ସରକାରଙ୍କୁ ସିଜେଆଇଙ୍କ ଚେତାବନୀ : ‘ତୁମେ କିଛି କର, ନହେଲେ ଆମେ କରିବୁ’

ପ୍ରସାଦ ରାଓ
ନୂଆଦିଲ୍ଲୀ/ ଜୁଲାଇ ୨୦
ବିଜେପି ଶାସିତ ମଣିପୁରରେ ସଂଖ୍ୟାଗରିଷ୍ଠ ମୈତେଇ ଓ ସଂଖ୍ୟାଲଘୁ କୁକି ସଂପ୍ରଦାୟ ଆଦିବାସୀଙ୍କ ମଧ୍ୟରେ ଦୁଇ ମାସରୁ ଅଧିକ ସମୟ ହେଲା ହିଂସାତ୍ମକ ସଂଘର୍ଷ ଲାଗି ରହିଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ତାହାର ସମାଧାନ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି । ପ୍ରତିଦିନ ମଣିପୁରରୁ ହିଂସାର ଖବର ଆସୁଛି । ସେଠାରେ ମୁତୟନ ଥିବା ଯବାନଙ୍କ ଉପରେ ମଧ୍ୟ ହିଂସାତ୍ମକ ଆକ୍ରମଣ ହେଉଛି ଏବଂ ଅତ୍ୟାଧୁନିକ ମାରଣାସ୍ତ୍ର ଛଡାଇ ନିଆଯାଉଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିଜେ ମଣିପୁର ଗସ୍ତ କରି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇନାହାନ୍ତି । ହିଂସା ଥମିିବା ନାଁ ନେଉ ନଥିବା ବେଳେ ମେ’ ୪ ତାରିଖ ଦିନ ମଣିପୁର ରାଜଧାନୀ ଇଂଫାଲରୁ ପ୍ରାୟ ୩୫ କିମି ଦୂର କାଂଗପୋକପି ଜିଲ୍ଲାରେ ଘଟିଥିବା ଏକ ଅମାନୁଷିକ ଘଟଣାର ଭିଡ଼ିଓ ବହୁଳ ଭାବେ ପ୍ରସାରିତ ହେବା ପରେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ମୈତେଇ ସଂପ୍ରଦାୟର କୁହାଯାଉଥିବା ଦୁର୍ବୁତ୍ତମାନେ ସେଦିନ ଦୁଇ ଜଣ କୁକି ସଂପ୍ରଦାୟ ଆଦିବାସୀ ମହିଳାଙ୍କୁ ସଂପୂର୍ଣ୍ଣ ନଗ୍ନାବସ୍ଥାରେ ରାସ୍ତାରେ ଚଳାଇ ଚଳାଇ ନେଉଥିବା ଦୃଶ୍ୟ (ଭିଡ଼ିଓ) ବିଚଳିତ କଲା ଭଳି ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଏହି ଭିଡ଼ିଓ ବହୁଳ ଭାବେ ପ୍ରସାରିତ ହେବା ପରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ଦୃଷ୍ଟିକୁ ଆସିଛି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଏହି ଭିଡ଼ିଓ ସବୁରେ ଥିବା ଦୃଶ୍ୟକୁ ନେଇ ଗଭୀର ପୀଡା ବ୍ୟକ୍ତ କରିବା ସହ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ ଅଦାଲତ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି । ଯେଉଁ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ନଗ୍ନ କରି ରାସ୍ତାରେ ଚଳାଇ ଚଲାଇ ନିଆଯାଉଥିଲା ସେମାନଙ୍କୁ ନିକଟସ୍ଥ ବିଲକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା କୁକି ସଂପ୍ରଦାୟ ପକ୍ଷରୁ ଅଭିଯୋଗ ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ନିଜ ଆଡୁ ଘଟଣାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଓ ଆସନ୍ତା ୨୮ ତାରିଖ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଭିଡ଼ିଓରେ ଥିବା ଦୃଶ୍ୟ ‘ଅତ୍ୟନ୍ତ ଉଦ୍ବେଗଜନକ’ ବୋଲି ସେ କହିଛନ୍ତି । ଏହା ମଧ୍ୟ ‘ଘୋର ସାମ୍ବିଧାନିକ ବିଫଳତା’ର ସୂଚନା ଦେଉଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିବା ସହ ଏହାର ଘୋର ନିନ୍ଦା କରିଛନ୍ତି । ଘଟଣାରେ ସଂପୃକ୍ତ ଦୁର୍ବୁତ୍ତମାନଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ନିର୍ଦେଶ ଦେବା ସହ ସଂପୃକ୍ତ ଅଂଚଳରେ ମହିଳାମାନଙ୍କ ସୁରକ୍ଷା ଦିଗରେ ସରକାର କି କି ପଦକ୍ଷେପ ନେଇଛନ୍ତି ଅଦାଲତକୁ ସୂଚିତ କରିବାକୁ କହିଛନ୍ତି । ସରକାର କୌଣସି ତୁରନ୍ତ ପଦକ୍ଷେପ ନ ନେଲେ ସୁପ୍ରିମ କୋର୍ଟ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ ହେବେ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ‘ବୁଧବାର ଦିନ ଆମେ ଭିଡ଼ିଓ ସବୁ ଦେଖିଲୁ ସେଥିରେ ଥିବା ଦୃଶ୍ୟ ଅତ୍ୟନ୍ତ ଚିନ୍ତାଜନକ । ଏଭଳି କାର୍ଯ୍ୟ କଦାପି ଗ୍ରହଣୀୟ ନୁହେଁ । ସରକାର ତୁରନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ’ । କାଂଗପୋକପି ଜିଲ୍ଲାରେ ଘଟଣାଟି ମେ’ ୪ ତାରିଖରେ ଏହି ଘଟଣା ଘଟି ଥିବା ଇଂଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ୍ (ଆଇଟିଏଲଏଫ) ପକ୍ଷରୁ ଅଭିଯୋଗ ହୋଇଛି । ଭିଡ଼ିଓରେ ଥିବାଦୃଶ୍ୟ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ଭିଡ଼ିଓ ଇଂଟରନେଟରେ ଅପଲୋଡ୍ ହୋଇ ବହୁଳ ଭାବରେ ପ୍ରସାରିତ ହେବା ପର ଦିନ ପୁଲିସ ଭିଡ଼ିଓରେ ସବୁଜ ରଂଗଜର ଗଂଜି ପିନ୍ଧି ଥିବା ମୁଖ୍ୟ ଅଭିଯୁକ୍ତ ହେରାଦାସ (୩୨)କୁ ଚିହ୍ନଟ କରି ଗିରଫ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମୈତେଇ ସଂପ୍ରଦାୟର ଅଧିବାସୀ । ଏମାନେ ସମସ୍ତେ ସମତଳ ଅଂଚଳରେ ବସବାସ କରନ୍ତି । ପାର୍ବତ୍ୟାଂଚଳରେ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ରାଜ୍ୟ ୨୪ ପ୍ରତିଶତ ଲୋକ ବିଭିନ୍ନ ନାଗା ଗୋଷ୍ଠୀର ହୋଇଥିବା ବେଳେ କୁକି ଓ ଅନ୍ୟାନ୍ୟ ଆଦିବାସୀ ସଂପ୍ରଦାୟର ସଂଖ୍ୟା ହେଉଛି ୧୬ ପ୍ରତିଶତ । ଆଦିବାସୀ ସଂପ୍ରଦାୟର ଲେଙ୍ମାନ ବିଭିନ୍ନ ସରକାରୀ ସୁବିଧାସୁଯୋଗ ପାଉଥିବା ବେଳେ ଅଣ-ଆଦିବାସୀ ସଂପ୍ରଦାୟର ମୈତେଇମାନେ ସେଥିରୁ ବଂଚିତ ହେଉଥିବାରୁ ସେମାନଙ୍କୁ ଆଦିବାସୀ ସଂପ୍ରଦାୟ ବା ଏସଟି ମାନ୍ୟତା ଦିଆଯିବା ଦାବି କରୁଛନ୍ତି । ଏହାକୁ ନେଇ ଦୁଇ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ବିବାଦରୁ ରାଜ୍ୟରେ ହିଂସାକାଣ୍ଡ ଲାଗି ରହିଛି । ମୈତେଇଙ୍କ ଦାବିକୁ ବିରୋଧ କରି କୁକି ଆଦିବାସୀମାନେ ମେ’ ୩ ତାରିଖରେ ଆଦିବାସୀ ଏକତା ଶୋଭାଯାତ୍ରା (ଟ୍ରାଇବାଲ ସଲିଡାରିଟି ମାର୍ଚ) ବାହାର କରିଥିବା ବେଳେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ୪ ତାରିଖ ଦିନ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ୨୦୨୨ ମାର୍ଚ୍ଚରେ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ବିଜେପି ସର୍ବାଧିକ ୩୨ଟି ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାପରିଷ୍ଠ ଦଳ ଭାବେ ଉଭା ହୋଇଥିଲା । ତେବେ, ଏନପିପି ମୁଖ୍ୟ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି, ନ୍ୟାସନାଲ ପିପୁଲ୍ସ ପାର୍ଟି, ନାଗା ପିପୁଲ୍ସ ଫ୍ରଂଟ୍ ଓ ଲୋକ ଜନଶକ୍ତି ପାର୍ଟିର ମେଂଟ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହଙ୍କ ସରକାର କ୍ଷମତାସୀନ ହେବା ପରେ କୁକି ସଂପ୍ରଦାୟ ରହୁଥିବା ଆଦିବାସୀ ଅଧ୍ୟୁଷିତ ପାର୍ବତ୍ୟାଂଚଳରେ ଚୋରା ମଦ ଧରିବା ନାଁରେ ବ୍ୟାପକ ଚଢାଉ କରି କୁକି ସଂପ୍ରଦାୟଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆଦିବାସୀଙ୍କ ଜମି ହଡପ ପାଇଁ ଏହା ମୈତେଇ ସଂପ୍ରଦାୟର ଷଡଯନ୍ତ୍ର ବୋଲି କୁକୁ ସଂପ୍ରଦାୟ ଅଭିଯୋଗ କରୁଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗତ ମଣିପୁର ଗସ୍ତ ସମୟରେ କୁକୁ ଆଦିବାସୀମାନେ ମୁଖ୍ୟମନ୍ତ୍ରୀ ପଦରୁ ଏନ.ବିରେନ ସିଂହଙ୍କୁ ହଟାଇବାକୁ ଜୋରଦାର ଦାବି କରି ଥିଲେ । ତେବେ, ବିଜେପି ନେତୃତ୍ୱ ନିରବ । ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥରଟିଏ ମଧ୍ୟ ପରିସ୍ଥିତି ଅନୁଧ୍ୟାନ ପାଇଁ ଯାଇନଥିବା ଓ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁ ନଥିବା ଉଦ୍ବେଗର ବିଷୟ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଭିନ୍ନ ଫୋରମରେ ଅଭିଯୋଗ କରି ଆସୁଥିଲେ । ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗତକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ସଂସଦରେ ମଣିପୁର ପରିସ୍ଥିତି ଉପରେ ଆଲୋଚନା ହେବା ଦାବି ରଖି ଥିଲେ । ସଂସଦରେ ମଣିପୁର ସମେତ ସମସ୍ତ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପକ୍ଷରୁ ବିରୋଧୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୃହ ବାହାରେ ବିବୃତି ଦେଇ ମଣିପୁରରେ ଦୁଇ ଜଣ କୁକି ମହିଳାଙ୍କୁ ନଗ୍ନ କରାଯାଇ ରାସ୍ତାରେ ଚଳାଇ ଚଳାଇ ନିଆଯିବା ଓ କଥିତ ଗଣଦୁଷ୍କର୍ମର ଦୃଢ ନିନ୍ଦା କରିଛନ୍ତି । ଯେଉଁମାନେ ବି ଏଭଳି ଲଜ୍ୟାଜନକ ଗଟଣା ଘଟାଇଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । କେବଳ ମଣିପୁର ନୁହେଁ, ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମହିଳାଙ୍କ ସୁରକ୍ଷା ପ୍ରତି ଅଧିକ ସଂବେଦନଶୀଳ ହେବାକୁ ଓ ସେଭଳି କିଛି ମହିଳା-ବିରୋଧୀ ଅପରାଧ ଘଟିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଜି ମୌସୁମୀ ଅଧିବେଶନର ପ୍ରାରମ୍ଭ ଦିବସରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ବହୁ ବିରୋଧୀ ସାଂସଦ ସଂସଦର ରୁଲ୍ ୨୬୭ ଅନୁଯାୟୀ ସରକାରଙ୍କୁ ଆଗୁଆ ନୋଟିସ ଦେଇ ମଣିପୁର ସ୍ଥିତି ଉଦ୍ବେଗଜନକ ଥିବାରୁ ସରକାର ସବୁ ବିଜିନେସ୍ (ବ୍ୟବସାୟିକ ପ୍ରସଙ୍ଗ)କୁ ପଛରେ ପକାଇ ମଣିପୁର ବିଷୟରେ ଅଗ୍ରାଧିକାର ଭିତ୍ତିରେ ପୂର୍ଣ୍ଣ ସମୟ ଆଲୋଚନା ପାଇଁ ଅନୁମତି ଦେବାକୁ ଉଭୟ ଗୃହରେ ଦାବି ରଖି ଥିଲେ । ତେବେ, ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ ଚାଲିବ, ଲୋକସଭା ଓ ରାଜ୍ୟସଭାରେ ଅଣାଯିବାକୁ ଥିବା ବିଲ୍ ପ୍ରଥମେ ଆଗତ କରାଯିବ ଓ ପରେ ମଣିପୁର ଉପରେ ସ୍ୱଳ୍ପ ସମୟ ଆଲୋଚନା ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯିବାରୁ ଉଭୟ ଗୃହରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ତାହାର ବିରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଆଜି ଅଧିବେଶନର ପ୍ରାରମ୍ଭ ଦିବସରେ ଗୃହକୁ ଆସିନଥିବା ଏବଂ ଗତକାଲି ସଂସଦ ବାହାରେ ମଣିପୁରକୁ ନେଇ ବୟାନ ରଖିଥିବା କଥାକୁ ମଧ୍ୟ ସେମାନେ ନାପସନ୍ଦ କରିଥିଲେ । ପ୍ରାଥମିକତା ଭିତ୍ତିରେ ମଣିପୁର ପରିସ୍ଥିତି ଉପରେ ପୂର୍ଣ୍ଣ ସମୟ ଆଲୋଚନା ପାଇଁ ବିରୋଧୀ ଅଡି ବସିବାରୁ ଲୋକସଭାରେ ବାଚସ୍ପତି ଓ ରାଜ୍ୟସଭାରେ ଗୃହର ଅଧ୍ୟକ୍ଷ ଅପରାହ୍ନରେ ଆସନ୍ତା କାଲି (ଶୁକ୍ରବାର) ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରି ଆଜିର ବୈଠକକୁ ବନ୍ଦ କରିଦେଇଥିଲେ । ଅସନ୍ତା କାଲି ପୂର୍ବାହ୍ନ ୧୧ରୁ ଉଭୟ ଗୃହର ଅଧିବେଶନ ବସିବ । ବିରୋଧୀ ଆଜି ମଧ୍ୟ ରୁଲ ୨୬୭ରେ ମଣିପୁର ଉପରେ ପ୍ରଥମେ ଆଲୋଚନା କରାଯାଉ ବୋଲି ଅଡି ବସିଲେ ଉଭୟ ଗୃହ ଅଚଳ ହେବାର ସମ୍ଭାବନା ରହିଛି । ମଣିପୁରରେ ଯାହା ଚାଲିଛି ତାହାକୁ ନେଇ ଗତକାଲି ପ୍ରଧାନମନ୍ତ୍ରୀ ଓ ଆଜି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଯେଭଳି ଉଦ୍ବେଗ ପ୍ରକାଶ କରିଛନ୍ତି ସେଥିରୁ ପରିସ୍ଥିତି ନିୟନ୍ତ୍ରଣ କରିବାରେ ମଣିପୁର ସରକାର ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କିଭଳି ଭାବେ ବିଫଳ ହୋଇଛନ୍ତି ତାହା ସ୍ପଷ୍ଟ ହେଉଛି । ଏଠାରେ ସୂଚନାଯୋଗ୍ୟ ଯେ, ମଣିପୁରରେ ଦୁଇ ମାସରୁ ଅଧିକ ସମୟ ହେଲା ଚାଲିଥିବା ଜାତିଆଣ ସଂଘର୍ଷରେ ଅନ୍ୟୁନ ୧୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ପରିବାର ବାସଚ୍ୟୁତ ହୋଇ ଏବେ ବିଭିନ୍ନ ରିଲିଫ କ୍ୟାଂପ୍ରେ ମୁଣ୍ଡ ଗୁଂଜିବାକୁ ବାଧ୍ୟ ହୋଇଛନ୍ତି । ଏହାକୁ ନେଇ ଜାତୀୟ ଗଣମାଧ୍ୟମ ମୁଖର ଥିଲେ ମଧ୍ୟ ସରକାର ସବୁ କିଛି ସାମାନ୍ୟ ଥିବା ଭଳି ବ୍ୟବହାର କରୁଥିବା ଦେଶବାସୀଙ୍କୁ ବିସ୍ମିତ କରିଛି । ମଣିପୁରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଥିବାରୁ ସରକାର ‘କୁଲ୍’ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS