ଇଡି ନିର୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ଆଦେଶ ସୁପ୍ରିମ କୋର୍ଟରେ ରଦ୍ଦ


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁଲାଇ ୧୧
କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନିର୍ଦେଶକ ଥିବା ସଂଜୟ କୁମାର ମିଶ୍ରଙ୍କ ତୃତୀୟ କାର୍ଯ୍ୟକାଳ ବୃଦ୍ଧି ସଂପର୍କିତ ସରକାରୀ ଆଦେଶକୁ ‘ବେଆଇନ’ ଦର୍ଶାଇ ସୁପ୍ରିମ କୋର୍ଟ ଆଜି ତାହାକୁ ରଦ୍ଦ କରିଛନ୍ତି । ଏହି ନିଯୁକ୍ତି ୨୦୨୧ ସେପ୍ଟେମ୍ବରରେ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ବିରୋଧ କରୁଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିବା ସହ ମିଶ୍ରଙ୍କ ତୃତୀୟ କାର୍ଯ୍ୟକାଳ ବୃଦ୍ଧି ଆଦେଶକୁ ବେଆଇନ କହିଛନ୍ତି । ସୁପ୍ରିମ କୋର୍ଟର ତିନି ଜଣିଆ ଖଣ୍ଡପୀଠର ବିଚାରପତି ଜଷ୍ଟିସ ବି.ଆର.ଗଭାଇ, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସଂଜୟ କାରେଲ ଆଜି ଏହି ରାୟ ଶୁଣାଇଛନ୍ତି । ତେବେ, ଇଡି ନିର୍ଦେଶକ ମିଶ୍ର ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହି ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି । ଅପରପକ୍ଷରେ, ତିନି ଜଣିଆ ଖଣ୍ଡପୀଠ ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସମେଂଟ ଆକ୍ଟ ଓ ସେଂଟ୍ରାଲ ଭିଜିଲାନ୍ସ କମିଶନ ଆକ୍ଟରେ ସରକାର କରିଥିବା ସଂଶୋଧନରେ ସହମତି ବ୍ୟକ୍ତ କରିଛନ୍ତି । ଇଡି ନିର୍ଦେଶକ ସଂଜୟ କୁମାର ମିଶ୍ର ୧୯୮୪ ବ୍ୟାଚର ଜଣେ ଆଇଆରଏସ୍ ଅଫିସର । କେନ୍ଦ୍ର ସରକାର ଦୁଇ ବର୍ଷ ପାଇଁ ତାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ୨୦୨୦ ନଭେମ୍ବରରେ ତାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ସରକାର ଗୋଟିଏ ବର୍ଷ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରି ବିରୋଧୀ ଦଳଙ୍କ ଆଡୁ ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିଲେ । ‘କମନ କଜ୍’ ନାମକ ଏକ ଏନଜିଓ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମ କୋର୍ଟ ‘କମନ କଜ୍’ର ଆବେଦନକୁ ବିଚାର କରି ୨୦୨୧ ସେପ୍ଟେମ୍ବରରେ ଯେଉଁ ରାୟ ଦେଇଥିଲେ ତାହା ଆଜି ମିଶ୍ରଙ୍କ ପାଇଁ ଅଡୁଆ ହେଲା । ଇଡି ନିର୍ଦେଶକ ପଦରେ ମିଶ୍ରଙ୍କ କାର୍ଯ୍ୟକାଳ ସରିବାକୁ ମାତ୍ର ଦୁଇ ମାସ ବାକି ଥିଲା । ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ମାମଲାର ତଦନ୍ତ କରୁଥିବାରୁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଅପରିହାର୍ଯ୍ୟ ବୋଲି କେନ୍ଦ୍ର ସରକାର ଅଦାଲତରେ ଯୁକ୍ତି ଉପସ୍ଥାପନ କରିବାରୁ ସୁପ୍ରିମ କୋର୍ଟ ତାହାକୁ ବିଚାରକୁ ନେଇ ସରକାରଙ୍କ ପଦକ୍ଷେପକୁ ଅନୁମୋଦନ କରିଥିଲେ । ତେବେ, ଏହି ଗୋଟିଏ ବର୍ଷ କାର୍ଯ୍ୟକାଳ ବୃଦ୍ଧି ପରେ ସରକାର ମିଶ୍ରଙ୍କ କାର୍ଯ୍ୟକାଳ ଆଉ ବଢାଇ ହେବ ନାହିଁ ବୋଲି ମଧ୍ୟ ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଥିଲେ । ସୁପ୍ରିମ କୋର୍ଟ ରାୟ ପରେ କେନ୍ଦ୍ର ସରକାର ଇଡି ଓ ସିବିଆଇ ମୁଖ୍ୟଙ୍କ ନିଯୁକ୍ତିଦାତା ଥିବା ସିଭିସି ଓ ଡିଏସପିଇ (ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସମେଂଟ) ଆଇନରେ ୨୦୨୧ ନଭେମ୍ବର ୧୫ ତାରିଖରେ ସଂଶୋଧନ କରି ସରକାର ଉଚିତ ମନେ କଲେ ସିବିଆଇ ଓ ଇଡି ନିର୍ଦେଶକଙ୍କ ଦୁଇ ବର୍ଷିର୍ଆ କାର୍ଯ୍ୟକାଳ ସରିବା ପରେ ଗୋଟିଏ ବର୍ଷ ଲେଖାଏଁ ଆଉ ତିନି ବର୍ଷ ପର୍ଯ୍ୟନ୍ତ ବଢାଇ ପାରିବେ ବୋଲି କ୍ଷମତାପ୍ରାପ୍ତ ହୋଇଥିଲେ । ସିଭିସି ଓ ଡିଏସପିଇ ଆକ୍ଟରେ ସଂଶୋଧନ ବିରୋଧରେ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୁର୍ଯେ୍ୟୱାଲ, ଜୟା ଠାକୁର, ଟିଏମସି ସାଂସଦ ମହୁଆ ମୈତ୍ର ଓ ଦଳର ମୁଖପାତ୍ର ସକେତ ଗୋଖଲେଙ୍କ ସମେତ ବହୁ ଆବେଦନକାରୀ ପିଟିସନ୍ ପକାଇ ଥିଲେ । ସେମାନଙ୍କ ଆବେଦନ ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ଅବସରରେ କେନ୍ଦ୍ର ସରକାର ଇଡି ନିର୍ଦେଶକ ମିଶ୍ରଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୨୦୨୧ ନଭେମ୍ବରରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ବଢାଇ ଥିଲେ । ୨୦୨୨ ନଭେମ୍ବରରେ କାର୍ଯ୍ୟକାଳ ସରିବାରୁ ତୃତୀୟ ଥର ପାଇଁ ମିଶ୍ରଙ୍କ କାର୍ଯ୍ୟକାଳ ୨୦୨୩ ନଭେମ୍ବରକୁ ବୃଦ୍ଧି କରାଯାଇଥିଲା । ଇତିମଧ୍ୟରେ ଇଡି ନିର୍ଦେଶକ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନଗୁଡିକ ଉପରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଗତ ମେ’ ମାସରେ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଥିଲେ, ଯାହାକି ଆଜି ଶୁଣାଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ସିବିଆଇ ଓ ଇଡି କେନ୍ଦ୍ର ସରକାରଙ୍କ ହାତବାରିଶି ହୋଇ ବିରୋଧୀଙ୍କ ସ୍ୱରକୁ ଦମନ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ବିରୋଧୀ ଦଳମାନେ ଲଗାତର ଅଭିଯୋଗ କରୁଛନ୍ତି । ଏଭଳି ସ୍ଥିତିରେ ସୁପ୍ରିମ କୋର୍ଟଙ୍କ ଆଜିର ରାୟ ବେଶ ଗୁରୁତ୍ୱ ରଖୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS