ବିରୋଧୀ ମେଂଟର ୨୧ ସାଂସଦ ଗଲେ ମଣିପୁର, ବିଜେପି କହୁଛି – ରାଜସ୍ଥାନ, ପଶ୍ଚିମ ବଂଗ ମଧ୍ୟ ଯାଅ…


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁଲାଇ ୨୯
ପୂର୍ବ ଘୋଷଣା ପ୍ରକାରେ ବିରୋଧୀ ମେଂଟ ଆଇଏନଡ଼ିଆଇଏ (ଇଣ୍ଡିଆ)ର ଏକ ୨୧ ଜଣିଆ ପ୍ରତିନିଧିି ଦଳ ଆଜି ଦୁଇ ଦିନିଆ ମଣିପୁର ଗସ୍ତରେ ଯାଇ ଅପରାହ୍ନରେ ରାଜଧାନୀ ଇମ୍ଫାଲରେ ପହଂଚିବା ପରେ ସେଠାରୁ ହେଲିକପଟର ଯୋଗେ ହିଂସାଗ୍ରସ୍ତ ଚୁଡାଚାନ୍ଦପୁରରେ ପହଂଚିଛନ୍ତି । ମେ’ ୩ ତାରିଖରୁ ରାଜ୍ୟରେ ଜାତିଆଣ ହିଂସା ଚାଲିଛି । ଅଣ ଆଦିବାସୀ ମୈତେଇ ସଂପ୍ରଦାୟ ଓ ଆଦିବାସୀ କୁକି ସଂପ୍ରଦାୟ ମଧ୍ୟରେ ଚାଲିଥିବା ହିଂସାରେ ଅନ୍ୟୁନ ୧୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ହଜାର ଲୋକ ଗୃହହୀନ ହୋଇ ରିଲିଫ ଶିବିରରେ ଆଶ୍ରୟ ନେଇଥିବା କୁହାଯାଉଛି । ବ୍ୟାପକ ଭାବେ ଘଟିଥିବା ହତ୍ୟା, ଗୃହଦାହ, ଗଣଦୁଷ୍କର୍ମ ଭଳି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ପାଖାପାଖି ତିନି ମାସ ହେଲା ରାଜ୍ୟର ବାସ୍ତବ ସ୍ଥିତି ସଂପର୍କରେ ଦେଶବାସୀଙ୍କୁ ଅନ୍ଧାରରେ ରଖି ଥିଲେ । ମେ’ ୩ ତାରିଖରେ ହିଂସାକାଣ୍ଡ ଆରମ୍ଭ ହେବା ପରଠାରୁ ରାଜ୍ୟରେ ଇଂଟରନେଟ୍ ସେବାକୁ ସଂପୂର୍ଣ୍ଣ ବା ଆଂଶିକ ଭାବେ ଠପ୍ କରିଦିଆଯିବା କାରଣରୁ ବିରୋଧୀ ମଧ୍ୟ ଅନ୍ଧାରରେ ଥିଲେ । ଜୁଲାଇ ୧୯ ତାରିଖ ଦିନ ଏକ ଭିଡ଼ିଓ ଭାଇରାଲ ହେବା ପରେ ମଣିପୁରରେ କଣ ଚାଲିଛି, ତାହା ପଦାକୁ ଆସିଥିଲା । ମେ’ ୪ ତାରିଖ ଦିନ କୁକି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ତିନି ଜଣ ଆଦିବାସୀ ମହିଳାଙ୍କୁ ଅପର ଗୋଷ୍ଠୀର ହିଂସ୍ର ଜନତା ସଂପୂର୍ଣ୍ଣ ନିର୍ବସ୍ତ୍ର କରି ରାସ୍ତାରେ ଚଳାଇ ଚଳାଇ ନେଉଥିବାର ଭିଡ଼ିଓ ଦେଶର ପ୍ରଧାନ ବିଚାରପତିଙ୍କ ପାଇଁ ମଧ୍ୟ ପୀଡାଦାୟକ ହୋଇଥିଲା । ସେଥିରୁ ଜଣେ ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ରହିଛି । ବିରୋଧୀ ଏହି ଭିଡ଼ିଓକୁ ମାଧ୍ୟମ କରି ୨୦ ତାରିଖରୁ ଚାଲିଥିବା ସଂସଦର ମୌସୁମୀ ଅଧିବେଶନକୁ ଅଚଳ ରଖିଥିବା ବେଳେ ମଣିପୁର ପରିସ୍ଥିତି ନେଇ ସଂସଦରେ ଏକ ପୂର୍ଣ୍ଣାଙ୍ଗ ଆଲୋଚନା ଏବଂ ପ୍ରଧାନମନ୍ତ୍ରୀ ସଂସଦକୁ ଆସି ମଣିପୁର ପରିସ୍ଥିତିକୁ ନେଇ ବିବୃତି ରଖିବା ବିରୋଧୀଙ୍କ ଦାବି ଥିବା ବେଳେ ସରକାର ସେଥିରେ ସହମତ ନୁହନ୍ତି । ସରକାର ମଣିପୁର ପ୍ରସଙ୍ଗରେ ସଂସଦରେ ସ୍ୱଳ୍ପ ସମୟ ଆଲୋଚନା କରାଇବାକୁ ପ୍ରସ୍ତୁତ ଥିବା କହୁଛନ୍ତି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏହାକୁ ନେଇ ବିବାଦ ମଧ୍ୟରେ ବିରୋଧୀ ମେଂଟ ପକ୍ଷରୁ କେନ୍ଦ୍ର ସରକାରଙ୍କ ଉପରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି । ସରକାରଙ୍କ ଆଡୁ ମଧ୍ୟ ଗତକାଲି ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ମେ’ ୪ ତାରିଖ ଘଟିଥିବା ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇ ଉପରେ ନ୍ୟସ୍ତ କରାଯାଇଥିବା କୁହାଯାଇଛି । ଏହି ହିଂସାତ୍ମକ ଘଟଣାର ବିଚାରଣା ଅନ୍ୟ ରାଜ୍ୟରେ କରାଯିବାକୁ ଓ ଛଅ ମାସ ମଧ୍ୟରେ ବିଚାର କାର୍ଯ୍ୟ ସମାପନ ପାଇଁ ନିର୍ଦେଶ ଦିଆଯିବାକୁ କେନ୍ଦ୍ର ସରକାରଙ୍କ ଗୃହ ସଚିବ ଅଜୟ ଭାଲ୍ଲା ସୁପ୍ରିମ କୋର୍ଟରେ ଦାକଲ କରିଥିବା ସତ୍ୟପାଠରେ ସବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି । ସିବିଆଇ ଏହି ମାମଲାର ତଦନ୍ତ ଭାର ହାତକୁ ନେବା ସହ ମଣିପୁର ପୁଲିସ ପକ୍ଷରୁ ଯେଉଁ ଏତଲା ପଂଜୀକରଣ ହୋଇଥିଲା ତାହାକୁ ପୁନଃ ପଂଜୀକରଣ କରିଛି ଏବଂ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି । ଏଭଳି ଏକ ପୃଷ୍ଠଭୂମୀରେ ମଣିପୁରର ହିଂସାଗ୍ରସ୍ତ ଅଂଚଳରେ ବାସ୍ତବ ସ୍ଥିତି କଣ ରହିଛି ତାହା ଅନୁଧ୍ୟାନ କରିବା ସକାଶେ ବିରୋଧୀ ମେଂଟର ଏହି ୨୧ ଜଣିଆ ପ୍ରତିନିଧି ଦଳ ଯାଇଛନ୍ତି । ଆଜି ଓ କାଲି ଦୁଇ ଦିନ ସେମାନେ ହିଂସା ଉପଦ୍ରୁତ ଅଂଚଳ ଗସ୍ତ କରିବେ । ସବୁ ପକ୍ଷଙ୍କୁ ଭେଟି ତଥ୍ୟ ସଂଗ୍ରହ କରିବା ପରେ ସଂସଦରେ ଆଲୋଚନ କରିବେ ଓ କେନ୍ଦ୍ର ସରକାରଙ୍କୁ ସମାଧାନର ପ୍ରସ୍ତାବ ଦେବେ ବୋଲି ଏହି ପ୍ରତିନିଧି ଦଳରେ ଥିବା ଲୋକସଭାର ବିରୋଧୀ ଦଳ ନେତା (କଂଗ୍ରେସ) ଅଧୀର ରଂଜନ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି । ଏହି ପ୍ରତିନିଧି ଦଳରେ ଅଛନ୍ତି – ଅଧୀର ରଂଜନ ଚୌଧୁରୀ, ଗୌରବ ଗୋଗୋଇ, କେ.ସୁରେଶ ଓ ଫୁଲୋ ଦେବୀ ନେତମ୍ (କଂଗ୍ରେସ), ରାଜୀବ ରଂଜନ ସିଂହ ଓରଫ ଲଲ୍ଲନ ସିଂହ ଓ ଅନୀଲ ପ୍ରକାଶ ହେଗଡେ (ଜେଡିୟୁ), ସୁସ୍ମିତା ଦେଓ (ଟିଏମସି), କାନ୍ନିମୋଝୀ (ଡ଼ିଏମକେ), ଆରଜେଡ଼ିର ମନୋଜ କୁମାର ଝା, ସିପିଆଇର ସଂଦୋଶ କୁମାର, ସିପିଆଇଏମ୍ ର ଏ.ଏ.ରହିମ, ସମାଜବାଦୀ ପାର୍ଟିର ଜାଭେଦ ଅଲ୍ଲୀ ଖାନ, ଜେଏମଏମର ମହୁଆ ମାଝୀ, ଏନସିପିର ପି.ପି.ମହମ୍ମଦ ଫୈଜଲ, ଆଇୟୁଏଲଏମର ଇ.ଟି.ମହମ୍ମଦ ବସିର, ଆରଏସପିର ଏନ.କେ.ପ୍ରେମଚନ୍ଦ୍ରନ, ‘ଆପ୍’ର ସୁଶିଲ ଗୁପ୍ତା, ଶିବସେନା (ୟୁବିଟି)ର ଅରବିନ୍ଦ ସାୱନ୍ତ, ଭିସିକେର ଡି.ଶିବ କୁମାର ଓ ଥିରୁ ଥୋଲ ଥିରୁମାଭାଲାଭାନ ଏବଂ ଆରଏଲଡ଼ିର ଜୟନ୍ତ ସିଂହ । ସଂସଦର ଉଭୟ ଗୃହରୁ ସେମାନେ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ଚୁଡାଚାନ୍ଦପୁରରେ ଥିବା ରିଲିଫ କ୍ୟାଂପ୍ ପରିଦର୍ଶନ କରିବା ସହ ମଣିପୁର ରାଜ୍ୟପାଳ ଅନୁଶୂୟା ଉଇକେଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି । ରାଜ୍ୟର ସଂଖ୍ୟାଗରିଷ୍ଠ ମୈତେଇ ସଂପ୍ରଦାୟର ଆଦିବାସୀ ମାନ୍ୟତା ଦାବିକୁ ବିରୋଧ କରି କୁକୁ ଆଦିବାସୀମାନେ ମେ’ ୩ ତାରିଖରେ ଚୁଡାଚାନ୍ଦପୁର ସହରରେ ଶୋଭାଯାତ୍ରା କରିବାରୁ ହିଂସାର ସୂତ୍ରପାତ ହୋଇଥିଲା । ମେ’ ୪ ତାରିଖରେ ଅପରଗୋଷ୍ଠୀ କୁକି ଆଦିବାସୀ ପରିବାର ଉପରେ ଆକ୍ରମଣ କରି ବ୍ୟାପକ ଗୃହଦାହ ଓ ହିଂସା ଘଟାଇ ଥିଲେ । ଆଦିବାସୀ ପରିବାର ଭୟରେ ଜଂଗଲକୁ ପଳାଇବା ସମୟରେ ଯେଉଁମାନେ ହାବୁଡରେ ପଡିଥିଲେ ସେମାନଙ୍କ ପ୍ରତି ହତ୍ୟା, ଗଣଦୁଷ୍କର୍ମ ଭଳି ଅପରାଧ ହୋଇଥିବା ପ୍ରକାଶ । ଯେଉଁ ୩ ଜଣ ମହିଳାଙ୍କୁ ନିର୍ବସ୍ତ୍ର କରି ରାସ୍ତାରେ ଚଳାଇ ଚଲାଇ ନିଆଯାଉଥିବା ଭିଡ଼ିଓ ସାମ୍ନାକୁ ଆସିଛି ତାହା ମେ’ ୪ ତାରିଖରେ ଘଟିଥିବା ହିଂସାର ଏକ ଉଦାହରଣ ମାତ୍ର । ମଣିପୁରରେ ଗତ ତିନି ମାସ ଧରି ଚାଲି ଥିବା ହିଂସାରେ ୫,୧୦୧ ଗୃହଦାହ ଘଟଣା ଘଟିଛି । ପୁଲିସ ୬,୦୬୫ ଏତଲା ଦାଏର ହୋଇଛି । ଅନ୍ୟୁନ ୨୫୨ ଜଣ ଗିରଫ ହୋଇଛନ୍ତି ଓ ୧୨,୭୪୦ ଜଣଙ୍କୁ ପ୍ରତିଷେଧକମୂଳକ ଅଟକ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡିଛି । ତିନି ମହିଳାଙ୍କୁ ନିର୍ବସ୍ତ୍ର କରି ରାସ୍ତାରେ ଚଲାିବା ମାମଲାରେ ଏଯାବତ ୭ ଜଣ ଗିରଫ ହୋଇଛନ୍ତି । ସିବିଆଇ ସେମାନଙ୍କୁ ନିଜ ହେପାଜତକୁ ନେଇ ଜେରା କରିବ ବୋଲି ସୂଚନା ମିଳିଛି । ମଣିପୁର ହିଂସା ପରିସ୍ଥିତି ଅନୁଧ୍ୟାନ ପାଇଁ ବିରୋଧୀ ମେଂଟ ‘ଇଣ୍ଡିଆ’ର ୨୧ ଜଣିଆ ପ୍ରତିନିଧି ଦଳ ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ଘଟଣାରେ ବିଜେପି କଡା ପ୍ରତିକ୍ରିୟା ରଖିଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଆଜି ଗଣମାଧ୍ୟମକୁ କହିଛନ୍ତି, ରାଜସ୍ଥାନ ଓ ପଶ୍ଚିମ ବଂଗରେ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ଘଟଣା ସର୍ବାଧିକ ଥିବାରୁ ବିରୋଧୀ ମେଂଟର ପ୍ରତିନିଧିମାନେ ମଣିପୁରରୁ ଫେରି ସେହି ଦୁଇ ରାଜ୍ୟ ମଧ୍ୟ ଗସ୍ତ କରିବା ଆବଶ୍ୟକ । ପ୍ରତିନିଧି ଦଳରେ ଥିବା ଲୋକସଭା ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ ଦିଲ୍ଲୀ ଫେରିବା ପରେ ସେ ତାଙ୍କୁ ପ୍ରଶ୍ନ କରିବେ ତାଙ୍କ ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ସେ ସମର୍ଥନ କରୁଛନ୍ତି କି ? ମଣିପୁର ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ନେତୃବର୍ଗ ଗଲା ୧୦ ଦିନ ହେଲା ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ କେବେ ଆଲୋଚନା ହେବ ତାହା ସୋମବାର ଜଣାପଡିବା ଆଶା କରାଯାଉଛି । ବିରୋଧୀ ମେଂଟ ସାଂସଦ ପ୍ରତିନିଧିମାନେ ମଣିପୁରରୁ ବଳିଷ୍ଠ ପ୍ରମାଣ ସହ ଫେରିବା ପରେ ଅଧିକ ଆକ୍ରାମକ ଭାବେ ସରକାରଙ୍କୁ ଘେରିବାକୁ ଥିବା ବେଳେ ଲୋକସଭାରେ ବିଜେପିର ଏକାକୀ ୩୦୩ ଏବଂ ଶାସକ ମେଂଟ (ଏନଡିଏ)ର ୩୩୧ ସାଂସଦ ଥିବାରୁ ମୁକାବିଲା ମଧ୍ୟ ଜୋରଦାର ହେବ । ସରକାରଙ୍କ ବିରୋଧରେ ବିରୋଧୀ ଆଣି ଥିବା ଅନାସ୍ଥା ପ୍ରସ୍ତାବ ସଂସଦରେ କାଟ ଖାଇବା ନିଶ୍ଚିତ । ତଥାପି, ବିରୋଧୀ ମଣିପୁରରେ ଯେଉଁ ସରକାରୀ ଅବହେଳା ହୋଇଛି ତାହା ଦେଶବାସୀଙ୍କ ଆଖିକୁ ଆଣିବାରେ ସଫଳ ହେବେ, ଏଥିରେ କାଣିଚାଏ ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS