ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଏଲଜିଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ

ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁଲାଇ ୧୭
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ନିଯୁକ୍ତି ଓ ସେବାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳ (ଏଲଜି) ଭି.କେ.ସାକ୍ସେନାଙ୍କ ମଧ୍ୟରେ ବିବାଦ ଚରମରେ ପହଂଚି ଥିବା ବେଳେ ଦୁହେଁ ରାଜନୀତିରୁ ଉପରକୁ ଉଠି ଦିଲ୍ଲୀ ଇଲେକ୍ଟ୍ରିସିଟି ରେୁଗୁଲେଟାରୀ କମିସନ (ଡ଼ିଇଆରସି)ର ପରବର୍ତ୍ତୀ ମୁଖ୍ୟ କିଏ ହେବ ସହମତି ଭିତ୍ତିରେ ନିଷ୍ପତ୍ତି ନେବାକୁ ସୁପ୍ରିମ କୋର୍ଟ ଆଜି ନିର୍ଦେଶ ଦେଇଛନ୍ତି । ଡ଼ିିଇଆରସି ଅଧ୍ୟକ୍ଷ ନିଯୁକ୍ତି ଓ ଦିଲ୍ଲୀ ପାଇଁ କେନ୍ଦ୍ର ସରକାରଙ୍କ ୨୦୨୩ ‘ସେଂଟ୍ରାଲ ସର୍ଭିସେସ୍ ଅର୍ଡିନାନ୍ସ’ ବା ଅଧ୍ୟାଦେଶକୁ ଚ୍ୟାଲେଂଜ କରି କେଜରୀୱାଲ ସରକାର ସୁପ୍ରିମ କୋର୍ଟରେ ଆବେଦନ କରିଥିବା ବେଳେ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଆଜି ଡ଼ିଇଆରସି ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ପରବର୍ତ୍ତୀ ଶୁଣାଣୀ ଗୁରୁବାର ଦିନ ହେବ ବୋଲି ଧାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାର ନୂତନ ଅଧ୍ୟାଦେଶ ବଳରେ ଡ଼ିଇଆରସି ଅଧ୍ୟକ୍ଷ ଭାବେ ଜୁନ ୨୧ ତାରିଖ ଦିନ ଆଲହାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଉମେଶ କୁମାରଙ୍କୁ ନିଯୁକ୍ତି ଦେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାର ଜୁଲାଇ ୪ ତାରିଖରେ ଏହି ବିଜ୍ଞପ୍ତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିଛନ୍ତି । ରାଜ୍ୟ ସରକାରଙ୍କ ଆବେଦନକୁ ବିଚାରକୁ ନେଇ ସୁପ୍ରମି କୋର୍ଟ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଦ୍ୱାରା ଡ଼ିଇଆରସି ଅଧ୍ୟକ୍ଷ ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଉମେଶ କୁମାରଙ୍କ ଶପଥ ପାଠ ଉପରେ ରୋକ୍ ଲାଗାଇବା ସହ ୧୭ ତାରିଖ ମାମଲାର ଶୁଣାଣୀ କରିବେ ବୋଲି ଧାର୍ଯ୍ୟ କରିଥିଲେ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଦିଲ୍ଲୀ ସରକାରଙ୍କ ଆବେଦନର ଶୁଣାଣୀ କରି ଉଭୟ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ଏଲଜି ସାକ୍ସେନାଙ୍କୁ ରାଜନୀତିରୁ ଉପରକୁ ଉଠି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ନିଯୁକ୍ତିକୁ ନେଇ ଏକାଠି ବସି ସହମତିରେ ନିର୍ଣ୍ଣୟ ନେବାକୁ ନିର୍ଦେଶ ଦେବା ସହ ଗୁରୁବାର ଡ଼ିଇଆରସି ଅଧ୍ୟକ୍ଷ ନିଯୁକ୍ତି ଓ ଦିଲ୍ଲୀ ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି କହିଛନ୍ତି । ସୁପ୍ରିମ କୋର୍ଟର ତିନି ଜଣିଆ ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସହ ବିଚାରପତି ଜଷ୍ଟିସ ପି.ଏସ.ନରସିଂହା ଓ ଜଷ୍ଟିସ ମନୋଜ ମିଶ୍ର ରହିଛନ୍ତି । ଉମେଶ କୁମାରଙ୍କ ନିଯୁକ୍ତିକୁ ନେଇ ଜୁନ ୨୧ ତାରିଖରେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ସରକାରୀ ବିଜ୍ଞପ୍ତିକୁ କେଜରୀୱାଲ ସରକାର ଜୁଲାଇ ୪ ତାରିଖରେ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିଥିବା ବେଳେ ଜଜୁଲାି ୧୦ ତାରିଖ ଦିନ କେନ୍ଦ୍ର ସରକାରଙ୍କ ନୂତନ ଅଧ୍ୟାଦେଶକୁ ଚ୍ୟାଲେଂଜ କରି ପିଟିସନ ଦାଏର କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ପାଇଁ ଜାରି ହୋଇଥିବା ‘ଗଭର୍ଣ୍ଣମେଂଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ’, ୨୦୨୩ ଅଧ୍ୟାଦେଶର ୪୫-ଡି ଧାରାରେ ଦିଲ୍ଲୀ ସରକାରଙ୍କ ଅଧିନରେ କମିଶନର ଓ ଅନ୍ୟାନ୍ୟ ପଦସ୍ଥ ପ୍ରଶାସନିକ ଅଧିକାରୀ ନିଯୁକ୍ତି କ୍ଷମତା କେନ୍ଦ୍ର ସରକାର ନିଜ ହାତକୁ ନେଇଥିବା କଥାକୁ ମୁଖ୍ୟମନ୍ତ୍ରୀ କେଜରୀୱାଲ ସରକାର ଚ୍ୟାଲେଂଜ କରିଛନ୍ତି । ରାଜ୍ୟ ସରକାରଙ୍କ ଜୁଲାଇ ୪ ତାରିଖ ଆବେଦନ ସହ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଜୁଲାଇ ୧୦ ତାରିଖରେ ପିଟିସନ ଦାଏର ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଏକ ନିର୍ବାଚିତ ସରକାର ଥିବାରୁ ଓ ନିର୍ବାଚିତ ସରକାର ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ଥିବାରୁ ଦିଲ୍ଲୀ ପ୍ରଶାସନ ଅଧିନରେ ସମସ୍ତ ପ୍ରଶାସନିକ ନିଯୁକ୍ତି ଓ ସେବା ଉପରେ ରାଜ୍ୟ ସରକାରଙ୍କର ହିଁ କର୍ତ୍ତୃତ୍ୱ ରହିବ ବୋଲି ସୁପ୍ରିମ କୋର୍ଟର ଏକ ସାମ୍ବିଧାନିକ ପୀଠ ମେ’ ୧୧ ତାରିଖରେ ସ୍ପଷ୍ଟ ରାୟ ଦେବା ପରେ କେନ୍ଦ୍ର ସରକାର ତାହାକୁ ଅକାମୀ କରିବା ସକାଶେ ଗଭର୍ଣ୍ଣମେଂଟ ଅଫ୍ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ, ୨୦୨୩ ଅଧ୍ୟାଦେଶ ଜାରି କରିଛନ୍ତି । ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ଅଧ୍ୟାଦେଶ ଉପରେ ମଧ୍ୟବର୍ତ୍ତୀ ରହିତାଦେଶ ଦେବାକୁ ବିଚାର କରିବେ ବୋଲି ଆଜି କହିବା ସହ ଅଧ୍ୟାଦେଶର ଯଥାର୍ଥତାକୁ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ଉପ ରାଜ୍ୟପାଳ (ଏଲଜି) କୋର୍ଟରେ ଉତ୍ତର ରଖିବାକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି । ଡ଼ିଇଆରସି ମାମଲାରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଗଭୀ ଗତ ସପ୍ତାହରେ ଅଦାଲତରେ ହୋଇ କେନ୍ଦ୍ର ସରକାର କୋର୍ଟର ନିର୍ଦେଶ ଅନୁସାରେ ଏହି ପ୍ରସଙ୍ଗରେ ଉତ୍ ତର ଦାଖଲ କରିନଥିବା ଖଣ୍ଡପୀଠକୁ ସୂଚିତ କରିଥିଲେ । ଆଗାମୀ ତାରିଖ ସୁଦ୍ଧା ଏହି ମାମଲାରେ ଅଦାଲତରେ ଉତ୍ତର ରଖିବାକୁ ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS