମର୍ଶଦାତା ଭାବେ ନୂତନ ନିଯୁକ୍ତି ଦେଇ କେନ୍ଦ୍ରକୁ ଚ୍ୟାଲେଂଜ କରିଥିଲେ । ଅବଶ୍ୟ ଏହି ମାମଲା ଅଦାଲତରେ ବିଚାରାଧୀନ ଅଛି । ତଥାପି, ଜଣେ ମୁଖ୍ୟମନ୍ତ୍ରୀ ଚାହିଁଲେ ଜଣେ ଅନୁଗତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ କିଭଳି ସୁରକ୍ଷା ଦେଇ ପାରିବେ, ତାହା ପଶ୍ଚିମ ବଂଗ ଘଟଣାରୁ ସୁସ୍ପଷ୍ଟ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ନେଇ ଯେଉଁ ରାଜନୈତିକ ବିରୋଧ ଚାଲିଛି ତାହା କେନ୍ଦ୍ର ସରକାରଙ୍କ ଦରବାରରେ ପହଂଚି ଥିଲେ ମଧ୍ୟ କି କାର୍ଯ୍ୟାନୁଷ୍ଠାନ ହେବ ସେନେଇ କେହି ନିଶ୍ଚିତ ନୁହନ୍ତି । ତେଣୁ, ଜିଲ୍ଲା ଗସ୍ତ ସମୟରେ ପାଣ୍ଡିଆନଙ୍କ କନଭୟ ଉପରେ ଅଣ୍ଡା ଫୋପାଡିବା, କଳା ପତାକା ପ୍ରଦର୍ଶନ, କଳା ପୋଷାକ ପରିଧାନ କରି ବିରୋଧ ଭଳି କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଛି ।
ଆଜି ଜଗତସିଂହପୁର ଜିଲ୍ଲାରେ ବିଜେପି ନେତାମାନେ କଳା ପୋଷାକ ପିନ୍ଧି ଓ କଳା ବେଲୁନ ଉଡାଇ ୫-ଟି ସଚିବ ପାଣ୍ଡିଆନଙ୍କ ଗସ୍ତର ବିରୋଧ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, କୁଜଂଗରେ ଆୟୋଜିତ ଆୟୋଜିତ ସମାବେଶରେ ବିଜେପି ମହିଳା କର୍ମୀମାନେ କଳା ଶାଢି ପିନ୍ଧି ପାଣ୍ଡିଆନଙ୍କ ବିରୋଧ କରିଥିଲେ । ପାରାଦୀପଠାରେ ବହୁ ସଂଖ୍ୟକ ବିଜେପି କର୍ମୀ କଳା ପୋଷାକ ପିନ୍ଧି ସେଠାକାର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ‘ସୁପର ମୁଖ୍ୟମନ୍ତ୍ରୀ’ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଥମେ ପାଣ୍ଡିଆନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହାର ମଂଗ ଧରିଛନ୍ତି । ସାମଲ କେନ୍ଦ୍ର ସରକାରଙ୍କ ପର୍ସନାଲ ଏଣ୍ଡ ଟ୍ରେନିଂ ବିଭାଗକୁ ଚିଠି ଲେଖି ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ନୂଆରେ କଂଗ୍ରେସ ନେତା ସାଜି ଥିବା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ମଧ୍ୟ କେନ୍ଦ୍ରକୁ ଚିଠି ଲେଖି ଏକାପରି ଦାବି କରିଛନ୍ତି ।
ତେବେ, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଆକାଶଛୁଆଁ ଦରବୃଦ୍ଧି, ବେକାରୀ, ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଦୂରୁପଯୋଗ ଭଳି ଯାହା ସବୁ ସମସ୍ୟା ରହିଛି ସେସବୁ ସରକାରଙ୍କ ପାଇଁ କଂଟା ହେଉଥିବା ଜାଣି ସେଥିରୁ ଦେଶବାସୀଙ୍କ ନଜର ହଟାଇବା ପାଇଁ ବିଜେପି ‘ସମାନ ନାଗରିକ ସଂହିତା’ (ୟୁସିସି) ବିଲ୍ କୁ ଅସ୍ତ୍ର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁସିସି ସପକ୍ଷରେ ମତ ରଖିବା ସହ ସବୁ ବିରୋଧୀ ନେତାଙ୍କୁ ଦୁର୍ନୀତିଗସ୍ତ କହି ସାଧାରଣ ସଭାରେ ସମାଲୋଚନା କରିବା ପରଠାରୁ ଦେଶର ରାଜନୀତି ସରଗରମ ଅବସ୍ଥାକୁ ଆସି ଯାଇଛି । ଜୁଲାଇ ମାସରେ ସଂସଦର ମୌସୁମୀ ଅଧିବେଶନ ହେବା ନେଇ ଚର୍ଚା ଆରମ୍ଭ ହେଲାଣି । ୟୁସିସି ଉପରେ ଲ’ କମସିନ ଏବେ ଜନମତ ସଂଗ୍ରହ କରୁଛନ୍ତି । ସଂସଦ ଅଧିବେଶନରେ ବିଲ୍ ଆସିପାରେ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏହି କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଓଡ଼ିଶାରେ ବିଜେପି ଯେଉଁ ପାଣ୍ଡିଆନ ବିରୋଧୀ ଅଭିଯାନ ଚଳାଇଛି ତାହା ଦଳର କେନ୍ଦ୍ରୀୟ ନେତାଙ୍କ ଅଗ୍ରାଧିକାର ତାଲିକାରେ ଥିବ ବୋଲି ଆଶା କରିବା ଭୁଲ ହେବ । ତେଣୁ, ବଲ୍ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଫେରି ଆସିଛି । ଏତେ ବିରୋଧ ସତ୍ତ୍ୱେ ଆଇଏଏସ୍ ପାଣ୍ଡିଆନ ଜିଲ୍ଲା ଗସ୍ତରେ ଯାଉଥିବା, ଆୟୋଜିତ ସଭାରେ ଭାଷଣ ଦେଉଥିବା ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ଆସ୍ଥା ଓ ଆଶୀର୍ବାଦ ଥିବା ପ୍ରତିଫଳିତ କରୁଛି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାଙ୍କ ସାମ୍ବିଧାନିକ କ୍ଷମତା କାହାରିକୁ ହସ୍ତାନ୍ତର (ଡେଲିଗେଟ୍) କରି ନାହାନ୍ତି । ସରକାରର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ କିଛି ଦାୟିତ୍ୱ ଦେଇଛନ୍ତି ଏବଂ ତାହା କାର୍ଯ୍ୟକାରୀ କରିବାକୁ କହିଛନ୍ତି । ଏଥିରେ ଅସୁବିଧା ରହିଲା କେଉଁଠି (?) ବୋଲି ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ଆଜି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଆଚାର୍ଯ୍ୟ କହିଛନ୍ତି, ଅଫିସରମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ସାମ୍ବିଧାନିକ ଅଧିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରହିଛି । ଏପରିକି ସେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଲୋକଙ୍କ ପହଂଚି ସେମାନଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦେଶ ଦେଇ ପାରିବେ । ବିରୋଧୀ ନେତାମାନେ ଭିତ୍ତିହୀନ ଅଭିଯୋଗରେ ନମାତି ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଂଚିବାକୁ ଓ ସେମାନଙ୍କ ପାଇଁ କାମ କରିବାକୁ ଆଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ କି, ଦଳ ଓ ସରକାରରେ ପାଣ୍ଡିଆନଙ୍କ ଏକକ ପତିଆରାକୁ ନେଇ ଶାସକ ଦଳରେ ମଧ୍ୟ ତୀବ୍ର ଅସନ୍ତୋଷ ରହିଛି । ଶାସକ ଦଳର କିଛି ନେତା ଖୋଲାଖୋଲି ଭାବେ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଥିବା ବେଳେ ଆଉ କିଛି ନେତା ପରଦା ଆଢୁଆଳରେ ରହି ଅସନ୍ତୋଷ ଜାହିର କରୁଛନ୍ତି ବୋଲି ରାଜ୍ୟ ବିଜେପି ଓ କଂଗ୍ରେସ ନେତାମାନେ ଗଣମାଧ୍ୟମରେ ବିବୃତି ଦେଉଛନ୍ତି । ନିକଟରେ, ଜଣେ ବିଜେଡ଼ି ବିଧାୟକ ତାଙ୍କ କର୍ତ୍ତୃତ୍ୱରେ ଥିବା ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଲେଖିଥିବା ସଂପାଦକୀୟକୁ ଏହାର ଉଦାହରଣ ଆକାରରେ ଦର୍ଶାଯାଉଛି । ତେବେ, ପ୍ରଶ୍ନ ଉଠୁଛି, ଶାସକ ବିଜେଡ଼ିର ନିର୍ବାଚିତ ପ୍ରତିନିଧିମାନେ ଦଳ ଓ ସରକାରରେ ପାଣ୍ଡିଆନଙ୍କ ଏକକ ପତିଆରାକୁ ନେଇ ଯଦି ଏତେଦୂର ଅସନ୍ତୁଷ୍ଟ ତାଙ୍କ ଜିଲ୍ଲା ଗସ୍ତ ସମୟରେ ଫୁଲମାଳ ନେଇ ସ୍ୱାଗତ କରୁଛନ୍ତି ଓ ତାଙ୍କ ପାଇଁ ସମାବେଶର ଆୟୋଜନ କରୁଛନ୍ତି କାହିଁକି ? ଏହାର ଏକମାତ୍ର ଉଦ୍ଦେଶ୍ୟ ଯଦି ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ହୋଇଥାଏ, ତେବେ ଦଳ ଓ ସରକାର ଆଗାମୀ ଦିନରେ ଏକ ବଡ ଧରଣର ରାଜନୈତିକ ସଂକଟର ସାମ୍ନା କରିବାକୁ ଯାଉଛନ୍ତି କହିବା ଅତ୍ୟୁ୍କ୍ତି ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS