ଏନଡିଏ ବନାମ ଇଣ୍ଡିଆ : ନିର୍ବାଚନ ପୂର୍ବରୁ ସଂସଦରୁ ଲଢେଇ ଆରମ୍ଭ ହୋଇ ସାରିଛି

ପ୍ରସାଦ ରାଓ
ନୂଆଦିଲ୍ଲୀ/ ଜୁଲାଇ ୨୫
ଏକଥା ବୁଝିବାକୁ ବାକି ନାହିଁ, ୨୦୨୪ ସାଧାରଣ ନିର୍ବାଚନ ଏନଡିଏ ବନାମ ଇଣ୍ଡିଆ (ବିରୋଧୀ ମେଂଟ) ହେବାକୁ ଯାଉଛି । ଜୁଲାଇ ୧୭ରେ ଅନୁଷ୍ଠିତ ୨୬ ବିରୋଧୀ ଦଳର ବେଂଗାଲୁରୁ ବୈଠକରେ ମେଂଟର ନାମକରଣ ହୋଇଛି ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଂଟାଲ ଇନକ୍ଲୁସିଭ ଆଲାଏନ୍ସ’, ଆଇଏନଡ଼ିଆଇଏ ବା ସଂକ୍ଷୀପ୍ତରେ ‘ଇଣ୍ଡିଆ’ । ନୂତନ ନାମକରଣ ‘ଇଣ୍ଡିଆ’ ହେବା ପରେ ବିରୋଧୀ ସଂଗଠିତ ଭାବେ ବିଜେପି ଓ ତାହାର ମେଂଟ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ)କୁ ଆକ୍ରମଣ କରୁଥିବା ବେଳେ ବିଜେପି ମଧ୍ୟ ‘ଇଣ୍ଡିଆ’ ନାମକରଣକୁ ନେଇ ଆକ୍ରମଣାତ୍ମକ ଢଙ୍ଗରେ ବିରୋଧୀଙ୍କୁ ସମାଲୋଚନା ଆରମ୍ଭ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ପରିସ୍ଥିତି ଉପରେ ସଂସଦରେ ବୟାନ ରଖନ୍ତୁ ବୋଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ (ଜୁଲାଇ ୨୦) ଦିନରୁ ବିରୋଧୀ ମେଂଟ ବା ‘ଇଣ୍ଡିଆ’ ଦାବି କରିଆସୁଛି ସିନା ସେ ସଂସଦକୁ ଯାଉ ନାହାନ୍ତି । ଅପରପକ୍ଷରେ, ବିଜେପି ସଂସଦୀୟ ଦଳର ସାପ୍ତାହିକ ବୈଠକରେ ଉଦ୍ବୋଧନ ଦେଇ ବିରୋଧୀଙ୍କୁ ‘ଇଣ୍ଡିଆ’ ନାମକରଣ ନେଇ କଟୁ ସମାଲୋଚନା କରିଛନ୍ତି । ବ୍ରିଟିଶ ସରକାର ‘ଇଷ୍ଟ୍ ଇଣ୍ଡିଆ କଂପାନୀ’ ନାମରେ ଶତାଧିକ ବର୍ଷ ଧରି ଭାରତକୁ ଶାସନ କରିଥିଲେ । ଆତଙ୍କବାଦୀ ସଂଗଠନ ‘ଇଣ୍ଡିଆନ ମୁଜାହିଦ୍ଦିନ’, ‘ପପୁଲାର ଫ୍ରଂଟ୍ ଅଫ୍ ଇଣ୍ଡିଆ’ ମଧ୍ୟ ସଂଗଠନ ନାମରେ ‘ଇଣ୍ଡିଆ’ ଯୋଡିଛନ୍ତି । ବିରୋଧୀ ଦଳମାନେ ସେଥିରୁ ଅନୁପ୍ରାଣିତ ହୋଇ ମେଂଟର ନାମକରଣ ‘ଇଣ୍ଡିଆ’ ରଖିଛନ୍ତି ବୋଲି ମୋଦୀ କଟାକ୍ଷ କରିବା ସହ ସଂପୂର୍ଣ୍ଣ ଦିଗହରା ହୋଇପଡିଥିବା ବିରୋଧୀଙ୍କ ‘ଇଣ୍ଡିଆ’ ନାମରେ ଦେଶବାସୀ ଭ୍ରମିତ ନହେବାକୁ ଆହ୍ୱାନ ଦେଇଛନ୍ତି । ସଂସଦରେ ରୁଲ୍ ୨୬୭ରେ ମଣିପୁର ପରିସ୍ଥିତି ଉପରେ ଆଲୋଚନା ହେବା ଏବଂ ପ୍ରଧାନମନ୍ତ୍ରୀ ଗୃହକୁ ଆସି ଏହି ପ୍ରସଙ୍ଗରେ ନିଜରବୟାନ ରଖିବା ଦାବିରେ ବିରୋଧୀ ଆଜି ମଧ୍ୟ ସଂସଦରେ ଅଚଳାବସ୍ଥା ଜାରି ରଖିଥିବା ବେଳେ ବିଜେପି ସଂସଦୀୟ ଦଳ ବୈଠକରେ ମୋଦୀ ବିରୋଧୀ ମେଂଟର ନାମକୁ ‘ଇଣ୍ଡିଆନ୍ ମୁଜାହିଦ୍ଦିନ’ ଓ ‘ପିଏଫଆଇ’ ସହ ତୁଳନା କରିବା ଶାସକ ବିଜେପି ‘ଇଣ୍ଡିଆ’ ନାମକରଣକୁ ନେଇ କେତେ ପରିମାଣରେ ବିବ୍ରତ, ତାହା ସ୍ପଷ୍ଟ ହୋଇଯାଉଛି । ବିଜେପି ସଂସଦୀୟ ଦଳ ବୈଠକ ପରେ ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସଂପର୍କରେ ଗଣମାଧ୍ୟମକୁ ସୂଚିତ କରିଛନ୍ତି । ପ୍ରଧାନମନ୍ତ୍ରୀ କୁଆଡେ କହିଛନ୍ତି, ଏଭଳି ଦିଗହୀନ ବିରୋଧୀଙ୍କୁ ସେ କେବେ ଦେଖି ନାହାନ୍ତି । ‘ଇଣ୍ଡିଆ’ ନାମକୁ ନେଇ ବିରୋଧୀ ନିଜେ ନିଜକୁ ଢେର ପ୍ରଶଂସା କରୁଥିବା ବେଳେ ‘ଇଣ୍ଡିଆନ ମୁଜାହିଦ୍ଦିନ’ ଓ ପିଏଫଆଇ ମଧ୍ୟ ନିଜ ନାମରେ ‘ଇଣ୍ଡିଆ’ ଯୋଡିଛି । ବିରୋଧୀ ମେଂଟର ନାମ ‘ଇଣ୍ଡିଆ’ ରହିଲେ କିଛି ଫରକ ପଡିବାର ନାହିଁ । ଦେଶବାସୀ ମେଂଟର ନାମକୁ ନେଇ ଭ୍ରମିତ ହେବାର ନାହିଁ । ବିରୋଧୀ ପରାଜିତ, କ୍ଲାନ୍ତ ଏବଂ ଉପାୟଶୂନ୍ୟ ହୋଇ କେବଳ ମଦେୀଙ୍କୁ ବିରୋଧ କରିବାର ଏକମାତ୍ର ଆଜେଣ୍ଡାକୁ ନେଇ ଏକାଠି ହୋଇଛନ୍ତି । ସେମାନଙ୍କ କାର୍ଯ୍ୟକଳାପ କହୁଛି ଅଗାମୀ ଦିନରେ ମଧ୍ୟ ସେମାନେ ବିରୋଧୀ ଭୂମିକାରେ ରହିବାକୁ ଚାହୁଁଛନ୍ତି । ତେଣୁ, ୨୦୨୪ରେ ବିଜେପି ବିପୁଳ ଜନସମର୍ଥନରେ କ୍ଷମତାକୁ ଫେରିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ସଂଗେ ସଂଗେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଡୁ ‘ଟ୍ୱିଟର’ରେ କଡା ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, ‘ମୋଦୀଜୀ ଆପଣ ମେଂଟର ନାମକରଣକୁ ନେଇ ଯାହା କହିବା କଥା କୁହନ୍ତୁ, ଆମେ ହେଉଛୁ ‘ଇଣ୍ଡିଆ’ । ମଣିପୁରବାସୀଙ୍କ ଦୁଃଖ ଦୂର ପାଇଁ ଆମେ ସହାୟତାର ହାତ ବଢାଇବୁ ଏବଂ ରାଜ୍ୟର ପ୍ରତିଟି ମହିଳା ଓ ଶିଶୁ ଆଖିରୁ ଝରୁଥିବା ଲୁହକୁ ପୋଛି ରାଜ୍ୟରେ ଶାନ୍ତି ଓ ସଦ୍ଭାବ ଫେରାଇ ଆଣିବୁ । ‘ଇଣ୍ଡିଆ’ ପଛରେ ଯେଉଁ ଚିନ୍ତାଧାରା ରହିଛି ତାହାର ବାସ୍ତବ ରୂପାୟନ ଆମେ ମଣିପୁରରେ କରି ଦେଖାଇବୁ ।’ ବିରୋଧୀ ମେଂଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁରନ୍ତ ପ୍ରତିକ୍ରିୟା ଆଗାମୀ ଦିନରେ ଉଭୟ ଶାସକ ଓ ବିରୋଧୀ ମେଂଟ ପରସ୍ପରକୁ କିଭଳି ସାମ୍ନା କରିବା ଯୋଜନାରେ ଅଛନ୍ତି ତାହା ସ୍ପଷ୍ଟ କରୁଛି । ଗୁରୁବାରରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିଶେନରେ ମିଳିତ ବିରୋଧୀ ଦଳ ମେଂଟ ‘ଇଣ୍ଡିଆ’ ତାହାର ଉପସ୍ଥିତି ଜାହିର କରି ସାରିଛି । ମୋଦୀ ସରକାରଙ୍କ ଦୁଇ ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ (ପ୍ରତିରକ୍ଷା) ଓ ଅମିତ ଶାହା (ଗୃହ ମନ୍ତ୍ରଣାଳୟ) ସଂସଦରେ ଉପସ୍ଥିତ ରହି ମଣିପୁର ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଘୋଷଣା କରିବା ପରେ ମଧ୍ୟ ସଂସଦରେ ଅଚଳାବସ୍ଥା ଦୂର ହୋଇନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ପ୍ରସଙ୍ଗରେ ସଂସଦ ବାହାରେ ଗଣମାଧ୍ୟମରେ ବୟାନ ରଖୁଥିବା ବେଳେ ସଂସଦକୁ ଆସି ବୟାନ ରଖୁ ନାହାନ୍ତି କାହିଁକି ବୋଲି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ସଂସଦକୁ ଆସି ବୟାନ ରଖିବା ଯାଏଁ ସଂସଦରେ ଅଚଳାବସ୍ଥା ଜାରି ରହିବ ବୋଲି ଗତକାଲି ସ୍ପଷ୍ଟ କରିଥିବା ବେଳେ ବିଜେପି ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ବିଜେପି ଓ ବିରୋଧୀ ସଂସଦରେ ଦମ୍ ଦେଖାଉଥିବା ବେଳେ ବିରୋଧୀଙ୍କୁ ଦୁର୍ବଳ ସାବ୍ୟସ୍ତ କରିବା ପାଇଁ ବିଜେପି ସମସ୍ତ ଖଟାଉଛି । ଉଭୟ ଏନଡିଏ ଓ ଇଣ୍ଡିଆ ସଂସଦ ଅଚଳ ପାଇଁ ପରସ୍ପରକୁ ଦୋଷାରୋପ କରୁଛନ୍ତି ସିନା ସମାଧାନ ଚାହୁଁ ନାହାନ୍ତି । ଇତିମଧ୍ୟରେ, ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀ ମେଂଟ ଯୋଜନା କରିଥିବା ଏବଂ ମଂଗଳବାର ସକାଳେ ବିରୋଧୀ ମେଂଟ ବୈଠକରେ ଏନେଇ ଆଲୋଚନା ହୋଇଥିବା ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି । ସରକାର ସଂସଦରେ ରୁଲ୍ ୨୬୭ରେ ମଣିପୁର ପରିସ୍ଥିତିକୁ ନେଇ ଆଲୋଚନା କରାଯିବା ଓ ପ୍ରଧାନମନ୍ତ୍ରୀ ସଂସଦକୁ ଆସି ଏହି ପ୍ରସଙ୍ଗରେ ବୟାନ ରଖିବା ଦାବିକୁ ଏଡାଇ ଯାଉଥିବାରୁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଲେ ହିଁ ଉଭୟ ଆଲୋଚନା ଓ ପ୍ରଧାନମନ୍ତ୍ରୀ ସଂସଦକୁ ବୟାନ ରଖିବା ସମ୍ଭବ ହେବ ବୋଲି ବିରୋଧୀ ବିଚାର କରୁଛନ୍ତି । ଗତକାଲି ରାତିରୁ କିଛି ବିରୋଧୀ ସାଂସଦ ପାର୍ଲାମେଂଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ଧାରଣାରେ ବସିଛନ୍ତି । ଆଜି ମଧ୍ୟ ମଣିପୁର ପ୍ରସଙ୍ଗକୁ ନେଇ ଲୋକସଭା ଓ ରାଜ୍ୟସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ଯୋଜନାରେ ଥିବା ବେଳେ ଶାସକ ଦଳ ବିରୋଧୀଙ୍କ ବିରୋଧକୁ ଅଣଦେଖା କରି ସଂସଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ କରାଇ ନେବା ଯୋଜନାରେ ଥିବା ସୂଚନା ମିଳିଛି । ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଚାଲିଥିବା ରାଜନୈତିକ ଛକାପଂଝା ଭିତରେ ମଣିପୁରବାସୀ ଦୁଇ ମାସରୁ ଅଧିକ ସମୟ ହେଲା ଭୋଗୁଥିବା ଦୁର୍ଦ୍ଦଶା ଧୋଇ ଯାଉଥିବା ଚିନ୍ତାର କାରଣ ହୋଇଛି । ନିର୍ବାଚନ ଆସିବ ଓ ଯିବ । କିନ୍ତୁ, କେବଳ ନିର୍ବାଚନ ଜିତିବା ଉଦ୍ଦେଶ୍ୟରେ ମାନବୀୟ ସଂକଟକୁ ଗୌଣ କରାଯାଇ ରାଜନୀତି କରାଯିବା ଭାରତୀୟ ଗଣତନ୍ତ୍ରରେ ଏକ କଳଂକିତ ଅଧ୍ୟାୟ ହୋଇ ରହିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି । ସରକାର ବା ବିରୋଧୀ ଯାହା କୁହନ୍ତୁ ନା କାହିଁକି ଦେଶର ମତଦାତା ହିଁ ୨୦୨୪ରେ କିଏ ସରକାର କରିବାକୁ ଉପଯୁକ୍ତ ତାହା ନିର୍ଣ୍ଣୟ କରିବେ । ମଣିପୁର ସଂକଟକୁ ଉପରେ ସମଗ୍ର ଦେଶର ନଜର ରହିଛି । ତେଣୁ, ଉଭୟ ଶାସକ ଓ ବିରୋଧୀ ଅଧିକ ସଚେତନତା ଦେଖାଇ କାର୍ଯ୍ୟ କରିବେ ବୋଲି ବର୍ତ୍ତମାନ ଅନ୍ତତଃ ଆଶା କରିବା ଅନୁଚିତ ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS