‘ମୋଦୀ ସାଂଗିଆ’ ମାମଲା, ଗୁଜରାଟ ହାଇକୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁଲାଇ ୦୭
ଯାହା ଅନୁମାନ କରାଯାଉଥିଲା ସେଭଳି ହିଁ ହୋଇଛି । ‘ମୋଦୀ ସାଂଗିଆ’କୁ ନେଇ କର୍ଣ୍ଣାଟକର କୋଲାରଠାରେ ୨୦୧୯ରେ ଆୟୋଜିତ ଏକ ନିର୍ବାଚନ ସଭାରେ ଅରୁଚିକର ମନ୍ତବ୍ୟ ଦେଇଥିବା କାରଣରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିବାରେ ଲାଗିଛି । ସୁରଟର ଏକ ନିମ୍ନ ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟବସ୍ତ କରି ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଦଣ୍ଡାଦେଶ ଯୋଗୁଁ ରାହୁଲ ତାଙ୍କ ଲୋକସଭା ସଦସ୍ୟତା ହରାଇ ଥିଲେ । ନିମ୍ନ ଅଦାଲତର ରାୟର ପୁନଃସମୀକ୍ଷା କରାଯାଇ ଦଣ୍ଡାଦେଶ ସ୍ଥଗିତ ରଖା ଯିବାକୁ ସେ ସୁରଟ ସେସନ୍ସ କୋଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା । ପରେ ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ସମାନ ଆବେଦନ କରିଥିବା ବେଳେ ଆଜି ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ପ୍ରଚ୍ଛକ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ଗୁଜରାଟ ହାଇକୋର୍ଟରେ ଆବେଦନ ଖାରଜ ହୋଇଯିବା ପରେ ସୁପ୍ରିମ କୋର୍ଟ ରାହୁଲଙ୍କ ଶେଷ ଭରସା ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ରାହୁଲ କର୍ଣ୍ଣାଟକର କୋଲାରଠାରେ ଆୟୋଜିତ ଜନସଭାରେ ଭାଷଣ ପ୍ରସଙ୍ଗରେ ‘ମୋଦୀ ସାଂଗିଆ’କୁ କଟାକ୍ଷ କରିଥିଲେ । ‘ଯେତେସବୁ ଚୋର ଧରା ପଡୁଛନ୍ତି ସମସ୍ତଙ୍କ ସାଂଗିଆ କେମତି ‘ମୋଦୀ’ ହେଲା’ ବୋଲି ରାହୁଲ କଟାକ୍ଷ କରିବାରୁ ରାହୁଲଙ୍କ ଏହି ଟିପ୍ପଣୀ ସମଗ୍ର ମୋଦୀ ସମାଜ ପାଇଁ ଅପମାନସୂଚକ ହୋଇଛି ଦର୍ଶାଇ ସୁରଟର ବିଜେପି ନେତା ପୂର୍ଣ୍ଣେଶ ମୋଦୀ ଥାନାରେ ଏକ ଆପରାଧୀକ ମାନହାନୀ ମାମଲା କରିଥିଲେ । ପୁଲିସ ଏହାର ତଦନ୍ତ କରି ମାମଲା ବିଚାର ପାଇଁ କୋର୍ଟକୁ ପଠାଇ ଦେଇଥିଲେ । ସୁରଟର ଏକ ନିମ୍ନ ଅଦାଲତ ଏହାର ବିଚାରଣା କରି ସାକ୍ଷ୍ୟ, ପ୍ରମାଣ ଆଧାରରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ, ରାୟକୁ ନେଇ ଉପର ଅଦାଲତରେ ଆବେଦନ କରିବା ସକାଶେ ଅଦାଲତ ତାଙ୍କୁ ୩୦ ଦିନ ସମୟ ଦେଇ ଜାମିନ ଦେଇଥିଲେ । ରାହୁଲଙ୍କ ବିରୋଧରେ ଅଦାଲତର ଦଣ୍ଡାଦେଶ ପ୍ରକାଶ ପାଉ ପାଉ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯିବା ସହ ସାଂସଦ ଭାବେ ୨୦ ବର୍ଷ ଧରି ରହିଥିବା ସରକାରୀ ବାସଭବନର ମଧ୍ୟ ତାଙ୍କୁ ବେଦଖଲ କରାଯାଇଛି । ସୁରଟ ନିମ୍ନ ଅଦାଲତର ରାୟକୁ ଚ୍ୟାଲେଂଜ କରି ତାହା ଉପରେ ସ୍ଥଗିତାଦେଶ ପାଇଁ ରାହୁଲ ସୁରଟ ସେସନ୍ସ କୋର୍ଟର ଆଶ୍ରୟ ନେଥିଲେ ମଧ୍ୟ ସେସନ୍ସ କୋର୍ଟରେ ତାଙ୍କ ଆବେଦନ ଖାରଜ ହେଲା । ପରେ ସେ ଗୁଜରାଟରେ ହାଇକୋର୍ଟରେ ଆବେଦନ କରିଥିଲେ । ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ପ୍ରଚ୍ଛକ ଆଜି ରାୟ ଶୁଣାଇ ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି । ବିଚାରପତି ତାଙ୍କ ରାୟରେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହା ଏକମାତ୍ର ଆପରାଧୀକ ମାମଲା ନୁହେଁ, ଆହୁରି ଅନେକ ମାମଲା ହୋଇଛି । ବୀର ସାବରକରଙ୍କ ନାତି ମଧ୍ୟ ଏକ ମାନହାନୀ ମାମଲା କରିଛନ୍ତି । ତେଣୁ, ତାଙ୍କ ପ୍ରତି ଦଣ୍ଡବିଧାନ କରି ନିମ୍ନ ଅଦାଲତ କିଛି ଅନ୍ୟାୟ କରି ନାହାନ୍ତି । ଦଣ୍ଡାଦେଶ ସ୍ଥଗିତ ରଖିବା ସକାଶେ ସେ ଯେଉଁ ଆବେଦନ କରିଥିଲେ ସେଥିରେ କିଛି ଦୃଢ ‘କାରଣ’ ନାହିଁ । ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ପ୍ରଚ୍ଛକଙ୍କ ରାୟ ଆସିବା ପରେ ବିଜେପି ତୁରନ୍ତ ତାହାକୁ ସ୍ୱାଗତ କରିଛି । ବିଜେପିର ଜାତୀୟ ମୁଖପାତ୍ର ଶେହେନାଜ ପୁନେୱାଲା ‘ସତ୍ୟମେବ ଜୟତେ’ ବୋଲି ଟ୍ୱିଟ୍ କରିଥିବା ବେଳେ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେ୍ୟୱାଲ କହିଛନ୍ତି, ରାହୁଲ ଗାନ୍ଧୀ ସାଧାରଣ ଜନତାର ଅର୍ଥର କିଭଳି ହରିଲୁଟ୍ ଚାଲିଛି ତାହା ପଦାରେ ପକାଇ ଦଣ୍ଡିତ ହୋଇଛନ୍ତି । ସୁରଟ ନିମ୍ନ ଅଦାଲତ ଦେଇଥିବା ଦଣ୍ଡାଦେଶ ହାଇକୋର୍ଟରେ ସ୍ଥଗିତ ରହି ଥିଲେ ରାହୁଲ ଗାନ୍ଧୀ ତାଙ୍କ ଲୋକସଭା ସଦସ୍ୟତା ଫେରି ପାଇଥା’ନ୍ତେ । ତେବେ, ଗୁଜରାଟ ହାଇକୋର୍ଟ ଆଜି ତାଙ୍କ ଆବେଦନକୁ ଖାରଜ କରି ଦେବାରୁ ତାଙ୍କ ପାଇଁ ସୁପ୍ରିମ କୋର୍ଟ ଶେଷ ଭରସା ହୋଇଛି । ଗୁଜରାଟ ହାଇକୋର୍ଟ ବିଚାରପତିଆଜି ଦେଇଥିବା ରାୟକୁ ସଂପୂର୍ଣ୍ଣ ଭାବେ ଅନୁଧ୍ୟାନ କରିବା ପରେ ଦଳ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS