ମହାରାଷ୍ଟ୍ରରେ ଓଲଟପାଲଟ, ଅଜିତ ପାୱାର ସିନ୍ଧେ ସରକାରରେ ସାମିଲ !


ପ୍ରସାଦ ରାଓ
ଜୁଲାଇ ୦୨
ମହାରାଷ୍ଟ୍ର ରାଜନୀତି ପୁଣି ଥରେ କଡ ଲେଉଟାଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସମସ୍ତ ବିଜେପି ବିରୋଧୀ ରାଜନୈତିକ ଦଳମାନଙ୍କୁ ଗୋଟିଏ ଛାତ ତଳେ ଏକାଠି କରିବାକୁ ଏନସିପି ମୁଖ୍ୟ ଶରଦ ପାୱାର ନିଷ୍ଠାର ସହ କାର୍ଯ୍ୟ କରୁଥିବା ସମୟରେ ପୁତୁରା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦାଦାଙ୍କୁ ଧୋକା ଦେଇ ବିଜେପି ସହ ହାତ ମିଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସରକାରରେ ସେ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଜଣାପଡିଛି । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପାଇଁ ଏହା ବଡ ଝଟକା ହୋଇଥିବା ଆଲୋଚନା ହେଉଛି । ବିଜେପିର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବସେନା-ବିଜେପି ମେଂଟ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବାରୁ ଅଜିତ ପାୱାର ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ରହିବେ । କେନ୍ଦ୍ର ସରକାରରେ ନିକଟରେ ଅଦଳବଦଳ ସମ୍ଭାବନା ଥିବାରୁ ଫଡନାଭିସ କେନ୍ଦ୍ରକୁ ମଧ୍ୟ ଯାଇପାରନ୍ତି । ପୁତୁରା ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଧୋକା ଦେବା ଏହା ପ୍ରଥମ ଘଟଣା ନୁହେଁ । ୨୦୧୯ ନଭେମ୍ବର ୨୨ରେ ମଧ୍ୟ ସେ ଏଳି ଧୋକା ଦେଇଥିଲେ । ୨୦୧୯ରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଂଟ ବହୁମତ ପାଇଥିଲେ ମଧ୍ୟ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରିବାରୁ ଦୁଇ ଦଳ ମଧ୍ୟରେ ବିବାଦ ଉପୁଜି ଥିଲା ଏବଂ ତତ୍କାଳୀନ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମେଂଟରୁ ଓହରି ଆସିବାରୁ ରାଜ୍ୟରେ ନୂତନ ସରକାର ଗଠନ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଶିବସେନା ମୁଖ୍ୟ ଠାକରେ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଓ ଭାରତୀୟ ଜାତୀୟ କଂଗ୍ରେସ ସହ ମେଂଟରେ ସରକାର ଗଠନ ଉଦ୍ୟମରେ ଥିବା ସମୟରେ ବିଜେପି ଏନସିପି ଓ କଂଗ୍ରେସ ବିଧାୟକ ଦଳରେ ବିଭାଜନ ଘଟାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଉଦ୍ୟମରେ ଥିଲା । ଗୋଟିଏ ପଟେ ଶିବସେନା-ଏନସିପି-କଂଗ୍ରେସ ମହା ବିକାଶ ଅଘାଡି (ଏମଭିଏ) ସରକାର ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରଖି ଥିବା ବେଳେ ଅନ୍ୟପଟେ ଏନସିପି ନେତା ଅଜିତ ପାୱାର ବିଜେପି ସହ ଭିତିରି ବୁୁଝାମଣା କରି କିଛି ଏନସିପି ବିଧାୟକଙ୍କୁ ଧରି ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ହେବାରେ ସାହାଯ୍ୟ କରିଥିଲେ । ନିଜେ ମଧ୍ୟ ଫଡନାଭିସ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅଜିତ ପାୱାର ଏହି ରାଜନୈତିକ ଗୋଟି ଚଳାଇବା ବେଳେ ଦାଦା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଅନ୍ଧାରରେ ରଖିଥିଲେ ବୋଲି କୁହାଯାଉଛି । ଶରଦ ପାୱାର ଫହନାଭିସ ସରକାର ଶପଥ ନେବା ପରଦିନ ପୁତୁରାଙ୍କ ଏହି ଚାଲ୍ ସଂପର୍କରେ ଜାଣିଥିଲେ । ଅଜିତ ପାୱାର ଯେଉଁ ଏନସିପି ବିଧାୟକଙ୍କୁ ମହାରାଷ୍ଟ୍ର ରାଜଭବନକୁ ଡକାଇ ଥିଲେ ସେମାନଙ୍କୁ କୁହାଯାଇଥିଲା ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ପଛରେ ଏନସିପି ମୁଖ୍ୟଙ୍କ ସମର୍ଥନ ରହିଛି । ସେହି ସମୟରେ ମହାରାଷ୍ଟ୍ର ରାଜ୍ୟପାଳ ଥିବା ଭଗତ ସିଂହ କୋଶିଆରୀ ବିଜେପିର ଏହି ଚାଲକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ । କେହି କିଛି ଜାଣିବା ପୂର୍ବରୁ ରାଜ୍ୟପାଳ କୋଶିୟାରୀ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ରାତି ଅଧିଆ ଶପଥ ପାଠ କରାଇ ଦେଇଥିଲେ । ସକାଳୁ ସକାଳୁ ଶରଦ ପାୱାରଙ୍କୁ ଏହି ଖବର ମିଳିବା ବେଳକୁ ମହାରାଷ୍ଟ୍ର ରାଜନୀତିରେ ଭୂକଂପ ହୋଇସାରିଥିଲା । ଅଜିତଙ୍କ ଏଭଳି କାର୍ଯ୍ୟ ପଛରେ ତାଙ୍କର କାଣିଚାଏ ସମର୍ଥନ ନାହିଁ ବୋଲି ଶରଦ ପାୱାର ତୁରନ୍ତ ବିବୃତି ରଖିବାକୁ ବାଧ୍ୟ ହୋଇଥିଲେ ଏବଂ ଶରଦଙ୍କ ବିବୃତି ପରେ ଅଜିତଙ୍କ ସହ ରାଜଭବନ ଯାଇଥିବା ଏନସିପି ବିଧାୟକମାନେ ଦଳକୁ ଫେରିି ଆସିଥିଲେ । ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଶିବସେନା ମୁଖ୍ୟ ଠାକରେ କଂଗ୍ରେସ ଓ ଏନସପି ବିଧାୟକଙ୍କ ସମର୍ଥନ ଚିଠି ରାଜ୍ୟପାଳଙ୍କୁ ହସ୍ତାନ୍ତର କରି ସରକାର ଗଠନ ପାଇଁ ଦାବି ରଖିବାରୁ ରାଜ୍ୟପାଳ ଉଦ୍ଧବଙ୍କୁ ଡାକିଥିଲେ । ଉଦ୍ଧବଙ୍କ ନେତୃତ୍ୱରେ ରାଜ୍ୟରେ ନୂତନ ମହା ବିକାଶ ଅଘାଡି (ଏମଭିଏ) ସରକାର ପ୍ରତିଷ୍ଠା ହୋଇଥିଲା । ଅଜିତ ପାୱାର ମଧ୍ୟ ଦାଦାଙ୍କ ନିକଟକୁ ଫେରିବାକୁ ବାଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଶିବସେନାରେ ବିଦ୍ରୋହ, ଦଳର ନେତା ଏକନାଥ ସିନ୍ଧେ ସଂଖ୍ୟାଧିକ ଶିବସେନା ବିଧାୟକଙ୍କୁ ନେଇ ବିଜେପି ସହ ହାତ ମିଳାଇବା, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମହା ବିକାଶ ଅଘାଡି ସରକାରର ପତନ ଘଟିବା ଏବଂ ସିନ୍ଧେ ମୁଖ୍ୟମନ୍ତ୍ରୀ ଓ ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ହେବା କାହାଣୀ କାହାରିକୁ ଅଛପା ନାହିଁ । ଇତିମଧ୍ୟରେ, ଏନସିପି ନେତା ଅଜିତ ପାୱାର ପୁଣି ଥରେ ବିଜେପି ପ୍ରେମରେ ପଡିଛନ୍ତି । ଦଳର ମୁଖ୍ୟ ଶରଦ ପାୱାର ଏହି ସୂଚନା ପାଇବା ପରେ ଏନସିପି ମୁଖ୍ୟ ପଦରୁ ଇସ୍ତଫା ଦେବା ନାଟକ ରଚି ଥିଲେ । ସେହି ସମୟରେ ପୁତୁରା ଅଜିତଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ନେତା ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ନିଷ୍ପତ୍ତି ବଦଳାଇବାକୁ ଆକୁଳ ନିବେଦନ କରିଥିଲେ ଓ ପାୱାର ତିନି ଦିନ ସମୟ ନେଇ ଦଳର ମୁଖ୍ୟ ପଦରୁ ଇସ୍ତଫା ନିଷ୍ପତ୍ତିରୁ ଓହରି ଥିଲେ । ପରବର୍ତ୍ତୀ ସମୟରେ ଦଳର ସଂଗଠନକୁ ସୁଦୃଢ କରିବା ନାମରେ ଶରଦ ପାୱାର ପୁତୁରା ଅଜିତ ପାୱାରଙ୍କୁ ସାଂଗଠନିକ ଦାୟିତ୍ୱ ନଦେଇ ଝିଅ ସାଂସଦ ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ସଭାପତି କରିଛନ୍ତି । ଅଜିତ ପାୱାର ବିଧାନସଭାରେ ବିରୋଧୀ ଦଳ ନେତା ଥିବାରୁ ସେ ଅଧିକ ଭାରାକ୍ରାନ୍ତ ହେବା ଶରଦ ଚାହୁଁ ନାହାନ୍ତି, ତେଣୁ ସୁପ୍ରିୟାଙ୍କୁ କାର୍ଯ୍ୟକାରୀ ସଭାପତି କଲେ ବୋଲି ଶରଦ ପାୱାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଗଲା । ଶରଦ ପାୱାରଙ୍କ ଏହି ନିର୍ଣ୍ଣୟ ଅଜିତ ପାୱାରଙ୍କୁ କ୍ଷୁବ୍ଧ କରିଛି । ସେ ବିରୋଧୀ ଦଳ ନେତା ପଦ ଛାଡି ଏନସିପି ସାଂଗଠନିକ ଦାୟିତ୍ୱରେ ରହିବାକୁ ପ୍ରସ୍ତୁତ ବୋଲି ଦଳର ମୁଖ୍ୟଙ୍କ ଜଣାଇବା ସହ ଦୁଇ ଦିନ ତଳେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସୁପ୍ରିୟାଙ୍କୁ ନୂଆ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ତେବେ, ନିକଟରେ ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସହ ଦିଲ୍ଲୀରେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଥିବା କାହାରିକୁ ଅଛପା ନଥିଲା । ଏହାକୁ ନେଇ ଅଜିତ ପୁନର୍ବାର ରାଜନୈତିକ ପଇଁତରା ବଦଳାଉଥିବା ନେଇ ଚର୍ଚ୍ଚା ହେଉଥିଲା । ଅଜିତ ପାୱାର ସିନ୍ଧେ ସରକାରରେ ଫଡନାଭିସଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ହେବାକୁ ଶପଥ ନେଇଥିବା ବିଜପି ଚାଲ୍ କୁ ପଦାରେ ପକାଇଛି । ଅଜିତଙ୍କ ପଛରେ ଏନସିପିର ଅନ୍ୟୁନ ୪୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଏବେ ଦାବି କରାଯାଉଛି । ପୁତୁରା ଅଜିତ ୨୦୧୯ରେ ନଭେମ୍ବରରେ ଦାଦା ଶରଦ ପାୱାରଙ୍କୁ ଧୋକା ଦେଇଥିଲେ । ଏବେ ଦ୍ୱିତୀୟ ଥର ପାଇଁ ଦାଦାଙ୍କୁ ଧୋକା ଦେଇଛନ୍ତି । ତେବେ, ଦଳକୁ ପୁଣି ଥରେ ମୂଳରୁ ଗଢିବୁ ବୋଲି ଏନସିପି ଓ ମହା ବିକାଶ ଅଘାଡି ନେତୃବର୍ଗ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ନେତା ସଂଜୟ ରାଉତ ଇତିମଧ୍ୟର ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । ରାଉତ ଟ୍ୱିଟ୍ କରି କହିଛନ୍ତି, ‘ଏବେ ବି ମୁଁ ଦୃଢ ରହିଛି । କାରଣ, ଆମ ପଛରେ ଜନସାଧାରଣଙ୍କ ସମର୍ଥନ ରହିଛି । ଉଦ୍ଧବ ଠାକରେଙ୍କ ସହ ମିଶି ଆମେ ପୁନର୍ବାର ସବୁ କିଛି ଠିକ୍ କରିଦେବା’ ବୋଲି କୁଆଡେ ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କୁ କହିଛନ୍ତି । ନିକଟରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଅଦଳବଦଳ ହେବାକୁ ଥିବାରୁ ଓ ସେଥିରେ ବିଜେପି ତାହାର ଅନୁଗତମାନଙ୍କୁ ଥଇଥାନ କରିବା ସମ୍ଭାବନା ଥିବାରୁ ମହାରାଷ୍ଟ୍ରରେ ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ନଥିବା ଫଡନାଭିସଙ୍କୁ କେନ୍ଦ୍ରରେ ଥଇଥାନ କରାଯାଇ ଅଜିତ ପାୱାରଙ୍କୁ ଏକାକୀ ଉପ ମୁଖ୍ୟମନ୍ତ୍ରୀ ରହିବା ଭରସା ମିଳିଥାଇପାରେ ବୋଲି ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS