ନବ ଦାସ ହତ୍ୟା ମାମଲା: ଚାର୍ଜସିଟରେ ନୂଆ କଥା କିଛି ନାହିଁ !


ପ୍ରସାଦ ରାଓ
ଜୁଲାଇ ୧୪
ଜାନୁୟାରୀ ୨୯ ତାରିଖ ଅପରାହ୍ନ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ ନାମକ ଜଣେ ପୁଲିସ ଏଏସଆଇ ସର୍ଭିସ ରିଭଲଭରରୁ ଗୁଳି କରି ହତ୍ୟା କରିଥିବା ଖବର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ପୁଲିସ ଏଏସଆଇ ଜଣକ ସ୍ପଷ୍ଟ ଦିବାଲୋକରେ ପଏଂଟ ବ୍ଲାଂକ୍ ରେଂଜରେ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ । ସେ ଦ୍ୱିତୀୟ ଦଫା ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିବା ସମୟରେ ମନ୍ତ୍ରୀଙ୍କ ସମର୍ଥକ ଓ ସ୍ଥାନୀୟ ପୁଲିସ ତାଙ୍କୁ ସର୍ଭିସ ରିଭଲଭର ସହ କାବୁ କରି ନେଇଥିଲେ । ସମର୍ଥକଙ୍କ ଗହଣରେ ଥିବା ମନ୍ତ୍ରୀଙ୍କୁ ଜଣେ ପୁଲିସ କର୍ମଚାରୀ ହତ୍ୟା କରିବା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏହା ରାଜ୍ୟ ସରକାରଙ୍କ ଅଡୁଆ ମଧ୍ୟ ବଢାଇଥିଲା । ମନ୍ତ୍ରୀଙ୍କ ଗସ୍ତ ସମୟରେ ଏଏସଆଇ ଗୋପାଳ ଦାସ ବ୍ରଜରାଜନଗର ଗାନ୍ଧି ଛକରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ । ମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ସଭାସ୍ଥଳରେ ପହଂଚାଇବା ତାଙ୍କ ଦାୟିତ୍ୱ ଥିଲା । ତେବେ, ସୁଯୋଗ ଦେଖି ସେ ନିଜେ ମନ୍ତ୍ରୀଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିବା କାହାରି ହଜମ ହେଉନଥିଲା । ଏହି ଘଟଣା ପଛରେ ସୁଚିନ୍ତିତ ଷଡଯନ୍ତ୍ର ଥିବା ବିରୋଧୀ ସନ୍ଦେହ କରିବା ସହ ଏହାର ସିବିଆଇ ତଦନ୍ତ ପାଇଁ ଦାବି ଉଠାଇ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ନିର୍ଦେଶ ଦେଇ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଲେ । ଘଟଣା ସ୍ଥଳରୁ ହିଁ ସ୍ଥାନୀୟ ପୁଲିସ ଦ୍ୱାରା କାବୁ ହୋଇଥିବା ଗୋପାଳ ଦାସ ଏହି ହତ୍ୟା କରିଥିବା ସ୍ୱୀକାର କରିବା ସହ ପୁଲିସ ଓ କ୍ରାଇମ ବ୍ରାଂଚ ଜେରାରେ ପୂର୍ଣ୍ଣ ସହଯୋଗ କରୁଥିଲେ । ପୁଲିସ ହତ୍ୟାକାରୀ ବ୍ୟବହାର କରିଥିବା ସର୍ଭିସ ରିଭଲଭର ଜବତ କରିଛି ସିନା ମନ୍ତ୍ରୀଙ୍କ ଛାତିକୁ ଭେଦିଥିବା ଗୁଳି ଏପର୍ଯ୍ୟନ୍ତ ଉଦ୍ଧାର କରି ପାରି ନାହିଁ । ପୁଲିସ ଗୋପାଳକୁ ଝାରସୁଗୁଡାରେ ଅଟକ ରଖି ଜେରା କରୁଥିବା ସମୟରେ ବିରୋଧୀ ଏହି ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରି ସିବିଆଇ ତଦନ୍ତ ଦାବି କରୁଛନ୍ତି । ମୁଖ୍ୟମନ୍ତ୍ରୀ କ୍ରାଇମ ବ୍ରାଂଚ ତଦନ୍ତ ନିର୍ଦେଶ ଦେବା ପରେ ସିବି-ସିଆଇଡିର ବରିଷ୍ଠ ଅଧିକାରୀମାନେ ଘୋଷଣା ସ୍ଥଳରେ ପହଂଚି ତଦନ୍ତ ଭାର ନିଜ ହାତକୁ ନେଇଥିଲେ । ଇତିମଧ୍ୟରେ ଘଟଣା ଘଟିବାର ପାଖାପାଖି ଛଅ ମାସ ବିତିଛି । ଓଡ଼ିଶା କ୍ରାଇମ ବ୍ରାଂଚ ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରି କୋର୍ଟରେ ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ତେବେ, ସେଥିରେ ଷଡଯନ୍ତ୍ରର ଚିହ୍ନବର୍ଣ୍ଣ ନାହିଁ । ଗୋପାଳ ହିଁ ମନ୍ତ୍ରୀଙ୍କ ହତ୍ୟାକାରୀ । ସେ ଭ୍ରମର ଶିକାର ହୋଇ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ଜେରା ବେଳେ ସ୍ୱୀକାର କରିଛି ବୋଲି କ୍ରାଇମ ବ୍ରାଂଚ ପକ୍ଷରୁ ଅଦାଲତରେ ଦାଖଲ ଚାର୍ଜସିଟରେ କୁହାଯାଇଥିବା ସୂଚନା ମିଳିଛି । ବିରୋଧୀ ସେଥିରେ ସନ୍ତୁଷ୍ଟ ନୁହନ୍ତି । ଓଡ଼ିଶା କ୍ରାଇମ ବ୍ରାଂଚ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଅନାଲିସିସ୍, ଲାଇ ଡିଟେକ୍ସନ ଟେଷ୍ଟ କରାଇ ଥିଲା । ଅତ୍ୟାଧୁନିକ ଉପାୟରେ ତଦନ୍ତ କାର୍ଯ୍ୟ ଚାଲିଥିବା କୁହାଯାଇଥିଲା । ତେବେ, ହତ୍ୟା ପଛରେ ଥିବା ଷଡଯନ୍ତ୍ର କେମିତି ପଦାକୁ ଆସିଲା ନାହିଁ (?) ବୋଲି ଏବେ ବିରୋଧୀ ପ୍ରଶ୍ନ କରୁଛନ୍ତି । ଓଡ଼ିଶା କ୍ରାଇମ ବ୍ରାଂଚ ରହସ୍ୟ ଭେଦିବାରେ ବିଫଳ ହୋଇଛି ନା ପ୍ରକୃତ ଷଡଯନ୍ତ୍ରକାରୀଙ୍କୁ ଘଂଟ ଘୋଡାଇବାର ଉଦ୍ୟମ ହୋଇଛି (?) ବୋଲି ବରଗଡ ବିଜେପି ସାଂସଦ ସୁରେଶ ପୁଜାରୀ ପ୍ରଶ୍ନ ଉଠାଇବା ସହ କୋର୍ଟରେ ଦାଖଲ ଚାର୍ଜସିଟ୍ କାଗଜ ଟୁକୁଡା ସହ ସମାନ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । କ୍ରାଇମ ବ୍ରାଂଚ ଚାର୍ଜସିଟରେ ଦର୍ଶାଯାଇଛି, ବ୍ରଜରାଜନଗର ପୁଲିସ ଫାଣ୍ଡିର ପୂର୍ବତନ ଏଏସଆଇ ଗୋପାଳ ଦାସ ବ୍ୟକ୍ତିଗତ ଆକ୍ରୋଶରୁ ମନ୍ତ୍ରୀଙ୍କ ହତ୍ୟାକାରୀ କରିଥିବା ଜେରା ବେଳେ ସ୍ୱୀକାର କରିଛନ୍ତି । ମନ୍ତ୍ରୀ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଭିନ୍ନ କାରଣରୁ ତାଙ୍କ ପ୍ରତି କ୍ଷୁବ୍ଧ ଥିଲେ । ତାଙ୍କୁ ଅଣଦେଖା କରୁଥିଲେ । ସେମାନେ ତାଙ୍କୁ (ଗୋପାଳଙ୍କୁ) ହତ୍ୟା କରିପାରନ୍ତି ବୋଲି ମନରେ ବଦ୍ଧ ଧାରଣା ସୃଷ୍ଟି ହୋଇଥିଲା । ସେହି ଧାରଣା ତାଙ୍କୁ ରାତି ରାତି ଶୁଆଇ ଦେଉ ନଥିଲା । ତେଣୁ, ସେ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ନିର୍ଣ୍ଣୟ ନେଇଥିଲେ ଓ ଜାନୁୟାରୀ ୨୯ ତାରିଖ ଦିନ ସୁଯୋଗ ପାଇ ପଏଂଟ ବ୍ଲାଂକ ରେଂଜରୁ ଗୁଳି କରି ହତ୍ୟା କରିଥିଲେ । ଗୋପାଳ ଦାସ ଜେରା ବେଳେ କହିଛନ୍ତି, ବ୍ରଜରାଜନଗର ଫାଣ୍ଡିକୁ ଆସିବା ପୂର୍ବରୁ ସେ ବଡମାଲ ଥାନାରେ ଥିଲେ । ସେହି ସମୟରେ ଏମଭି ଚେକିଂ ବେଳେ ସେ ମନ୍ତ୍ରୀ ଓ ତାଙ୍କ ସମର୍ଥକଙ୍କ ଗାଡିକୁ ଅଟକାଇ ଯାଂଚ କରିବାର ସାହାସ ଦେଖାଇ ଥିଲେ । ତେଣୁ, ମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ତାଙ୍କ ପ୍ରତି କ୍ଷୁବ୍ଧ ଥିଲେ । ମନ୍ତ୍ରୀ ନବ ଦାସ ତାକୁ ଦେଖିଲେ ଚିଡୁ ଥିଲେ । ତାଙ୍କ ସମର୍ଥକମାନେ ଧମକଚମକ ଦେଉଥିଲେ । ଗୋପାଳ ନିଜର ଜଣେ ସଂପର୍କିୟଙ୍କୁ ଚାକିରୀରେ ରଖାଇବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଓ ମନ୍ତ୍ରୀ ନବ ଦାସ ଗୋଟିଏ ସଭାରେ ଥିବା ସମୟରେ ସେ ତାଙ୍କ ସଂପର୍କିୟଙ୍କ ଆବେଦନପତ୍ରକୁ ଧରି ତାଙ୍କ ନିକଟକୁ ଯିବାରୁ ମନ୍ତ୍ରୀ ବିରକ୍ତ ହୋଇଥିଲେ । ମନ୍ତ୍ରୀଙ୍କ ଷ୍ଟାଫ୍ ମଧ୍ୟ ତାଙ୍କୁ ଅଣଦେଖା କରୁଥିଲେ । ସବୁ ବେଳେ ଦୂରେଇ ରଖୁଥିଲେ । ତେଣୁ, ମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ତାଙ୍କୁ ପସନ୍ଦ କରୁ ନଥିବାରୁ ନିକଟ ଭବିଷ୍ୟତରେ ହତ୍ୟା କରି ପାରନ୍ତି ବୋଲି ତାଙ୍କ ମନରେ ଭ୍ରମ ସୃଷ୍ଟି ହୋଇସାରିଥିଲା । ମନ୍ତ୍ରୀ ନବ ଦାସ ବ୍ରଜରାଜନଗରଠାରେ ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବକୁ ଯାଇଥିବା ବେଳେ ଗୋପାଳ ତାଙ୍କୁ ହତ୍ୟା କରିବାକୁ ଚାହିଁଥିଲେ ମଧ୍ୟ ସୁଯୋଗ ପାଇନଥିଲେ । କିନ୍ତୁ, ଜାନୁୟାରୀ ୨୯ ତାରିଖ ଦିନ ମନ୍ତ୍ରୀଙ୍କ ବ୍ରଜରାଜନଗର ଗସ୍ତ ନେଇ ତାଙ୍କ ନିକଟରେ ଟିକିନିକି କାର୍ଯ୍ୟସୂଚୀ ଥିଲା ଓ ସେ ମନ୍ତ୍ରୀଙ୍କୁ ହତ୍ୟା କରିବାର ନୀଳନକ୍ସା ପ୍ରସ୍ତୁତ କରିଥିଲେ । ମନ୍ତ୍ରୀଙ୍କୁ ହତ୍ୟା କରିବା ପରେ ବ୍ରଜରାଜନଗର ଗାନ୍ଧି ଛକରେ ହୋଟେଲ କରିଥିବା ତାଙ୍କ ବଡ ଭାଇ ଓ ହୋଟେଲ ଷ୍ଟାଫଙ୍କୁ ମନ୍ତ୍ରୀଙ୍କ ସମର୍ଥକମାନେ ହତ୍ୟା କରି ପାରନ୍ତି ବୋଲି ଆଶଙ୍କା କରି ସେ ମନ୍ତ୍ରୀଙ୍କୁ ହତ୍ୟା କରିବା ପୁର୍ବରୁ ହାତରେ ପିନ୍ଧି ଥିବା ସୁନା ମୁଦିକୁ ଜଣେ ବଣିଆଙ୍କୁ ବିକ୍ରି କରି ସେହି ଟଙ୍କାରେ ଭାଇ ଓ ତାଙ୍କ ଷ୍ଟାଫଙ୍କୁ ରେଳରେ ବ୍ରହ୍ମପୁର ପଠାଇ ଦେଇଥିଲେ । ସେମାନଙ୍କୁ ଷ୍ଟେସନରେ ଛାଡି ଫାଣ୍ଡିକୁ ଫେରିବା ପରେ ମନ୍ତ୍ରୀଙ୍କୁ ସେ କାହିଁକି ହତ୍ୟା କରିବାକୁ ଯାଉଛନ୍ତି ତାହା ୨୦ରୁ ୨୫ଟି ମେଡିକାଲ ପ୍ରେସକ୍ରିପ୍ସନ ପଛ ପାଖରେ ନାଲି ସ୍କେଚପେନ୍ ରେ ଲେଖି ଅନ୍ତଃବସ୍ତ୍ରରେ ଲୁଚାଇ ରଖି ଥିଲେ । ସେ ମନ୍ତ୍ରୀଙ୍କୁ ହତ୍ୟା କରିବା ପରେ ମନ୍ତ୍ରୀଙ୍କ ସମର୍ଥକମାନେ କାଳେ ତାଙ୍କୁ ହତ୍ୟା କରି ଦେବେ ଓ ମନ୍ତ୍ରୀଙ୍କ ହତ୍ୟା ରହସ୍ୟ ସମସ୍ତଙ୍କ ଅଜ୍ଞାତ ରହି ଯିବ ବୋଲି ଭାବି ଗୋପାଳ ମେଡିକାଲ ପ୍ରେସକ୍ରିପ୍ସନ ପଛପଟେ ନିଜର ସ୍ୱୀକାରୋକ୍ତି ଲେଖି ଥିଲେ । ତେବେ, ମନ୍ତ୍ରୀଙ୍କ ହତ୍ୟା ପରେ ସ୍ଥାନୀୟ ପୁଲିସ ତାଙ୍କୁ ସୁରକ୍ଷିତ ଭାବେ ଘଟଣାସ୍ଥଳରୁ ଉଦ୍ଧାର କରି ନିଜ ହେପାଜତକୁ ନେଇ ଯିବାରୁ ସ୍ୱୀକାରୋକ୍ତିର ଆଉ ଆବଶ୍ୟକତା ନଥିଲା । ତେଣୁ, ସେ ଲେଖିଥିବା ସ୍ୱୀକାରୋକ୍ତିକୁ ଚିରି ଝାରସୁଗୁଡା ଏୟାରପୋର୍ଟ ପୁଲିସ ଥାନରେ ଫ୍ଲସ୍ କରି ଦେଇଥିଲେ । ଗୋପାଳ ଜେରା ସମୟରେ ଏସବୁ ସ୍ୱୀକାର କରିଥିବା କ୍ରାଇମ ବ୍ରାଂଚ୍ ଚାର୍ଜସିଟ୍ ରେ କୁହାଯାଇଥିବା ବେଳେ ଏଥିରେ ସତ୍ୟକୁ ଲାଚାଇବା ଉଦ୍ୟମ ହୋଇଛି ବୋଲି ସାଂସଦ ପୁଜାରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏଫବିଆଇ ତଦନ୍ତ କଥା କହିଥିଲେ । ତାହା କୁଆଡେ ଗଲା ବୋଲି ପୁଜାରୀ ପ୍ରଶ୍ନ କରିବା ସହ ଜଣେ ପୁଲିସ କନେଷ୍ଟବଳ ଏହାଠାରୁ ଭଲ ତଦନ୍ତ କରିବ ବୋଲି ମନ୍ତବ୍ୟ ଦେଇଛନ୍ତି । କ୍ରାଇମ ବ୍ରାଂଚର ଚାର୍ଜସିଟ୍ ଦାଖଲ ପରେ ପୁନର୍ବାର ନବ ଦାସ ହତ୍ୟାମାଲା ଚର୍ଚ୍ଚାକୁ ଆସିଛି ଓ ଅଭିଯୁକ୍ତ ଗୋପାଳ ଦାସଙ୍କ ସ୍ୱୀକାରୋକ୍ତିଙ୍କୁ ନେଇ ବିଜେଡ଼ି-ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି । ଗୋପାଳ ଦାସ ଗିରଫ ହେବା ଦିନ ପୁଲିସ ଓ କ୍ରାଇମ ବ୍ରାଂଚ ନିକଟରେ ଯେଉଁ ବୟାନ ଦେଇଥିଲେ କ୍ରାଇମ ବ୍ରାଂଚ ପାଂଚ ମାସରୁ ଅଧିକ ସମୟ ତଦନ୍ତ କରି ସେଇ ଏକା କଥାରେ ଚାର୍ଜସିଟରେ ଦର୍ଶାଇ ଥିବାରୁ ପାଂଚ ମାସ ହେଲା କି ପ୍ରକାର ତଦନ୍ତ ଚାଲିଥିଲା ବୋଲି ବିରୋଧୀ ପ୍ରଶ୍ନ କରିବାର ଯଥାର୍ଥତା ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS