ଦିଲ୍ଲୀ ଅଧ୍ୟାଦେଶ ବିଚାର ପାଇଁ ସାମ୍ବିଧାନିକ ବେଂଚକୁ ଗଲା


ପ୍ରସାଦ ରାଓ
ନୂଆଦିଲ୍ଲୀ/ ଜୁଲାଇ ୨୦
ଦିଲ୍ଲୀରେ ଉଚ୍ଚ ପ୍ରଶାସନିକ ପଦବୀରେ ନିଯୁକ୍ତି ଓ ସେବା କାହା କର୍ତ୍ତୃତ୍ୱରେ ରହିବ ? ଦିଲ୍ଲୀ ନିର୍ବାଚିତ ସରକାର ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ଥିବାରୁ ରାଜ୍ୟ ସରକାରଙ୍କ ହାତରେ ଏହି କ୍ଷମତା ରହିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସରକାର ଅଡି ରହିଥିବା ବେଳେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ପାଇଁ ନିଯୁକ୍ତ ଉପରାଜ୍ୟପାଳଙ୍କ ହାତରେ ଏହି କ୍ଷମତା ସମର୍ପି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଜନବିରୋଧୀ ଓ ସମ୍ବିଧାନ ବିରୋଧୀ କହି ଦିଲ୍ଲୀ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ବିଚାରପତି ଜଷ୍ଟିସ ପି.ଏସ.ନରସିଂହ ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କ ଆବେଦନକୁ ଆଜି ବିଚାର ପାଇଁ ଏକ ସାମ୍ବିଧାନିକ ପୀଠକୁ ପଠାଇ ଦେଇଛନ୍ତି । ଆଜି ଦିଲ୍ଲୀ ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କ ପକ୍ଷରୁ ଆଇନଜୀବୀ ହରିଶ ସାଲଭେ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସଂଘଭୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତିନି ଜଣିଆ ଖଣ୍ଡପୀଠରେ ହାଜର ହୋଇ ଯୁକ୍ତି ଉପସ୍ଥାପନ କରିଥିଲେ । ସବୁ ପକ୍ଷର ଯୁକ୍ତି ଶୁଣିବା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଦିଲ୍ଲୀ ଅଧ୍ୟାଦେଶକୁ ଚ୍ୟାଲେଂଜ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସରକାରଙ୍କ ପକ୍ଷରୁ ଯେଉଁ ଆବେଦନ ହୋଇଛି ‘ତାହାକୁ ଆମେ ବିଚାର ପାଇଁ ଏକ ସାମ୍ବିଧାନିକ ପୀଠକୁ ପଠାଇ ଦେବୁ’ ବୋଲି ଆଜି ସୁପ୍ରିମ କୋର୍ଟ ଖଣ୍ଡପୀଠ ଜଣାଇ ଦେଇଛନ୍ତି । ସୋମବାର ଦିନ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରି ଦିଲ୍ଲୀରେ ଉଚ୍ଚସ୍ତରୀୟ ପ୍ରଶାସନିକ ନିଯୁକ୍ତି ଓ ସେବା ଉପରେ କର୍ତ୍ତୃତ୍ୱକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ଓ ନିର୍ବାଚିତତ ରାଜ୍ୟ ସରକାରଙ୍କ ମଧ୍ୟରେ ବାଦବିବାଦ ଓ ବିଶୃଙ୍ଖଳ ପରିସ୍ଥିତି ଲାଗି ରହିବାରୁ ଏଭଳି ଅଧ୍ୟାଦେଶ ଆଣିବାକୁ ସରକାର ବାଧ୍ୟ ହୋଇଛନ୍ତି ବୋଲି ସଫେଇ ଦେଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS