ମୌସୁମୀ ଅଧିବେଶନ ୨୦ରୁ ଆରମ୍ଭ, ୟୁସିସି ଓ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ସଂସଦ ସରଗରମ ହେବା ନିଶ୍ଚିତ
ପ୍ରସାଦ ରାଓ
ଜୁଲାଇ ୦୧
ଆସନ୍ତା ୨୦ ତାରିଖରୁ ସଂସଦର ମୌସୁମୀ ଅଧିବଶନ ଆରମ୍ଭ ହେବ । ପୁରୁଣା ସଂସଦ ଭବନରେ ଏହି ଅଧିବେଶନ ଆରମ୍ଭ ହେଲେ ମଧ୍ୟ ଅଧିବେଶନର ମଧ୍ୟଭାଗରେ ନୂତନ ସଂସଦ ଭବନକୁ ସ୍ଥାନାନ୍ତର ହୋଇପାରେ ବୋଲି ସୂଚନା ମିଳୁଛି । ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ସଂସଦର ମୌସୁମୀ ଏହି ଅଧିବେଶନରେ ସମସ୍ତ ରାଜନୈତିକ ଦଳ ଫଳପ୍ରଦ ଆଲୋଚନାରେ ଭାଗ ନେଇ ଅଦିବେଶନକୁ ସଫଳ କରିବାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ନିବେଦନ କରିଛନ୍ତି । କେନ୍ଦ୍ର ସରକାର ସଂସଦର ଏହି ଅଧିବେଶନରେ ସମାନ ନାଗରିକ ସଂହତି (ୟୁସିସି) ବିଲ୍ ଆଗତ କରିବା ସମ୍ଭାବନା ଥିବାରୁ ୨୩ ଦିନିଆ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁସିସିକୁ ନେଇ ବିତର୍କ ଆରମ୍ଭ କରିସାରିଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ଆଉ ଏକ ବିବଦମାନ ବିଲ୍ ଆଣିବା ମଧ୍ୟ ଏକପ୍ରକାର ନିଶ୍ଚିତ । ତାହା ହେଉଛି, ଦିଲ୍ଲୀରେ ସେବା ଓ ପ୍ରଶାସନିକ ନିଯୁକ୍ତି ଉପରେ ରାଜ୍ୟ ସରକାର ନୁହେଁ, ଦିଲ୍ଲୀ ଉପ ରାଜ୍ୟପାଳ (ଏଲଜି)ଙ୍କ କର୍ତ୍ତୃତ୍ୱ ସପକ୍ଷରେ । ଗଭର୍ଣ୍ଣମେଂଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ସଂଶୋଧନ) ଅଧ୍ୟାଦେଶକୁ ସଂସଦର ଉଭୟ ଗୃହରେ ପାରିତ କରାଇ ଏହା ଉପରେ ଏଲଜିଙ୍କ ଏକାକ କର୍ତ୍ତୃତ୍ୱକୁ ନିଶ୍ଚିତ କରିବା ସକାଶେ ବିଜେପି ସରକାର ଏହି ବିଲ୍ ଆଣିବେ । ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଗଲେ ଦିଲ୍ଲୀର ସେବା ଓ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ଅଧିକାର ରହିବ ବୋଲି ସୁପ୍ରିମ କୋର୍ଟ ଯେଉଁ ରାୟ ଦେଇଥିଲେ ତାହା ଅକାମୀ ହୋଇଯିବ । ଦିଲ୍ଲୀରେ ପ୍ରଶାସନିକ ନିଯୁକ୍ତି ଓ ସେବା ଉପରେ ନିର୍ବାଚିତ ସରକାରଙ୍କ ଏକଚାଟିଆ କର୍ତ୍ତୃତ୍ୱ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳ (ଏଲଜି) ଏହି କ୍ଷମତାକୁ ଅପହରଣ କରି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ (ଆପ୍) ସରକାର ଅଭିଯୋଗ କରିଥିଲେ ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସଂପର୍କରେ ଏକ ସ୍ପଷ୍ଟ ରାୟ ଦେବାକୁ କୋର୍ଟରେ ଆବେଦନ କରିଥିଲେ । ସୁପ୍ରିମ କୋର୍ଟର ଏକ ପାଂଚ ଜଣିଆ ସାମ୍ବିଧାନିକ ପୀଠ ଦିଲ୍ଲୀ ସରକାରଙ୍କ ଆବେଦନକୁ ବିଚାରକୁ ନେଇ ଯେହେତୁ ରାଜ୍ୟର ନିର୍ବାଚିତ ସରକାର ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ଦିଲ୍ଲୀରେ ସମସ୍ତ ପ୍ରଶାସନିକ ନିଯୁକ୍ତି ଓ ସେବା ରାଜ୍ୟ ସରକାରଙ୍କ ଅଧିକାରଭୁକ୍ତ ବୋଲି ରାୟ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇବା ସହ ଏଲଜିଙ୍କ କ୍ଷମତାକୁ ସଂକୁଚିତ କରି ଦେଇଥିଲା । କେନ୍ଦ୍ର ସରକାର ସପ୍ତାହକ ମଧ୍ୟରେ ଏକ ଅଧ୍ୟାଦେଶ ଜାରି ମାଧ୍ୟମରେ ସୁପ୍ରିମ କୋର୍ଟଙ୍କ ରାୟକୁ ଅକାମୀ କରି ଦେଇଥିଲେ ମଧ୍ୟ ଏହି ଅଧ୍ୟଦେଶକୁ ବିଲ୍ ଆକାରରେ ସଂସଦର ଉଭୟ ଗୃହରେ ପାରିତ କରାଇଲେ ହିଁ ତାହା ଆଇନରେ ପରିଣତ ହୋଇପାରିବ । ଲୋକସଭାରେ ଶାସକ ଏନଡ଼ିଏର ଆବଶ୍ୟକ ସଂଖ୍ୟା ଥିବାରୁ ବିଲ୍ ପାରିତ ହେବାରେ କିଛି ପ୍ରତିବନ୍ଧକ ନାହିଁ । କିନ୍ତୁ, ରାଜ୍ୟସଭାରେ ଏନଡିଏର ଆବଶ୍ୟକ ସଂଖ୍ୟା ନାହିଁ । ତେଣୁ, ରାଜ୍ୟସଭାରେ ସମସ୍ତ ବିରୋଧୀ ଦଳ ସାଂସଦ ଏହି ବିଲ୍ ବିରୋଧରେ ଭୋଟ ଦେବାକୁ ସହମତ କରିବା ଦିଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ କାର୍ଯ୍ୟ କରୁଛନ୍ତି । କଂଗ୍ରେସ ଦଳ ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ମତ ରଖି ନଥିଲେ ମଧ୍ୟ ଅନ୍ୟ ଅଣ ବିଜେପି ବିରୋଧୀ ଦଳ କେଜରୀୱାଲଙ୍କୁ ସମର୍ଥନ ଦେବାକୁ ସହମତ ଥିବା ସୂଚନା ମିଳୁଛି । ତେବେ, ଏନଡ଼ିଏ ବାହାରେ ଥିବା ଆଂଚଳିକ ଦଳ ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡ଼ି) ଏବଂ ଆନ୍ଧ୍ର ପ୍ରଦେଶର ୱାଇଏସଆରସିପି ଗତ ନଅ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ପୂର୍ଣ୍ଣ ସମର୍ଥନ ଦେଇଆସୁଥିବା ଦୃଷ୍ଟିରୁ ଦିଲ୍ଲୀ ଅଧ୍ୟାଦେଶକୁ ମଧ୍ୟ ସମର୍ଥନ ଦେବେ ବୋଲି ବିଜେପି ସରକାର ଆଶା ରଖିଛନ୍ତି । ୟୁସିସି ସହ ଦିଲ୍ଲୀ ପାଇଁ ଜାରି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଯେ ସଂସଦର ମୌସୁମୀ ଅଧିବଶେନକୁ ସରଗରମ କରି ରଖିବ, ତାହାର ସୂଚନା ସଂସଦ ଅଧିବେଶନ ତାରିଖ ଘୋଷଣା ପୂର୍ବରୁ ହିଁ ସ୍ପଷ୍ଟ ହେଲାଣି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS