ଲାଲୁଙ୍କ କଟାକ୍ଷ କାହା ଉଦ୍ଦେଶ୍ୟରେ ?


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁଲାଇ ୦୭
ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବ୍ୟଂଗାତ୍ମକ ମନ୍ତବ୍ୟ ଦେଇ ଲୋକଙ୍କୁ ହସାଇବାରେ ଓସ୍ତାଦ । ସେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଚିରଚରିତ ଢଙ୍ଗରେ ବ୍ୟଂଗାତ୍ମକ ଟିପ୍ପଣୀ ରଖି ସମସ୍ତଙ୍କୁ ହସାଇଥା’ନ୍ତି । ଚାରା ଘୋଟାଲା ମାମଲାରେ ଦୀର୍ଘ ବର୍ଷ ଜେଲରେ ରହିବା ପରେ ବାହାରେ ଅଛନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀରେ ରହୁଛନ୍ତି ଓ ରାଜନୀତିରେ ପୁଣି ଥରେ ସକ୍ରିୟ ହୋଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ପରାଜିତା କରିବା ତାଙ୍କର ଲକ୍ଷ୍ୟ ରହିଛି ଓ ସେ ବିରୋଧୀ ଦଳଙ୍କୁ ସଂଗଠିତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପକ୍ଷରୁ ଚାଲିଥିବା ଉଦ୍ୟମରେ ସାମିଲ ହୋଇଛନ୍ତି । ଗତ ମାସ ୨୩ ତାରିଖ ଦିନ ବିହାରର ପାଟନାଠାରେ ନୀତୀଶ କୁମାରଙ୍କ ଆବାହକତ୍ୱରେ ବିରୋଧୀ ରାଜନୈତିକ ଦଳର ନେତାଙ୍କ ପ୍ରଥମ ଆନୁଷ୍ଠାନକ ବୈଠକ ହୋଇଥିଲା ଏବଂ ସେଥିରେ ଲାଲୁ ପୁଅ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ଉପସ୍ଥିତ ଥିଲେ । କଂଗ୍ରେସ ସମେତ ୧୫ରୁ ଅଧିକ ବିରୋଧୀ ଦଳର ପ୍ରମୁଖ ନେତା ବୈଠକରେ ଯୋଗ ଦେଇଥିଲେ । ର୍ବେଠକରେ କଂଗ୍ରେସ ଦଳର ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧୀଙ୍କୁ ଲାଲୁ ୨୦୨୪ରେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବିବାହ କରି ନେବାକୁ ପରାମର୍ଶ ଦେଇ ହାସ୍ୟରୋଳ ସୃଷ୍ଟି କରିଥିଲେ । ‘ତୁମେ କଥା ମାନୁ ନଥିବା ତୁମ ମା’ କହୁଛନ୍ତି, ଏଥର ତୁମେ ବାହା ହୋଇଯାଅ’ ବୋଲି ଲାଲୁ ରାହୁଲଙ୍କୁ ସ୍ନେହପୂର୍ଣ୍ଣ କଟାକ୍ଷ କରିଥିଲେ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍ ବିତର୍କ ଚାଲିଥିଲା । ଲାଲୁ ଯାଦବ ୨୦୨୪ରେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ମେଂଟର ନେତା ତଥା ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ବୋଲି ମିଡ଼ିଆ ଜୋରଦାର ପ୍ରଚାର ଚଳାଇ ଥିଲେ । ତେବେ, ଲାଲୁ ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମରେ ରଖି ଥିବା ମନ୍ତବ୍ୟ ଚର୍ଚ୍ଚାର ମୋଡ ବଦଳାଇ ଦେଇଛି । ରାହୁଲ ଗାନ୍ଧୀଙ୍କୁ ବିବାହ କରିନେବାକୁ ସେ ଦେଇଥିବା ପରାମର୍ଶ ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିବାରୁ ଲାଲୁ କହିଛନ୍ତି – ଯିଏବି ପ୍ରଧାନମନ୍ତ୍ରୀ ହୁଅନ୍ତୁ, ପତ୍ନୀଙ୍କ ବିନା ପିଏମ୍ ହାଉସ୍ ବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନରେ ରହିବାକୁ ଅନୁମତି ଦିଆଯିବା ଠିକ୍ ନୁହେଁ । ଲାଲୁଙ୍କ ଏହି ମନ୍ତବ୍ୟ ପରେ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି ଆଜି କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲାଣି । କେତେକ ବୈଦ୍ୟୁତିକ ଗଣମାଧ୍ୟମ ଲାଲୁଙ୍କ ଭିଜୁଆଲ୍ ସହ ଏକାକୀ ରହୁଥିବା ମୋଦୀଙ୍କ ପତ୍ନୀଙ୍କ ଭିଜୁଆଲ ମଧ୍ୟ ଦେଖାଉଛନ୍ତି । ଲାଲୁ ପୁଣି ଥରେ ପୁରୁଣା ଫର୍ମକୁ ଫେରିଛନ୍ତି ବୋଲି ମଧ୍ୟ ଆଲୋଚନା କରୁଛନ୍ତି । ଏନସିପିରେ ବିଭାଜନ ପରେ ବିରୋଧୀ ମେଂଟ ଉଦ୍ୟମ ଆଗେଇବ କି ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଲାଲୁ କହିଛନ୍ତି, ଆଗକୁ ବିରୋଧୀ ମେଂଟ ଅଧିକ ସୁଦୃଢ ହେବ । ୨୦୨୪ ନିର୍ବାଚନରେ ମହାମେଂଟ ୩୦୦ରୁ ଅଧିକ ଆସନରେ ଜିତିବ । ବିଜେପି ବିରୋଧରେ ଏକାଠି ହେଉଥିବା ସବୁ ବିରୋଧୀ ନେତା ଆକଂଠ ଦୁର୍ନୀତିରେ ବୁଡି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଏକ ଜନସଭାରେ ଦେଇଥିବା ମନ୍ତବ୍ୟ ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ଲାଲୁ କହିଛନ୍ତି – ‘ପ୍ରଧାନମନ୍ତ୍ରୀ ହେଉଛନ୍ତି ଦୁର୍ନୀତିର ସଂଚାଳକ’ । ଲାଲୁଙ୍କ ଟିପ୍ପଣୀ ଗଣମାଧ୍ୟମରେ ବେଶ ଆଲୋଚନା ପ୍ରସଙ୍ଗ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଲାଲୁ ପ୍ରସାଦ ଯାଦବ ୟୁପିଏ-୧ ସରକାରରେ ରେଳ ମନ୍ତ୍ରୀ ଥିବା ସମୟରେ ‘ଚାକିରୀ ବଦଳରେ ଜମି’ ମାମଲା ହୋଇଥିଲା ଏବଂ ସିବିଆଇ ଏହାର ତଦନ୍ତ କରୁଛି । ନିକଟରେ ସିବିଆଇ ଏହି ମାଲାରେ ଦିଲ୍ଲୀର ଏକ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି, ଯେଉଁଥିରେ କି ଲାଲୁ ଯାଦବ, ତାଙ୍କ ପତ୍ନୀ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଓ ସାନ ପୁଅ ବିହାର ଉପ ମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବଙ୍କ ନାମ ରହିଛି । ବିରୋଧୀ ମେଂଟ ଗଠନ ଉଦ୍ୟମରେ ତେଜସ୍ୱୀ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ରହିଛନ୍ତି । ଏବେ, ବାପା ଲାଲୁ ସେଥିରେ ସାମିଲ ହୋଇଛନ୍ତି । ଠିକ୍ ଏଭଳି ସମୟରେ ଲାଲୁ ଓ ତାଙ୍କ ପରିବାର ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିବା ବିରୋଧୀ ମେଂଟକୁ ଭଂଡୁର କରିବାକୁ ଏକ ଶାସକ ବିଜେପିର ଷଡଯନ୍ତ୍ର ବୋଲି ଅଣ-ବିଜେପି ରାଜନୈତିକ ଦଳମାନେ ଅଭିଯୋଗ କରିବାକୁ ସୁଯୋଗ ପାଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS