ସଂସଦରେ ଅଚଳାବସ୍ଥା ପାଇଁ ଦାୟି କିଏ ? ବିଜେପି ନା ବିରୋଧୀ ??


ପ୍ରସାଦ ରାଓ
ନୂଆଦିଲ୍ଲୀ/ ଜୁଲାଇ ୨୧
ମଣିପୁର ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇ ଉଭୟ ଗୃହ ସୋମବାର ଯାଏଁ ମୁଲତବୀ ରହିଛି । ମଣିପୁର ଜଳୁଛି । ତେଣୁ, ଅଗ୍ରାଧୀକାର ଭିତ୍ତିରେ ସଂସଦରେ ଏହି ପ୍ରସଙ୍ଗକୁ ନେଇ ପୂର୍ଣ୍ଣ ସମୟ ଆଲୋଚନା ହେବା ଆବଶ୍ୟକ ବୋଲି ବିରୋଧୀ ଅଟଳ ଥିବା ବେଳେ ସରକାର ଆଲାଚନା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ପ୍ରଥମେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପରେ ସ୍ୱଳ୍ପ ସମୟ ପାଇଁ ମଣିପୁର ପ୍ରସଙ୍ଗରେ ଆଲୋଚନା ହେବା ଚାହୁଁ ଥିବାରୁ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ବିରୋଧୀ ଦଳମାନେ ଆଜି ମଧ୍ୟ ସଂସଦୀୟ ନିୟମାବଳୀର ରୁଲ୍ ୨୬୭ରେ ସେମାନେ ଦେଇଥିବା ନୋଟିସ ପ୍ରକାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ହେବା ଦାବି କରୁଥିବା ବେଳେ ସରକାରୀ ଦଳ ମଣିପୁର ପ୍ରସଙ୍ଗରେ ରୁଲ୍ ୧୭୬ ଅନୁସାରେ ଆଲୋଚନା କରିବାକୁ ଚାହିଁବାରୁ ବିରୋଧୀଙ୍କ ବିରୋଧ ମଧ୍ୟରେ ଦ୍ୱିତୀୟ ଦିନ ପାଇଁ ଆଜି ସଂସଦର ଉଭୟ ଗୃହ ମୁଲତବୀ ରହିଥିଲା ।
ମଣିପୁରର ସଂଖ୍ୟାଗରିଷ୍ଠ ମୈତେଇ ସଂପ୍ରଦାୟକୁ ‘ସଂଖ୍ୟାଲଘୁ ସଂପ୍ରଦାୟ’ ମାନ୍ୟତା ଦିଆଯିବା ଦାବିରେ ରାଜ୍ୟର ମୈତେଇ ଓ ଆଦିବାସୀ ମାନ୍ୟତା ଥିବା କୁକି ସଂପ୍ରଦାୟ ମଧ୍ୟରେ ଦୁଇ ମାସରୁ ଅଧିକ ସମୟରେ ହେଲା ହିଂସାତ୍ମକ ସଂଘର୍ଷ ଚାଲିଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ମଧ୍ୟ ରାଜ୍ୟରେ ହିଂସା ଥମିବା ନାଁ ନେଉ ନାହିଁ । ଗତ ମେ’ ମାସ ୩ ତାରିଖରେ ମଣିପୁରର ଆଦିବାସୀ ସଂପ୍ରଦାୟ ପକ୍ଷରୁ ‘ଏକତା ଶୋଭାଯାତ୍ରା’ (ଟ୍ରାଇବାଲ ସଲିଡାରିଟି ମାର୍ଚ) କରାଯିବା କାରଣକୁ ନେଇ ୪ ତାରିଖ ଦିନ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ହଜାର ହଜାର ସଂଖ୍ୟାରେ ଅଣ ଆଦିବାସୀ କୁକି ସଂପ୍ରଦାୟ ଆଦିବାସୀଙ୍କ ଉପରେ ଆକ୍ରମଣ କରିଥିଲେ । ଆଦିବାସୀ ପରିବାରଗୁଡିକ ସେମାନଙ୍କ ଘର ଉପରେ ଅଣ ଆଦିବାସୀଙ୍କ ଆକ୍ରମଣରେ ଭୟଭୀତ ହୋଇ ଜଂଗଲକୁ ପଳାଇବା ବେଳେ ଅପର ଗୋଷ୍ଠୀ ଦୁଇ ଜଣ ମହିଳାଙ୍କୁ ସଂପୂର୍ଣ୍ଣ ନଗ୍ନ କରି ରାସ୍ତାରେ ଚଳାଇ ଚଲାଇ ନେବା ସହ ନିକଟସ୍ଥ ବିଲ ଭିତରକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସଂପୃକ୍ତ ମହିଳାଙ୍କ ଆଡୁ ଏନେଇ ଥାନାରେ ଏତଲା ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ମଣିପୁରରେ ହିଂସାତ୍ମକ ପରିସ୍ଥିତି ଲାଗି ରହିଥିବାରୁ ସରକାର ଇଂଟରନେଟ୍ ସେବା ବନ୍ଦ କରି ଦେଇଥିଲେ । ଫଳରେ, ମେ’ ୪ ତାରିଖ ଘଟଣାକୁ ନେଇ ସମଗ୍ର ଦେଶ ଅନ୍ଧାରରେ ଥିଲା । ରାଜ୍ୟରେ ଇଂଟରନେଟ୍ ସେବା ଚାଲୁ ହେବା ପରେ ହଜାର ହଜାର ସଂଖ୍ୟାରେ ଅଣ ଆଦିବାସୀ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ସଂପୂର୍ଣ୍ଣ ନଗ୍ନ ଅବସ୍ଥାରେ ରାସ୍ତାରେ ଚଳାଇ ଚଲାଇ ନେଉଥିବା ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ଥିବା ଦୃଶ୍ୟକୁ ଦେଖିବା ପରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଗୁରୁବାର ଦିନ ତାହାର ନିନ୍ଦା କରିବା ସହ ଏଭଳି ଘଟଣା ତାଙ୍କୁ ପୀଡା ଦେଇଥିବା କହିଛନ୍ତି । ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥା ସଂପୂର୍ଣର୍ ଭୁଶୁଡି ପଡିଥିବା ଦର୍ଶାଇ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ ଅଦାଲତ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଗତକାଲି ଚେତାବନୀ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଂସଦ ଅଧିବେଶନ ପୂର୍ବରୁ ସଂସଦ ବାହାରେ ମେ’ ୪ତାରିଖ ଘଟଣାର ଦୃଢ ନିନ୍ଦା କରିବା ସହ ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।
ଦେଶର ପ୍ରଧାନ ବିଚାରପତି ଓ ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ମଣିପୁର ସରକାର ସକ୍ରୀୟତା ଦେଖାଇଛନ୍ତି । ଘଟଣାର ୭୭ ଦିନ ପରେ ପୁଲିସ ଭାଇରାଲ ହୋଇଥିବା ଭିଡ଼ିଓରୁ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ମଣିପୁରରେ ହିଂସା ଆରମ୍ଭ ହେବା ଦିନରୁ ଏଭଳି ଶତାଧିକ ଘଟଣା ଘଟିଥିବ । ଇଂଟରନେଟ୍ ସେବା ବନ୍ଦ ଥିବାରୁ ସେସବୁ ଘଟଣା ଅନ୍ଧକାରରେ ରହିଥିବା । ସରକାର ଇଂଟରନେଟ୍ ସେବା ଚାଲୁ କରିବା ପରେ ମେ’ ୪ ତାରିଖ ଘଟିଥିବା ବର୍ବର ଘଟଣାର ଭିଡ଼ିଓ ବହୁଳ ଭାବେ ପ୍ରସାରିତ ହୋଇ ମଣିପୁରର ଆଇନ ଶୃଙ୍ଖଳା ପରିସ୍ଥିତିର ଧଜ୍ଜିଆ ଉଡାଇ ଦେଇଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ଏହାକୁ ସ୍ୱୀକାର କରିବା ସହ ମେ’ ୪ ତାରିଖରେ ଘଟିଥିବା ଘୃଣ୍ୟ ଘଟଣାରେ ସଂପୃକ୍ତ ସମସ୍ତଙ୍କୁ କ୍ୟାପିଟାଲ ପନିସମେଂଟ୍ ବା ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବାକୁ ସରକାରଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯିବ ବୋଲି ଗତକାଲି ଏକ ବୟାନରେ କହିଛନ୍ତି ।
କଂଗ୍ରେସ ସମତେ ବିଭିନ୍ନ ବିରୋଧୀ ଦଳ ଗଲା ଦୁଇ ମାସ ହେଲା ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମଣିପୁର ସରକାରଙ୍କୁ ଘେରି ଆସୁଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିବାର କୌଣସି ସୁଯୋଗ ହାତଛଡା କରୁନଥିଲେ । ମଣିପୁରକୁ ନେଇ ବିଦେଶ ମାଟିରୁ ସରକାରଙ୍କୁ ଘେରିବା ଉଦ୍ୟମ ହେବାରୁ ଏହା ଦେଶର ଅଭ୍ୟନ୍ତରୀଣ ମାମଲା, ବିଦେଶୀ ଏଥିରେ ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ ବୋଲି ଭାରତ ସରକାର ଜବାବ ଦେଉଥିଲେ । ନିକଟରେ, ଦେଶର ୨୬ଟି ଅଣ ବିଜେପି ବିରୋଧୀ ଏକାଠି ହୋଇ ଆଇଏନଡିଆଇଏ (ଇଣ୍ଡିଆ) ନାମରେ ମେଂଟ ଗଠନ କରିବା ପରେ ସରକାରଙ୍କ ଅଡୁଆ ବଢିଛି । ଏହି ବିରୋଧୀ ମେଂଟ ମଣିପୁର ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବା ଆରମ୍ଭ କରିଛି ।
ଗତକାଲି ସଂସଦର ମୌସୁମୀ ଅଧିବେଶନ ପ୍ରାରମ୍ଭ ଦିବସରେ କଂଗ୍ରେସ ସମେତ ବିରୋଧୀ ସାଂସଦମାନେ ରୁଲ୍ ୨୬୭ରେ ସରକାରଙ୍କୁ ନୋଟିସ ଦେଇ ସବୁ ବିଜିନେସ୍ (ଆଲୋଚନା ପାଇଁ ଥିବା ବ୍ୟାପାର) ପଛରେ ପକାଇ ମଣିପୁର ପ୍ରସଙ୍ଗରେ ପୂର୍ଣ୍ଣ ସମୟ ଆଲୋଚନା ପାଇଁ ଦାବି କରିଥିଲେ । ମଣିପୁର ସମେତ ବିରୋଧୀ ଦଳ ଆଡୁ ଯାହା ସବୁ ପ୍ରସଙ୍ଗ ଆସିବ ସେସବୁ ଉପରେ ଆଲୋଚନା ପାଇଁ ସରକାର ପ୍ର୍ରସ୍ତୁତ ବୋଲି ପୂର୍ବଦିନ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତ ମିଳିଥିଲା । ତେବେ, ଗତକାଲି ସଂସଦ ଅଧିବେଶନର ମୌସୁମୀ ଆରମ୍ଭ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ବାହାରେ ମଣିପୁର ପ୍ରସଙ୍ଗରେ ବୟାନ ରଖିବା ସହ ମେ’ ୪ ତାରିଖ ଘଟଣାର ନିନ୍ଦା କରିବା ଏବଂ ଏଥିରେ ସଂପୃକ୍ତ ଦୁର୍ବୁତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ବିରୋଧୀଙ୍କ ହଜମ ହୋଇନି । ପ୍ରଧାନମନ୍ତ୍ରୀ ସଂସଦରେ ଉପସ୍ଥିତ ହୋଇ ମଣିପୁର ପରିସ୍ଥିତି ଉପରେ ବୟାନ ରଖିବାକୁ ସେମାନେ ଦାବି କରିଛନ୍ତି ।
ଗୁରୁବାର ଦିନ ବିରୋଧୀ ସଂସଦ ଅଧିବେଶନର ପ୍ରଥମ ଦିବସରେ ବିରୋଧୀ ରୁଲ୍ ୨୬୭ରେ ନୋଟିସ ଦେଇ ଉଭୟ ଗୃହରେ ଅଗ୍ରାଧିକାର ଭିତ୍ତିରେ ମଣିପୁର ଉପରେ ପୂର୍ଣ୍ଣ ସମୟ ଆଲୋଚନା ଚାହିଁଥିଲେ ସୁଦ୍ଧା ପ୍ରଥମେ କାର୍ଯ୍ୟସୂଚୀ ମୁତାବକ ବିଭିନ୍ନ କାର୍ଯ୍ୟ ସଂପାଦନ ପରେ ମଣିପୁର ପ୍ରସଙ୍ଗରେ ସ୍ୱଳ୍ପ ସମୟ ଆଲୋଚନା ହେବ ବୋଲି ସରକାରୀ ଦଳ ଅଡି ରହିଥିଲେ । ଫଳରେ, ବିରୋଧୀଙ୍କ ଆଡୁ ହଟ୍ଟଗୋଳ ହୋଇ ଅପରାହ୍ନରେ ଉଭୟ ଗୃହ ମୁଲତବୀ ହୋଇଥିଲା । ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ବିରୋଧୀ ରୁଲ୍ ୨୬୭ ଅନୁଯାୟୀ ମଣିପୁର ଉପରେ ଆଲୋଚନା ହେବା ଚାହିଁଥିବା ବେଳେ ଶାସକ ବିଜେପି ରୁଲ୍ ୧୭୬ରେ ଆଲୋଚନା ପାଇଁ ରାଜି ଥିବା କହିଛି । ରୁଲ୍ ୨୬୭ରେ ଆଲୋଚନା ପାଇଁ ସରକାର ରାଜି ହେଲେ ଗୃହରେ ଉପସ୍ଥାପନ ହେବାକୁ ଥିବା ଅନ୍ୟାନ ବ୍ୟାପାରକୁ ପଛରେ ରଖି ମଣିପୁର ଉପରେ ପୂର୍ଣ୍ଣ ସମୟ ଆଲୋଚନା କରିବାକୁ ବାଧ୍ୟ ହେବ । ଆଲୋଚନା ପରେ ଭୋଟିଂ ହେବ । ରାଜ୍ୟସଭାରେ ବିଜେପିର ଆବଶ୍ୟକ ସଂଖ୍ୟା ନଥିବାରୁ ଭୋଟିଂକୁ ଏଡାଇବାକୁ ଚାହୁଁଛି । ରୁଲ୍ ୧୭୬ରେ ଆଲୋଚନା ହେଲେ ସରକାରଙ୍କୁ ଅନ୍ୟାନ୍ୟ ବ୍ୟାପାର ସହ ମଣିପୁର ପ୍ରସଙ୍ଗରେ ‘ସ୍ୱଳ୍ପ ସମୟ’ ଆଲୋଚନା କରିବାକୁ ପଡିବ ଏବଂ ଏଥିରେ ଭୋଟିଂର ବ୍ୟବସ୍ଥା ନାହିଁ । ତେଣୁ, ବିଜେପି ରୁଲ୍ ୧୭୬ରେ ଆଲୋଚନା ହେବା ଚାହୁଁଥିବା ବେଳେ ବିରୋଧୀ ରୁଲ୍ ୨୬୭ରେ ଆଲୋଚନା ପାଇଁ ଅଡି ବସିଛନ୍ତି ।
ଆଜି ସଂସଦ ଅଧିବେଶନର ଦ୍ୱିତୀୟ ଦିବସରେ ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହରେ କଂଗ୍ରେସ ଓ ବାମ ଦଳ ସାଂସଦମାନେ ମଣିପୁରରେ ‘ରକ୍ତର ବନ୍ୟା ଛୁଟିଛି’ ବୋଲି ସ୍ଲୋଗାନ ଦେଇଥିଲେ । ତେବେ, ସ୍ଲୋଗାନ ଦ୍ୱାରା କୌଣସି ସମସ୍ୟାର ସମାଧାନ ହେବନି, ଗୃହରେ ଆଲୋଚନା ମାଧ୍ୟମରେ ହିଁ ସମସ୍ୟାର ସମାଧାନ ବାଟ ବାହାରିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିରଳା ଗୃହରେ ମନ୍ତବ୍ୟ ରଖିଥିଲେ । ବିରୋଧୀ ରୁଲ୍ ୨୬୭ରେ ଆଲୋଚନା ପାଇଁ ଅନୁମତି ଚାହିଁଥିଲେ ମଧ୍ୟ ଅନୁମତି ନ ମିଳିବାରୁ ପାଟିତୁଣ୍ଡ ଜାରି ରଖିଥିଲେ । ବାଚସ୍ପତି ବାଧ୍ୟ ହୋଇ ଗୃହକୁ ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ସେହିପରି ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ ଓ’ବ୍ରେନ ଏକ ପଏଂଟ ଅଫ୍ ଅଡର ଉଠାଇ ତାହା ଉପରେ ଉତ୍ତର ଚାହିଁବାରୁ କୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ପ୍ରଥମେ ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବିରୋଧଙ୍କ ପାଟିତୁଣ୍ଡ ଯୋଗୁଁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରହିଛି ।
କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ବିରୋଧୀ ଦଳ ସାଂସଦମାନେ ରୁଲ୍ ୨୬୭ରେ ଆଲୋଚନା ଦାବି କରି ଜାଣିଶୁଣି ଆଲୋଚନା ହେବାକୁ ଦେଉ ନାହାନ୍ତି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କନିଷ୍ଠ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ଅଭିଯୋଗ କରିଛନ୍ତି । ବିରୋଧୀ ମଣିପୁର ପରି ଏକ ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି ନକରି ଆଲୋଚନାକୁ ଆସିବାକୁ ମେଘୱାଲ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଆଜି ସଂସଦରେ ଦୋହରାଇଛନ୍ତି । ଅପରପକ୍ଷରେ, ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ମଣିପୁର ପ୍ରସଙ୍ଗରେ ରୁଲ୍ ୨୬୭ରେ ପୂର୍ଣ୍ଣ ସମୟ ଆଲୋଚନା ପାଇଁ କଂଗ୍ରେସ ପ୍ରସ୍ତାବ ଦେଇଛି । ଅଧଘଂଟିଆ ଆଲୋଚନା ପାଇଁ ନୁହେଁ । ରୁଲ୍ ୨୬୭ରେ ଆଲୋଚନା ହେଲେ ସାଂସଦମାନେ ସରକାରଙ୍କୁ ଯେକୌଣସି ପ୍ରଶ୍ନ ପଚାରି ପାରିବେ । ମନ୍ତ୍ରୀମାନେ ତାହାର ଉତ୍ତର ରଖିବାକୁ ବାଧ୍ୟ ।
ମଣିପୁର ପ୍ରସଙ୍ଗକୁ ନେଇ ରୁଲ୍ ୨୬୭ ଅନୁଯାୟୀ ଆଲୋଚନା ହେବା ବିରୋଧୀ ଚାହୁଁଥିବା ବେଳେ ଶାସକ ବିଜେପି ରୁଲ୍ ୧୭୬ରେ ଆଲୋଚନା ହେବା ଚାହୁଁ ଥିବାରୁ ଦୁଇ ଦିନ ହେଲା ଅଚଳାବସ୍ଥା ସୃଷ୍ଟି ହୋଇଛି । କେହି ଜିଦ୍ ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ଗୁରୁବାରରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ଜାଣି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ବାହାରେ ମଣିପୁର ପ୍ରସଙ୍ଗରେ ବୟାନ ରଖିବା ମଧ୍ୟ ବିରୋଧୀଙ୍କୁ କ୍ଷୁବ୍ଧ କରିଛି । ପ୍ରଧାନମନ୍ତ୍ରୀ ସଂସଦକୁ ଆସି ମଣିପୁର ପରିସ୍ଥିତିକୁ ନେଇ ବୟାନ ରଖନ୍ତୁ ବୋଲି ବରିଷ୍ଠ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ଖାର୍ଗେ ଆଜି ଦାବି କରିଛନ୍ତି । ବିଜେପି କହିଛି, ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି ସାରିଛନ୍ତି । ଘଟଣାର ନିନ୍ଦା କରିବା ସହ ଦୁର୍ବୁତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନେଇ ଘୋଷଣା କରି ସାରିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଇନ ଶୃଙ୍ଖଳା ବ୍ୟାପାର ବୁଝୁଥିବାରୁ ଗୃହ ମନ୍ତ୍ରୀ ଅମିତ ଶାହା ସଂସଦରେ ଉପସ୍ଥିତ ରହି ମଣିପୁର ପରିସ୍ଥିିତି ସଂପର୍କରେ ବିସ୍ତୃତ ବୟାନ ରଖିବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ଗୃହକୁ ଆସି ମଣିପୁର ପ୍ରସଙ୍ଗରେ ବୟାନ ରଖନ୍ତୁ ଓ ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଅଡି ରହିବାର ଯଥାର୍ଥତା ନାହିଁ । ସୋମବାରରୁ ସଂସଦ ଅଧିବେଶନ ଚାଲିଲେ ମଧ୍ୟ ସ୍ଥିତି ସୁଧୁରିବା ଆଶା କ୍ଷୀଣ । ତେଣୁ, ଆଜିର ପରିସ୍ଥିତି ପାଇଁ ଆମେ ଦାୟୀ କାହାକୁ କରିବା ? ବିଜେପିକୁ ନା ବିରୋଧୀଙ୍କୁ ?? ଆଜି ଦିନରେ ଏହାହିଁ ବଡ ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS