ଅନାସ୍ଥା ପ୍ରସ୍ତାବରେ ଘାଇଲା ହେବ କିଏ ? ବିଜେପି ନା ବିରୋଧୀ ??

ପ୍ରସାଦ ରାଓ
ନୂଆଦିଲ୍ଲୀ/ ଜୁଲାଇ ୨୬
କେନ୍ଦ୍ର ସରକାର ମଣିପୁର ପରିସ୍ଥିତିକୁ ନେଇ ସଂସଦରେ ସୁଦୀର୍ଘ ତଥା ବିସ୍ତୃତ ଆଲୋଚନା ପାଇଁ ରାଜି ନଥିବାରୁ ବିରୋଧୀ ସମ୍ବିଧାନର ୭୫ ଅନୁଚ୍ଛେଦ ଅନୁଯାୟୀ ଲୋକସଭାରେ ଆଜି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଲୋକସଭା ବାଚସ୍ପତି ଆସିଥିବା ଦୁଇଟି ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି ଆଲୋଚନାର ଦିନ ଧାର୍ଯ୍ୟ କରିବେ ବୋଲି ସୂଚନା ଦେଇଥିବାରୁ ଅନାସ୍ଥା ଭୋଟ ନିଶ୍ଚିତ ହୋଇଯାଇଛି । ସମ୍ବିଧାନର ଅନୁଚ୍ଛେଦ ୭୫ ଅନୁଯାୟୀ କେବଳ ବିରୋଧୀ ଦଳ ହିଁ ଯେକୌଣସି ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ କରିବାକୁ ଅନାସ୍ଥା ପ୍ରସ୍ତାବ ଆଣିବା ବ୍ୟବସ୍ଥା ରହିଛି । ଲୋକସଭାର ରୁଲ୍ ୧୯୮ (୧) ଓ ୧୯୮ (୫) ଅନୁସାରେ ବିରୋଧୀ ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଲେ ଏବଂ ତାହା ଆଲୋଚନା ପାଇଁ ବାଚସ୍ପତି ଗ୍ରହଣ କଲେ ସରକାର ତାହାକୁ ଟାଳିବା ସମ୍ଭବ ନୁହେଁ । ତେଣୁ, ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିବାକୁ ସର୍ବଦା ଏହି ଅସ୍ତ୍ର ବ୍ୟବହାର କରିଆସିଛନ୍ତି ।
ନିୟମ ଅନୁଯାୟୀ, ବିରୋଧୀ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହିଁଲେ ପ୍ରଥମେ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ସକାଳ ୧୦ଟା ସୁଦ୍ଧା ଲିଖିତ ଭାବେ ଜଣାଇବା ଆବଶ୍ୟକ । ଅନାସ୍ଥା ପ୍ରସ୍ତାବ ନୋଟିସରେ ଅନ୍ୟୁନ ୫୦ ଜଣ ସାଂସଦଙ୍କ ସମର୍ଥନ ଥିବାକୁ ପଡିବ । ପ୍ରସ୍ତାବ ଅନୁମୋଦିତ ହେଲେ ରାଷ୍ଟ୍ରପତି ଏହା ଉପରେ ଆଲୋଚନା ପାଇଁ ଗୋଟିଏ ବା ଏକାଧିକ ଦିନ ସମୟ ଧାର୍ଯ୍ୟ କରିପାରନ୍ତି । ରାଷ୍ଟ୍ରପତି ଚାହିଁଲେ ଲୋକସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସରକାରଙ୍କୁ କହି ପାରନ୍ତି । ସଂସଦରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହେଲେ ସରକାରଙ୍କୁ ଇସ୍ତଫା ଦେବାକୁ ପଡିବ କିମ୍ବା ରାଷ୍ଟ୍ରପତି ସରକାରଙ୍କୁ ବରଖାସ୍ତ କରି ପାରିବେ । ତେଣୁ, ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କ ପାଇଁ ସର୍ବଦା ଅମୋଘ ଅସ୍ତ୍ର ହୋଇଛି । ବିଭିନ୍ନ ସମୟରେ ସରକାରଙ୍କୁ ଉତ୍ତରଦାୟୀ କରିବା ସକାଶେ ବିରୋଧୀ ଏହି ଅସ୍ତ୍ର ବ୍ୟବହାର କରିଛନ୍ତି । କେତେବେଳେ ସଫଳ ହୋଇଛନ୍ତି ତ କେତେବେଳେ ବିଫଳ ।
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ନେତା ବିଭନ୍ନ ସମୟରେ ଆନାସ୍ଥା ପ୍ରସ୍ତାବର ସାମ୍ନ କରିଛନ୍ତି । ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସି ଥିଲା । ତେବେ, ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ସେ ବିରୋଧୀଙ୍କ ପ୍ରସ୍ତାବକୁ ବିଫଳ କରିବାରେ ସକ୍ଷମ ହୋଇଥିଲେ । ୨୦୨୩ରେ ବିରୋଧୀ ତାଙ୍କ ବିରୋଧରେ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଆଣି ପାରନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ରେ ସଂସଦରେ ରଖି ଥିବା ବକ୍ତବ୍ୟ ଏବେ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେଉଛି । ମୋଦୀଙ୍କ ଭଳି ଅନାସ୍ଥା ଭୋଟର ସାମ୍ନା କରିଥିବା ଅନେକ ନେତା ଆବଶ୍ୟକ ସଂଖ୍ୟା ଥିବାରୁ ବିରୋଧୀଙ୍କୁ ଅସ୍ତ୍ରକୁ କାଟି ଦେଇଥିବା ବେଳେ କିଛି ନେତା ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିନପାରି କ୍ଷମତାଚ୍ୟୁତ ହୋଇଥିବାର ମଧ୍ୟ ନଜିର ରହିଛି । ପରାଜିତ ନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ, ଚୌଧୁରୀ ଚରଣ ସିଂହ, ବିଶ୍ୱନାଥ ପ୍ରତାପ ସିଂହ ପ୍ରମୁଖ ରହିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଅନାସ୍ଥା ଭୋଟର ସମ୍ମୁଖୀନ ହୋଇ କ୍ଷମତାଚ୍ୟୁତ ହୋଇଥିଲେ । ତେବେ, ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ପାଂଚ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂରଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାର ବିରୋଧୀ ୨୦୧୮ରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣି ଥିଲେ ତାହା ୧୯୯ ଭୋଟରେ କାଟ୍ ଖାଇବା ପରେ ପୁନର୍ବାର ୨୦୨୩ରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ତେବେ, ଏଥର ମଧ୍ୟ ବିରୋଧୀ ସଫଳ ହେଉନଥିବା ନିଶ୍ଚିତ । କାରଣ, ଲୋକସଭାରେ ବିଜେପିର ୩୦୩ ସାଂସଦ ଥିବା ବେଳେ ଏନଡ଼ିଏର ୩୩୧ ସାଂସଦ ଅଛନ୍ତି । ଅନାସ୍ଥା ଭୋଟ ଜିତିବାକୁ ହେଲେ ସରକାରଙ୍କୁ ୨୭୨ ଭୋଟର ଆବଶ୍ୟକତା ରହିଛି । ଏନଡିଏ ଓ ବିରୋଧୀ ମେଂଟ ବାହାରୁ ତେଲେଂଗାନାର ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ପକ୍ଷରୁ ମଧ୍ୟ ଅଜି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅସିଛି । ଦୁଇଟି ଯାକ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସୂୂଚନା ମିଳିଛି ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡ଼ି) ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆରସିପି ସର୍ବଦା ମୋଦୀ ସରକାରଙ୍କ ରକ୍ଷାକବଚ ହୋଇଛନ୍ତି । ତେଣୁ, ଏହି ଦୁଇ ଦଳ ବିରୋଧୀ ମେଂଟର ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବାର କୌଣସି ସମ୍ଭାବନା ନାହିଁ । ଲୋକସଭାରେ ବିଜେଡ଼ି, ବିଆରଏସ ଓ ୱାଇଏସଆରସିପିର ମିଳିତ ସାଂସଦ ସଂଖ୍ୟା ହେଉଛି ୭୦ । ବିଜେଡ଼ି ଓ ୱାଇଏସଆରସିପି ଶାସକ ଏନଡିଏକୁ ସମର୍ଥନ ଦିଅନ୍ତୁ ବା ନ ଦିଅନ୍ତୁ ବିରୋଧୀ ମେଂଟ ଜିତିବା ଆଶା ନାହିଁ । ବିରୋଧୀ ମେଂଟ ଏହି ବାସ୍ତବତା ସଂପର୍କରେ ସଂପୂର୍ଣ୍ଣ ଅବଗତ । ତଥାପି, ୨୦୨୪ ନିର୍ବାଚନ ପୂର୍ବରୁ ମଣିପୁର ପ୍ରସଙ୍ଗରେ ଲୋକସଭାରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆଗ୍ରହୀ । ବିରୋଧୀ ସରକାରଙ୍କୁ ଘେରିବା କାରଣ ହେଉଛି, ଉତ୍ତର ପୂର୍ବାଂଚଳ ରାଜ୍ୟ ମଣିପୁରରେ ଅଢେଇ ମାସ ହେଲା ହିଂସାତ୍ମକ ବାତାବରଣ ରହିଥିବା ବେଳେ ସେଠାକାର ସରକାର ସଂସଦରେ ଏକ ପୂର୍ଣ୍ଣାଙ୍ଗ ଆଲୋଚନା ପାଇଁ ରାଜି ନୁହନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରର ସାଂପ୍ରତିକ ପରିସ୍ଥିତିକୁ ନେଇ ସଂସଦରେ ବୟାନ ରଖନ୍ତୁ ବୋଲି ଦାବିକୁ ମଧ୍ୟ ଏଡାଇ ଦିଆଯାଉଛି ।
ମଣିପୁର ହିଂସାର ୭୭ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗରେ ନିରବ ଥିଲେ । ସଂଖ୍ୟାଗରିଷ୍ଠ ଅଣ ଆଦିବାସୀ ମୈତେଇ ସଂପ୍ରଦାୟର ଲୋକମାନେ ଗତ ମେ’ ୪ ତାରିଖରେ ଦୁଇ ଜଣ କୁକି ଆଦିବାସୀ ମହିଳାଙ୍କୁ ସଂପୂର୍ଣ୍ଣ ନଗ୍ନ କରି ରାସ୍ତାରେ ଚଳାଇ ଚଲାଇ ନେବା ଓ ପରେ ଦୁଇ ମହିଳାଙ୍କୁ ବଳକ୍ରାର ହୋଇଥିବା ଅଭିଯୋଗ ଜୁଲାଇ ୧୯ରେ ସାମ୍ନାକୁ ଆସିଥିଲା । ସଂପୃକ୍ତ ଦୁଇ ମହିଳାଙ୍କୁ ରାସ୍ତାରେ ଚଲାଇ ଚଲାଇ ନିଆଯାଉଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେବା ପରେ ପ୍ରଥମେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଗଭୀର ପୀଡା ବ୍ୟକ୍ତ କରିଥିଲେ । ଦଂଗାକାରୀଙ୍କ ବିରୋଧରେ ସରକାର ତୁରନ୍ତ କିଛି କରନ୍ତୁ, ନହେଲେ ସୁପ୍ରିମ କୋର୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହେବେ ବୋଲି ପ୍ରଧାନ ବିଚାରପତିଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ମଣିପୁର ପ୍ରସଙ୍ଗରେ ସେହିଦିନ ଗଣମାଧ୍ୟମରେ ବିବୃତି ଦେଇ ମୁହଁ ପ୍ରସାରିତ ଭିଡ଼ିଓ ହୃଦୟବିଦାରକ ଓ ଲଜ୍ୟାଜନକ କହିଥିଲେ । ଦୁର୍ବୁତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।
ମଣିପୁର ପୁଲିସ ମଧ୍ୟ ଅଚାନକ ସଚେତନ ହୋଇ ଘଟଣା ଘଟିବାର ୭୭ ଦିନ ପରେ ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୁତ୍ତଙ୍କୁ ଚିହ୍ନଟ କରି ଛଅ ଜଣଙ୍କୁ ଗିରଫ କରିଛନ୍ତି । ଗତ ଅଢେଇ ମାସ ଧରି ଚାଲିଥିବା ମଣିପୁର ଜାତିଗତ ହିଂସାରେ ଅନ୍ୟୁନ ୧୨୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ହଜାର ହଜାର ପରିବାର ଗୃହଶୂନ୍ୟ ହୋଇ ଅସ୍ଥାୟୀ ଶିବିରରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ମଣିପୁର ଜନତା ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହଙ୍କ ଇସ୍ତଫା ଦାବି କରୁଥିବା ବେଳେ ବିଜେପି ନିରବ । ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଚାଲିଛି । ମଣିପୁରବାସୀଙ୍କ ଦୁର୍ଦ୍ଦଶାକୁ ନେଇ ସଂସଦରେ ଏକ ପୂର୍ଣ୍ଣାଙ୍ଗ ଆଲୋଚନା ହେବା ଏବଂ ପ୍ରଧାନମନ୍ତ୍ରୀ ସଂସଦରେ ଉପସ୍ଥିତ ରହି ବୟାନ ରଖିବା ବିରୋଧୀଙ୍କ ଦାବି ଥିବା ବେଳେ ସରକାର ପୂର୍ଣ୍ଣାଂଗ ଆଲୋଚନା ପ୍ରସ୍ତାବକୁ ଏଡାଇ ସ୍ୱଳ୍ପ ସମୟ ଆଲୋଚନା ପାଇଁ କହୁଛନ୍ତି । ଯାହାକି ବିରୋଧୀଙ୍କ ପାଇଁ ଗ୍ରହଣୀୟ ହେଉ ନାହିଁ ।
ସରକାରଙ୍କୁ ପୂର୍ଣ୍ଣାଙ୍ଗ ଆଲୋଚନା ପାଇଁ ବାଧ୍ୟ କରିବାକୁ ବିରୋଧୀ ମେଂଟ ଆଜି ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ବିଆରଏସ୍ ପକ୍ଷରୁ ମଧ୍ୟରୁ ଅଲଗା ପ୍ରସ୍ତାବ ଅଣା ଯାଇଛି । ଦୁଇଟି ଯାକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହେବାକୁ ଥିବା ସମୟରେ ବିଜେପି ପଶ୍ଚିମ ବଂଗ ପଂଚାୟତ ନିର୍ବାଚନରେ ହୋଇଥିବା ହିଂସାକୁ ଇସ୍ୟୁ କରି ଜନସାଧାରଣଙ୍କ ଦଅଷ୍ଟି ମଣିପୁରରୁ ହଟାଇବାକୁ ପ୍ରୟାସ କରୁଛି । ଆଜି ଲୋକସଭାରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ପଶ୍ଚିମ ବଂଗ ହିଂସାକୁ ନେଇ ଦଳର ‘ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍’ର ରିପୋର୍ଟ ଗଣମାଧ୍ୟମରେ ଉପସ୍ଥାପନ କରିଛନ୍ତି । ଏଥରୁ, ବିଜେପିର ଅଗାମୀ ରଣନୀତି ସ୍ପଷ୍ଟ ହେଉଛି । ଏପଟେ ମଣିପୁର ଜଳୁଛି । ବିଜେପି ରାଜସ୍ଥାନ, ବିହାର ଓ ପଶ୍ଚିମ ବଂଗ କଥା ଉଠାଇ ବିରୋଧୀଙ୍କୁ ଘେରୁଛି । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ମଧ୍ୟ ଶାସକ ଦଳ ରାଜସ୍ଥାନ, ପଶ୍ଚିମ ବଂଗ, ବିହାର କଥା ଉଠାଇ ବିରୋଧୀଙ୍କୁ ଘେରିବ । ବିରୋଧୀ ମେଂଟ କିଭଳି ଭାବେ ତାହାର ମୁକାବିଲା କରିବେ ତାହା ଉପରେ ଆଗାମୀ ଦିନର ରାଜନୀତି ନିର୍ଭର କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS