ଖାର୍ଗେଙ୍କୁ ଧନ୍ୟବାଦ ଜଣାଇଲେ କେଜରୀୱାଲ


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁଲାଇ ୧୭
ଦିଲ୍ଲୀରେ ଜାରି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରିବାକୁ କଂଗ୍ରେସ ଗତକାଲି ଆନୁଷ୍ଠାନିକ ଭାବେ ଘୋଷଣା କରିଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦିଲ୍ଲୀରେ ପ୍ରଶାସନିକ ନିଯୁକ୍ତି ଓ ସେବାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଯେଉଁ ଅଧ୍ୟାଦେଶ ଜାରି କରିଛନ୍ତି ତାହା ଜନ ବିରୋଧୀ ଓ ସମ୍ବିଧାନ ବିରୋଧୀ । ଦିଲ୍ଲୀର ଆମ୍ ଆଦମୀ ପାର୍ଟି ‘ଆପ୍’ ସରକାର ଏହି କେନ୍ଦ୍ରୀୟ ଅଧ୍ୟାଦେଶ ବିରୋଧୀ ଯେଉଁ ଲଢେଇ କରୁଛନ୍ତି କଂଗ୍ରେସ ସଭାପତି ଖାର୍ଗେ ତାହାକୁ ସମର୍ଥନ ଦେଇ ଦିଲ୍ଲୀବାସୀଙ୍କ ସହ ଠିଆ ହୋଇଥିବା ସ୍ୱାଗତଯୋଗ୍ୟ ବୋଲି କେଜରୀୱାଲ କହିଛନ୍ତି । କେନ୍ଦ୍ରୀୟ ଅଧ୍ୟାଦେଶ ବିରୋଧରେ ‘ଆପ୍’ର ଲଢେଇକୁ କଂଗ୍ରେସ ସମର୍ଥନ ଦେଇଥିବା କଥାକୁ ନେଇ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଏଆଇସିସି ସଭାପତି ଖାର୍ଗଙ୍କୁ ପ୍ରଶ୍ନ କରିଥିଲେ । ଖାର୍ଗେ ତାହାର ଉତ୍ତର ରଖି କହିଛନ୍ତି, ଏହା ‘ଜଣେ ବ୍ୟକ୍ତିବିଶେଷଙ୍କୁ ସମର୍ଥନ ନୁହେଁ’ । ଦଶର ସମ୍ବିଧାନ ଓ ଗଣତନ୍ତ୍ର ଯେତେବେଳେ ବିପନ୍ନ ହେଉଛି ସମସ୍ତେ ଏକାଠି ହୋଇ ତାହାକୁ ପ୍ରତିହତ କରିବା ଏବଂ ସମ୍ବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷା ଦେବାର ଆବଶ୍ୟକ ରହିଛି । ଦେଶ ଆଗରେ କୌଣସି ବ୍ୟକ୍ତ ବଡ ନୁହେଁ ବୋଲି ସେ କହିଛନ୍ତି । ଖାର୍ଗଙ୍କ ବିବୃତି ପରେ କେଜରୀୱାଲ ଟ୍ୱିଟ୍ ମାଧ୍ୟମରେ ଦିଲ୍ଲୀବାସୀଙ୍କ ପଛରେ କଂଗ୍ରେସ ଠିଆ ହୋଇଥିବାରୁ ଖାର୍ଗେଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ର ସରକାରଙ୍କ ନୂତନ ଅଧ୍ୟାଦେଶ ଭାରତ ବିରୋଧୀ, ଜାତୀୟତା ବିରୋଧୀ ଏବଂ ସମସ୍ତେ ମିଳିତ ଭାବେ ତାହା ବିରୋଧରେ ଲଢେଇରେ ସାମିଲ ହେବା ଆବଶ୍ୟକ ବୋଲି କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାର ୨୦ତାରିଖରୁ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଦିଲ୍ଲୀ ଅଧ୍ୟାଦେଶକୁ ବିଲ୍ ଆକାରରେ ଆଣି ଆଇନରେ ପରିଣତ କରିବା ମସୁଧାରେ ଅଛନ୍ତି । ଲୋକସଭାରେ ବିଜେପି ଓ ତାହାର ସହଯୋଗୀଙ୍କ ସଂଖ୍ୟାବଳ ଥିଲେ ମଧ୍ୟ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନଥିବାରୁ ଓଡ଼ିଶାର ବିଜେଡ଼ି ଓ ଆନ୍ଧ୍ର ପ୍ରଦେଶର ୱାଇଏସଆରସିପି ସାଂସଦଙ୍କ ସମର୍ଥନ ବଳରେ ବିଲ୍ ପାରିତା କରାଇ ନେବାକୁ ଉଦ୍ୟମରେ ଅଛନ୍ତି । ରାଜ୍ୟସଭାରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଆଗତ ହେବାକୁ ଥିବା ବିଲ୍ ର ବିରୋଧ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଉଦ୍ୟମ ଜାରି ଥିବା ବେଳେ କଂଗ୍ରେସ ଆନୁଷ୍ଠାନିକ ଭାବେ ସମର୍ଥନ ଘୋଷଣା କରିବାକୁ ବିଳମ୍ବ କରୁଥିବାରୁ କେଜରୀୱାଲ ଅଭିମାନ କରିଥିଲେ । କଂଗ୍ରେସ ଆନୁଷ୍ଠାନିକ ଭାବେ ଏହି ଅଧ୍ୟାଦେଶକୁ ବିରୋଧ ନକଲେ ସେ ବେଂଗାଲୁରୁରେ ବସିବାକୁ ଥିବା ବିରୋଧୀ ମେଂଟର ବୈଠକରେ ଯୋଗ ଦେବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ଆଜିଠାରୁ ବିରୋଧୀ ମେଂଟର ଦ୍ୱିତୀୟ ଆନୁଷ୍ଠାନିକ ବୈଠକ ବେଂଗାଲୁରୁରେ ଆରମ୍ଭ ହୋଇଥିବା ବେଳେ ତାହା ପୂର୍ବରୁ ଗତକାଲି କଂଗ୍ରେସ ସଭାପତି ଖାର୍ଗେ ଆନୁଷ୍ଠାନିକ ଭାବେ ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରୁଥିବା ଘୋଷଣା କରିଥିଲେ । କେଜରୀୱାଲ ମଧ୍ୟ କଂଗ୍ରେସର ଘୋଷଣା ପରେ ଶାନ୍ତ ହୋଇଛନ୍ତି ଏବଂ ଆଜିଠାରୁ ଆରମ୍ଭ ହୋଇଥିବା ବିରୋଧୀ ମେଂଟର ଦୁଇ ଦିନିଆ ବୈଠକରେ ଯୋଗ ଦେଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS