ବିରୋଧୀ ମେଂଟର ନାମକରଣ ହେଲା ‘ଇଣ୍ଡିଆ’

ପ୍ରସାଦ ରାଓ
ଜୁଲାଇ ୧୮
ବେଂଗାଲୁରୁରେ ଏକାଠି ହୋଇଥିବା ୨୬ ବିରୋଧୀ ଦଳର ନେତାମାନେ ଆଜି ନୂତନ ବିରୋଧୀ ମେଂଟର ନାମକରଣ କରିଛନ୍ତି । ଦୁଇ ଦିନିଆ ବୈଠକର ଦ୍ୱତୀୟ ଦିବସରେ ଦୀର୍ଘ ସମୟ ଧରି ବିଚାର ବିମର୍ଷ ଚାଲିବା ପରେ ନୂତନ ବିରୋଧୀ ମେଂଟର ନାମକରଣ କରାଯାଇଛି ‘ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରେଟିଭ ଇନକ୍ଲୁସିଭ୍ ଆଲାଏନ୍ସ’ ବା ‘ଇଣ୍ଡିଆ’ । ୨୦୨୪ ସାଧାରଣ ନିର୍ବାଚନ ‘ମୋଦୀ ବନାମ ଇଣ୍ଡିଆ’ ହେବ । ଟିଏମସି ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରେନ ଏହି ନୂତନ ନାମକୁ ନେଇ ଖୁସିରେ ଟ୍ୱିଟ୍ କରିଛନ୍ତି – ‘ଚକ୍ ଦେ ଇଣ୍ଡିଆ’ । ଆଜିର ବୈଠକରେ ବାମପନ୍ଥୀ ଦଳମାନେ ନୂଆ ମେଂଟର ନାମକୁ ‘ଆଲାଏନ୍ସ’ ବଦଳରେ ‘ଫ୍ରଂଟ୍’ କରାଯିବା ଚାହିଁଁ ଥିଲେ ମଧ୍ୟ ଆଉ କିଛି ଦଳ ନାମରେ ‘ଏନଡିଏ’ ରହିବା ଦିଗରେ ଆଗ୍ରହ ପ୍ରକାଶ କରିନଥିଲେ । ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଯେଉଁ ନାମ ପ୍ରସ୍ତାବ ଦେଇଥିଲେ ସେଥିରେ ବିରୋଧୀଙ୍କ ଉଲ୍ଲେଖ ନଥିଲା । ଶେଷରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରେଟିକ ଇନକ୍ଲୁସିଭ ଆଲାଏନ୍ସ’ ବା ‘ଇଣ୍ଡିଆ’ ନାମ ରଖାଯିବା ପ୍ରସ୍ତାବ ଦେଇଥିଲେ । ବୈଠକରେ ତାହା ଚୂଡାନ୍ତ ହୋଇଥିବା ଭାରତୀୟ ଜାତୀୟ କଂଗ୍ରେସ ନେତା ଜିତେନ୍ଦ୍ର ଅୱଧ ‘ଟ୍ୱିଟ୍’ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ‘ରଚନାତ୍ମକତା’କୁ ସମସ୍ତେ ପ୍ରଶଂସା କରିଥିବା ଅୱଧ କହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ (ନ୍ୟାସାନାଲ ଡେମୋକ୍ରେଟିକ ଆଲାଏନ୍ସ) ସହ ସିଧାସଳଖ ମୁକାବିଲା ପାଇଁ ସମଭାବାପନ୍ନ ବିରୋଧୀ ଦଳମାନେ ଏକାଠି ହୋଇଛନ୍ତି । ବିରୋଧୀ ମେଂଟର ପ୍ରଥମ ଆନୁଷ୍ଠାନିକ ବୈଠକ ଗତ ଜୁନ ମାସରେ ବିହାରର ପାଟନାଠାରେ ବସି ଥିଲା । ସେହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଗତକାଲିଠାରୁ ବେଂଗାଲୁରୁରେ ଦୁଇ ଦିନିଆ ବୈଠକ ବସିଛି । ଗତକାଲିର ବୈଠକରେ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଅଣଆନୁଷ୍ଠାନିକ ଆଲୋଚନା ହୋଇଥିଲା ଏବଂ ସେମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ନୈଶ୍ୟଭୋଜିରେ ସାମିଲ ହୋଇଥିଲେ । ଆଜି ପୂର୍ବାହ୍ନ ୧୧ଟାରୁ ୨୬ ବିରୋଧୀ ଦଳ ନେତା ରୁଦ୍ଧଦ୍ୱାର ବୈଠକରେ ମିଳିତ ହୋଇ ନୂତନ ମେଂଟର ନାମକରଣ କରିବା ସହ ଚବିଶି ନିର୍ବାଚନ ପାଇଁ ମେଂଟର ମିଳିତ କାର୍ଯ୍ୟକ୍ରମ କଣ ହେବ ଚର୍ଚ୍ଚା କରିଥିବା ସୂଚନା ମିଳିଛି । ବୈଠକର ପ୍ରଥମ ଦିବସରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜେଡ଼ିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଡିଏମକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ, ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜେଏମଏମ ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରମୁଖ ବରିଷ୍ଠ ବିରୋଧୀ ଦଳ ନେତାମାନେ ଯୋଗ ଦେଇଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାର ଓ ଜେଡିଏସ୍ ନେତା ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ଉପସ୍ଥିତ ନଥିଲେ । ଏନସିପି ମୁଖ୍ୟ ଶରଦ ପାୱାର ଆଜି ବେଂଗାଲୁରୁରେ ପହଂଚି ବୈଠକରେ ସାମିଲ ହୋଇଥିବା ସୂଚନା ମିଳିଛି । ‘ବିଜେପି ସହ ଲଢିବା ପାଇଁ ସତ୍ ସାହାସ ରଖିଥିବା ସମସ୍ତ ଅଣ-ବିଜେପି ବିରୋଧୀ ଦଳଙ୍କୁ ଆମେ ସ୍ୱାଗତ କରୁଛୁ’ ବୋଲି କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ପୱନ ଖେରା କହିଛନ୍ତି । କଂଗ୍ରେସ ସଭାପତି ଖାର୍ଗେ ଗତକାଲି ଏକ ଟ୍ୱିଟ୍ ମାଧ୍ୟମରେ କହିଥିଲେ, ଏକଛତ୍ରବାଦ ଓ ଜନ ବିରୋଧୀ ଘୃଣା ରାଜନୀତି, ଜାତି ଓ ଧର୍ମ ନାମରେ ବିଭାଜନ, ଅର୍ଥନୈତିକ ବୈଷମ୍ୟ ଏବଂ ଲୁଟ୍ ରୁ ଦେଶବାସୀଙ୍କୁ ମୁକ୍ତି ଦେବା ହେଉଛି ବିରୋଧୀ ମେଂଟର ଉଦ୍ଦେଶ୍ୟ । ସମଭାବାପନ୍ନ ବିରୋଧୀ ଦଳମାନେ ଏକାଠି ବସି ସାମାଜିକ ନ୍ୟାୟ, ସମସ୍ତଙ୍କ ସମ୍ମିଳିତ ବିକାଶ ଓ ଦେଶର ମଂଗଳ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ । ବିରୋଧୀ ମେଂଟର ଏକ ୧୧ ଜଣିଆ ସଂଯୋଜନା କମିଟି ଗଠନ ହେବ ଏବଂ ତାହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହି ନିର୍ବାଚନ ପ୍ରଚାର କାର୍ଯ୍ୟ ତଦାରଖ କରିବ । ବିରୋଧୀ ମେଂଟର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ ବୋଲି କଂଗ୍ରେସ ମୁଖ୍ୟ ଖାର୍ଗେ ଆଜି ସୂଚନା ଦେଇଛନ୍ତି । ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ନେତୃତ୍ୱାଧୀନ ଏନଡିଏକୁ ପ୍ରଶ୍ନ କରିଛନ୍ତି ‘ଇଣ୍ଡିଆ’କୁ ସାମ୍ନା କରିପାରିବ ତ (?) ବୋଲି । ଦେଶର ସମାଭାବାପନ୍ନ ବିରୋଧୀ ରାଜନୈତିକ ଦଳମାନେ ୨୦୨୪ ନିର୍ବାଚନରେ ଏକାଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ଏନଡିଏର ମୁକାବିଲା ପାଇଁ ଦୁଇ ଦିନ ହେଲା ବେଂଗାଲୁରୁରେ ବସି ଆଇଏନଡିଆଇଏ (ଇଣ୍ଡିଆ) ଗଠନ କରିବା ସହ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ବେଳେ ‘ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏକାକୀ ଭାରି’ ବୋଲି ଗଲା ଚାରି ବର୍ଷ ହେଲା ଦାବି କରୁଥିବା ବିଜେପି ବିରୋଧୀଙ୍କ ରଣନୀତିର ମୁକାବିଲା ପାଇଁ ଏନଡିଏର ପୁନର୍ବିନ୍ୟାସ କରିବାକୁ ବାଧ୍ୟ ହୋଇଛି । ଆଜି ନୂଆଦିଲ୍ଲୀର ଅଶୋକା ହୋଟେଲରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ତତ୍ତ୍ୱାବଧାନରେ ଏନଡିଏରେ ବୈଠକ ବସିଛି । ଏଥିରେ ୩୬ଟି ରାଜନୈତିକ ଦଳ ଥିବା ବିଜେପି କହିଛି । ବିରୋଧୀ ମେଂଟରେ ୨୬ ରାଜନୈତିକ ଦଳ ଓ ବିଜେପି ନେତୃତ୍ୱାଧୀନ ମେଂଟ ଏନଡିଏରେ ୩୬ ରାଜନୈତିକ ଦଳ – ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଯଦି ଏହି ସମୀକରଣ ବଜାୟ ରୁହେ ତେବେ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତି ନିଶ୍ଚିତ ଭାବେ ରୋଚକ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS