ମହାରାଷ୍ଟ୍ରରେ ବିଜେପିର କ୍ଷମତା ଖେଳ…


ପ୍ରସାଦ ରାଓ
ଜୁଲାଇ ୦୬
ମହାରାଷ୍ଟ୍ରରେ ଏବେ ଯେଉଁ ଖେଳ ଚାଲିଛି ତାହା କ୍ଷମତାକୁ ଜାବୁଡି ରଖିବା ପାଇଁ ବିଜେପିର ଏକ ‘କୁଟନୈତିକ ଖେଳ’ କହିବା ଅତ୍ୟୁକ୍ତି ହେବ ନାହିଁ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ଏକତ୍ରିତ ଭାବେ ନିର୍ବାଚନ ଲଢି ଥିଲେ ଓ ମହାରାଷ୍ଟ୍ର ଜନତା ସରକାର ଗଠନ ପାଇଁ ଏହି ମେଂଟକୁ ଆବଶ୍ୟକ ସଂଖ୍ୟା ଦେଇଥିଲେ । ତେବେ, ବିଜେପି ଦେବେନ୍ଦ୍ର ଫଡନାଭିସଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୁଅକୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଥିଲେ । ଚଉକିକୁ ନେଇ ଟଣାଓଟରା ଭିତରେ ବିଜେପି-ଶିବସେନା ମେଂଟ ଫାଟି ଗଲା । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ତାଙ୍କ ପିତା ସ୍ୱର୍ଗତ ବାଲାସାହବ ଠାକରେଙ୍କ ‘ହିନ୍ଦୁତ୍ୱ’ ବିଚାରଧାରାକୁ ଆଗକୁ ନେବାକୁ କାର୍ଯ୍ୟ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚଉକିକୁ ନେଇ ଏନସିପି (ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି) ଓ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି) ଭଳି ଦୁଇଟି ଧର୍ମନିରପେକ୍ଷ ଦଳଙ୍କ ସହ ରାଜନୈତିକ ବୁଝାମଣା କରି ରାଜ୍ୟରେ ‘ମହା ବିକାଶ ଅଘାଡି’ ସରକାର ପ୍ରତିଷ୍ଠା କରି ନିଜେ ମୁଖମନ୍ତ୍ରୀ ହେବା ସହ ପୁଅକୁ କ୍ୟାବିନେଟରେ ସ୍ଥାନ ଦେଇଥିଲେ । ବିଜେପି ପାଇଁ ଏହା ଅସହ୍ୟ ହେବାର କାରଣ ଥିଲା, ଉଦ୍ଧବ ବିଜେପି ସହ ମେଂଟରୁ ଓହରି ଯିବାରୁ କ୍ଷମତା ହାତରୁ ଖସିଗଲା ଏବଂ ହିନ୍ଦତ୍ୱବାଦୀ ଉଦ୍ଧବ ଠାକରେ କ୍ଷମତା ପାଇଁ ଏନସିପି ଓ କଂଗ୍ରେସ ସହ ହାତ ମିଳାଇ ନିଜକୁ ଧର୍ମନିରପେକ୍ଷ ସାବ୍ୟସ୍ତ କରିବା ଉଦ୍ୟମରେ ରହିଲେ ।
୨୦୨୨ରେ ଉଦ୍ଧବ ଠାକରେଙ୍କୁ ତାହାର ମୂଲ୍ୟ ଦେବାକୁ ପଡିଲା । କୌଣସି ପ୍ରକାର ମହା ବିକାଶ ଅଘାଡି ସରକାରକୁ ଭାଂଗି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ପ୍ରତିଷ୍ଠା ପାଇଁ ଯୋଜନା କରି ଆସୁଥିବା ବିଜେପି ଏନସିପି, କଂଗ୍ରେସ ଓ ଶିବସେନା ବିଧାୟକ ଦଳରେ ଫାଟ ସୃଷ୍ଟି ଉଦ୍ୟମରେ ଥିଲା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁତ୍ର ମୋହ, ବିଧାୟକଙ୍କ ନିକଟରେ ଅପହଂଚ ରହିବା, ସହଯୋଗୀ ଦଳ ଏନସିପି ଓ କଂଗ୍ରେସକୁ ଖୁସି ରଖିବା ଉଦ୍ୟମ ଶିବସେନା ବିଧାୟକଙ୍କୁ ଅସୁଖୀ କରିଥିଲା । ଶିବସେନା ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (ବିଜେପି) ଶିବସେନାରେ ବିଦ୍ରୋହର ସୂତ୍ରପାତ କରାଇ ଥିଲେ ଏବଂ ସେତେବେଳେ ମହା ବିକାଶ ଅଘାଡି ସରକାରରେ ବରିଷ୍ଠ ମନ୍ତ୍ରୀ ଥିବା ଶିବସେନା ବିଧାୟକ ଏକନାଥ ସିନ୍ଧେଙ୍କୁ ମୋହରା କରି ଗୋଟି ଚଳାଇ ଥିଲେ । ମୁଖ୍ୟମନ୍ତ୍ରୀ ହେବା ମୋହ ସବୁ ନେତାଙ୍କ ରହିଛି । ସିନ୍ଧେ ମଧ୍ୟ ସେହି ମୋହର ଶିକାର ଥିଲେ । ଶିବସେନା ବିଧାୟକ ଦଳରେ ବିଦ୍ରୋହର ସୂତ୍ରପାତ ହେଲା । ୨୦୨୨ ଜୁନରେ ସିନ୍ଧେଙ୍କ ସମେତ ୧୬ ବିଧାୟକ ପ୍ରଥମେ ଦଳର ନେତୃତ୍ୱ (ଉଦ୍ଧବ ଠାକରେ) ବିରୋଧରେ ବିଦ୍ରୋହ ଘୋଷଣା କରି ନିଜର ସ୍ୱତନ୍ତ୍ର ଗୋଷ୍ଠୀ ତିଆରି କଲେ । ପରେ ସଂଖ୍ୟା ୩୯ ପର୍ଯ୍ୟନ୍ତ ପହଂଚିଲା ଏବଂ ଜୁନ ୩୦ ସୁଦ୍ଧା ଶିବସେନାରେ ବିଭାଜନ ଅଧିକ ସ୍ପଷ୍ଟ ହେବା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏବଂ ବିଦ୍ରୋହୀ ନେତା ସିନ୍ଧେ ନିଜ ସମର୍ଥକ ବିଧାୟକଙ୍କୁ ଧରି ବିଜେପି ସହାୟତାରେ ମିଳିତ ସରକାର ପ୍ରତିଷ୍ଠା କରି ନିଜେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
୨୦୧୯ ନିର୍ବାଚନ ପରେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହୁଁଥିବା ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ୨୦୨୨ ସଫଳତା ପରେ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦେବେନ୍ଦ୍ରଙ୍କୁ ତାଙ୍କ ଅଧିନରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇବା ରାଜ୍ୟ ବିଜେପି ନେତୃତ୍ୱ ପାଇଁ ଅପମାନଜନକ ହୋଇଥିଲେ ମଧ୍ୟ ଶିବସେନାରେ ଫାଟକୁ ଅଧିକ ଗଭୀର କରିବା ପାଇଁ ତାହା ଜରୁରୀ ଥିଲା । ଆଜି ସୁଦ୍ଧା ଶିବସେନାର ଦୁଇ ଗୋଷ୍ଠୀ ଦଳ ଉପରେ ନିୟନ୍ତ୍ରଣ ଓ ଦଳର ନିର୍ବାଚନ ଚିହ୍ନକୁ ନେଇ ପରସ୍ପର ବିରୋଧରେ ଆଇନଗତ ଲଢେଇ ଲଢୁଛନ୍ତି । ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସମେତ ୧୬ ଶିବସେନା ବିଧାୟକ ୨୦୨୨ରେ ଦଳୀୟ ‘ହ୍ୱିପ୍’ ଅବମାନନା କରିଥିବା ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଅଭଭିଯୋଗ କରିବା ସହ ଦଳ ବଦଳ ଆଇନ ଅନୁସାରେ ସେମାନଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ କରାଯିବାକୁ ଯେଉଁ ଆବେଦନ କରିଥିଲେ ସୁପ୍ରିମ କୋର୍ଟ ତାହାକୁ ବିଚାର କରି ବିନା ବିଳମ୍ବରେ ମାମଲାର ଫଇସଲା କରିବାକୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ବିଧାନସଭା ବାଚସ୍ପତି ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଦଳୀୟ ‘ହ୍ୱିପ୍’ ଅବମାନନା କରିଥିବା ଅଭିଯୋଗର ସାମ୍ନା କରୁଥିବା ଅନ୍ୟ ୧୫ ଶିବସେନା ବିଧାୟକଙ୍କ ସଂପର୍କରେ ଫଇସଲା ଶୁଣାଇବେ ବୋଲି ବିଶ୍ୱାସ କରାଯାଉଛି । ଯଦି ଏହି ୧୬ ବିଧାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ହୁଏ ତେବେ ମହାରାଷ୍ଟ୍ର ସରକାର ଅଡୁଆରେ ପଡିବା ନିଶ୍ଚିତ ।
ଏହି ସଂକଟରୁ ବର୍ତ୍ତିବା ପାଇଁ ଏବେ ବିଜେପି ଏନସିପିରେ ବିଭାଜନର ସୂତ୍ରପାତ କରିଥିବା ଆଲୋଚନା ହେଉଛି । ରାଜ୍ୟରେ ପାଂଚ ଥର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖି ଆସୁଛନ୍ତି । ଦାଦା ଶରଦ ପାୱାର ବୟସାଧିକ୍ୟ ସତ୍ତ୍ୱେ ଏନସିପି ମୁଖ୍ୟ ପଦରୁ ହଟୁ ନାହାନ୍ତି । ନିକଟରେ, ଶରଦ (ପାୱାର) ଦଳର ସାଂଗଠନିକ ପୁନର୍ଗଠନ କରି ସେ ଝିଅ ସାଂସଦ ସୁପ୍ରିୟା ସୁଲେଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି, ଯାହାକି ପୁତୁରା ଅଜିତ ପାୱାରଙ୍କୁ ବିଦ୍ରୋହ କରିବାର ସୁଯୋଗ ଦେଇଛି । ଉଦ୍ଧବ ଠାକରେଙ୍କ ମହା ବିକାଶ ଅଘାଡି ସରକାରରେ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଥିଲେ । ସରକାର କ୍ଷମତାଚ୍ୟୁତ ହେବା ପରେ ସିନ୍ଧେ-ଫଡନାଭିସ ସରକାରରେ ସେ ବିରୋଧୀ ଦଳ ନେତା ପଦରେ ଅଛନ୍ତି । ସେ ଏନସିପି ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଚାହୁଁଥିଲେ ମଧ୍ୟ ଦଳର ମୁଖ୍ୟ ଶରଦ ପାୱାର ୮୩ ବର୍ଷ ବୟସରେ ମଧ୍ୟ ନେତୃତ୍ୱ ଛାଡିବାକୁ ପ୍ରସ୍ତୁତ ନଥିବାରୁ ଏବଂ ନିଜର ଉତ୍ତରାଧିକାରୀ ଭାବେ ଝିଅକୁ ବାଛି ଥିବାରୁ ଅଜିତ ପାୱାର ବିଜେପି ଜାଲରେ ପଡି ଏନସିପିରେ ବିଭାଜନ ଘଟାଇବା ସହ ଦାଦା ଶରଦ ପାୱାରଙ୍କୁ ବଡ ଝଟକା ଦେଇଛନ୍ତି ।
ଅଜିତ ପାୱାରଙ୍କ ସମତେ କିଛି ବରିଷ୍ଠ ଏନସିପିର ନେତା ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ସିବିଆଇ ଓ ଇଡିର ସ୍କାନରରେ ଥିବାରୁ ଅସୁରକ୍ଷିତ ମନେ କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏକ ସମାବେଶରେ ବିରୋଧୀ ଏକତା ଉଦ୍ୟମକୁ ସମାଲୋଚନା କରିବା ସହ ଏକାଠି ହେଉଥିବା ବିରୋଧୀ ଦଳ ନେତାମାନେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ବୋଲି ଆକ୍ଷେପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ ପରେ ପରେ ଅଜିତ ପାୱାର ଓ ଅନ୍ୟ ୮ ଜଣ ଏନସିପି ବିଧାୟକ ସିନ୍ଧେ-ଫଡନାଭିସ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଭାବେ ଶପଥ ନେଇଯିବା ଏବଂ ସୋମବାର (ଜୁଲାଇ ୦୫) ତାରିଖ ଦିନ ମୁମ୍ବାଇରେ ସମାବେଶ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିବା ଆଉ ଏନସିପିର ଆଭ୍ୟନ୍ତରୀଣ ମାମଲା ରହି ନାହିଁ । ଏହା ବିଜେପିର ଏକ ସୁଚିନ୍ତିତ ରଣନୀତିର ଅଂଶ ରହିଛି । ଦଳ ବଦଳ ଆଇନ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିନ୍ଧେ ଓ ଶିବସେନାର ଅନ୍ୟ ୧୫ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେଲେ ସରକାର ଯେପରି ସଂକଟରେ ନ ପଡିବ ସେଥିପାଇଁ ବିଜେପି ତାହାର ‘ବ୍ୟାକଅପ୍ ପ୍ଲାନ୍’ ଭାବେ ଏନସିପିରେ ବିଭାଜନ କରି ଅଜିତ ପାୱାର ଗୋଷ୍ଠୀକୁ ମହାରାଷ୍ଟ୍ର ସରକାରରେ ସାମିଲ କରିଛି ।
ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାର ରବିବାର ଦିନ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ବିଧାୟକ ପଦ ରଦ୍ଦ ହେଲେ ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ରଖିଛନ୍ତି । ବିଜେପି ମଧ୍ୟ ଅଜିତ ପାୱାରଙ୍କ ଏହି ଅଭିଳାଷକୁ ସମ୍ମାନ ଦେଇ ମହାରାଷ୍ଟ୍ରକୁ ବିରୋଧୀ ଶୂନ୍ୟ କରିବା ‘ନୀଳନକ୍ସା’ ଉପରେ କାର୍ଯ୍ୟ କରୁଛି । ଏନସିପି ଓ ଅଜିତ ପାୱାରଙ୍କୁ ସରକାରରେ ସାମିଲ କରାଗଲେ ଶିବସେନା (ସିନ୍ଧେ) ସରକାରରୁ ଓହରି ଯିବ ବୋଲି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ସିନ୍ଧେ ଯେଉଁ ସତର୍କବାଣୀ ଶୁଣାଇ ଥିଲେ ଏବେ ସେଥିରୁ ଓହରି ଯାଇଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯେଉଁ ତ୍ରିପୁଲ ଇଂଜିନ ସରକାର ହେଲା ତାହା ରାଜ୍ୟର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ସିନ୍ଧେ ବୟାନ ଦେଇ ବିଜେପିକୁ ସନ୍ତୁଷ୍ଟ କରିଛନ୍ତି । ତେବେ, ଗତ ଏମଭିଏ ସରକାରରେ ଏନସିପିର ଏକାଧିପତ୍ୟକୁ ବିରୋଧ କରି ଯେଉଁ ଶିବସେନା ବିଧାୟକମାନେ ଉଦ୍ଧବ ଠାକରେଙ୍କୁ ବିରୋଧ କରିଥିଲେ ଓ ସିନ୍ଧେଙ୍କ ନେତୃତ୍ୱରେ ଅଲଗା ହୋଇ ଶିବସେନାରେ ବିଭାଜନ ଘଟାଇ ଥିଲେ ସେମାନେ ଏବେ ସିନ୍ଧେ-ଫଡନାଭିସ ସରକାରରେ ଏନସିପି ଓ ଅଜିତ ପାୱାର ସାମିଲ ହେବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ସିନ୍ଧେଙ୍କ ସହ ମହାରାଷ୍ଟ୍ର ସରକାରରେ ସାମିଲ ଥିବା ଶିବସେନା ବିଧାୟକମାନେ ସାଂପ୍ରତିକ ପରିସ୍ଥିତିରେ ଉଦ୍ଧବ ଠାକରେଙ୍କ ନିକଟକୁ ଫେରିବାକୁ ଯୋଗାଯୋଗରେ ଥିବା ଆଲୋଚନା ହେଲାଣି । ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଧେ ଯଦି ବିଦା ହୁଅନ୍ତି ଓ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେମାନଙ୍କ ଅବସ୍ଥା କଣ ହେବ (?), ସେ ନେଇ ଶିବସେନା ବିଧାୟକମାନେ ଚିନ୍ତିତ ଥିବା ଜଣାପଡିଛି । ତେବେ, ମୁଖ୍ୟମନ୍ତ୍ରୀ ସିନ୍ଧେ ଗତକାଲି ନିଜ ସମର୍ଥକ ବିଧାୟକଙ୍କୁ ଭେଟିଛନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନ ନେଇ ଯାହା ସବୁ ଆଲୋଚନା ହେଉଛି ସେସବୁ ଗୁଜବ ବୋଲି ସେମାନଙ୍କୁ ଭରସା ଦେବାକୁ ଉଦ୍ୟମ କରିଛନ୍ତି । ତଥାପି, ସିନ୍ଧେ-ଫଡନାଭିସ-ଅଜିତ ପାୱାରଙ୍କୁ ନେଇ ଯେଉଁ ନୂତନ ଶାସନ ବ୍ୟବସ୍ଥା ଆରମ୍ଭ ହୋଇଛି ତାହା ବିଜେପି ପାଇଁ ନହେଲେ ମଧ୍ୟ ଶିବସେନା ଓ ଏନସିପି ବିଧାୟକଙ୍କ ଭିତରେ ଯେ ଅଶ୍ୱସ୍ତିକର ବାତାବରଣ ସୃଷ୍ଟି କରିଛି, ତାହା ଜଳଜଳ ଦିଶୁଛି । ଏନସିପିରେ ରବିବାର ଦିନ ଘଟିଥିବା ବିଭାଜନର ଜଡ ବିଜେପି ଦିଲ୍ଲୀ କାର୍ଯ୍ୟାଳୟରେ ଥିବା ରାଜନୈତିକ ମହଲରେ ବିଶ୍ୱାସ କରାଯାଉଥିବା ବେଳେ ଆଜି ଦାଦା (ଶରଦ ପାୱାର)-ପୁତୁରା (ଅଜିତ ପାୱାର) ଲଢେଇକୁ ଦାଦା ଶରଦ ପାୱାର ଦିଲ୍ଲୀରେ ପହଂଚାଇଛନ୍ତି ।
ଅଜିତ ପାୱାର ଗୋଷ୍ଟୀ ରବିବାର ସିନ୍ଧେ ସରକାରରେ ସାମିଲ ହେବା ପୂର୍ବରୁ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରି ଶରଦ ପାୱାରଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିବା ଗତକାଲି ଘୋଷଣା କରିଥିଲେ । ଦଳର ନାମ ଓ ନିର୍ବାଚନ ଚିହ୍ନ ପାଇବାକୁ ଏହି ଗୋଷ୍ଠୀ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅପରପକ୍ଷରେ, ଏନସିପି ମୁଖ୍ୟ ଶରଦ ପାୱାର ଆଜି ଦିଲ୍ଲୀରେ ଏନସିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସେ ହିଁ ଏନସିପିର ରାଷ୍ଟ୍ରୀୟ ସଭାପତି ଥିବା କହିଛନ୍ତି । ଅଜିତ ପାୱାରଙ୍କୁ ସମର୍ଥନ କରୁଥିବା ଦଳର ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲଙ୍କ ସମେତ ତିନି ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଦଳର ନିର୍ବାଚନ ଚିହ୍ନକୁ ନେଇ ସେ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ଯିବେ ବୋଲି କହିଛନ୍ତି । ଗତକାଲି ଶରଦ ପାୱାର ଓ ଅଜିତ ପାୱାର ମୁମ୍ବାଇରେ ସମାନ୍ତରାଳ ବୈଠକ କରିଥିଲେ । ଦଳର ୫୩ ଜଣ ବିଧାୟକଙ୍କ ମଧ୍ୟରୁ ଶରଦଙ୍କ ବୈଠକରେ ୧୮ ଜଣ ବିଧାୟକ ଓ ୪ ଜଣ ସାଂସଦ ଏବଂ ଅଜିତଙ୍କ ବୈଠକରେ ୨୯ ଜଣ ବିଧାୟକ ଓ ଏନସିପିର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । କ୍ଷମତା ଲଢେଇରେ ପୁତୁରା ଦାଦାଙ୍କୁ ପଛରେ ପକାଇ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ଆଜି ଶରଦ ପାୱାର ଦିଲ୍ଲୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କରିବା ପରେ ଦାଦା-ପୁତୁରା ଲଢେଇ କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS