ଯୌନ ଉତ୍ପୀଡନ ମାମଲା, କୋର୍ଟରେ ହାଜର ହେବାକୁ ବ୍ରିଜ୍ ଭୂଷଣଙ୍କୁ ସମନ


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁଲାଇ ୦୭
ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଆସନ୍ତା ୧୮ ତାରିଖ କୋର୍ଟରେ ହାଜର ହେବାକୁ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ସମନ ଜାରି କରିଛନ୍ତି । ଜଣେ ନାବାଳିକା ସମତେ ୭ ଜଣ ମହିଳା କୁସ୍ତିଯୋଦ୍ଧା ବଅିଜ୍ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପିଡନ ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ । ବ୍ରିଜ୍ ଭୂଷଣଙ୍କ ବିରୋଧରେ ମାମଲା ଚଳାଇବାକୁ ଯଥେଷ୍ଟ ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି । ବର୍ତ୍ତମାନ ବିଜେପି ସାଂସଦ ଥିବା ବ୍ରିଜ୍ ଭୂଷଣ ଶରଣ ସିଂହ ହେଉଛନ୍ତି ଛଅ ଥରର ସାଂସଦ । ଗତ ଜାନୁୟାରୀ ମାସରେ ମହିଳା କୁସ୍ତିଯୋଦ୍ଧାମାନେ ସିଂହଙ୍କ ବିରୋଧରେ ଯୌନ ଉତ୍ପିଡନ ଅଭିଯୋଗ କରି ଦିଲ୍ଲୀର କନ୍ନଟପ୍ଲେସ ଥାନାରେ ଏତଲା ଦେବା ସହ ତାଙ୍କୁ ଗିରଫ କରାଯିବା ଦାବିରେ ‘ଯନ୍ତର ମନ୍ତର’ରେ ଧରଣା ଦେଇଥିଲେ । ତଥାପି ପୁଲିସ ମହିଳା କୁସ୍ତିଯୋଦ୍ଧାଙ୍କ ଏତଲା ପଂଜୀକୃତ କରିନଥିଲେ । ଏହି ଘଟଣା ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହେବା ପରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ସେଥିରେ ହସ୍ତକ୍ଷେପ କରି ଧାରଣା ଦେଇଥିବା କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଥିଲେ ଏବଂ ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରି ପରିସ୍ଥିତିକୁ ଥଣ୍ଡା କରିଥିଲେ । ତେବେ, ତିନି ମାସ ବିତିବା ପରେ ମଧ୍ୟ ତଦନ୍ତ ରିପୋର୍ଟ ସାର୍ବଜନୀନ ନ ହେବାରୁ ମହିଳା କୁସ୍ତିଯୋଦ୍ଧାମାନେ ଏପ୍ରିଲ ମାସରେ ପୁନର୍ବାର ଆନ୍ଦୋଳନର ରାସ୍ତା ଧରି ଥିଲେ । ଦିଲ୍ଲୀରେ ଧାରଣା ଦେଇ ବ୍ରିଜ୍ ଭୂଷଣଙ୍କ ବିରୋଧରେ ମାମଲା ପଂଜୀକୃତ କରାଯିବା ଓ ତାଙ୍କୁ ଗିରଫ କରାଯିବା ଦାବିରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ସୁପ୍ରିମ କୋର୍ଟ ସେମାନଙ୍କ ଆବେଦନର ବିଚାର କରି ବ୍ରିଜ୍ ଭୂଷଣଙ୍କ ବିରୋଧରେ ମାମଲା ପଂଜୀକରଣ କରିବା ସକାଶେ ନିର୍ଦେଶରେ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେବା ପରେ ପୁଲିସ ମାମଲା ପଂଜୀକୃତ କରି ତଦନ୍ତ କରିବା ସହ ଜୁନ ୧୫ ତାରିଖ ଦିନ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ଇତିମଧ୍ୟରେ, ଅଭିଯୋଗକରିଣୀ ନାବାଳିକାର ପିତା ସିଂହଙ୍କ ବିରୋଧରେ କରିଥିବା ଅଭିଯୋଗରୁ ପଛେଇ ଯିବା ପରେ ପୁଲିସ ବ୍ରିଜ୍ ଭୂଷଣଙ୍କ ବିରୋଧରେ ହୋଇଥିବା ‘ପୋକ୍ସୋ’ ମାମଲାକୁ ଖାରଜ କରିବାକୁ କୋର୍ଟଙ୍କୁ ଅନୁରୋଧ କରିବା ସହ ଅନ୍ୟ ଛଅ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଭିତ୍ତିରେ ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ତେବେ, ଆଜି ସୁୁଦ୍ଧା ପୁଲିସ ବ୍ରିଜ୍ ଭୂଷଣଙ୍କୁ ଗିରଫ କରି ନାହାନ୍ତି । କେନ୍ଦ୍ର ସରକାର ମଧ୍ୟ ଆଇନ ତା’ ବାଟରେ ଯିବ କହି ବ୍ରିଜ୍ ଭୂଷଣଙ୍କୁ ଗିରଫ କରାଯିବା ଦାବିକୁ ଏଡାଇ ଆସିଛନ୍ତି । ବ୍ରିଜ ଭୂଷଣଙ୍କ ବିରୋଧରେ ଯାହା ଅଭିଯୋଗ ହୋଇଛି ସେଥିରେ ଦୋଷୀ ସାବ୍ୟସ୍ତ ହେଲେ ତିନି ବର୍ଷ କାରାଦଣ୍ଡ ନିଶ୍ଚତ । ତେବେ, ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ଅଭିଯୋଗକୁ ସିଂହ ଅସ୍ୱୀକାର କରି ବିବୃତିମାନ ଦେଇ ଆସୁଛନ୍ତି । ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯିବା ଦାବିରେ ଆନ୍ଦୋଳନ କରିଥିବା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଅଛନ୍ତି ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଓ ବଜରଂଗ ପୁନିଆ । ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିବା ସକାଶେ ନୂତନ ସଂସଦ ଭବନ ଉଦ୍ଘାଟନ ଦିନ ‘ଯନ୍ତର ମନ୍ତର’ ନୂତନ ସଂସଦ ଅଭିମୁଖେ ଶେଭାଯାତ୍ରାରେ ଯାଉଥିବା ବେଳେ ବାଟରେ ପୁଲିସ ସେମାନଙ୍କୁ ରୋକିବା ସହ ରାସ୍ତାରୁ ଘୋଷାଡି ନେଇ ଦୁର୍ବ୍ୟବହାର କରିଥିବା ଏବଂ ଆଇପିସିର ବିଭିନ୍ନ ସଂଗୀନ ଦଫାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବା କାହାରିକୁ ଅଛପା ନାହିଁ । ଏହାର ପ୍ରତିବାଦରେ କୁସ୍ତିଯୋଦ୍ଧାମାନେ ବିଭିନ୍ନ ଜାତୀୟ, ଆନ୍ତର୍ଜାତିକ ପ୍ରତିଯୋଗିତା ଜିତି ଉପାର୍ଜନ କରିଥିବା ମେଡାଲ ସବୁ ହରିଦ୍ୱାରରେ ଗଂଗା ନଦୀରେ ବିସର୍ଜନ କରିବାକୁ ଯାଇଥିଲେ । ତେବେ, ଚାଷୀ ଆନ୍ଦୋଳନ ନେତା ନରେଶ ଟିକାୟତଙ୍କ ହସ୍ତକ୍ଷେପରୁ ସେଥିରୁ ନିବୃତ୍ତ ହୋଇଥିଲେ । ପରେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କୁ ଡାକି ଆଲୋଚନା କରିବା ପରେ କେନ୍ଦ କ୍ରୀଡା ମନ୍ତ୍ରୀ ଠାକୁର ସେମାନଙ୍କୁ ଡକାଇ ଜୁନ ୧୫ ତାରିଖ ସୁଦ୍ଧା ଦିଲ୍ଲୀ ପୁଲିସ ଡବ୍ଲୁଏଫଆଇ ସଭାପତି ସିଂହଙ୍କ ବିରୋଧରେ ତଦନ୍ତ ସାରି ଚାର୍ଜସିଟ୍ ଦାଖଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ନଆସି ବ୍ରିଜ୍ ଭୂଷଣଙ୍କ ବିରୋଧରେ ଆଇନଗତ ଲଢେଇ ଲଢିବେ ବୋଲି ଘୋଷଣା କରିଥିବା ବେଳେ ଅଦାଲତ ତାଙ୍କ ଦୋଷୀ ପାଇଲେ ଫାସୀ ପାଇବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ବ୍ରିଜ୍ ଭୂଷଣ କହିଛନ୍ତି । ଏବେ, ରାଉଜ ଏଭିନ୍ୟୁ କୋର୍ଟ କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ଯଥେଷ୍ଟ ପ୍ରମାଣ ଥିବା ଦର୍ଶାଇ ସିଂହଙ୍କୁ ଜୁଲାଇ ୧୮ ତାରିଖ ଦିନ କୋର୍ଟରେ ହାଜର ହେବାକୁ ସମନ କରିବା ପରେ କୁସ୍ତିଯୋଦ୍ଧା ଆଶ୍ୱସ୍ତ ହୋଇଥିବା ଅନୁମାନ କରାଯାଇପାରେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS