ଶାହା କହିଲେ, ଯେତେ ଖୁସି ହଉଛ ହୁଅ…


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁଲାଇ ୧୨
କେନ୍ଦ୍ର ସରକାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଦୁରୁପଯୋଗ କରି ବିରୋଧୀ ନେତାଙ୍କୁ ହଇରାଣ ହରକତ କରୁଥିବା ଦେଶର ପ୍ରାୟ ଅଧିକାଂଶ ବିରୋଧୀ ଦଳ ଅଭିଯୋଗ କରୁଛନ୍ତି । ଏନେଇ ସେମାନେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ପ୍ରକାର ଆଶ୍ୱସ୍ତି ପାଇ ନାହାନ୍ତି । ତେବେ, ନିର୍ଦ୍ଧିଷ୍ଟ ଦଳ ବା ନେତାଙ୍କ ଆଡୁ ଅଭିଯୋଗ ଆସିଲେ ତାହାକୁ ବିଚାର କରାଯିବ କହି ସୁପ୍ରିମ କୋର୍ଟ ବିରୋଧୀ ଦଳଙ୍କ ମିଳିତ ଆବେଦନକୁ ଖାରଜ କରିଛନ୍ତି । ତେବେ, ସେହି ସୁୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ମଂଗଳବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ନିର୍ଦେଶକ ସଂଜୀବ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ‘ବେଆଇନ’ କହି ଜୁଲାଇ ୩୧ ତାରିଖରୁ ପଦରୁ ହଟି ଯିବାକୁ ନିର୍ଦେଶ ଦେବା ବିରୋଧୀ ମହଲରେ ଆନନ୍ଦର ଲହରି ଖୋଳାଇଛି । ବିରୋଧୀ ନେତାମାନେ ସୁପ୍ରମି କୋର୍ଟର ତିନି ଜଣିଆ ଖଣ୍ଡପୀଠର ରାୟରେ ଖୁସି ବ୍ୟକ୍ତ କରିବା ସହ ତାହାକୁ ସ୍ୱାଗତ କରିଛନ୍ତି । ସଂଜୀବ ମିଶ୍ରଙ୍କୁ ନେଇ ସୁପ୍ରିମ କୋର୍ଟ ମଂଗଳବାର ଦେଇଥିବା ରାୟ କେନ୍ଦ୍ର ସରକାରଙ୍କ ପାଇଁ ବଡ ଝଟକା ବୋଲି ବିରୋଧୀ କହୁଛନ୍ତି, ଯାହାକି ବିଜେପି ସରକାରଙ୍କୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରିଛି । ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବିରୋଧୀ ନେତାଙ୍କୁ ଛିଗୁଳାଇଲା ଭଳି କହିଛନ୍ତି – ‘ତୁମେମାନେ ଯେତେ ଖୁସି ହଉଛ ହୁଅ, ନୂଆ ଯିଏ ଆସିବେ ସେ ମଧ୍ୟ ଏକାଭଳି କାର୍ଯ୍ୟ କରିବେ। ଦୁର୍ନୀତିଖୋର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ’ । ଶାହା କହିଛନ୍ତି, କେନ୍ଦ୍ର ସରକାର ସିଭିସି (ସେଂଟ୍ରାଲ ଭିଜିଲାନ୍ସ କମିଶନ) ଆଇନରେ ୨୦୨୧ରେ ଯେଉଁ ସଂଶୋଧନ କରିଥିଲେ ତାହା ପାର୍ଲାମେଂଟର ଅନୁମୋଦନ ଲାଭ କରିଥିଲା । ଗତକାଲି ସୁପ୍ର୍ରିମ କୋର୍ଟ ମଧ୍ୟ ତାହାକୁ କାଏମ ରଖିଛନ୍ତି । ଦୁର୍ନୀତିଗ୍ରସ୍ତ ଏବଂ ଆଇନ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଆଡୁ କାର୍ଯ୍ୟାନୁଷ୍ଠାନ ହେଉଛି ଓ ଚାଲିବ । ପ୍ରବର୍ତ୍ତନ ନିର୍ଦେଶାଳୟ ଜଣେ ବ୍ୟକ୍ତିବିଶେଷଙ୍କୁ ବୁଝାଉନି, ଏହା ଏକ ସାମ୍ବିଧାନିକ ସଂସ୍ଥା ଏବଂ ମନିଲଂଡରିଂ ଓ ବିଦେଶୀ ମୁଦ୍ରା ବିନିମୟ ଆଇନର ଉଲଂଘନ ବିରୋଧରେ କାର୍ଯ୍ୟ କରୁଛି ବୋଲି ଶାହା କହିବା ସହ କିଏ ଇଡିର ନିର୍ଦେଶକ ରହିଲା ବଡ କଥା ନୁହେଁ, ଯିଏବି ଏହି ପଦରେ ରହିବେ ଦୁର୍ନୀତିଖୋର ବଂଶବାଦୀ ନେତା ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧୀରେ ଚାଲି ଥିବା ମାମଲାର ଯାଂଚ ଏବଂ କାର୍ଯ୍ୟାନୁଷ୍ଠାନ ଜାରି ରଖିବେ । କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ‘ଆପ୍’ ନେତା ମନିଷ ସିସୋଦିଆଙ୍କ ଭଳି ଆହୁରି ଅନେକ ନେତାଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଚାଲିବ । ସଂଜୀବ ମିଶ୍ର ପ୍ରବର୍ତ୍ତନ ନିର୍ଦେଶାଳୟର ନିର୍ଦେଶକ ଭାବେ ଏହି ନିର୍ଦେଶାଳୟକୁ ସୁଦୃଢ କରିଛନ୍ତି, ନୂଆ ନିର୍ଦେଶକ ମଧ୍ୟ ତାହାର ଫଳପ୍ରଦତା ବଜାୟ ରଖିବେ ବୋଲି ଶାହା କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ଭଳି ବହୁ ବିରୋଧୀ ରାଜନେତା ଇଡିର ସ୍କାନରେ ରହିଥିବା ବେଳେ ତାମିଲନାଡୁର ପରିବହନ ମନ୍ତ୍ରୀ ସେନ୍ଥାଳି ବାଲାଜୀ ନିକଟରେ ଗିରଫ ହୋଇ ଜେଲରେ ଅଛନ୍ତି । ୨୦୧୮ ପର୍ଯ୍ୟନ୍ତ ଇଡି ନିର୍ଦେଶକ ପଦ ଅତିରିକ୍ତ ଶାସନ ସଚିବ ର୍ୟାଂକର ଥିଲା । ୧୯୮୪ ବ୍ୟାଚ ଆଇଆରଏସ୍ ଅଫିସର ସଂଜୀବ କୁମାର ମିଶ୍ର ପ୍ରଥମେ ଅତିରିକ୍ତ ଶାସନ ସଚିବ ଭାବେ ପଦୋନ୍ନତି ପାଇବା ପରେ ପୂର୍ଣ୍ଣ ସମୟ ଇଡି ନିର୍ଦେଶକ ଭାବେ ନିଯୁକ୍ତି ପାଇଥିଲେ । ପରେ, ମିଶ୍ର ସଚିବ ପଦକୁ ପଦୋନ୍ନତି ପାଇଥିଲେ ଏବଂ ଇଡି ନିର୍ଦେଶକ ପଦ ମଧ୍ୟ ଅପଗ୍ରେଡ ହୋଇଥିଲା । ଦୁଇ ବର୍ଷ ପାଇଁ ମିଶ୍ର ଇଡି ନିର୍ଦେଶକ ଭାବେ ନିଯୁକ୍ତି ପାଇଥିବାରୁ ୨୦୨୦ ନଭେମ୍ବରରେ ତାଙ୍କ କାର୍ଯ୍ୟକାଳ ସରିଥିଲା । ତେବେ, କେନ୍ଦ୍ର ସରକାର ୨୦୨୧ ନଭେମ୍ବର ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ । ‘କମନ୍ କଜ୍’ ନାମକ ଏକ ଏନଜିଓ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଚ୍ୟାଲଂଜ କରି ସୁପ୍ରିମ କୋର୍ଟରେ ଆବେଦନ କରିବାରୁ ୨୦୨୧ ସେପ୍ଟେମ୍ବରରେ କୋର୍ଟ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ ଦେଇଥିଲେ ମଧ୍ୟ ଏହାପରେ ସରକାର ଆଉ ମିଶ୍ରଙ୍କ କାର୍ଯ୍ୟକାଳ ବଢାଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ଦେଇଥିଲେ । ତେବେ, କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ଅକାମୀ କରିବା ପାଇଁ ୨୦୨୧ ନଭେମ୍ବର ୧୫ ତାରିଖରେ ସିଭିସି ଓ ଡିଏସପିଇ (ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସମେଂଟ) ଆଇନରେ ସଂଶୋଧନ କରି ସରକାର ଚାହିଁଲେ ସିବିଆଇ ଓ ଇଡି ନିର୍ଦେଶକଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ସରିବା ପରେ ଗୋଟିଏ ବର୍ଷ ଲେଖାଏଁ ଆଉ ତିନି ବର୍ଷ ପର୍ଯ୍ୟନ୍ତ ତାହା ବଢାଇ ପାରିବେ ବୋଲି ଆଇନ ପାରିତ କରାଇ ନେଇଥିଲେ । ଏହି ସଂଶୋଧିତ ଆଇନ ବଳରେ କେନ୍ଦ୍ର ସରକାର ଇଡି ନିର୍ଦେଶକ ମିଶ୍ରଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୨୦୨୧ ନଭେମ୍ବରରୁ ୨୦୨୨ ନଭେମ୍ବର ଏବଂ ତୃତୀୟ ଥର ପାଇଁ ୨୦୨୨ ନଭେମ୍ବରରୁ ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । କିଛି କଂଗ୍ରେସ ଓ ଟିଏମସି ନେତା ସରକାରଙ୍କ ଏହି ସଂଶୋଧନକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟକୁ ଯିବା ପରେ ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ତାହାର ଶୁଣାଣୀ କରି ଆଇନରେ ସଂଶୋଧନକୁ କାଏମ ରଖିଥିଲେ ମଧ୍ୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ‘ବେଆଇନ’ ଦର୍ଶାଇ ମଂଗଳବାର (ଜୁଲାଇ ୧୧ ତାରିଖ) ରାୟ ଦେଇଛନ୍ତି । ମିଶ୍ର ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଇଡି ନିର୍ଦେଶକ ରହିବେ । ସେହି ସମୟ ଭିତରେ କେନ୍ଦ୍ର ସରକାର କାହାକୁ ନୂଆ ଇଡି ନିର୍ଦେଶକ କରିବେ ଚୟନ କରି ନେବାକୁ କୋର୍ଟ ନିର୍ଦେଶ ଦେଇଥିବା ଜଣାପଡିଛି । ସୁପ୍ରିମ କୋର୍ଟଙ୍କ ଏହି ରାୟରେ ବିରୋଧୀ ଖୁସି ହେବା ସ୍ୱାଭାବିକ । ତେବେ, ବିରୋଧୀ ଖୁସି ହେଉଥିବା ଦେଖି କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଯେଉଁ ବୟାନ ରଖିଛନ୍ତି ତାହା ବିଜେପି ବିରୋଧୀଙ୍କ ଖୁସି ଦେଖି କେତେଦୂର ଅସହିଷ୍ଣୁ, ତାହା ସ୍ପଷ୍ଟ କରିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS