ମଣିପୁରରୁ ଏକାଧିକ ଗଣଦୁଷ୍କର୍ମ କାହାଣୀ ସାମ୍ନାକୁ ଆସୁଛି !


ପ୍ରସାଦ ରାଓ
ନୂଆଦିଲ୍ଲୀ/ ଜୁଲାଇ ୨୨
ମଣିପୁରରେ ଇଂଟରନେଟ୍ ବାହାଲ ହେବା ପରେ ମେ’ ମାସରେ ଘଟିଥିବା ଏକାଧୀକ ମହିଳା ବିରୋଧୀ ଅପରାଧ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ମେ’ ୪ ତାରିଖ ଦିନ ରାଜଧାନୀ ଇଂଫାଲରୁ ପ୍ରାୟ ୪୦ କିମି ଦୂର କାଂଗପୋକପି ଜିଲ୍ଲାର ଗୋଟିଏ ଗ୍ରାମରେ ହଜାର ହଜାର ସଂଖ୍ୟକ ଅଣ ଆଦିବାସୀ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ରାସ୍ତାରେ ଚଳାଇ ଚଲାଇ ନେଉଥିବା ଏବଂ ସେମାନଙ୍କ ଶରୀରକୁ ଅନୈତିକ ଭାବେ ଛୁଉଁଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିନ୍ଦିତ ହୋଇଛନ୍ତି । ଜୁଲାଇ ୧୯ ତାରିଖ ଦିନ ଏହି ଦୃଶ୍ୟ ସମ୍ବଳିତ ଭିଡ଼ଓ ଭାଇରାଲ ହୋଇ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନଜରକୁ ଆସିବା ପରେ ପ୍ରଧାନ ବିଚାରପତି ତାହାକୁ କଡାକଡି ଭାବେ ନିନ୍ଦା କରିବା ସହ ମଣିପୁରରେ ଘୋର ସାମ୍ବିଧାନିକ ଉଲଂଘନ ହୋଇଛି ବୋଲି ମନ୍ତବ୍ୟ ଦେଇ ସରକାରଙ୍କ ଅଡୁଆ ବଢାଇଛନ୍ତି । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ବିବୃତି ଦେଇ ଭିଡ଼ିଓରେ ପ୍ରସାରିତ ଦୃଶ୍ୟ ଦେଶବାସୀଙ୍କ ମୁଣ୍ଡକୁ ଲଜ୍ୟାରେ ନୁଆଇଁ ଦେଇଛି ବୋଲି କହିଛନ୍ତି ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ ।
ତେବେ, ସେହିଦିନ ମଣିପୁର ରାଜଧାନୀ ଇଂଫାଲ ସହରରେ ଦୁଇ ଜଣ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରଯାଇଥିବା ଆଜି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି । ଇଂଫାଲରେ ଥିବା ଏକ କାର୍ ୱାସ୍ ସେଂଟରେରେ କାର୍ଯ୍ୟରତ ଦୁଇ ଜଣ ଯୁବତୀଙ୍କୁ ମେ’ ୪ ତାରିଖ ଅପରାହ୍ନରେ ଗଣଦୁଷ୍କର୍ମ ହୋଇଥିବା ଏବଂ ପୁଲିସ ସେମାନଙ୍କୁ ନିକଟସ୍ଥ ଏକ ସ’ମିଲ୍ ନିକଟରୁ ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭତ୍ତି କରିଥିଲେ ମଧ୍ୟ ହସ୍ପିଟାଲରେ ସେମାନଙ୍କୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ହଜାର ହଜାର ଆପରାଧିକ ଘଟଣା ପୁଲିସରେ ରିପୋର୍ଟ ହୋଇଛି । ପୁଲିସ ସେସବୁକୁ ଯାଂଚ କରୁଛନ୍ତି । ମଣିପୁର ହିଂସା ସମୟରେ ହତ୍ୟା, ମହିଳାଙ୍କ ଉପରେ ଆକ୍ରମଣ, ଗଣଦୁଷ୍କର୍ମ, ଜଳାପୋଡା, ଲୁଟତରାଜ, ଅସ୍ତ୍ରଶସ୍ତ୍ର ଲୁଟି ନେବା ଭଳି ବିଭିନ୍ନ ଆପରାଧ ଘଟିଥିବା ସଂପର୍କରେ ପୁଲିସ ନିକଟରେ ୬୦୦୦ରୁ ଅଧିକ ଏତଲା ହୋଇଛି, ଯାହା ଉପରେ କି ତଦନ୍ତ ଚାଲିଛି ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି ।
ଇଂଫାଲର କାର୍ ୱାସ୍ ସେଂଟରରେ କେୟାର ଟେକର୍ ଭାବେ କାର୍ଯ୍ୟରତ ଦୁଇ ଯୁବତୀ ମେ’ ୪ ତାରିଖ ଅପରାହ୍ନରେ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଥିବା ଖବର କାଂଗପୋକପି ଜିଲ୍ଲାରେ ବସବାସ କରୁଥିବା ସେମାନଙ୍କ ପରିବାର ଜାଣିବାକୁ ସୁଯୋଗ ପାଇ ନଥା’ନ୍ତେ । ପୁଲିସ ସ’ମିଲ୍ ନିକଟରୁ ଦୁଇ ଯୁବତୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ହସ୍ପିଟାଲକୁ ନେଉଥିବା ବେଳେ ଦୁଇ ଜଣଙ୍କ ସହ ଘନିଷ୍ଟତା ଥିବା ଜଣେ ମୈତେଇ ଯୁବତୀ ତାହା ଦେଖି ଥିଲେ ଏବଂ ପରଦିନ ହସ୍ପିଟାଲକୁ ଯାଇ ସେମାନଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ପରିବାରକୁ ସୂଚିତ କରିଥିଲେ । ପୁଲିସ କହିଛି, ସେଦିନ ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ବହୁ ସଂଖ୍ୟକ ଲୋକ ସଂପୃକ୍ତ କାର୍ ୱାସ୍ ସେଂଟର ଉପରେ ହମଲା କରିଥିଲେ ଏବଂ ସେଠାରେ କାର୍ଯ୍ୟକରତ ଥିବା ଦୁଇ ଯୁବତୀଙ୍କୁ ଗୋଟିଏ କୋଠରୀ ଭିତରକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ଦେଶ ଘଂଟା ପରେ ସେମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଖରେ ଥିବା ସ’ମିଲ୍ ନିକଟରେ ଫିଙ୍ଗି ଦିଆଯାଇଥିଲା । ଦୁଇ ଯୁବତୀଙ୍କ ପୋଷାକପତ୍ର ଚିରି ଯାଇଥିଲା ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲେ ।
ମଣିପୁରରୁ ଏଭଳି ଗୋଟିଏ ପରେ ଗୋଟିଏ ନୃଶଂସ ଘଟଣା ସାମ୍ନାକୁ ଆସୁଥିବା ବେଳେ ଛଅ ହଜାରରୁ ଅଧିକ ଆପରାଧିକ ଘଟଣା ପୁଲିସରେ ରିପୋର୍ଟ ହୋଇଛି । କାଂଗପୋକପି ଜିଲ୍ଲାରେ ଯେଉଁ ଦୁଇ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଶୋଭାଯାତ୍ରାରେ ନିଆଯାଉଥିଲା ସେମାନଙ୍କୁ ମଧ୍ୟ ପାଖ ବିଲକୁ ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମଣିପୁରର ସଂଖ୍ୟାଗରିଷ୍ଠ ଅଣ ଆଦିବାସୀ ମୈତେଇଙ୍କୁ ଆଦିବାସୀ ସଂପ୍ରଦାୟ (ଏସଟି) ମାନ୍ୟତା ଦିଆଯିବା ଦାବିରେ ଏହି ହିଂସା ଚାଲିଛି । ମଣିପୁରର ସଂଖ୍ୟାଗରିଷ୍ଠ ଅଣ ଆଦିବାସୀ ମୈତେଇ ସଂପ୍ରଦାୟଙ୍କୁ ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଅନ୍ତର୍ଭୁକ୍ତ କରିବା କଥା ରାଜ୍ୟ ସରକାର ବିଚାର କରିବାକୁ ଓ ଚାରି ସପ୍ତାହ ମଧ୍ୟରେ ତାହା କାର୍ଯ୍ୟକାରୀ କରିବାକୁ ଗତ ମାର୍ଚ୍ଚ ୨୭ ତାରିଖରେ ମଣିପୁର ହାଇକୋର୍ଟ ନିର୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦେଶରେ ମୈତେଇ ସଂପ୍ରଦାୟ ଉତ୍ସାହିତ ଥିବା ବେଳେ କୁକି ଆଦିବାସୀ ସଂପ୍ରଦାୟ ତାହାର ଶକ୍ତ ବିରୋଧ କରୁଛନ୍ତି । ଫଳରେ, ରାଜ୍ୟରେ ଜାତିଆଣ ସଂଘର୍ଷର ସୂତ୍ରପାତ ହୋଇଛି ।
ମେ’ ୪ ତାରିଖରେ ମଣିପୁରର କାଂଗପୋକପି ଜିଲ୍ଲାରେ ଦୁଇ ଜଣ ଆଦିବାସୀ ମହିଲାଙ୍କୁ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଚଲାଇ ଚଲାଇ ନିଆଯାଉଥିବାର ଭିଡ଼ିଓ ଜୁଲାଇ ୧୯ ତାରିଖରେ ଭାଇରାଲ ହେବା ପରେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏହା ଏକମାତ୍ର ଘଟଣା ନୁହେଁ, ଏଭଳି ଶହ ଶହ ଘଟଣା ଘଟି ଥିବା ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ସ୍ୱୀକାରୋକ୍ତି ରାଜ୍ୟ ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି । ପୁଲିସ ରାଜ୍ୟରେ ହିଂସାକାଣ୍ଡ ସମୟରେ ଛଅ ହଜାରରୁ ଅଧିକ ଏତଲା ହୋଇଥିବା ଓ ସେସବୁର ତଦନ୍ତ ଚାଲିଥିବା କହୁଛନ୍ତି । ମଣିପୁର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ତିନି ଦିନିଆ ମଣିପୁର ଗସ୍ତରେ ଯାଇ ସବୁ ପକ୍ଷଙ୍କ ସହ ବୈଠକ କରିଥିଲେ । ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରୁଛି ବୋଲି ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ବିବୃତି ରଖୁଥିଲେ ।
ଇଂଟରନେଟ୍ ସେବା ବନ୍ଦ ଥିବାରୁ ମଣିପୁରରେ ଚାଲି ଥିବା ହିଂସା, ଜଳାପୋଡା, ଲୁଟତରାଜ, ଗଣଦୁଷ୍କର୍ମ ଭଳି ବର୍ବର ଘଟଣା ରାଜ୍ୟ ଭିତରେ ହିଁ ଚପି ରହୁଥିଲା । ଇଂଟରନେଟ୍ ସେବା ବାହାଲ ହେବା ପରେ ପର୍ଯ୍ୟାୟକ୍ରମେ ସେସବୁ ଘଟଣା ପଦାକୁ ଆସୁଛି ଏବଂ ମଣିପୁରକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି । ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇ ପ୍ରଥମ ଦୁଇ ଦିନ କୌଣସି ଆଲୋଚନା ହୋଇନପାରି ସଂସଦର ଉଭୟ ଗୃହ ସୋମବାର ଯାଉଁ ମୁଲତବୀ ରହିଛି । ଏବେ, ସଂସଦ ବାହାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ଜୋର ଧରିଛି । ମଣିପୁରରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅତ୍ୟାଚାର କଥା ଉଠାଇ ବିରୋଧୀ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉସ୍ତଫା ଦାବି କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଦୁଷ୍କର୍ମରେ ସର୍ବାଗ୍ରେ ଥିବା ଦର୍ଶାଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ଇସ୍ତଫା ଦାବି କରିଛନ୍ତି ।
ସରକାରୀ ତଥ୍ୟକୁ ଆଧାର କରି ଠାକୁର କହିଛନ୍ତି, ବର୍ଷକରେ ଯେତେ ଦୁଷ୍କର୍ମ ଅଭିଯୋଗ ହେଉଛି ତାହାର ୨୨ ପ୍ରତିଶତ ରାଜସ୍ଥାନରେ ହିଁ ଆସୁଛି । କେଉଁ ରାଜ୍ୟରେ କାହା ସରକାର ଅଛି ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯେକୌଣସି ମହିଳା ବିରୋଧୀ ଅପରାଧକୁ ‘ଅପରାଧ’ ହିଁ କୁହାଯିବ । ପଶ୍ଚିମ ବଂଗ, ବିହାର ଓ ରାଜସ୍ଥାନରୁ ସଂପ୍ରତ୍ତି ବହୁ ସଂଖ୍ୟାରେ ମହିଳା ବିରୋଧୀ ଅପରାଧ ଅଭିଯୋଗ ଆସୁଥିବା ଦର୍ଶାଇ ବିରୋଧୀ ସେସବୁ ରାଜ୍ୟକୁ ନିଜ ପର୍ଯ୍ୟବେକ୍ଷକ ଦଳଙ୍କୁ ପଠାଇବେ କି (?) ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ମଣିପୁର ପ୍ରସଙ୍ଗରେ ସଂସଦରେ ଆଲୋଚନା ହେବା ସରକାର ଚାହୁଁଥିବା ସମୟରେ ବିରୋଧୀ ପଶ୍ଚାତଧାବନ କରୁଛନ୍ତି କାହିଁକି (?) ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଶର ସର୍ବାଧିକ ସଂଖ୍ୟକ ଦୁଷ୍କର୍ମ ଘଟଣା ରାଜସ୍ଥାନରେ ଘଟିଥିବା ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନସିଆରବି)ର ଗତ ବର୍ଷର ରିପୋର୍ଟରୁ କୁହାଯାିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲୋଟ କହିଛନ୍ତି, ଥାନାକୁ ଆସୁଥିବା ସବୁ ମାମଲାର ବାଧ୍ୟତାମୂଳକ ପଂଜୀକରଣ ପାଇଁ ସରକାରଙ୍କ ନିର୍ଦେଶ ରହିଛି । ତେବେ, ମହିଳାଙ୍କ ପ୍ରତି ନିର୍ଯ୍ୟାତନା ସଂପର୍କିତ ଯେତେ ମାଲା ପଂଜୀକୃତ ହୋଇଛି ସେଥିରୁ ୫୬ ପ୍ରତଶତି ପରବର୍ତ୍ତୀ ତଦନ୍ତରୁ ମିଥ୍ୟା ପ୍ରମାଣିତ ହୋଇଛି ।
ନାରୀ ନିର୍ଯ୍ୟାତନା ମାମଲା ସଂଖ୍ୟାକୁ ନେଇ ଏବେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଯେଉଁ ତୁ..ତୁ, ମେଁ..ମେଁ.. ଚାଲିଛି ତାହା ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଚାଲିବ । ତେବେ, ଏହି ଆକ୍ଷେପ, ପ୍ରତ୍ୟାକ୍ଷେପ ଭିତରେ ଗତ ମେ’ ମାସରେ ମଣିପୁରରେ ମହିଳାଙ୍କ ପ୍ରତି ବର୍ବରତା ଘଟଣା ଧୂମିଳ ପଡିଯିବ ନାହିଁ ତ ? ସାଧାରଣ ଜନତା ମନରେ ଏହି ପ୍ରଶ୍ନ ଉଠୁଛି । ମଣିପୁରରେ ବିଜେପି ଶାସନ ଥିବାରୁ କେନ୍ଦ୍ର ସରକାର ମେ’ ୪ ତାରିଖ ଘଟଣାର ଲମ୍ବା ବିତର୍କ ଚାହୁଁ ନାହାନ୍ତି । ସ୍ୱଳ୍ପ ସମୟ ମଧ୍ୟରେ ସଂସଦରେ ବିତର୍କ ସାରି ଦେବା ସରକାରଙ୍କ ଲକ୍ଷ୍ୟ ଥିବା ବେଳେ ବିରୋଧୀ ରୁଲ୍ ୨୬୭ରେ ଦୀର୍ଘ ଆଲୋଚନା ଚାହୁଁଛନ୍ତି । ଏହା ମାଧ୍ୟମରେ ହିଁ ସେମାନେ ସରକାରଙ୍କୁ ଘେରିବା ସୁଯୋଗ ପାଇବେ । ମଣିପୁର ହିଂସାର ୭୭ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଜୁଲାଇ ୧୯ ତାରିଖ ସଂସଦ ବାହାରେ ବିବୃତି ରଖିଥିଲେ ଓ ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବରତାର ନିନ୍ଦା କରିଥିଲେ । ବିରୋଧୀ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଉପସ୍ଥିତ ହୋଇ ବିବୃତି ରଖନ୍ତୁ । ଏହାକୁ ନେଇ ଟଣାଓଟରା ଭିତରେ ଶାସକ ବିଜେପି ମଣିପୁର ପ୍ରସଙ୍ଗକୁ ଗୌଣ କରିବା ସକାଶେ କଂଗ୍ରେସ ଶାସିତ ରାଜସ୍ଥାନ, ଛତିଶଗଡ ଏବଂ ପଶ୍ଚିମ ବଂଗର ଟିଏମସି ଆଡକୁ ମାଡି ଗଲାଣି । ମଣିପୁର ପ୍ରସଙ୍ଗରୁ ଦେଶବାସୀଙ୍କ ନଜର ହଟାଇବାକୁ ଏହାଠାରୁ ବଡ କୁଟୀଳତା କଣ ହୋଇପାରେ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS