‘ଜିତେଗା ଭାରତ’ ହେବ ବିରୋଧୀ ମେଂଟର ଟ୍ୟାଗଲାଇନ୍ !


ପ୍ରସାଦ ରାଓ
ଜୁଲାଇ ୧୯
ଦେଶର ୨୬ଟି ବିରୋଧୀ ରାଜନୈତିକ ଦଳ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକତ୍ରିତ ଭାବେ ଲଢିବା ପାଇଁ ଯେଉଁ ମେଂଟ ଗଠନ କରିଛନ୍ତି ତାହାର ଟ୍ୟାଗଲାଇନ ‘ଜିତେଗା ଭାରତ’ ରହିବ ବୋଲି ସ୍ଥିର କରିଥିବା ସୂଚନା ମିଳିଛି । ବିରୋଧୀ ମେଂଟର ଦ୍ୱିତୀୟ ଅନୁଷ୍ଠାନିକ ବୈଠକ ଗତକାଲି ବେଂଗାଲୁରୁରେ ଶେଷ ହୋଇଛି ଓ ଏହି ବୈଠକରେ ମେଂଟର ନୂତନ ନାମ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଂଟାଲ ଇନକ୍ଲୁସିଭ ଆଲାଏନ୍ସ’ ବା ‘ଇଣ୍ଡିଆ’ ରଖାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମେଂଟର ନାମ ‘ଇଣ୍ଡିଆ’ ରଖାଯିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଅନ୍ୟ ବିରୋଧୀ ଦଳର ନେତାମାନେ ତାହାକୁ ସ୍ୱୀକୃତି ଦେଇଛନ୍ତି । ନୂତନ ମେଂଟର ନାମ ‘ଇଣ୍ଡିଆ’ ହୋଇଥିବାରୁ ବିରୋଧୀ ବେଶ ଉତ୍ସାହିତ । ୨୦୨୪ରେ ମୁକାବିଲା ‘ଏନଡିଏ ବନାମ ଇଣ୍ଡିଆ’ ହେବ । ‘ଇଣ୍ଡିଆ’ ସହ ଏନଡିଏ ମୁକାବିଲା କରିପାରିବ କି (?) ବୋଲି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସମେତ ବିରୋଧୀ ମେଂଟରେ ଥିବା ଅନ୍ୟ ନେତାମାନେ ପ୍ରଶ୍ନ କରିଛନ୍ତି । ତେବେ, ବିରୋଧୀ ମେଂଟର ନୂତନ ନାମରେ ‘ଭାରତ’ ନାମର ଅନୁପସ୍ଥିତିକୁ ନେଇ ବିଜେପି ବିରୋଧୀ ମେଂଟକୁ କଡା ସମାଲୋଚନା କରିବାକୁ ସୁଯୋଗ ପାଇଛି । ନୂତନ ନାମରେ ‘ଭାରତ’ ବଦଳରେ ‘ଇଣ୍ଡିଆ’ ନାମ ବ୍ୟବହାର କଂଗ୍ରେସ ଓ ତାହାର ସହଯୋଗୀ ଦଳଙ୍କ ‘ଉପନିବେଶବାଦୀ ଚିନ୍ତାଧାରା’କୁ ପ୍ରତିଫଳିତ କରୁଛି ବୋଲି ମେଂଟର ନୂତନ ନାମ ଘୋଷଣା ପରଠାରୁ ବିଜେପି ନେତାମାନେ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ, କେନ୍ଦ୍ର ସରକାର ମଧ୍ୟ ‘ଖେଲୋ ଇଣ୍ଡିଆ’, ‘ମେକ୍ ଇନ୍ ଇଣ୍ଡିଆ’, ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଭଳି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ‘ଇଣ୍ଡିଆ’ ବହୁଳ ଭାବେ ବ୍ୟବହାର କରୁଥିବାରୁ ଶାସକ ବିଜେପିକୁ ବିରୋଧୀ କଡା ଜବାବ ଦେବା ଆରମ୍ଭ କରିଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ଓ ୨୬ ବିରୋଧୀ ଦଳର ନୂତନ ମେଂଟ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଂଟାଲ ଇନକ୍ଲୁସିଭ ଆଲାଏନ୍ସ’ ମଧ୍ୟରେ ‘ଇଣ୍ଡିଆ’ ନାମର ବ୍ୟବହାରକୁ ନେଇ ଗତକାଲିଠାରୁ ଯେଉଁ ବାଦବିବାଦ ଆରମ୍ଭ ହୋଇଛି ତାହା ଏତେଶୀଘ୍ର କବର ନେବାର ସମ୍ଭାବନା ନାହିଁ । ୨୦୨୪ ନିର୍ବାଚନ ଶେଷ ହେବା ଯାଉଁ ଏହି ବାଦାନୁବାଦ ଚାଲିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ ବିରୋଧୀ ମେଂଟ ‘ଭାରତ’ ନାମକୁ ନେଇ ଅଡୁଆ ଦୂର କରିବାକୁ ମେଂଟର ଟ୍ୟାଗଲାଇନ ‘ଜିତେଗା ଭାରତ’ ରଖିବାକୁ ଚୂଡାନ୍ତ କରିଛି । ଚବିଶି ନିର୍ବାଚନରେ ବିରୋଧୀ ମେଂଟ ‘ଜିତେଗା ଭାରତ’ ଟ୍ୟାଗଲାଇନରେ ତାହାର ନିର୍ବାଚନ ପ୍ରଚାର କରିବ ବୋଲି ଆଜି ସୂଚନା ମିଳିଛି । ଇଂରାଜୀରେ ଟ୍ୟାଗଲାଇନ ‘ଇଣ୍ଡିଆ ୱିଲ ୱିନ୍’ ରହିବ । ବିଭିନ୍ନ ଆଂଚଳିକ ଭାଷାରେ ମଧ୍ୟ ଏହାର ନିଚ୍ଛକ ଅନୁବାଦ ଦେଖିବାକୁ ମିଳିବ ବୋଲି ବିରୋଧୀ ମେଂଟ ସୂତ୍ରରୁ ସୂଚନା ମିଳିଛି । ଗତକାଲି ବିରୋଧୀ ମେଂଟର ଦ୍ୱିତୀୟ ଦିନର ବୈଠକରେ ବହୁ ବିରୋଧୀ ରାଜନେତା ମେଂଟ ନାମରେ ‘ଭାରତ’ ରହିବା ଚାହିଁ ଥିଲେ ମଧ୍ୟ ନୂତନ ନାମ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଂଟାଲ ଇନକ୍ଲୁସିଭ ଆଲାଏନ୍ସ’ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ତେଣୁ, ଟ୍ୟାଗଲାଇନରେ ‘ଭାରତ’ ରଖାଯାଇ ‘ଜିତେଗା ଭାରତ’ କରାଯାଇଥିବା ଜଣାପଡିଛି । ବିରୋଧୀ ମେଂଟରେ କଂଗ୍ରେସ ସମେତ ଏଆଇଟିସି, ଡିଏମକେ, ଆମ୍ ଆଦମୀ ପାର୍ଟି, ଜନତା ଦଳ (ୟୁନାଇଟେଡ), ଆରଜେଡି (ରାଷ୍ଟ୍ରିୟ ଜନତା ଦଳ), ଜେଏମଏମ, ଏନସିପି (ଶରଦ ପାୱାର), ଶିବସେନା (ୟୁବିଟି), ସମାଜବାଦୀ ପାର୍ଟି, ରାଷ୍ଟ୍ରିୟ ଲୋକ ଦଳ, ଆପନା ଦଲ୍ (କାମେରାୱାଦି), ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍ଫରେନ୍ସ (ଏନସି), ପିଡିପି, ସିପିଆଇ, ସିପିଏମ, ସିପିଆଇ (ଏମଏଲ)- ଲେନନବାଦୀ, ଆରଏସପି (ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି), ନିଖାଳ ଭାରତ ଫରୱାଡ ବ୍ଲକ (ଏଆଇଏଫବି), ଏମଡିଏମକେ, ଭିସିକେ, କେଡିଏମକେ, ଏମଏମକେ, ଆଇୟୁଏମଏଲ, କେରଳ କଂଗ୍ରେସ (ଏମ), କେରଳ କଂଗ୍ରେସ (ଯୋଶେଫ) ଥିବା ବେଳେ ଚଳିତ ଲୋକସଭାରେ ଏହି ୨୬ ଦଳର ମୋଟ ସାଂସଦ ସଂଖ୍ୟା ୧୪୨ ରହିଛି । ଅପରପକ୍ଷରେ, ଲୋକସଭାରେ ଏକାକୀ ବିଜେପିର ୩୦୨ ସାଂସଦ ଥିବା ବେଳେ ଏନଡିଏର ମୋଟ ୩୩୨ ସାଂସଦ ଅଛନ୍ତି । ବିରୋଧୀ ମେଂଟକୁ ଟକ୍କର ଦେବା ପାଇଁ ବିଜେପି ପକ୍ଷରୁ ଗତକାଲି ନୂଆଦିଲ୍ଲୀ ଅଶୋକା ହେଟେଲରେ ଏନଡିଏ ସଦସ୍ୟମାନଙ୍କ ବୈଠକ ରଖା ଯାଇଥିଲା । ବୈଠକରେ ବିଜେପିଏ ଶିବସେନା (ଏକନାଥ ସିନ୍ଧେ ଗୋଷ୍ଠୀ), ଏନସିପି (ଅଜିତ ପାୱାର ଗୋଷ୍ଠୀ) ସମେତ ମୋଟ ୩୮ଟି ରାଜନୈତିକ ଦଳ ଯୋଗ ଦେଇଥିଲେ । ଏନଡିଏ ବୈଠକରେ ଯୋଗ ଦେଇଥିବା ଅନ୍ୟ ଦଳମାନେ ହେଲେ – ଏଲଜେପି (ପଶୁପତି ପାରସ), ଏଲଜେପି (ଚିରାଗ ପାଶ୍ୱାନ), ଏଆଇଏଡିଏମକେ, ଆପନା ଦଲ୍ (ସୋନିଲାଲ), ଏନପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି), ଅଲ୍ ଝାଡଖଣ୍ଡ ପିପୁଲ୍ସ ପାର୍ଟି, ନ୍ୟାସନାଲ ଡମୋକ୍ରେଟିକ ପ୍ରୋଗ୍ରେସିଭ ପାର୍ଟି, ସିକିମ କ୍ରାନ୍ତକାରୀ ମୋର୍ଚ୍ଚା, ଏମଏନଏଫ (ମିଜୋ ନ୍ୟାସନାଲ ଫ୍ରଂଟ୍), ଇଣ୍ଡିଜିନସ୍ ପିପୁଲ୍ସ ଫ୍ରଂଟ ଅଫ୍ ତ୍ରିପୁରା, ନାଗା ପିପୁଲ୍ସ ଫ୍ରଂଟ (ନାଗାଲାଣ୍ଡ), ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଅଠାୱଲେ), ଆସାମ ଗଣ ପରିଷଦ, ପିଏମକେ, ତାମିଲ ମାନିଲା କଂଗ୍ରେସ, ୟୁନାଇଟେଡ ପିପୁଲ୍ସ ପାର୍ଟି (ଲିବରାଲ), ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଶିରୋମଣୀ ଅକାଳୀ ଦଳ (ସଂଯୁକ୍ତ), ମହାରାଷ୍ଟ୍ର ଗୋମନ୍ତକ ପାର୍ଟି (ଏମଜିପି), ପ୍ରହାର ଜନଶକ୍ତି ପାର୍ଟି (ପିଜେପି), ଜନନାୟକ ଜନତା ପାର୍ଟି (ଜେଜେପି), ରାଷ୍ଟ୍ରୀୟ ସମାଜ ପକ୍ଷ, ଜନ ସ୍ୱାରାଜ୍ୟ ଶକ୍ତି ପାର୍ଟି, କୁକି ପିପୁଲ୍ସ ଆଲାଏନ୍ସ, ୟୁନାଇଟେଡ ଡେମୋକ୍ରେଟିକ ପାର୍ଟି (ମେଘାଳୟ), ହିଲ୍ ଷ୍ଟେଟ୍ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି, ନିଷାଦ ପାର୍ଟି, ଏଲ ଇଣ୍ଡିଆ ଏନଆର କଂଗ୍ରେସ, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା, ଜନ ସେନା ପାର୍ଟି, ହରିୟାଣା ଲୋକହିତ ପାର୍ଟି, ଭରତ ଧର୍ମ ଜନସେନା, କେରଳ କାମରାଜ କଂଗ୍ରେସ, ପୁତ୍ତିୟା ତାମିଲଗାମ୍ ଏବଂ ଗୋର୍ଖା ନ୍ୟାସନାଲ ଲିବରେସନ ଫ୍ରଂଟ୍ । ଏନଡିଏ ବୈଠକରେ ଯୋଗ ଦେଇଥିବା ଅଧିକାଂଶ ଦଳ ଆଂଚଳିକ ଓ ସେମାନଙ୍କ ଜନାଧାର ସୀମିତ ବୋଲି ବିରୋଧୀ ମେଂଟ ଆକ୍ଷେପ କରିଥିବା ବେଳେ ‘ଆମ ପାଇଁ ଛୋଟ, ବଡ କେହି ନୁହନ୍ତି’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ପାଲଟା ଜବାବ ଦେଇଥିଲେ । ଜୁଲାଇ ୧୭ ଓ ୧୮ରେ ଅନୁଷ୍ଠିତ ଏହି ଦୁଇ ମେଂଟର ବେଂଗାଲୁରୁ ଓ ଦିଲ୍ଲୀ ବୈଠକରେ ସାମିଲ ହୋଇନଥିବା ଦେଶର ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ଅଛନ୍ତି – ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି, ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିଏସପି, ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଶାସକ ବିଆରଏସ୍, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ୱାଏସଆରସିପି, ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପ୍ରଭୃତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଗ୍ରେସ ଓ ବିଜେପି ସହ ସମଦୂରତା ନିଷ୍ପତ୍ତିରେ ଅଟଳ ଥିବା ବେଳେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଉଭୟ ମେଂଟକୁ ଦଳିଆ ଓ ପଛୁଆ ବର୍ଗ ବିରୋଧୀ କହି ସମାଲୋଚନା କରିଛନ୍ତି । ତାଙ୍କ ଦଳ ବିଏସପି (ବହୁଜନ ସମାଜ ପାର୍ଟି) ୨୦୨୪ ସାଧାରଣ ନିର୍ବାଚନ ସହ ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଂଗାନା ଓ ଛତିଶଗଡରେ ହେବାକୁ ବିଧାନସଭା ନିର୍ବାଚନ ଏକାକୀ ଲଢିବ ବୋଲି ଆଜି ଘୋଷଣା କରିଛନ୍ତି । ପଂଜାବ, ହରିୟାଣାରେ ଦଳ ଆଂଚଳିକ ଦଳଙ୍କ ସହ ବୁଝାମଣା କରିପାରେ ବୋଲି ସେ ଏକ ବିବୃତିରେ କହିଛନ୍ତି । ଚଳିତ ବର୍ଷ ତେଲେଂଗାନାରେ ହେବାକୁ ଥିବା ବିଧାନସଭାରେ କଂଗ୍ରେସ ଓ ବିଜେପି ଶାସକ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି)ର୍ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ବିଆରଏସ୍ ମୁଖ୍ୟ ତଥା ତେଲେଂଗାନା ମୁଖ୍ୟମନ୍ତ୍ରୀ ଦୁଇ ମେଂଟର ବୈଠକରୁ ନିଜକୁ ଦୂରେଇ ରଖିଥିବା ବେଳେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ନିକଟରେ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସେ ଏନଡିଏରେ ସାମିଲ ହେଉଥିବା ଆଲୋଚନା ହେଉଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ସଂସଦରେ ସଂପୂର୍ଣ୍ଣ ସମର୍ଥନ ଦେଇ ଆସୁଥିବା କାହାରିକୁ ଅଛପା ନାହିଁ । ତେଣୁ, ବିରୋଧୀ ମେଂଟକୁ ସେମାନେ ସମର୍ଥନ କରିବା ସମ୍ଭାବନା କ୍ଷୀଣ । ଏଭଳି ସ୍ଥିତିରେ ୨୦୨୪ ସାଧାରଣ ନିର୍ବାଚନ ରଣାଂଗନର ରୂପରେଖ କଣ ହେବ ଆଜିଠାରୁ ଆକଳନ କରିବା ସମ୍ଭବ ନୁହେଁ । ବିରୋଧୀ ମେଂଟର ପରବର୍ତ୍ତୀ ଆନୁଷ୍ଠାନିକ ବୈଠକ ମୁମ୍ବାଇରେ ହେବ ବୋଲି ଘୋଷଣା ହୋଇଛି । ତେଣୁ ମୁମ୍ବାଇ ବୈଠକ ପରେ ବିରୋଧୀ ମେଂଟର ଚିତ୍ର ଅଧିକ ସ୍ପଷ୍ଟ ହେବା ଆଶା କରାଯାଉଛି । ୨୦୨୪ ନିର୍ବାଚନ ଯେତେ ପାଖେଇବ ରଣାଂଗନର ଚିତ୍ର ସେତେ ସ୍ପଷ୍ଟ ହେବ । ବିରୋଧୀ ମେଂଟର ‘ଜିତେଗା ଭାରତ’ ଟ୍ୟାଗଲାଇନ ପ୍ରତି କାହାର କେତେ ଆକର୍ଷଣ ତାହା ମଧ୍ୟ ଆଉ କିଛି ମାସ ମଧ୍ୟରେ ସାମ୍ନାକୁ ଆସିଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS