ମହାରାଷ୍ଟ୍ର ପରେ ବିହାର ପାଳି ?


ପ୍ରସାଦ ରାଓ
ଜୁଲାଇ ୦୪
୨୦୨୪ ଲୋକସଭା ନିର୍ବାଚନକୁ ଆଖିରେ ରଖି ବିଜେପି ଯେଉଁ ରାଜନୈତିକ ଗୋଟି ଚଳାଇବା ଆରମ୍ଭ କରିି ତାହାର ସଦ୍ୟ ଶିକାର ହୋଇଛି ମହାରାଷ୍ଟ୍ରର ଅନ୍ୟତମ ପ୍ରମୁଖ ରାଜନୈତିକ ଦଳ ଏନସିପି । ରବିବାର (ଜୁଲାଇ ୨ ତାରିଖ) ଦିନ ବିଜେପି ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ମାଧ୍ୟମରେ ଏନସିପିରେ ବିଭାଜନ ଘଟାଇ ପୁତୁରାଙ୍କୁ ମହାରାଷ୍ଟ୍ର ସରକାରରେ ସାମିଲ କରାଇଛି । ଅଜିତ ପାୱାର ରାଜ୍ୟର ଶିବସେନା-ବିଜେପି ସରକାରରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଅଧିନରେ ଦ୍ୱତୀୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୟୁପି ପରେ ମହାରାଷ୍ଟ୍ରରେ ଦ୍ୱିତୀୟ ସର୍ବାଧିକ ଲୋକସଭା ଆସନ ଥିବାରୁ ବିଜେପି ନିଜ ଶକ୍ତି ବୃଦ୍ଧି ପାଇଁ ଦଳ ଭଙ୍ଗା ଓ କ୍ଷମତା ଦଖଲ ଖେଳ ଖେଳୁଥିବା ଆଲୋଚନା ହେଉଛି । ମହାରାଷ୍ଟ୍ର ପରେ ବିଜେପିରେ ଏହି ଖେଳ ହେବ ବୋଲି ମଧ୍ୟ ଆଲୋଚନା ଜୋର ଧରିଛି ।
ଗତ ବର୍ଷ ଜୁନ ମାସରେ ବିଜେପି ମହାରାଷ୍ଟ୍ରରେ ହିନ୍ଦତ୍ୱବାଦୀ ନେତା ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଆଂଚଳିକ ଦଳ ଶିବସେନାରେ ବିଭାଜନ ଘଟାଇ ଥିଲା । ଦଳକୁ ଦୁଇ ଫାଳ କରି ଗୋଟିଏ ଫାଳକୁ ନେଇ ସରକାରରେ ରହିଛି । ରାଜ୍ୟ ବିଧାନସଭାରେ ଦଳର ସର୍ବାଧିକ ସଂଖ୍ୟକ (୧୦୫) ବିଧାୟକ ଥିଲେ ମଧ୍ୟ ବିଜେପି ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବାସାଇ ସନ୍ତୁଷ୍ଟ କରିଛି । ଠିକ୍ ବର୍ଷକ ପରେ ୨୦୨୩ ଜୁଲାଇରେ ବିରୋଧୀ ଏକତା ଉଦ୍ୟମରେ ଥିବା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦଳ ଏନସିପିରେ ବିଭାଜନ ଘଟାଇ ପାୱାରଙ୍କୁ ଝଟକା ଦେଇଛି । ଏଥିରେ ଶରଦ ପାୱାରଙ୍କ ପୁତୁରା ତଥା ରାଜ୍ୟର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମୋହରା କରାଯାଇଛି । ଅଜିତ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ଲୋଭରେ ୧୯୯୯ରେ ଦାଦା ଶରଦ ପାୱାରଙ୍କ ଦ୍ୱାରା ଗଢା ଯାଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିଭାଜନ ଘଟାଇ ଥିଲେ ମଧ୍ୟ ରବିବାର (ଜୁଲାଇ ୨ ତାରିଖ) ଦିନ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ଶିବସେନା-ବିଜେପି ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସନ୍ତୁଷ୍ଟ ଅଛନ୍ତି ।
ଅଜିତଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ତୁରନ୍ତ ପୂରଣ ହୋଇ ନାହିଁ । ତେବେ, ନିକଟ ଭବିଷ୍ୟତରେ ଏହି ସ୍ୱପ୍ନ ପୂରଣ ହୋଇପାରେ ବୋଲି ଆଶା ରଖି ସେ ଦାଦା ଶରଦ ପାୱାରଙ୍କ ବିରୋଧରେ ଗୋପନ ଷଡଯନ୍ତ୍ର କରିବା ସହ ଏନସିପିରେ ବିଭାଜନ କରିଛନ୍ତି ବୋଲି ଆଲୋଚନା ହେଉଛି । ୨୦୨୨ ଜୁନରେ ଶିବସେନାରେ ମଧ୍ୟ ଏକାଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା-ଏନସିପି-କଂଗ୍ରେସ ମେଂଟ ସରକାରକୁ କ୍ଷମତାଚ୍ୟୁତ କରି କ୍ଷମତା ଦଖଲ ପାଇଁ ବିଜେପି ଶିବସେନା ନେତା ଏକନାଥ ସିନ୍ଧେଙ୍କୁ ମୋହରା କରିଥିଲା । ୨୦୨୩ ଜୁଲାଇରେ ଏନସିପିରେ ବିଭାଜନ ପାଇଁ ଅଜିତ ପାୱାର ମୋହରା ହୋଇଛନ୍ତି । ସିନ୍ଧେ ଯେମିତି ପାଖାପାଖି ୪୦ ଶିବସେନା ବିଧାୟକ ଓ ୧୧ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନକୁ ଧରି ବିଜେପି ସହ ହାତ ମିଳାଇ ଥିଲେ ଅଜିତ ପାୱାର ଠିକ୍ ସେମିତି ଏନସିପିର ୫୩ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ତାଙ୍କ ପଉରେ ଥିବା ଦାବି କରି ସିନ୍ଧେ ସରକାରରେ ସାମିଲ ହୋଇଛନ୍ତି । ବାସ୍ତବରେ ତାଙ୍କ ପଛରେ ଏନସିପିର କେତେ ବିଧାୟକଙ୍କ ସମର୍ଥନ ରହିଛି ଆଜି ବିଭାଜନର ତୃତୀୟ ଦିବସ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ଅଜିତ ପାୱରଙ୍କ ସହ ଥିବା ଏନସିପି ବିଧାୟକଙ୍କ ମଧ୍ୟରୁ କେତେକ ଦଳର ମୁଖ୍ୟ ଶରଦ ପାୱାରଙ୍କ ସହ ଯୋଗଯୋଗରେ ଥିବା ଏବଂ ସେମାନଙ୍କୁ ବିଭ୍ରାନ୍ତ କରାଯାଇ ଅଜିତ ପାୱାରଙ୍କ ଶପଥ ଗ୍ରହଣ ଉତ୍ସବକୁ ନିଆଯାଇଥିବା କହି ମୂଳ ଦଳକୁ ଫେରିବାକୁ ଚାହୁଁ ଥିବା ଶରଦ ପାୱାର ଗୋଷ୍ଠୀ ଦାବି କରୁଥିବା ବେଳେ ଅଜିତ ପାୱାର କହୁଛନ୍ତି, ଦଳରେ କୌଣସି ବିଭାଜନ ହୋଇ ନାହିଁ । ତାଙ୍କ ଗୋଷ୍ଠୀ ହିଁ ପ୍ରକୃତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି । ଠିକ୍ ସମୟରେ ସେ ତାଙ୍କ ପଛରେ ଥିବା ବିଧାୟକଙ୍କ ସଂଖ୍ୟା ସାମ୍ନାକୁ ଆଣିବେ । ଏନସିପିର ମୂଳ ନେତା ଶରଦ ପାୱାର ତାଙ୍କ ସହ ଏବେ ମଧ୍ୟ ଦଳର ସଂଖ୍ୟାଗରିଷ୍ଠ ବିଧାୟକ ଅଛନ୍ତି ବୋଲି ପ୍ରମାଣିତ କରିବା ପାଇଁ ଆସନ୍ତା କାଲି (ଜୁଲାଇ ୫ ତାରିଖ) ମୁମ୍ବାଇରେ ଏକ ବୈଠକ ରଖିଥିବା ବେଳେ ଅଜିତ ପାୱାର ମଧ୍ୟ ଏକ ସମାନ୍ତରାଳ ବୈଠକ ରଖିଛନ୍ତି । ତେଣୁ, କାହା ପଛରେ କେତେ ସମର୍ଥନ ରହିଛି ତାହା ଆସନ୍ତା କାଲି ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ବିଶ୍ଲେଷକମାନେ ଆଶା କରୁଛନ୍ତି ।
ଅଜିତ ପାୱାରଙ୍କ ସହ ଏନସିପିର ବରିଷ୍ଠ ନେତା (କାର୍ଯ୍ୟକାରୀ ସଭାପତି) ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ, ଲୋକସଭା ସାଂସଦ ସୁନିଲ ତଟକାରେ ଓ ଆଠ ଜଣ ବିଧାୟକ ଥିବା ସ୍ପଷ୍ଟ । ରବିବାର ସେମାନେ ଶପଥ ଗ୍ରହଣ ଉତ୍ସବରେ ସାମିଲ ଥିଲେ । ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅନ୍ୟ ଆଠ ଜଣ ବିଧାୟକ ସିନ୍ଧେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଏନସିପିର ଅନ୍ୟତମ ବରିଷ୍ଠ ନେତା ଛଗନ ଭୁଜବଳ । ଅଜିତ ପାୱାରଙ୍କ ବିଦ୍ରୋହରୁ ଉପୁଜି ଥିବା ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଶରଦ ପାୱାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ପ୍ରଫୁଲ୍ଲ ପଟେଲ, ସୁନିଲ ତଟକାରେ, ଦଳର ମୁମ୍ବାଇ ଶାଖା ମୁଖ୍ୟ ନରେନ୍ଦ୍ର ରାଠୋଡ, ଆକୋଲା ସହର ଜିଲ୍ଲା ମୁଖ୍ୟ ବିଜୟ ଦେଶମୁଖ ଏବଂ ଶିବାଜୀରାଓ ଗାରଜେ ଓ ସିନ୍ଧେ ସରକାରରେ ମନ୍ତ୍ରୀ ଭାବେ ସାମିଲ ହୋଇଥିବା ବିଧାୟକମାନଙ୍କୁ ଦଳରୁ ନିଲମ୍ବିତ କରିଥିବା ବେଳେ ଅଜିତ ପାୱାର ଗୋଷ୍ଠୀ ମଧ୍ୟ ଏନସିପିର ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କ ସମେତ କିଛି ନେତାଙ୍କୁ ନିଲମ୍ବିତ କରିଥିବା ଘୋଷଣା କରିଛନ୍ତି । ଉଭୟ ପକ୍ଷ ପରସ୍ପର ବିରୋଧରେ ବାଚସ୍ପତିଙ୍କ ନିକଟରେ ଫେରାଦ ହେବା ସହ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଦଳ ବଦଳ ନିରୋଧ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ରାଜ୍ୟ ବିଧାନସଭା ବାଚସ୍ପତିଙ୍କ ନିକଟରେ ଏନେଇ ବହୁ ସଂଖ୍ୟାରେ ଆବେଦନ ପହଂଚିଛି । ସେସବୁକୁ ଠିକ୍ ଭାବେ ଅନୁଧ୍ୟାନ କରାଯିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରୱେକର ଆଜି ଗଣମାଧ୍ୟମକୁ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶିବସେନାରେ ବିଦ୍ରୋହ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସମେତ ୧୬ ଜଣ ଶିବସେନା ବିଧାୟକଙ୍କ ବିରୋଧରେ ଦଳ ବଦଳ ନିରୋଧ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ ଯେଉଁ ସବୁ ଆବେଦନ ହୋଇଥିଲା ସେସବୁ ଆଜି ସୁଦ୍ଧା ବାଚସ୍ପତିଙ୍କ ବିଚାରାଧୀନ ରହିଛି । ଏନେଇ ସୁପ୍ରିମ କୋର୍ଟ ସ୍ପଷ୍ଟ ରାୟ ଦେଇ ଅତିଶୀଘ୍ର ସେସବୁର ଫଇସଲା କରିବାକୁ ବାଚସ୍ପତିଙ୍କୁ ନିର୍ଦେଶ ଦେଇଛନ୍ତି । ଏବେ, ଏନସିପିର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ଗୋଷ୍ଠୀର ଆବେଦନ ତାଙ୍କ ନିକଟରେ ପହଂଚିଛି ଏବଂ ସୁପ୍ରିମ କୋର୍ଟ ଖଣ୍ଡପୀଠ ଶିବସେନା ବିଧାୟକଙ୍କ ସଂପର୍କରେ ଦେଇଥିବା ନିର୍ଦେଶ ଅତ୍ୟନ୍ତ ସ୍ପଷ୍ଟ ଥିବାରୁ ଠିକ୍ ସମୟରେ ସେ ସମସ୍ତ ଆବେଦନର ବିଚାର କରି ନିଷ୍ପତ୍ତି ଶୁଣାଇବେ ବୋଲି ବାଚସ୍ପତି କହିଛନ୍ତି ।
ଏନସିପିରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଅନେକ ଦଳର ମୁଖ୍ୟ ଶରଦ ପାୱାରଙ୍କୁ ଦାୟୀ କରୁଛନ୍ତି । ଶରଦ ପାୱାର ଗତ ମେ’ ମାସରେ ଅଚାନକ ଦଳର ମୁଖ୍ୟ ପଦରୁ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ । ଦଳର ନେତା ଓ କର୍ମୀମାନେ ଇସ୍ତଫା ପ୍ରତ୍ୟାହାର ପାଇଁ ନିବେଦନ କରିବାରୁ ସେ ତିନି ଦିନ କାଳ ସେମାନଙ୍କୁ ଝୁଲାଇ ରଖି ପରେ ତାହା ଇସ୍ତଫା ପ୍ରତ୍ୟାହାର କରିଥିଲେ । ତେବେ, ପରେ ଯେଉଁ ସାଂଗଠନିକ ପୁନର୍ଗଠନ କଲେ ସେଥିରେ ଝିଅ ସାଂସଦ ସୁପ୍ରିୟା ସୁଲେ ଓ ତାଙ୍କ ଘନିଷ୍ଟ ସହଯୋଗୀ ପ୍ରଫୁଲ୍ଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତି କଲେ । ପ୍ରଫୁଲ୍ଲ ପଟେଲଙ୍କ ନିଯୁକ୍ତିକୁ ନେଇ ପୁତୁରା ଅଜିତ ପାୱାର କ୍ଷୁବ୍ଧ ନଥିଲେ ମଧ୍ୟ ସୁପ୍ରିୟାଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବା ତାଙ୍କ ପାଇଁ ଗ୍ରହଣୀୟ ନଥିଲା । ସେ ଏନସିପି ସଂଗଠନ ନିଜ ହାତରେ ରଖିବାକୁ ଚାହୁଁଥିଲେ । ତେବେ, ପୁତୁରା ଅଜିତ ପାୱାର ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଥିବାରୁ ସେ ତାଙ୍କୁ ଅଧିକ ଭାରାକ୍ରାନ୍ତ କରିବାକୁ ଚାହୁଁ ନଥିବା, ତେଣୁ ସଂଗଠନ ଦାୟିତ୍ୱ ଦେଇନଥିବା ଶରଦ ପାୱାର କହିଥିବା ବେଳେ ସଂଗଠନର ଦାୟିତ୍ୱ ନେବାକୁ ସେ ବିରୋଧୀ ଦଳ ନେତା ପଦ ଛାଡିବାକୁ ପ୍ରସ୍ତୁତ ଥିବା ଅଜିତ ସ୍ପଷ୍ଟ କହିଥିଲେ ।
ତଥାପି ତାଙ୍କୁ କୋଣଠେସା କରାଯିବାରୁ ଏନସିପି ବିଭାଜନର ସୂତ୍ରପାତ ହୋଇଥିଲା । ଅଜିତ ପାୱାର ଗୋପରେ ରାଜ୍ୟ ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଯୋଗାଯୋଗରେ ରହି ବିଭାଜନର ରୂପରେଖ ପ୍ରସ୍ତୁତ କରିଥିଲେ । ଗତ ରବିବାର ତାହା କାର୍ଯ୍ୟକାରୀ ହୋଇଥିଲା । ଏହାପରରୁ ଏନସିପିରେ ବିଭାଜନ ପାଇଁ ଗୋପନ ଷଡଯନ୍ତ୍ର ଅଧିକ ବ୍ୟାପକ ହୋଇଥିଲା । ଅଜିତ ପାୱାର ଦୁଇ ଦିନ ତଳେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ । ଦଳର ନୂତନ କାର୍ଯ୍ୟକାରୀ ସଭାପତି ହୋଇଥିବା ଭଉଣୀ ସୁପ୍ରିୟା ସୁଲେଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏବଂ ଦଳରେ ବିଭାଜନ ପାଇଁ ଭିତିରି କ୍ଷେତ୍ର ପ୍ରସ୍ତୁତ କରିଥିଲେ । ଏନସିପି ମୁଖ୍ୟ ଶରଦ ପାୱାର ଏହି ଷଡଯନ୍ତ୍ରକୁ ଜାଣିନପାରିବା ଥିଲା ତାଙ୍କ ପାଇଁ ବଡ ଝଟକା । ଏନସିପିରେ ଏକ ବିଭାଜନ ହୋଇଥିବା ଉଭୟ ପକ୍ଷରୁ ଚାଲିଥିବା କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ ହେଉଥିଲେ ମଧ୍ୟ ଦଳରେ କୌଣସି ବିଭାଜନ ହୋଇନାହିଁ, ଶରଦ ପାୱାର ଏବେ ବି ଦଳର ମୁଖ୍ୟ ଅଛନ୍ତି ବୋଲି ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ଦାବି କରୁଛନ୍ତି । ମହାରାଷ୍ଟ୍ର ବିଧାନସଭାର ୫୩ ଜଣ ଏନସିପି ବିଧାୟକଙ୍କ ମଧ୍ୟରୁ ୫୧ ଜଣ ଶିବସେନା-ବିଜେପି ସହ ଦଳ ସରକାରରେ ସାମିଲ ହେବା ଚାହିଁବାରୁ ତାହା କାର୍ଯ୍ୟକାରୀ କରାଯାଇଛି ବୋଲି ସେ ଦାବି କରିଛନ୍ତି ।
ତେବେ, ଶରଦ ପାୱାର କହିଛନ୍ତି, ଅଜିତ ପାୱାରଙ୍କ ଷଡଯନ୍ତ୍ରକୁ ନେଇ ସେ ସଂପୂର୍ଣ୍ଣ ଅନ୍ଧାରରେ ଥିଲେ । ମହାରାଷ୍ଟ୍ର ଜନତା ସବୁ ଦେଖୁଛନ୍ତି । ଠିକ୍ ସମୟରେ ବିଦ୍ରୋହୀଙ୍କୁ ଜବାବ ଦେବେ । ଯେଉଁ ବିଧାୟକମାନେ ସିନ୍ଧେ ସରକାରରେ ସାମିଲ ହୋଇଛନ୍ତି ସେମାନଙ୍କ ବ୍ୟତୀତ ଅନ୍ୟମାନେ ଦଳକୁ ଫେରିବାକୁ ଚାହିଁଲେ ସେମାନଙ୍କ ପାଇଁ ଦ୍ୱାର ଖୋଲା ରହିଛି ବୋଲି ଉଭୟ ଶରଦ ପାୱାର ଓ ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଘୋଷଣା କରିଛନ୍ତି । ଶରଦ ପାୱାର କହିଛନ୍ତି, ସେ ଦଳକୁ ପୁଣି ଥରେ ନୂଆକରି ଗଢିବେ । ଅଜିତ ପାୱାରଙ୍କ ପ୍ରଶ୍ନ ହେଉଛି, ଦଳ ଯଦି ବୋଲି କହିଥିବା ବେଳେ ଶିବସେନା ସହ ହାତ ମିଳାଇ ପାରିଲା ବିଜେପି ସହ ହାତ ମିଳାଇବାରେ ଅସୁବିଧା ରହିଲା କେଉଁଠି ? ମହାରାଷ୍ଟ୍ରରେ ବିଜେପି ଯେଉଁ ଖେଳ ଖେଳିଛି ଆଗକୁ ବିହାରରେ ସେହି ଖେଳ ଦେଖିବାକୁ ମିଳିବ ବୋଲି କିଛି ବିଜେପି ନେତା ସତର୍କ କରାଇ ଦେଇଛନ୍ତି । ବିହାରରେ ୪୦ଟି ଲୋକସଭା ଆସନ ଥିବାରୁ ବିଜେପିର ପରବର୍ତ୍ତୀ ଟାର୍ଗେଟ୍ ବିହାର ହେବାକୁ ଯାଉଥିବା ଆଲୋଚନା ହେଉଛି ।
୨୦୧୯ରେ ଶିବସେନା ମୁଖ୍ୟ ଥିବା ଉଦ୍ଧବ ଠାକରେ ବିଜେପି ସହ ମେଂଟରେ ନିର୍ବାଚନ ଜିଣି ମୁଖ୍ୟମନ୍ତ୍ରୀ ହେବାକୁ ନିର୍ବାଚନ ପରେ ମେଂଟ ଭାଂଗି ଥିଲେ ଏବଂ ଏନସିପି ଓ କଂଗ୍ରେସକୁ ନେଇ ‘ମହା ବିକାଶ ଅଘାଡି’ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପି ଏହାକୁ ଠିକ୍ ଭାବେ ହଜମ କରିପାରି ନଥିଲା । ତେଣୁ, ୨୦୨୨ ଜୁନରେ ସିନ୍ଧେଙ୍କୁ ମୋହରା କରି ଶିବସେନାକୁ ତଳିତଳାନ୍ତ କରିଛି । ବିହାର ରାଜନୀତି ମଧ୍ୟ ଏକାଭଳି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଂଟରେ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ପରେ ବିଜେପି ଠାରୁ ଦୂରେଇ ଆରଜେଡି ଓ କଂଗ୍ରେସ ସହ ମିଶି ସରକାର କରିଛନ୍ତି । ୨୦୨୪ ନିର୍ବାଚନରେ ସେ ବିଜେପିକୁ ହରାଇବା ପାଇଁ ବିରୋଧୀଙ୍କୁ ଏକାଠି କରୁଛନ୍ତି । ତେଣୁ, ବିଜେପି ଉଦ୍ଧବଙ୍କ ଭଳି ନୀତୀଶଙ୍କୁ ମଧ୍ୟ ଟାର୍ଗେଟ କରିସାରିଛି ।
ବିହାରରେ କ୍ଷମତାରେ ଥିବା ଜେଡିୟୁ, ଆରଜେଡି ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଭାଜନ କରି ନୀତୀଶଙ୍କୁ କ୍ଷମତାଚ୍ୟୁତ କରିବାର ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଛି ତାହାର ଆରମ୍ଭ ଗତକାଲିର ସିବିଆଇ ଚାର୍ଜସିଟରୁ ସ୍ପଷ୍ଟ ହେଉଛି । ୟୁପିଏ-୧ ସରକାରରେ ଲାଲୁ ପ୍ରସାଦ ଯାଦବ କେନ୍ଦ୍ରରେ ରେଳବାଇ ମନ୍ତ୍ରୀ ଥିବା ସମୟରେ ‘ଜମି ବଦଳରେ ନିଯୁକ୍ତି’ ଅଭିଯୋଗ ହୋଇଥିଲା । ସିବିଆଇ ଓ ଇଡି ଏହି ମାମଲାର ତଦନ୍ତ କରୁଥିଲେ । ଗତକାଲି ସିବିଆଇ ପକ୍ଷରୁ ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟରେ ଯେଉଁ ଚାର୍ଜସିଟ୍ ଦାଖଲ ହୋଇଛି ସେଥିରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡି ଦେବୀଙ୍କ ସହ ସାନ ପୁଅ (ବିହାର ଉପ ମୁଖ୍ୟମନ୍ତ୍ରୀ) ତେଜସ୍ୱୀ ଯାଦବଙ୍କ ନାମ ରହିଛି । ତେଜସ୍ୱୀ ଯଦି ଗିରଫ ହୁଅନ୍ତି ନୀତୀଶ ଦୁର୍ନୀତି ପଂକରୁ ମୁକୁଳିବା ପାଇଁ ପୁଣିଥରେ ଏନଡ଼ିଏ ମୁହାଁ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି । ବିହାରରେ ବିଜେପିର ‘ଅପରେସନ୍’ ଅତିଶୀଘ୍ର ଆରମ୍ଭ ହେଉଥିବା ନେଇ ଦୁଇ ଦିନ ହେଲା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ, ନୀତୀଶଙ୍କ ଆଡୁ କୌଣସି ପ୍ରତିକ୍ରିୟା ଆସି ନାହିଁ । ବିହାର ପରେ ବିଜେପି କାହାକୁ ଟାର୍ଗେଟ କରିବ ତାହା ଦେଖିବାକୁ ବାକି ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS