ସରକାର ପଛଘୁଂଚା ଦେଉଛନ୍ତି କାହିଁକି ?

ପ୍ରସାଦ ରାଓ
ନୂଆଦିଲ୍ଲୀ/ ଜୁଲାଇ ୨୪
ମଣିପୁର ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ସଂସଦରେ ଅଚଳାବସ୍ଥା ଜାରି ରହିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଲୋକସଭାରେ ଉପସ୍ଥିତ ରହି ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିବା ସତ୍ତ୍ୱେ ବିରୋଧୀ ସନ୍ତୁଷ୍ଟ ନୁହନ୍ତି । ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ବାଚସ୍ପତି ଓମ୍ ବିରଳା ମଂଗଳବାର ପୂର୍ବାହ୍ନ ଯାଏଁ ଲୋକସଭା ଅଧିବେଶନକୁ ମୁଲତବୀ ରଖିଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ସଂଜୟ ସିଂହଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି । ଫଳରେ, ମଣିପୁରକୁ ନେଇ ଶାସକ ବିଜେପି ଓ ବିରୋଧୀ ଦଳଙ୍କ ମଧ୍ୟରେ ଛକାପଂଝା ଅଧିକ ଜୋରଦାର ହୋଇଛି । ସରକାରଙ୍କ ପାଖରେ ଯଦି ବାଟ ଥାଆନ୍ତା ତେବେ ‘ଆପ୍’ ସାଂସଦ ସିଂହଙ୍କୁ ଜେଲରେ ପୁରାଇ ସାରନ୍ତେଣି ବୋଲି ଆମ୍ ଆଦମୀ ପାର୍ଟି ପ୍ରତିକ୍ରିୟା ରଖିଛି ।
ମଣିପୁର ପରିସ୍ଥିତିକୁ ନେଇ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ଯେଉଁ ମୁହାଁମୁହିଁ ପରିସ୍ଥିତି ରହିଛି ତାହାର ପ୍ରମୁଖ କାରଣ ହେଉଛି ‘ଅହଂକାର’ । ଶାସକ ଓ ବିରୋଧୀ କେହି ଅହଂକାର ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ମଣିପୁର ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଗୃହର ଉପ ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବରୁ ଲୋକସଭାରେ ସ୍ପଷ୍ଟ ଘୋଷଣା କରିଥିଲେ । ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଲୋକସଭାରେ ସେଇ ଏକା କଥା ଦୋହରାଇଛନ୍ତି । ଶାସକ ଦଳ ଚାହୁଁଛି, ମଣିପୁର ପ୍ରସଙ୍ଗରେ ସଂସଦରେ ଆଲୋଚନା ହେଉ । କିନ୍ତୁ, ଲମ୍ବା ଅବଧି ନୁହେଁ, ଅନ୍ୟାନ୍ୟ ବ୍ୟାପାର ସହ ମଣିପୁର ବିଷୟରେ ଏକ ସ୍ୱଳ୍ପକାଳୀନ ଆଲୋଚନା ହେଉ । ଆଲୋଚନା ବେଳେ ବିରୋଧୀ ଯାହା ସବୁ ପ୍ରଶ୍ନ କରିବେ ସରକାର ତାହାର ଉତ୍ତର ରଖିବେ ।
ବିରୋଧୀଙ୍କ କହିବା ହେଉଛି, ମଣିପୁରରେ ଗତ ମେ’ ମାସରେ ଘଟିଥିବା ହିଂସା ଓ ବର୍ବରତାକୁ ନେଇ ଯେଭଳି ହୃଦୟବିଦାରକ ଚିତ୍ରମାନ ଆସୁଛି ତାହା ଉପରେ ସଂସଦରେ ଏକ ଦୀର୍ଘ ଆଲୋଚନା ହେଉ । ସରକାର ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀକୁ ପଛରେ ପକାଇ କେବଳ ମଣିପୁର ପ୍ରସଙ୍ଗରେ ଲମ୍ବା ଆଲୋଚନାର ଅବକାଶ ସୃଷ୍ଟି କରନ୍ତୁ । ରୁଲ୍ ୨୬୭ରେ ମଣିପୁର ଉପରେ ଆଲୋଚନା ପାଇଁ ବିରୋଧୀ ନୋଟିସ ଦେଇଥିବା ବେଳେ ସରକାର ରୁଲ୍ ୧୭୬ରେ ସ୍ୱଳ୍ପ ସମୟ ଆଲୋଚନା ପାଇଁ ରାଜି ଥିବା ବାରମ୍ବାର ଘୋଷଣା କରୁଥିବାରୁ ଅଚଳାବସ୍ଥା ଦୂର ହୋଇପାରୁନାହିଁ । ଏବେ ପ୍ରଶ୍ନ ଉଠୁଛି, ସରକାର ଭୟ କରୁଛନ୍ତି କାହିଁକି ? ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ତାରିଖ ଦିନ ସଂସଦ ବାହାରେ ସଂକ୍ଷୀପ୍ତ ବିବୃତି ରଖି ମଣିପୁରରେ ମେ’ ୪ ତାରିଖରେ ଘଟିଥିବା ଲଜ୍ୟାଜନକ ଘଟଣାର କଡା ନିନ୍ଦା କରିଛନ୍ତି ଏବଂ ଘଟଣା ସହ ସଂପୃକ୍ତ ସମସ୍ତ ଦୁର୍ବୁତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । ତେବେ, ବିରୋଧୀଙ୍କ ଦାବି ମୁତାବକ ପ୍ରଧାନମନ୍ତ୍ରୀ ସଂସଦରେ ଏହି ବୟାନ ରଖିବାରେ ଅସୁବିଧା ରହିଲା କେଉଁଠି ? ଏହା ହେଉଛି ବିରୋଧୀଙ୍କ ପ୍ରଶ୍ନ ।
ପ୍ରଧାନମନ୍ତ୍ରୀ ଗୃହକୁ ଆସି ମଣିପୁର ପରିସ୍ଥିତି ଉପରେ ବିବୃତି ରଖନ୍ତୁ ବୋଲି ବିରୋଧୀ ସାଂସଦମାନେ ଆଜି ମଧ୍ୟ ଦାବି କରିଥିଲେ । ରୁଲ୍ ୨୬୭ରେ ମଣିପୁର ପ୍ରସଙ୍ଗରେ ଗୃହରେ ଆଲୋଚନା ହେବା ଚାହିଁଥିଲେ । ଶାସକ ଦଳ ରାଜି ନଥିବାରୁ ସଂସଦରେ ଅଚଳାବସ୍ଥା ରହିଛି । ଗୃହ ମନ୍ତ୍ରୀ ଅମିତ ଶାହା ଆଜି ସଂସଦରେ ଉପସ୍ଥିତ ରହି ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଘୋଷଣା କରିଥିଲେ ଏବଂ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ସେ ଦେବେ ବୋଲି ମଧ୍ୟ କହିଥିଲେ । କିନ୍ତୁ, ପ୍ରଧାନମନ୍ତ୍ରୀ ଗୃହକୁ ଆସି ମଣିପୁର ପରିସ୍ଥିତିକୁ ନେଇ ବୟାନ ରଖନ୍ତୁ ଏବଂ ରୁଲ୍ ୨୬୭ରେ ଆଲୋଚନା ହେଉ ବୋଲି ବିରୋଧୀ ଅଡି ରହିବାରୁ ଆଜି ଗୃହ ଅଚଳ ହୋଇଥିଲା । ମଣିପୁରର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଗୃହ ମନ୍ତ୍ରଣାଳୟ ବିଷୟବସ୍ତୁ ହୋଇଥିବାରୁ ଗୃହ ମନ୍ତ୍ରୀ ଉତ୍ ତର ଦେବାକୁ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀ ଗୃହକୁ ଆସି ବୟାନ ଦିଅନ୍ତୁ ବୋଲି ବିରୋଧୀ ଅଡି ବସିବାର ଯଥାର୍ଥତା ନାହିଁ ବୋଲି ଲୋକସଭା ବାଚସ୍ପତି ଓମ୍ ବିରଳା କହିବା ପରେ ମଧ୍ୟ ବିରୋଧୀ ନ ଶୁଣିବାରୁ ସେ ମଂଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।
ତେବେ, ଆଜି ରାଜ୍ୟସଭାରେ ଚିତ୍ର ଭିନ୍ନ ଥିଲା । ମଣିପୁର ହିଂସାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ଦିଲ୍ଲୀରେ ଉଚ୍ଚ ପ୍ରଶାସନିକ ନିଯୁକ୍ତି ଓ ସେବା ଉପରେ କେନ୍ଦ୍ର ସରକାର ନିଜର କର୍ତ୍ତୃତ୍ୱ ଜାହିର କରି ଯେଉଁ ଅଧ୍ୟାଦେଶ ଆଣିଛନ୍ତି ତାହା ଉପରେ ରାଜ୍ୟରେ କ୍ଷମତା ଥିବା ଆମ୍ ଆଦମୀ ପାର୍ଟ (ଆପ୍) ନେଇ ପ୍ରଶ୍ନ ଉଠାଇ ଥିଲା । ଏହାକୁ ନେଇ ‘ଆପ୍’ ଓ ବିଜେପି ସାଂସଦଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ସମୟରେ ‘ଆପ୍’ର ରାଜ୍ୟସଭା ସାଂସଦ ସଂଜୟ ସିଂହ ଗୃହର ମଧ୍ୟଭାଗକୁ ଧସେଇ ପଶି ପ୍ରବଳ ହଟ୍ଟଗୋଳ କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ସାଂସଦ ସିଂହଙ୍କୁ ହଟ୍ଟଗୋଳ ବନ୍ଦ କରି ନିଜ ଆସକୁ ଫେରି ଯିବାକୁ ନିର୍ଦେଶ ଦେଇଥିଲେ । ସାଂସଦ ସିଂହ ଗୃହର ମଧ୍ୟଭାଗରେ ଠିଆ ରହି ସ୍ଲୋଗାନ ଦେଉଥିବା ସମୟରେ ବିରୋଧୀ ଦଳ ସାଂସଦମାନେ ଏକାଠି ହୋଇ ତାଙ୍କ ସହ ସ୍ୱର ମିଳାଇବାରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର କ୍ଷୁବ୍ଧ ହୋଇ ସାଂସଦ ସିଂହଙ୍କୁ ନିଜ ଆସନକୁ ଫେରି ଯିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ସିଂହ ତାହାକୁ ଅମାନ୍ୟ କରି ସ୍ଲୋଗାନବାଜୀ ଚଳାଇବାରୁ ଅଧ୍ୟକ୍ଷ ତାଙ୍କୁ ନିଲମ୍ବିତ କରିଛନ୍ତି ।
ସିଂହଙ୍କ ନିଲମ୍ବନ ଉପରେ ଆଲୋଚନା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ବିରୋଧ ଦଳ ଫ୍ଲୋର୍ ଲିଡରମାନଙ୍କ ଯେଉଁ ବୈଠକ ଡାକିଥିଲେ ତାହାକୁ ସେମାନେ ବର୍ଜନ କରିଥିବା ଏବଂ ‘ଆପ୍’ ପକ୍ଷରୁ ସାଂସଦ ରାଘବ ଚଢ୍ଢା ଓ ଟିଏମସି ପକ୍ଷରୁ ଶାନ୍ତନୁ ସେନ ବୈଠକରେ ଯୋଗ ଦେବାକୁ ଯାଇଥିଲେ ମଧ୍ୟ ସେମାନେ ସଂପୃକ୍ତ ରାଜନୈତିକ ଦଳର ଫ୍ଲୋର୍ ଲିଡର ନୁହନ୍ତି କହି ବୈଠକରେ ଭାଗ ନେବାକୁ ଅନୁମତି ମିଳି ନଥିଲା । ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବାକ୍ଷଣୀ ବିରୋଧୀ ସାଂସଦମାନେ ରୁଲ୍ ୨୬୭ରେ ସେମାନେ ଦେଇଥିବା ନୋଟିସ ଉପରେ ମଣିପୁର ହିଂସାକୁ ନେଇ ଆଲୋଚନା କରାଯିବା ଓ ପ୍ରଧାନମନ୍ତ୍ରୀ ଗୃହକୁ ଆସି ବୟାନ ରଖିବା ଦାବି କରିଥିଲେ । ତେବେ, ରାଜ୍ୟସଭା ଅଧ୍ୟକ୍ଷ ଧନକର ତାହାକୁ ଅଣଶୁଣା କରି ଶୂନ୍ୟକାଳର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲୁ ରଖିଲେ ।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ନିଜ ମନ୍ତ୍ରଣାଳୟ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ରଖୁଥିବା ସମୟରେ ‘ଆପ୍’ ସାଂସଦ ସଂଜୟ ସିଂହ ତାହାର ପ୍ରତିବାଦରେ ଗୃହର ମଧ୍ୟଭାଗକୁ ମାଡି ଯାଇ ହଟ୍ଟଗୋଳ କରିଥିଲେ । ଗୃହର ନେତା କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟେଲ ଏହାକୁ ଚରମ ବିଶୃଙ୍ଖଳା ଓ ଆଚରଣବିଧିର ଘୋର ଉଲଂଘନ ଦର୍ଶାଇ ସିଂହଙ୍କୁ ଗୃହରୁ ନିଲମ୍ବନ କରାଯିବାକୁ ପ୍ରସ୍ତାବ ଆଣି ଥିଲେ ଏବଂ ତାହା ବାଚନିକ ଭୋଟରେ ଗୃହୀତ ହୋଇଥିଲା । ପରେ ‘ଆପ୍’ ସାଂସଦ ସିଂହଙ୍କୁ ଗୃହରୁ ନିଲମ୍ବନ କରାଗଲା ବୋଲି ରାଜ୍ୟସଭା ଅଧ୍ୟକ୍ଷ ଘୋଷଣା କରିଥିଲେ । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ଦିନରେ ଉଭୟ ଗୃହରେ ମଣିପୁର ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ଜାରି ରହିଛି । ୨୦ ଓ ୨୧ରେ ଗୃହକୁ ଅଧାପନ୍ତୁରିଆ ମୁଲତବୀ ରଖା ଗଲା । ଆଜି (୨୪ ତାରିଖ) ପୂର୍ବାହ୍ନରେ ଅଧିବେଶନ ଆରମ୍ଭ ହେଲା ସିନା ଉଭୟ ଗୃହରେ ସେହି ଏକା ଅବସ୍ଥା ଦେଖିବାକୁ ମିିଳିଲା । ଶାସକ ଓ ବିରୋଧୀ ନିଜ ନିଜ ଅହଂକାରକୁ ଜଗିବାରେ ବ୍ୟସ୍ତ ।
ସଂସଦ ଅଚଳ ହେବା ଦ୍ୱାରା ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନାଲୋଚିତ ରହୁଛି । ଦୈନିକ ସଂସଦ ପରିଚାଳନାରେ ଯେଉଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି ତାହା ପାଣିରେ ପଡୁଛି । ମଣିପୁର ପ୍ରସଙ୍ଗ ଅତ୍ୟନ୍ତ ସ୍ପର୍ଶକାତର । ଗତ ମେ’ ମାସରୁ ଏହି ଉତ୍ତର ପୂର୍ବାଂଚଳ ରାଜ୍ୟ ଜଳୁଛି ଏବଂ ତାହାର ପ୍ରଭାବ ପଡୋଶୀ ମିଜୋରାମରେ ଦେଖିବାକୁ ମିଳାଲାଣି । ମଣିପୁରରେ ମୈତେଇ ସଂପ୍ରଦାୟ ସଂଖ୍ୟାଗରିଷ୍ଠ । ତେବେ, ମିଜୋରାମରେ ସଂଖ୍ୟାଲଘୁ । ମଣିପୁରର କୁକି ଆଦିବାସୀଙ୍କ ସହ ମିଜେରାମର ସଂଖ୍ୟାଗରିଷ୍ଠ ନାଗା ଜନଜାତିର ଅଧିକ ନିବିଡତା ଥିବା ଆଲୋଚନା ହେଉଥିବାରୁ ମଣିପୁରରେ କୁକି ଆଦିବାସୀ ମହିଳାଙ୍କ ପ୍ରତି ମେ’ ମାସରେ ହୋଇଥିବା ଶାରୀରିକ ନିର୍ଯ୍ୟାତନା ମିଜେରାମରେ ବସବାସ କରୁଥିବା ସଂଖ୍ୟାଲଘୁ ମୈତେଇଙ୍କ ମଧ୍ୟରେ ଅସୁରକ୍ଷା ଭାବ ସୃଷ୍ଟି କରିଛି । ମଣିପୁର ନିଆଁ ସମଗ୍ର ଉତ୍ତର ପୂର୍ବାଂଚଳକୁ ବ୍ୟାପିବା ପୂର୍ବରୁ ସରକାର ସମାଧାନର ରାସ୍ତା ବାହାର କରିବା ଆବଶ୍ୟକ ଥିବା ବେଳେ ରାଜନୀତିରେ ମାତିଛନ୍ତି । ବିରୋଧୀଙ୍କ ଦାବି କିଛି ଅବାସ୍ତବ ନୁହେଁ । ମଣିପୁରକୁ ନେଇ ସଂସଦରେ ଦୀର୍ଘ ଆଲୋଚନା ଓ ପ୍ରଧାନମନ୍ତ୍ରୀ ଗୃହରେ ଉପସ୍ଥିତ ରହି ଏହା ଉପରେ ବୟାନ ରଖିବା – ଏତିକି ଦାବିକୁ ସରକାର ମାନି ନେଲେ ଯଦି ଅଚଳାବସ୍ଥା ଦୂର ହେବ ସରକାର ପଛଘୁଂଚା ଦେଉଛନ୍ତି କାହିଁକି ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS