ମଣିପୁର ହିଂସାର ତଦନ୍ତ କରିବ ସିବିଆଇ, ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

ପ୍ରସାଦ ରାଓ
ନୂଆଦିଲ୍ଲୀ/ ଜୁଲାଇ ୨୮
ଜାତିଆଣ ବିବାଦକୁ ନେଇ ମଣିପୁରରେ ମେ’ ମାସରୁ ଯେଉଁ ହିଂସା ଚାଲିଛି ସିବିଆଇ ତାହାର ତଦନ୍ତ କରିବ । ମଣିପୁର ସରକାର ଜୁଲାଇ ୨୬ରେ ଏନେଇ ସିବିଆଇକୁ ସୁପାରିଶ କରିଥିବା ବେଳେ କେନ୍ଦ୍ର ସରକାର ୨୭ ତାରିଖ ସିବିଆଇକୁ ଏକାଭଳି ସୁପାରିଶ କରିଛନ୍ତି । ମୈତେଇ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ଦିଆଯିବା ଦାବିରେ ମେ’ ମାସ ପ୍ରାରମ୍ଭରୁ ମଣିପୁରରେ ସଂଖ୍ୟାଗରିଷ୍ଠ ମୈତେଇ ଓ ସଂଖ୍ୟାଲଘୁ ଆଦିବାସୀ କୁକି ସଂପ୍ରଦାୟ ମଧ୍ୟରେ ଜାତିଆଣ ସଂଘର୍ଷ ଚାଲିଛି । ସଂଘର୍ଷ ସମୟରେ ରାଜ୍ୟରେ ୧୫୦ରୁ ଅଧଇକ ହତ୍ୟା ଘଟଣା ସହ ବ୍ୟାପକ ଜଳାପୋଡା ଓ କୁକି ସଂପ୍ରଦାୟ ମହିଳାଙ୍କୁ ଗଣଦୁଷ୍କର୍ମ ଭଳି ଘଟଣାମାନ ଘଟିଥିବା ଅଭିଯୋଗ ହୋଇଛି । କେନ୍ଦ୍ର ସରକାର ଏସବୁ ଘଟଣାକୁ ହାଲକା ଭାବେ ନେଉ ନାହାନ୍ତି, ଅତ୍ୟନ୍ତ ଗୁରୁତ୍ୱର ସହ କାର୍ଯ୍ୟାନୁଷ୍ଠାନ କରୁଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲା ଆଜି ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ମଣିପୁର ଗଣଦୁଷ୍କର୍ମ ଘଟଣା ସହ ଜାତିଆଣ ସଂଘର୍ଷ ସମୟରେ ଘଟିଥିବା ସମସ୍ତ ହିଂସାତ୍ମକ ଘଟଣାର ବିଚାରଣା ରାଜ୍ୟ ବାହାରେ ଅଦାଲତରେ କରାଯିବାକୁ ସୁପ୍ରିମ କୋର୍ଟ ଅନୁମୋଦନ କରିବାକୁ ଗୃହ ସଚିବ ସୁପ୍ରିମ କୋର୍ଟରେ ନିବେଦନ କରିବା ସହ ଛଅ ମାସ ମଧ୍ୟରେ ସମସ୍ତ ବିଚାରଣା କାର୍ଯ୍ୟ ସମାପନ କରିବା ସକାଶେ ନିର୍ଦେଶ ଦେବାକୁ ମଧ୍ୟ ନିବେଦନ କରିଛନ୍ତି । କେନ୍ଦ୍ର ଗୃହ ସଚିବଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି, ମଣିପୁରରେ ମହିଳାଙ୍କ ପ୍ରତି ଯେଭଳି ବର୍ବର ଆଚରଣ ପ୍ରଦର୍ଶନ କରାଯାଇଥିବା ଅଭିଯୋଗମାନ ହୋଇଛି ସେସବୁକୁ ସରକାର ଅତି ଗୁରୁତର ଭାବେ ବିଚାରକୁ ନେଇଛନ୍ତି । ପୀଡିତଙ୍କୁ ନ୍ୟାୟ ମିଳିବା ସରକାର ଚାହୁଁଛନ୍ତି । ଅଦାଲତର ରାୟ କେବଳ ମଣିପୁର ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଦୃଷ୍ଟାନ୍ତମୂଳକ ହେବ । ଦେଶର ଅନ୍ୟତ୍ର ମହିଳା ପ୍ରତି ଘଟୁଥିବା ହିଂସା ଓ ବର୍ବରତା ଉପରେ ତାହା ଗଭୀର ପ୍ରଭାବ ପକାଇବ । ତେଣୁ, ସରକାର ମଣିପୁର ହିଂସାର ତଦନ୍ତ ସିବିଆଇକୁ ନ୍ୟସ୍ତ କରିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର ଗୃହ ସଚିବ ଭାଲ୍ଲା ସତ୍ୟପାଠରେ କହିଛନ୍ତି । ସତ୍ୟପାଠରେ କେନ୍ଦ୍ର ସରକାରଙ୍କ ଏଯାବତ୍ ମଣିପୁରରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନର ତାଲିକା ଦାଖଲ କରାଯାଇଛି । ମେ’ ୪ ତାରିଖ ଦିନ ଦୁଇ ଜଣ କୁକି ଆଦିବାସୀ ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ହେବା ସହ ସଂପୂର୍ଣ୍ଣ ନଗ୍ନ ଅବସ୍ଥାରେ ସେମାନଙ୍କୁ ରାସ୍ତାରେ ଚଳାଇ ଚଲାଇ ନିଆଯିବା ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ସୋମବାର ଦିନ ଥଉବାଲ ଜିଲ୍ଲାରୁ ସପ୍ତମ ଅପରାଧୀ ଗିରଫ ହୋଇଥିବା କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି । ସୁପ୍ରମି କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ମଣିପୁର ହିଂସା ଉପରେ ଶୁଣାଣୀ କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ ଏବଂ କେନ୍ଦ୍ର ସରକାର କି କାର୍ଯ୍ୟାନୁଷ୍ଠାନ କରିଛନ୍ତି ସତ୍ୟପାଠ ମାଧ୍ୟମରେ ଅଦାଲତଙ୍କୁ ଜଣାଇବାକୁ ନିର୍ଦେଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ଆଜି ସତ୍ୟପାଠ ଦାଖଲ ହୋଇଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅନୁପସ୍ଥିତ ଯୋଗୁଁ ଆଜି ମାମଲାର ଶୁଣାଣୀ ହୋଇପାରିନାହିଁ । ଏଠାରେ ସୂଚନାଯୋଗ୍ୟ, ମଣିପୁରରେ ଦୁଇ ଜଣ କୁକି ଆଦିବାସୀ ମହିଳାଙ୍କୁ ମେ’ ୪ ତାରିଖ ଦିନ ଅପରଗୋଷ୍ଠୀର ସମର୍ଥକମାନେ ଗଣଦୁଷ୍କର୍ମ କରିବା ସହ ସଂପୂର୍ଣ୍ଣ ନଗ୍ନ ଅବସ୍ଥାରେ ରାସ୍ତାରେ ଚଳାଇ ଚଲାଇ ନେଉଥିବା ଦୃଶ୍ୟର ଭିଡ଼ିଓ ଜୁଲାଇ ୧୯ ତାରିଖରେ ବହୁଳ ଭାବେ ପ୍ରସାରିତ ହୋଇଥିଲା । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଏହି ଭିଡ଼ିଓରେ ଥିବା ଦୃଶ୍ୟ ଦେଖିବା ପରେ ତାହା ବିଚଳିତ କଲା ଭଳି ଓ ଅତ୍ୟନ୍ତ ପୀଡାଦାୟକ ବୋଲି ମନ୍ତବ୍ୟ ଦେଇଥିଲେ । ସରକାର ମଣିପୁରକୁ ନେଇ କିଛି କାର୍ଯ୍ୟାନୁଷ୍ଠାନ କରନ୍ତୁ, ନଚେତ ଅଦାଲତ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହେବ ବୋଲି ସେ ଚେତାବନୀ ଦେଇଥିଲେ । ସୁପ୍ରିମ କୋର୍ଟ ମଣିପୁର ହିଂସା ସଂପର୍କିତ ଭିଡ଼ିଓ ଆଧାରରେ ସ୍ୱତଃ ନିଜ ଆଡୁ ମମଲା କରି ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ । ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ୧୯ ତାରିଖରେ ଭାଇରାଲ ହୋଇଥିବା ଏହି ଭିଡ଼ିଓ ସରକାରଙ୍କ ଅଡୁଆ ବଢାଇ ଥିଲା । ୧୯ ତାରିଖ ଦିନ ହିଁ ପ୍ରଧାନମନ୍ତ୍ରୀ ଗୃହ ବାହାରେ ବିବୃତି ଦେଇ ଭିଡ଼ିଓରେ ଥିବା ଦୃଶ୍ୟ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଯାହା ଘଟିଛି ତାହା ଦେଶବାସୀଙ୍କ ମୁଣ୍ଡକୁ ଲଜ୍ୟାରେ ନୁଆଁଇ ଦେଉଛି ବୋଲି କହିଥିଲେ । ଏଥିରେ ସଂପୃକ୍ତ କାହାରିକୁ ଛଡାଯିବ ନାହିଁ, କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଥିଲେ । ଭିଡ଼ିଓ ପ୍ରସାରଣ ପରେ ୨୦ ତାରିଖରୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଅଚଳାବସ୍ଥା ସୃଷ୍ଟି କରିଛନ୍ତି । ମଣିପୁର ପରିସ୍ଥିତି ଉପରେ ସଂସଦରେ ଦୀର୍ଘ ଓ ବିସ୍ତୃତ ଆଲୋଚନା ସେମାନେ ଦାବି କରିବା ସହ ପ୍ରଧାନମନ୍ତ୍ରୀ ଗୃହକୁ ଆସି ବିବୃତି ରଖନ୍ତୁ ବୋଲି ଅଡି ବସିଛନ୍ତି । ତେବେ, କେନ୍ଦ୍ର ସରକାର ମଣିପୁର ଉପରେ ସୀମିତ ସମୟ ଆଲୋଚନା ଚାହୁଁଛନ୍ତି । ଉଭୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଲୋଚନା ପାଇଁ ବିରୋଧୀଙ୍କୁ ପ୍ରବର୍ତ୍ତାଇବା ସତ୍ତ୍ୱେ ସେମାନେ ନିଜ ଜିଦ୍ ରେ ଅଟଳ ଥିବାରୁ ସଂସଦ ଏକପ୍ରକାର ଅଚଳ ରହିଛି । ବୁଧବାର ବିରୋଧୀଙ୍କ ପକ୍ଷରୁ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣା ଯାଇଛି । ଗତକାଲି ମଧ୍ୟ ବିରୋଧୀ ମେଂଟ (ଇଣ୍ଡିଆ)ର ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦରେ ପ୍ରତିବାଦ ଜଣାଇ ଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସଂସଦକୁ ଟାଣିବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବା ବ୍ୟତୀତ ଅନ୍ୟ ବାଟ ନଥିଲା ବୋଲି ବିରୋଧୀ ମେଂଟର ନେତୃତ୍ୱ ନେଉଥିବା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି । ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିବା ସହ ସବୁ ଦଳର ନେତାଙ୍କ ସହ ଆଲୋଚନା ପରେ ତାରିଖ ଧାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୋମବାର ଦିନ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ତାରିଖ ଘୋଷଣା ହୋଇପାରେ ବୋଲି ସୂଚନା ମିଳୁଛି । ଇତିମଧ୍ୟରେ, ବିରୋଧୀ ମେଂଟ ‘ଇଣ୍ଡିଆ’ ପକ୍ଷରୁ ଏକ ପ୍ରତିନିଧି ଦଳ ଆସନ୍ତା ୨୯ ଓ ୩୦ ତାରିଖ ଦୁଇ ଦିନ ପାଇଁ ମଣିପୁର ଗସ୍ତରେ ଯିବେ ଏବଂ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପରେ ସରକାରଙ୍କୁ ଯାହା ସୁପାରିଶ କରିବା କଥା କରିବେ ବୋଲି ମେଂଟ ପକ୍ଷରୁ କୁହାଯାଇଛି । ମେଂଟରେ ସାମିଲ ଥିବା ୨୬ ବିରୋଧୀ ଦଳରୁ ଜଣେ ଲେଖାଏଁ ପ୍ରତିନିଧି ମଣିପୁର ପ୍ରତିନିଧି ଦଳରେ ସାମିଲ ହେବେ । ଅପରପକ୍ଷରେ, ‘ମଣିପୁର ଜଳୁଛି’ ବୋଲି ବିରୋଧୀ ଯାହା କହୁଛନ୍ତି ତାହା ଠିକ୍ ନୁହେଁ, ଜୁଲାଇ ୧୮ ପରଠାରୁ ରାଜ୍ୟର କୌଣସି ହତ୍ୟା ଘଟଣା ଘଟି ନାହିଁ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ଗୁରୁବାର ଦିନ କହିଛନ୍ତି । ସେ କହିଛନ୍ତି, ସଂଘର୍ଷରେ ଲିପ୍ତ ଥିବା ଦୁଇ ଗୋଷ୍ଠୀ (ମୈତେଇ ଓ କୁକି ସଂପ୍ରଦାୟ) ସହ ସରକାର ଆଲୋଚନା କରୁଛନ୍ତି । ଅତିଶୀଘ୍ର ରାଜ୍ୟରେ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରିବ । ଜୁଲାଇ ୨୦ ତାରିଖରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ୧୯ ତାରିଖ ଦିନ କୁକି ମହିଳାଙ୍କୁ ନଗ୍ନ ଅବସ୍ଥାରେ ଚଲାଇ ଚଲାଇ ନିଆଯାଉଥିବା ଭିଡ଼ିଓ କ୍ଲିପ୍ କିଏ ଭାଇରାଲ କଲା, ତାହା ଜାଣିବାକୁ ସରକାର ଜୋର୍ ଲଗାଇ ଥିଲେ । ଇତିମଧ୍ୟରେ, ଭିଭିଡ଼ି ପ୍ରସ୍ତୁତ କରିଥିବା ବ୍ୟକ୍ତି ଚିହ୍ନଟ ହୋଇ ଗିରଫ ହୋଇଛି ଓ ମୋବାଇଲ ମଧ୍ୟ ଜବତ ହୋଇଛି । ତେବେ, ଭିଡ଼ିଓକୁ କିଏ ଭାଇରାଲ କଲା, ତାହା ଉପରେ ତଦନ୍ତ ଜାରି ଥିବା ଜଣାପଡିଛି । ଜବତ ମୋବାଇଲରୁ ମେ’ ୪ ତାରିଖ ଘଟଣା ଭଳି ଆହୁରି ଅନେକ ଘଟଣା ସାମ୍ନାକୁ ଆସି ପାରେ ବୋଲି ପୁଲିସ ଅନୁମାନ କରୁଛନ୍ତି । ମଣିପୁରରେ ମେ’ ୪ ତାରିଖ ଘଟଣା ପରେ ଅଧିକ ହିଂସା ଘଟିବା ଆଶଙ୍କା କରି ରାଜ୍ୟ ସରକାର ଇଂଟରନେଟ୍ ସେବାକୁ ବନ୍ଦ କରିଥିଲେ । ଇଂଟରନେଟ୍ ସେବା କିଛି ମାତ୍ରାରେ କାର୍ଯ୍ୟକ୍ଷମ ହେବା ପରେ ସେଠାରେ ଘଟିଥିବା ହିଂସାର ଚିତ୍ର ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ରାଜ୍ୟରେ ବିଜେପି ସରକାର ଥିବାରୁ କେନ୍ଦ୍ର ସରକାର ଅଡୁଆରେ । ଏବେ, ସିବିଆଇ ତଦନ୍ତ ଆଦେଶ ଦେଇ କେନ୍ଦ୍ର ସରକାର ଅପବାଦମୁକ୍ତ ହେବାକୁ ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS