ବିରୋଧୀ ବନାମ ବିଜେପି: କାଲି ବିରୋଧୀ ମେଂଟର ବୈଠକ, ମଂଗଳବାର ଏନଡିଏର


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁଲାଇ ୧୬
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱାଧିନ ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ କରିବା ସକାଶେ ସମଭାବାପନ୍ନ ବିରୋଧୀ ଦଳମାନେ ରଣନୀତି ପ୍ରସ୍ତୁତି ପାଇଁ କାଲି (ଜୁଲାଇ ୧୭ ତାରିଖ) କର୍ଣ୍ଣାଟକର ବେଂଗାଲୁରୁ ସହରରେ ଆୟୋଜିତ ଦ୍ୱିତୀୟ ଆନୁଷ୍ଠାନିକ ବୈଠକରେ ଏକାଠି ହେଉଥିବା ବେଳେ ବିଜେପି ଓ ତାହାର ସହଯୋଗୀମାନେ ମଂଗଳବାର ଦିନ ଦିଲ୍ଲୀର ଅଶୋକା ହୋଟେଲରେ ଏକାଠି ହେଉଥିବା ଆଗାମୀ ଦିନରେ ଏକ ବଡ ଧରଣର ରାଜନୈତିକ ଯୁଦ୍ଧର ପୂର୍ବଭାସ ଦେଉଛି । ବିଜେପି ବିରୋଧୀ ରାଜନୈତିକ ଦଳର ନେତାମାନେ ଗତ ମାସରେ ବିହାରର ପାଟନା ସହରରେ ପ୍ରଥମ ଆନୁଷ୍ଠାନିକ ବୈଠକରେ ଏକାଠି ହୋଇଥିଲେ । ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୁରୁପଯୋଗ କରି ବିରୋଧୀ ରାଜନୈତିକ ଦଳର ନେତାଙ୍କ ଉପରେ ଯେଭଳି ପ୍ରହାର କରୁଛନ୍ତି ତାହାର ମିଳିତ ମୁକାବିଲା କରିବାକୁ ଏବଂ ଦେଶର ଗଣତନ୍ତ୍ର ଓ ସାମ୍ବିଧାନିକ ସଂସ୍ଥାଙ୍କ ସ୍ୱାୟତ୍ତତା ସୁରକ୍ଷିତ ରଖିବାକୁ ଏହି ବୈଠକରେ ସେମାନେ ନିଷ୍ପତ୍ତି ନେବା ସହ ଦ୍ୱତୀୟ ବୈଠକରେ ୨୦୨୪ ପାଇଁ ମିଳିତ ରଣନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ । ପାଟନା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨୪ଟି ବିରୋଧୀ ଦଳର ନେତାମାନେ କାଲି ବେଂଗାଲୁରୁରେ ଏକାଠି ହେବାକୁ ଯାଉଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୁନରେ ପାଟନା ବୈଠକ ହୋଇଥିଲା । କାଲିର ଦ୍ୱତୀୟ ଆନୁଷ୍ଠାନିକ ବୈଠକ କଂଗ୍ରେସ ଦଳର ଆବାହକତ୍ୱରେ ହେଉଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସେଥିରେ ଯୋଗଦେଉଥିବା ସୂଚନା ମିଳିଛି । ପାଟନା ବୈଠକରେ ୧୭ଟି ବିରୋଧୀ ରାଜନୈତିକ ଦଳର ନେତା ଏକାଠି ହୋଇଥିବା ବେଳେ ବେଂଗାଲୁରୁ ବୈଠକରେ ୨୪ଟି ବିରୋଧୀ ରାଜନୈତିକ ଦଳର ନେତା ଯୋଗ ଦେବାକୁ ଯାଉଥିବା କୁହାଯାଉଥିବାରୁ ବିରୋଧୀଙ୍କ ଶକ୍ତି ବୃଦ୍ଧି ପାଉଥିବା ସ୍ପଷ୍ଟ ହେଉଛି । ଅପରପକ୍ଷରେ, ମଂଗଳବାର ଦିନ ବିଜେପି ତାହାର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଦିଲ୍ଲୀର ଅଶୋକା ହୋଟେଲରେ ବିଜେପି ଏନଡିଏ ସଦସ୍ୟ ଦଳମାନଙ୍କ ବୈଠକ ରଖିଛି । ବୈଠକରେ ଛୋଟ ବଡ ରାଜନୈତିକ ଦଳ ମିଶି ୩୦ଟି ରାଜନୈତିକ ଦଳ ଭାଗ ନେବେ ବୋଲି ବିଜେପି ସୂଚନା ଦେଇଛି । ଆସନ୍ତା ଦୁଇ ଦିନ ଧରି ଦେଶର ଦୁଇ ପ୍ରମୁଖ ରାଜନୈତିକ ମେଂଟ ପକ୍ଷରୁ ଯେଉଁ ଶକ୍ତି ପ୍ରଦର୍ଶନ ହେବାକୁ ଯାଉଛି ତାହାର ସିଧାସଳଖ ସଂପର୍କ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ସହ ରହି ଥିବାରୁ ଉଭୟ ସମର୍ଥକ ଓ ବିରୋଧୀଙ୍କ ନଜର ଏହି ବୈଠକ ଉପରେ ରହିବା ସ୍ୱାଭାବିକ । ଦେଶରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ଅସ୍ତିତ୍ୱ ଏପର୍ଯ୍ୟନ୍ତ ଅତୁଟ ଥିଲେ ମଧ୍ୟ ୨୦୧୪ ସାଧାରଣ ନିର୍ବାଚନ ପରଠାରୁ କଂଗ୍ରେସର ସାଂଗଠନିକ ସ୍ଥିତି ବହୁମାତ୍ରାରେ ଦୁର୍ବଳ ହୋଇସାରିଛି । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରଦର୍ଶନ ସେଭଳି ଉତ୍ସାହଜନକ ନଥିଲା । ତେଣୁ, କଂଗ୍ରେସ ଏକାକୀ ବିଜେପିର ମୁକାବିଲା କରିବା ଅବସ୍ଥାରେ ନଥିବା ବେଳେ ବିରୋଧୀ ରାଜନୈତିକ ଦଳମାନେ ୨୦୨୪ ନିର୍ବାଚନ ପାଇଁ କଂଗ୍ରେସକୁ ନେଇ ଏକ ନୂତନ ବିରୋଧୀ ମେଂଟ ଗଠନ ପ୍ରୟାସରେ ଅଛନ୍ତି । ପ୍ରଥମେ, କଂଗ୍ରେସକୁ ସାଥିରେ ନନେଇ ସେମାନେ ଏହି ମେଂଟ ଗଠନ ଉଦ୍ୟମ କରୁଥିଲେ । ତେବେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ-ବିଜେପି ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ପ୍ରଚାର ସତ୍ତ୍ୱେ କଂଗ୍ରେସ ବିଜେପିକୁ ପରାଜିତ କରିଥିବାରୁ ବିରୋଧୀ ଦଳଙ୍କ ମନରେ କଂଗ୍ରେସ ପ୍ରତି ପୁନର୍ବାର ଆସ୍ଥା ବଢିଛି ଏବଂ କଂଗ୍ରେସକୁ ନେଇ ନୂତନ ମେଂଟ ଗଠନ ପ୍ରୟାସ ଜୋର ଧରିଛି । ଅପରପକ୍ଷରେ କର୍ଣ୍ଣାଟକ ନିର୍ବାଚନରେ ପରାଜୟ ବିଜେପି ନେତୃତ୍ୱ ମନରେ ଯେଉଁ ଭୟ ସୃଷ୍ଟି କରିଛି ତାହା ଏନଡିଏ ଅଂଶୀଦାରଙ୍କୁ ପୁନଃସଂଗଠିତ କରିବାକୁ ବିଜେପିକୁ ଏକପ୍ରକାର ବାଧ୍ୟ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନରେ ବିଜେପି ଲୋକସଭାରେ ଏକାକୀ ସଂଖ୍ୟାବଳ ହାସଲ କରିବା ପରେ ଗଲା ଚାରି ବର୍ଷ ହେଲା ଏନଡିଏ ସହଯୋଗୀମାନଙ୍କୁ ହତାଦାର କରି ଆସୁଥିଲା । ବିଭିନ୍ନ କାରଣରୁ ଏନଡିଏ ସହଯୋଗୀମାନେ ମେଂଟରୁ ଓହରି ଯାଇ ବିରୋଧୀ ଶିବରରେ ଯୋଗ ଦେଇଥିଲେ ବା ନିଜର ସ୍ୱତନ୍ତ୍ର ସତ୍ତା ବଜାୟ ରଖିବା ପାଇଁ ସଂଘର୍ଷ କରିଆସୁଥିଲେ । ଅହଂକାରୀ ବିଜେପି ଏଲଜେପି ଭଳି ସହଯୋଗୀ ଦଳରେ ବିଭାଜନ ଘଟାଇବାକୁ ପଛାଇ ନାହିଁ । ଦଳ ନିଜର ରାଜନୈତିକ ପରିଧିକୁ ବଢାଇବା ସକାଶେ ଏବେ ମଧ୍ୟ ଅନ୍ୟ ଦଳରେ ବିଭାଜନ ଘଟାଇ ରାଜନୀତିରେ ବ୍ୟସ୍ତ ରହିଛି । ଗତ ବର୍ଷ ମହାରାଷ୍ଟ୍ରର ଶିବସେନାରେ ବିଭାଜନ ଘଟାଇ ଗୋଟିଏ ଗୋଷ୍ଠୀ ସହଯୋଗରେ ସରକାର କରିଛି । ନିକଟରେ, ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ଏନସିପିରେ ବିଭାଜନ ଘଟାଇ ତାଙ୍କ ପୁତୁରା ଅଜିତ ପାୱାରଙ୍କ ସହ କିଛି ବିଧାୟକଙ୍କୁ ମହାରାଷ୍ଟ୍ର ମନ୍ତ୍ରୀ ପରିଷଦରେ ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଭାବେ ସାମିଲ କରିଛି । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିରେ ବିଭାଜନ ଉଦ୍ୟମ କରି ବିଫଳ ହେବା ପରେ ଏଲଜିଙ୍କ ମାଧ୍ୟମରେ କ୍ଷମତା ହଡପ ପାଇଁ ଯେଉଁ ଅଧ୍ୟାଦେଶ ଜାରି କରିଛି ତାହାକୁ ବିରୋଧୀ ରାଜନୈତିକ ଦଳମାନେ ରାଜ୍ୟସଭାରେ ବିରୋଧ କରିବାକୁ ଏକାଠି ହୋଇଛନ୍ତି । କଂଗ୍ରେସ ବିଳମ୍ବରେ ହେଲେ ମଧ୍ୟ ଆଜି ଦିଲ୍ଲର ଅଧ୍ୟାଦେଶକୁ ବିରୋଧ କରୁଛି ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ତାଙ୍କ ଦଳ ଆମ୍ ଆଦମୀ ପାର୍ଟିକୁ ଆଶ୍ୱସ୍ତ କରିଛି । କଂଗ୍ରେସ ଆନୁଷ୍ଠାନକ ଭାବେ ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ କରିନଥିବାରୁ ‘ଆପ୍’ କାଲିର ବିରୋଧୀ ମେଂଟ ବୈଠକରେ ଯୋଗଦେବ ନାହିଁ ବୋଲି ଅଡି ରହିଥିଲା । ଆଜି ‘ଆପ୍’ ନେତାମାନେ କଂଗ୍ରେସର ଆନୁଷ୍ଠାନିକ ସମର୍ଥନ ଯୋଗୁଁ ସନ୍ତୋଷ ପ୍ରକାଶ କରିଛନ୍ତି । କେଜରୀୱାଲ କାଲିର ବେଂଗାଲୁରୁ ବୈଠକରେ ଯୋଗ ଦେଉଥିବା ସୁନିଶ୍ଚିତ ହୋଇଛି । ଅନ୍ୟପକ୍ଷରେ, ବିଜେପି ବିହାରରେ ସ୍ୱର୍ଗତ ନେତା ରାମବିଳାଶ ପାଶ୍ୱାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏଲଜେପିରେ ବଡ ବିଭାଜନ ଘଟାଇ ପଶ୍ୱାନଙ୍କ ପୁତ୍ର ସାଂସଦ ଚିରାଗ ପାଶ୍ୱାନଙ୍କ ହାତରୁ ସଂସଦୀୟ ଦଳ ନେତା ପଦ ଛଡାଇ ନେଇଥିଲା ଓ ଏଲଜେପିର ବିଦ୍ରୋହୀ ନେତା ତଥା ଚିରାଗଙ୍କ ଦାଦାଙ୍କୁ ସଂସଦୀୟ ଦଳ ନେତା ପଦ ସହ କେନ୍ଦ୍ର ମନତ୍ରୀ ପଦରେ ଅଧିଷ୍ଠିତ କରିଥିଲା । ଏବେ, କର୍ଣ୍ଣାଟକ ପରାଜୟ ପରେ ବିଜେପି ୨୦୨୪ ନିର୍ବାଚନକୁ ଆଖିରେ ରଖି ଏନଡିଏର ପୁରୁଣା ସହଯୋଗୀ ଦଳଙ୍କୁ ଏକାଠି କରିବା ଉଦ୍ୟମରେ ଚିରାଗ ପାଶ୍ୱାନଙ୍କୁ ମଂଗଳବାର ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛି । ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ ଚିରାଗ ମଧ୍ୟ ପୁନଃ ଏନଡିଏରେ ସାମିଲ ହେଉଥିବା ସୂଚନା ଦେଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ମେଂଟର ସୂତ୍ରଧର ଥିବାରୁ ବିଜେପି ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିବା ପାଇଁ ଚିରାଗଙ୍କ ସହ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମୁଖ୍ୟ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ନେତା ଉପେନ୍ଦ୍ର ସିଂହ କୁଶୱା ଓ ବିକାଶଶୀଳ ଇନସାନ ପାର୍ଟି ମୁଖ୍ୟ ମୁକେଶ ସାହାନୀଙ୍କ ୧୮ ତାରିଖ ଏନଡିଏ ବୈଠକକୁ ନିମନ୍ତ୍ରଣ କରିଛି । ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସପି) ନେତା ଅଖିଳେଶ ଯାଦବଙ୍କ ଘନିଷ୍ଟ ସହଯୋଗୀ ରହିଥିବା ସୁହେଲଦେବ ଭାରତୀୟ ସମାଜ ପାର୍ଟି ନେତା ଓମ୍ ପ୍ରକାଶ ରାଜଭର ସମାଜବାଦୀ ପାର୍ଟି ସହ ସଂପର୍କ ଛିନ୍ନ କରି ପୁନର୍ବାର ଏନଡିଏରେ ସାମିଲ ହୋଇଥିବା ଆଜି ଘୋଷଣା କରିଥିବା ସମୟରେ ସମାଜବାଦୀ ପାର୍ଟି ବିଧାୟକ ଦାରା ସିଂହ ଚୌହାନ ଗତକାଲି ୟୁପି ବିଧାନସଭାରୁ ବିଧାୟକ ପଦରୁ ଇସ୍ତଫା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କୁ ଭେଟିବା ପରେ ବିଜେପିରେ ଯୋଗ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନଡିଏରୁ ଓହରିବାରେ ପ୍ରଥମ ନେତା ଥିଲେ । ଏବେ, ତାଙ୍କ ଦଳ ତେଲୁଗୁ ଦେଶମ ପାଟିଁ (ଟିଡିପି) ଏନଡିଏକୁ ଫେରୁଥିବା ସେ କହିଥିବା ବେଳେ ତିନି କୃଷି ଆଇନକୁ ବିରୋଧ କରି ଏନଡିଏରୁ ଓହରି ଥିବା ପଂଜାବର ବାଦଲ ପରିବାରର ଶିରୋମଣୀ ଅକାଳୀ ଦଳ ଏନଡିଏକୁ ଫେରୁଥିବା ସୂଚନା ମିଳିଛି । ଏନସିପିର ଅଜିତ ପାୱାର ଗୋଷ୍ଠୀ ଓ ଶିବସେନାର ଏକନାଥ ସିନ୍ଧେ ଗୋଷ୍ଠୀ ଏନଡିଏ ବୈଠକରେ ଯୋଗ ଦେଉଥିବା ନିଶ୍ଚିତ । କାଲିର ମିଳିତ ବିରୋଧୀ ଦଳ ବୈଠକ ଓ ମଂଗଳବାରର ଏନଡିଏ ବୈଠକ ପୂର୍ବରୁ ଆଜି ଆଉ ଏକ ରାଜନୈତିକ ଘଟଣା ଘଟିଛି । ବିଜେପି ପ୍ରୟୋଜିତ ଏନସିପି ବିଭାଜନରେ ମୁଖ୍ୟ ଭୂମିକା ନେଇଥିବା ଶରଦ ପାୱାରଙ୍କ ପୁତୁରା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର, ବିଦ୍ରୋହୀ ଗୋଷ୍ଠୀର ପ୍ରମୁଖ ଚେହେରା ତଥା ଶରଦ ପାୱାରଙ୍କ ଏକଦା ଘନିଷ୍ଟ ସହଯୋଗୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଓ ଅନ୍ୟ ବିଦ୍ରୋହୀ ବିଧାୟକ, ମନ୍ତ୍ରୀମାନେ ଆଜି ଶରଦ ପାୱାରଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ପହଂଚି ତାଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ । ସେମାନେ ତାଙ୍କୁ (ଶରଦ ପାୱାରଙ୍କୁ) ଭଗବାନ ବୋଲି ଭାବନ୍ତି । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଂଟ ସରକାରରେ ସାମିଲ ହେବାକୁ ଦଳର ବିଧାୟକମାନେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ସେ ଗ୍ରହଣ କରିନିଅନ୍ତୁ ଓ ସେମାନଙ୍କୁ ଆଶୀର୍ବାଦ ଦେଇ ପୁନର୍ବାର ଦଳକୁ ନେତୃତ୍ୱ ନିଅନ୍ତୁ ବୋଲି ଏହି ନେତାମାନେ ଶରଦ ପାୱାରଙ୍କୁ ଅନୁରୋଧ କରିଥିଲେ । ପାୱାର ସେମାନଙ୍କ ସବୁ କଥା ଶୁଣିଥିଲେ ମଧ୍ୟ କୌଣସି ଉତ୍ତର ଦେଇ ନଥିବା ବିଦ୍ରୋହୀ ଏନସିପି ନେତା ପ୍ରଫୁଲ୍ଲ ପଟେଲ ପରେ ଗଣମାଧ୍ୟମକୁ କହିଛନ୍ତି । ଅଜିତ ପାୱାର ଦାଦା ଶରଦ ପାୱାରଙ୍କ ପତ୍ନୀ ପ୍ରତିଭା ପାୱାରଙ୍କୁ ଭେଟି ବୁଝାଇବାକୁ ଉଦ୍ୟମ କରିଥିବା ମଧ୍ୟ ସୂଚନା ମିଳିଛି । ଏହା ପଛରେ ବିଜେପିର ପ୍ରଚ୍ଛଦପଟ ରାଜନୀତି ଥିବା ରାଜନୈତିକ ବିଶ୍ଲେଷକମାନେ ସନ୍ଦେହ କରୁଛନ୍ତି । ଦେଶରେ ବିରୋଧୀ ରାଜନୈତିକ ମେଂଟ ଗଠନରେ ଶରଦ ପାୱାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏନସିପିରେ ବିଭାଜନ ଘଟାଇ ପାୱାରଙ୍କୁ ଦୁର୍ବଳ କରିବାକୁ ବିଜେପି ଖେଳ ଖେଳିଥିଲା । ତାହା ପଦାରେ ପଡି ଯିବାରୁ ଭାବମୂତ୍ତି ସୁଧାରିବାକୁ ଆଜି ପାୱାର (ଅଜିତ), ପଟେଲଙ୍କ ମାଧ୍ୟମରେ ଉଦ୍ୟମ ହୋଇଥାଇପାରେ ବୋଲି ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS