ବିରୋଧୀଙ୍କ ବିରୋଧ କେତେ କାମ କରିବ ?

ପ୍ରସାଦ ରାଓ /ଜୁଲାଇ ୧୫
ଗଲା କିଛି ମାସ ହେଲା ଜଣେ ଅଣ ରାଜନୈତିକ ବ୍ୟକ୍ତିଙ୍କୁ ନେଇ ଓଡ଼ିଶା ରାଜନୀତିରେ ତୁମ୍ବିତୋଫାନ ଚାଲିଛି । ବ୍ୟକ୍ତି ଜଣକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ପ୍ରଶାସକ । ନବୀନ ନିବାସ, ଲୋକସେବା ଭବନରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯେଉଁଠି ଉପସ୍ଥିତ ରହୁଛନ୍ତି ସେଠି ଛାଇ ଭଳି ପାଣ୍ଡିଆନ ମହାଶୟ ଉପସ୍ଥିତ ରହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ରାଜ୍ୟର ବିଭିନ୍ନ ଅଂଚଳକୁ ଗସ୍ତ କରି ଲୋକଙ୍କ ଭଲ, ମନ୍ଦ ବୁଝୁଛନ୍ତି । ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ତାହାର ତ୍ୱରିତ ସମାଧାନ ଦିଗରେ କାର୍ଯ୍ୟ କରୁଛନ୍ତି । ଜିଲ୍ଲା ଗସ୍ତ ସମୟରେ ସେଠାକାର ନିର୍ବାଚିତ ଲୋକପ୍ରତିନିଧି ଓ ପ୍ରଶାସନ ତାଙ୍କ ପାଇଁ ମଂଚ ପ୍ରସ୍ତୁତ କରୁଛନ୍ତି । ଫୁଲମାଳ ଦେଇ ସ୍ୱାଗତ କରୁଛନ୍ତି ଏବଂ ପାଣ୍ଡିଆନ ମହାଶୟ ଏକାକୀ ମଂଚରେ ରହି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଉଥିବା ବେଳେ ନେତାମାନେ ମଂଚ ତଳେ ରହି ତାଳି ମାରିବା କାର୍ଯ୍ୟ କରୁଛନ୍ତି । ସାମାନ୍ୟ ସ୍ୱାଭିମାନ ଥିବା ନେତା ଏଭଳି କରିବେ ନାହିଁ । ପାଣ୍ଡିଆନଙ୍କ ନିକଟରେ ୨୦୨୪ ନିର୍ବାଚନ ପାଇଁ ଦଳର ବ୍ଲାଂକ୍ ଟିକଟ ଥିବାରୁ ଶାସକ ଦଳ ନେତାମାନେ ଅନ୍ୟ ଉପାୟ ନଦେଖି ତାଙ୍କ ନିକଟରେ ନତମସ୍ତକ ହେଉଛନ୍ତି ବୋଲି ବିରୋଧୀ ଖୁଂଟା ମାରୁଛନ୍ତି ।
ବିରୋଧୀଙ୍କ ଅଭିଯୋଗ ହେଉଛି, ୨୦୨୪ ନିର୍ବାଚନକୁ ଆଖିରେ ରଖି ବିଜେଡ଼ି ଯେଉଁ ‘ପାଣ୍ଡିଆନ ନାଟକ’ ଚଳାଇଛି ତାହା ବରଦାସ୍ତର ବାହାରେ । ଶାସକ ଦଳରେ ମଧ୍ୟ ଏନେଇ ଅସନ୍ତୋଷ ରହିଛି । ଅଧିକାଂଶ ନେତା ସେମାନଙ୍କ ଟିକଟକୁ ସୁରକ୍ଷିତ ରଖିବା ପାଇଁ ଏଭଳି ଅପମାନଜନକ ସ୍ଥିତି ସହ ସାଲିସ କରିନେଇଥିବା ବେଳେ ଅଳ୍ପ କିଛି ନେତା ମୁଖ୍ୟମନ୍ତ୍ରୀ ବା ପାଣ୍ଡିଆନଙ୍କ ଦ୍ୱାରା ଅନୁଗୃହିତ ହେବା ଆଶା ଛାଡି ଦେଇ ମୁହଁ ଖୋଲୁଛନ୍ତି । ତେବେ, ସେମାନଙ୍କୁ ନିଜ ଦଳ ଭିତରୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି । ତେବେ, ପାଣ୍ଡିଆନଙ୍କୁ ବିରୋଧ ଚାଲୁ ରହିବ । ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯାଉଥିବା, ତାଙ୍କ ଫଟୋଚିତ୍ରକୁ ଅପମାନିତ କରାଯାଉଥିବା ଏବଂ ତାଙ୍କ ସହ ଯାଉଥିବା ଗାଡିଗୁଡିକୁ ଅଣ୍ଡାମାଡ ହେଉଥିବା ବିରୋଧୀଙ୍କ ଆକ୍ରେଶକୁ ପ୍ରତିଫଳିତ କରୁଛି । ତେବେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତାମାନେ ଏଥିରେ ବିଚଳିତ ନୁହନ୍ତି ବୋଲି ଯେଉଁ ଅଭିନୟ କରୁଥିଲେ ମୁଖ୍ୟମନ୍ତ୍ରୀଙ୍କ ସଫେଇ ପରେ ତାହା ଫମ୍ପା ପ୍ରମାଣିତ ହୋଇଛି ।
ଗୋଟିଏ ପଟେ ବିଜେଡ଼ି ପ୍ରବକ୍ତାମାନେ ବିରୋଧୀଙ୍କ ଆକ୍ରମଣର କଡା ଭାଷାରେ ଜବାବ ଦେଉଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ସେ ତାଙ୍କ ଶାସନକୁ ରାଜ୍ୟବାସୀଙ୍କ ଦୁଆର ମୁହଁରେ ପହଂଚାଇବା ପାଇଁ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ଜିଲ୍ଲା ଗସ୍ତରେ ପଠାଉଛନ୍ତି । ପାଣ୍ଡିଆନ ତାଙ୍କ ପ୍ରତିନିଧି ଭାବେ ବିଭିନ୍ନ ଜିଲ୍ଲାକୁ ଯାଇ ଜନତାର ଅଭିଯୋଗ ଶୁଣିବା ସହ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ପାଣ୍ଡିଆନଙ୍କ ୩୦ଟି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସରିବା ପରେ ସେସବୁ ଜିଲ୍ଲାରେ ହାତକୁ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତିକୁ ନେଇ ରାଜଧାନୀରୁ ସମୀକ୍ଷା କରାଯିବ । ସେ ନିଜେ ପାଣ୍ଡିଆନଙ୍କୁ ଲୋକଙ୍କ ଅଭିଯୋଗ ଶୁଣାଣୀ ପାଇଁ ପଠାଉ ଥିବାରୁ ଏଥିରେ କାହାରି ଆପତ୍ତି କରିବାର ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମର ଆୟୋଜକଙ୍କୁ (ସେମାନେ ନେତା ହୁଅନ୍ତୁ ବା ପ୍ରଶାସକ) ଅଧିକ ଆନୁଗତ୍ୟ ଦେଖାଇବାକୁ ବାଧ୍ୟ କରିଥିବା ବେଳେ ବିରୋଧୀଙ୍କୁ ଶାନ୍ତ କରିବା ଦୂରେଥାଉ ଅଧିକ ଉତ୍ତେଜିତ କରିଛି । ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଶାସକ ଦଳ ଯେଉଁ ‘ପାଣ୍ଡିଆନ ନାଟକ’ ଆରମ୍ଭ କରଛିି ତାହା ଏତେଶୀଘ୍ର ଶେଷ ହେବା ସମ୍ଭାବନା ନାହିଁ ବୋଲି ବିରୋଧୀ ମହଲରେ ଆଲୋଚନା ହେଉଛି ।
ପାଣ୍ଡିଆନଙ୍କୁ ନେଇ ଶାସକ ଦଳର ବ୍ୟାଖ୍ୟାନ ଯାହା ହୋଇଥାଉନା କାହିଁକି ବିରୋଧୀଙ୍କ ପ୍ରଶ୍ନ ରହିଛି, ଶାସକ ଦଳରେ ଅଭିଜ୍ଞ ନେତାଙ୍କ ଅଭାବ ନଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ସାମ୍ବିଧାନିକ ଦାୟିତ୍ୱ ତୁଲାଇବା ପାଇଁ ଜଣେ କନିଷ୍ଠ ପ୍ରଶାସକଙ୍କ ଉପରେ ଏତେ ଭରସା କରୁଛନ୍ତି କାହିଁକି ? ସମସ୍ତେ ଜାଣନ୍ତି, ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଅଳ୍ପ କିଛି ମାସ ବାକି ରହିଛି । ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ନିକଟରେ ସେମାନଙ୍କ ସମସ୍ୟା ବୁଝିବା ଓ ସେସବୁର ତ୍ୱରିତ ସମାଧାନ କରିବା ସମୟ ଆସି ଯାଇଛି । ମୁଖ୍ୟମନ୍ତ୍ରୀ ଯଦି କୌଣସି କାରଣରୁ ରାଜ୍ୟର ସବୁ ଅଂଚଳରେ ପହଂଚିପାରୁ ନାହାନ୍ତି ତାଙ୍କ ଦାୟିତ୍ୱ ତୁଲାଇବା ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦ, ନିର୍ବାଚିତ ବିଧାୟକ ଓ ସାଂସଦ ଅଛନ୍ତି । ସେମାନଙ୍କୁ ବିଶ୍ୱାସକୁ ନିଆଯିବା କଥା । ଯେଉଁଠି ପ୍ରଶାସନିକ କଳର ଉପସ୍ଥିତି ଆବଶ୍ୟକ ମନେ କରାଯାଉଛି ସେଠି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବିଭାଗୀୟ ସଚିବଙ୍କୁ ସରକାର କାମରେ ଲଗାଇବା କଥା । କିନ୍ତୁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଣଦେଖା କରି ନିଜ ବ୍ୟକ୍ତିଗତ ସଚିବଙ୍କୁ ଭରସା କରିବା ସହ ତାଙ୍କ ମାଧ୍ୟମରେମ୍ମସ୍ତ କାର୍ଯ୍ୟ କରିବା କେତେଦୂର ଯୁକ୍ତିଯୁକ୍ତ ?
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସରକାରୀ ଖର୍ଚ୍ଚରେ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ତାଙ୍କ ଗସ୍ତ ପାଇଁ ସ୍ୱତନ୍ତ୍ର ଆୟୋଜନ ହେଉଛି । ସେ ଉପସ୍ଥିତ ଜନସାଧାରଣଙ୍କ ଅଭିଯୋଗପତ୍ର ଗ୍ରହଣ କରୁଛନ୍ତି । ଏକୁଟିଆ ମଂଚରେ ଉପସ୍ଥିତ ରହି ରାଜନେତାଙ୍କ ଭଳି ଭାଷଣ ଦେଉଛନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଡାକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଅଗ୍ରଗତିକୁ ନେଇ ସମୀକ୍ଷା କରୁଛନ୍ତି ଏବଂ ନୂଆ ପ୍ରକଳ୍ପ ସହ କୋଟି କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ଘୋଷଣା କରୁଛନ୍ତି । ରାଜ୍ୟ ସରକାରଙ୍କ ଜଣେ କନିଷ୍ଠ ସଚିବ ଯଦି ଏସବୁ କାର୍ଯ୍ୟ କରିବେ ନିର୍ବାଚିତ ଲୋକପ୍ରତିନିଧି ଓ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କଣ କରିବେ ? ବିରୋଧୀଙ୍କ ଆଡୁ ଏହି ପ୍ରଶ୍ନ ହେଉଥିବା ବେଳେ ସରକାରଙ୍କ ନିକଟରେ କିଛି ଉତ୍ତର ନାହିଁ । ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବାରୁ ତାଙ୍କ ବ୍ୟକ୍ତିଗତ ସଚିବ କ୍ଷମତା ଅପହରଣ କରି ରାଜ୍ୟ ଶାସନକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ଏବଂ ରାଜ୍ୟର କିଛି ମୁଷ୍ଠିମେୟ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କୁ ନଜରବନ୍ଦୀ କରି କ୍ଷମତା ଉପଭୋଗ କରୁଛନ୍ତି ବିରୋଧୀ ଅଭିଯୋଗ କରୁଥିବା ବେଳେ ଶାସକ ଦଳର ପ୍ରବକ୍ତାମାନେ ଯାହା ଯୁକ୍ତ ରଖୁଛନ୍ତି ତାହା ‘ଗାଲୁଆଙ୍କ ବାର ବାଟି ଚାଷ’ ଭଳି ମନେ ହେଉଛି ।
୨୩ ବର୍ଷ ହେଲା ରାଜ୍ୟରେ ବିଜେଡ଼ି ଶାସନ ଚାଲିଛି । ବିଜେଡ଼ି ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ୨୦୧୯ରେ ଉଦ୍ୟମ କରି ବିଫଳ ହୋଇଥିଲା । ତେବେ, ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି ଏବଂ ୨୦୨୪ ନିର୍ବାଚନରେ ‘ଓଡ଼ିଶା ଦଖଲ’ ସ୍ୱପ୍ନ ପୂରଣ ପାଇଁ ଅଂଟା ଭିଡିଛି । ଦଳ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭ୍ରାନ୍ତି ସୃଷ୍ଟି କରିବାକୁ ଯେଉଁ ଉଦ୍ୟମ ଚଳାଇଛି ପାଣ୍ଡିଆନଙ୍କ ଜିଲ୍ଲାୱାରୀ ଗସ୍ତ ତାହାକୁ ସୁଦୃଢ କରୁଛି । ୨୦୨୪ରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ଷଷ୍ଠ ଥର ପାଇଁ କ୍ଷମତାକୁ ଆସିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅନ୍ୟ କେହି ହୋଇପାରେ ବୋଲି ମଧ୍ୟ ଏବେ ଓଡ଼ିଶାରେ ପ୍ରଚାର ହେଉଛି । ପାଣ୍ଡିଆନ ରାଜନୀତି କରିବାକୁ ଚାହୁଁଥିଲେ ସରକାରୀ ଚାକରୀରୁ ଇସ୍ତଫା ଦେଇ ନିର୍ବାଚନ ମଇଦାନକୁ ଆସନ୍ତୁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପି ନେତାମାନେ ଆହ୍ୱାନ ଦେଇ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ସଂକେତ ଦେବା ଆରମ୍ଭ କରିଛନ୍ତି । ନିଆଁରେ ଘିଅ ଢାଳିବା ଭଳି ବିଭିନ୍ନ ଜିଲ୍ଲାରେ ପାଣ୍ଡିଆନଙ୍କୁ ମିଳୁଥିବା ସମ୍ବର୍ଦ୍ଧନା ବିରୋଧୀଙ୍କୁ ଅଧିକ କ୍ଷତାକ୍ତ କରୁଛି । ଏହା ଶାସକ ଦଳ ନେତାଙ୍କ ‘ନିର୍ଲଜ୍ଜତା’ ଓ ‘ଅନ୍ଧଭକ୍ତି’ କହି ଆକ୍ଷେପ କରିବା ବ୍ୟତୀତ ବିରୋଧୀଙ୍କ ହାତରେ ଆଉ କିଛି ନାହିଁ ।
ଶାସକ-ବିରୋଧୀଙ୍କ ଏହି ଆକ୍ଷେପ, ପ୍ରତ୍ୟାକ୍ଷେପ ଜନସାଧାରଣଙ୍କୁ ପ୍ରଭାବିତ କଲା ଭଳି ମନେ ହେଉ ନାହିଁ । କାରଣ, ୨୩ ବର୍ଷରେ ହେଲା ଜନତା ସରକାରୀ କାର୍ଯ୍ୟାଳୟକୁ ଧାଁଧପଡ କରି ନିର୍ବାଚିତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ଦ୍ୱାରାଯେଉଁ କାମ କରାଇ ପାରୁନଥିଲା ପାଣ୍ଡିଆନଙ୍କ ଗସ୍ତରେ ନିମିଷକେ ସେସବୁ ସମାସ୍ୟାର ସମାଧାନ ହେଉଛି । ତେଣୁ, ବିଭିନ୍ନ ଜିଲ୍ଲାରେ ପାଣ୍ଡିଆନଙ୍କୁ ବେଶ୍ ସମ୍ବର୍ଦ୍ଧନା ମିଳୁଛି, ଯାହାକି ବିରୋଧୀଙ୍କ ଆଖିରେ ଯାଉ ନାହିଁ । ନିର୍ବାଚନ ବର୍ଷରେ ପାଣ୍ଡିଆନଙ୍କ ଏଭଳି କାର୍ଯ୍ୟକଳାପ ଜାରି ରହିଲେ ବିରୋଧୀଙ୍କ ଓଡ଼ିଶା ଦଖଲ ସ୍ୱପ୍ନ ୨୦୧୯ ଭଳି ଅଧୁରା ରହିଯିବ । ତେଣୁ, ସେମାନେ ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ରୀୟ ପ୍ରଶାସନିକ ସେବା ନିୟମାବଳୀର ଉଲଂଘନ ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ । କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ବିଜେପି ଓ କଂଗ୍ରେସ ନେତାଙ୍କ ଅଭିଯୋଗର ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିରବ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଯାହାକୁ ଏତେ ଭରସା କରୁଛନ୍ତି ମୁଖ୍ୟ ଶାସନ ସଚିବ ବା କେନ୍ଦ୍ର ସରକାର ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ? ଏହାହିଁ ରାଜ୍ୟ ବିଜେପି ନେତାଙ୍କ ବଡ ସମସ୍ୟା ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS